Unknown

 

 

 

 

 

 

 

 

 

 

ଆମେରିକା ଡାଏରୀ

ରାଧାନାଥ ରଥ

 

ସୂଚୀପତ୍ର

 

୧.

ପୃଥିବୀ ପରିକ୍ରମା

୨.

ମାର୍କିନ ଗଣତନ୍ତ୍ରର ସାମର୍ଥ୍ୟ ଓ ଦୁର୍ବଳତା

୩.

ଯୁକ୍ତରାଷ୍ଟ୍ର ଆମେରିକାରେ ଗଣତନ୍ତ୍ର ବିପନ୍ନ

୪.

ଆମେରିକାର ବିଭବ

୫.

ଅନିୟନ୍ତ୍ରିତ ଉତ୍ପାଦନର ସୁଫଳ ଏବଂ କୁଫଳ

୬.

ଅସାମାଜିକ କାର୍ଯ୍ୟରେ ପୁଞ୍ଜିଲାଭ

୭.

ନିଃସହାୟତା ଯୋଗୁ ସାମାଜିକ ବିଭ୍ରାଟ

୮.

ନିଃସହାୟତାରୁ ଅସାମାଜିକ କାର୍ଯ୍ୟ

୯.

ଅତ୍ୟଧିକ ପ୍ରତିଯୋଗିତା ଯୋଗୁ ଉଦ୍‍ବେଗ ଓ ଅଶାନ୍ତି

୧୦.

ନାରୀ ମୁକ୍ତି ଆନ୍ଦୋଳନ

୧୧.

ପାରିବାରିକ ସମସ୍ୟା

୧୨.

ରେଡ଼ିଓ, ଟେଲିଭିଜନ ଓ ସିନେମା

୧୩.

ଶିକ୍ଷାମାଧ୍ୟମ-ଖବର କାଗଜ

୧୪.

ଛାତ୍ରମାନଙ୍କର ଶିକ୍ଷାପ୍ରତି ଆଗ୍ରହ

୧୫.

ଛାତ୍ରମାନଙ୍କର ଚାଲିଚଳଣ

୧୬.

ଛାତ୍ରମାନଙ୍କର ବିବିଧ ଶିକ୍ଷା

୧୭.

ଆମେରିକାରେ ଭାରତୀୟ ବାସିନ୍ଦା

୧୮.

ବୈଦେଶିକ ନୀତିରେ ପେଣ୍ଟାଗନର ପ୍ରଭାବ

୧୯.

ଆମେରିକାର ହିପ୍ପୀଗୋଷ୍ଠୀ

୨୦.

ଶେଷ କଥା

Image

 

ପୃଥିବୀ ପରିକ୍ରମା

(ଏକ)

 

୧୯୭୩ ମସିହା ଜାନୁୟାରୀ ୨୩ ତାରିଖରେ ମୁଁ ହାଓ୍ୱାଇ ଦ୍ୱୀପପୁଞ୍ଜର ରାଜଧାନୀ ହନୋଲୁଲୁ ଯିବା ଉଦ୍ଦେଶ୍ୟରେ କଲିକତାରେ ଉଡ଼ାଜାହାଜ ଚଢ଼ିଲି । ହାଓ୍ୱାଇ ଦୀପପୁଞ୍ଜ ଯୁକ୍ତରାଷ୍ଟ୍ର ଆମେରିକାର ପଚାଶଟି ଷ୍ଟେଟ୍‍ ଭିତରୁ ଗୋଟିଏ ଷ୍ଟେଟ୍‍ । ପ୍ରଶାନ୍ତ ମହାସାଗର ବକ୍ଷରେ ଅବସ୍ଥିତ ରୋମାଞ୍ଚକର ହାଓ୍ୱାଇ ଦ୍ୱୀପପୁଞ୍ଜର ଖୁବ୍‍ ପ୍ରଶସ୍ତି ଆଗରୁ ଶୁଣିଛି । ବହୁତ ଉପନ୍ୟାସ ଓ ପର୍ଯ୍ୟଟକମାନଙ୍କର ଭ୍ରମଣ କାହାଣୀରେ ଏହାର ଚିତ୍ତାକର୍ଷକ ଦୃଶ୍ୟ, ଏଠାକାର ଆଦିମ ବାସିନ୍ଦାଙ୍କର ସରଳ ଓ ସରସ ଜୀବନ, ପ୍ରାଣଖୋଲା ହସ ଖସି ଭାବ ବିଷୟରେ ବହୁତ ପଢ଼ିଛି । ତେଣୁ ହନୋଲୁଲୁ ଯିବାପାଇଁ ମୋର ଅସୀମ ଆଗ୍ରହ ହେବା । ସ୍ୱାଭାବିକ।

 

ହନୋଲୁଲୁରେ ଥିବା ଇଷ୍ଟୱେଷ୍ଟ ସାଂସ୍କୃତିକ କେନ୍ଦ୍ରରେ ଗୋଟିଏ ଆନ୍ତର୍ଜାତିକ ଆଲୋଚନା ସଭାରେ ଯୋଗଦେବାପାଇଁ ମୁଁ ନିମନ୍ତ୍ରଣ ପାଇଥାଏ । ଏହି ସଭାରେ ବିଭିନ୍ନ ସାଂସ୍କୃତିକ ପରିବେଶରୁ ଆସିଥିବା ଲୋକଙ୍କ ଭିତରେ କିପରି ଶିକ୍ଷା ଓ ସଂସ୍କୃତିର ଆଦାନ ପ୍ରଦାନ କ୍ଷେତ୍ରରେ ଅସୁବିଧା ଉପୁଜେ, ସେ ବିଷୟରେ ଗବେଷଣାପ୍ରସୂତ ପ୍ରବନ୍ଧମାନ ଆଲୋଚିତ ହେବା କଥା । ପୃଥିବୀର ବିଭିନ୍ନ ଦେଶରୁ ୨୨ଜଣ ଗବେଷକ ନିମନ୍ତ୍ରିତ ହୋଇଥିଲେ । ସେ ଭିତରୁ ମୁଁ ଜଣେ । ମୁଁ ମଧ୍ୟ ଗୋଟିଏ ପ୍ରବନ୍ଧ ପଠାଇଥିଲି । ଆମର ପ୍ରାଥମିକ ସ୍କୁଲ ଶିକ୍ଷଣରେ ଆଦିବାସୀ ଓ ହରିଜନ ପିଲାଙ୍କର ବୌଦ୍ଧିକ ବିକାଶ ବ୍ୟାହତ ହୁଏ କି ନାହିଁ ଏ ବିଷୟରେ ମୋର ଗବେଷଣାପ୍ରସୂତ ପ୍ରବନ୍ଧଟି ଏଥିପାଇଁ ପଠାଇଥିଲି ।

 

ହନୋଲୁଲୁରେ ମୋର ଦଶଦିନ ରହିବା କଥା । ପୃଥିବୀର ଗୋଲାର୍ଦ୍ଧର ଏକ-ତୃତୀୟାଂଶରୁ କିଛି ବେଶି ଦୂରତ୍ୱ ଅତିକ୍ରମ କରି ହନୋଲୁଲୁ ଯିବା ସୁବିଧା ମିଳିଲା ପରେ ମୁଁ ଏହି ସୁଯୋଗରେ ପୂର୍ବଦିଗ ଦେଇ ଏହି ଗୋଲ ପୃଥିବୀର ଚତୁଃପାର୍ଶ୍ୱରେ ଥରେ ସପୂର୍ଣ୍ଣରୂପେ ପରିକ୍ରମା କରି ପୁଣି ପଶ୍ଚିମ ଦିଗବାଟେ କଲିକତାରେ ପହଞ୍ଚିବା ପାଇଁ ଗୋଟିଏ ଉଡ଼ାଜାହାଜ ଟିକେଟ୍‍ କିଣିଥାଏ । ହନୋଲୁଲୁ ଯିବା ବାଟରେ ହଙ୍ଗ୍‍କଙ୍ଗ୍‍ ଓ ଟୋକିଓରେ କିଛିଦିନ ରହିବା ପାଇଁ ସ୍ଥିର କରିଥାଏ । ଯଦିଚ ୧୯୭୨ ମସିହା ଅଗଷ୍ଟ ମାସରେ ମୁଁ ହଙ୍ଗ୍‍କଙ୍ଗ୍‍ ରେ ଦଶଦିନ ଓ ଟୋକିଓରେ ତିନିହପ୍ତା ରହିଥିଲି, ତଥାପି ହଙ୍ଗ୍‍କଙ୍ଗ୍‍ ରୁ ଅତିଶସ୍ତାରେ ମିଳୁଥିବା କିଛି ଜାମାପଟା କିଣି ଓ ବିଭାବଶାଳୀ ଜାପାନର ସର୍ବଶ୍ରେଷ୍ଠ ସହର ଟୋକିଓରେ ପୁଣି ଥରେ ଦିନେ ଦୁଇଦିନ ରହି ହନୋଲୁଲୁ ଯିବାପାଇଁ ଠିକ୍‍ କରିଥାଏ । ହନୋଲୁଲୁ ପରେ ଆମେରିକାର କାଲିଫର୍ଣ୍ଣିଆ ଷ୍ଟେଟ୍‍ରେ ଥିବା ପୃଥିବୀବିଖ୍ୟାତ ବାର୍କଲେ ବିଶ୍ୱବିଦ୍ୟାଳୟରେ ଏକମାସ କଟାଇବା ପାଇଁ ନିମନ୍ତ୍ରଣ ମଧ୍ୟ ପାଇଥାଏ । ସେଠାରୁ ସିକାଗୋ ବାଟ ଦେଇ ହାରଭାଡ଼୍‍ ବିଶ୍ୱବିଦ୍ୟାଳୟରେ କିଛିଦିନ କଟାଇ ନିଉୟର୍କରେ ଦୁଇହପ୍ତା ରହିବାପାଇଁ ମଧ୍ୟ ନିମନ୍ତ୍ରଣ ମିଳିଥାଏ । ତା’ ପରେ ଲଣ୍ଡନରେ ବ୍ରିଟିଶ୍‍ କାଉନ୍‍ସିଲର ଅତିଥି ହିସାବରେ ଦୁଇହପ୍ତା ରହିବା କଥା-ତା’ପରେ ମଧ୍ୟ-ପ୍ରାଚ୍ୟର ବେରୁଟ୍‍, ବାଗ୍‍ଦାଦ୍‍ ଓ ବେବିଲୋନ୍‍ ପରିଦର୍ଶନ କରି ପଶ୍ଚିମ ଦିଗରୁ ପ୍ରାୟ ଅଢ଼େଇମାସ ପରେ କଲିକତାରେ ପହଞ୍ଚିବାପାଇଁ ଗୋଟିଏ ବିଶ୍ୱପରିକ୍ରମା ପର୍ଯ୍ୟାୟଭୁକ୍ତ ଟିକେଟ କିଣିଥିଲି ।

 

ବିଂଶ ଶତାବ୍ଦୀର ଅତି ଦ୍ରୁତଗାମୀ ଉଡ଼ାଜାହାଜ ଯୋଗୁ ଆମର ଏହି ବିରାଟ ପୃଥିବୀଟି ଯେପରି ଗୋଟିଏ କ୍ଷୁଦ୍ର ଗୋଲକରେ ପରିଣତ ହୋଇଛି । ପୃଥିବୀ ଗୋଲ ବୋଲି ଭୂଗୋଳରେ ପଢ଼ିଥିବା ଏହି ତଥ୍ୟଟିକୁ ବାସ୍ତବରେ ହୃଦୟଙ୍ଗମ କରିବାପାଇଁ ଏବଂ ପୃଥିବୀକୁ ପ୍ରକୃତ ପରିକ୍ରମା କରିବାର ଆନନ୍ଦ ଅନୁଭବ କରିବାପାଇଁ ଅତ୍ୟଧିକ ଆଗ୍ରହ ଦେଖାଦେବା ସ୍ୱାଭାବିକ । ପୂର୍ବଦିଗକୁ ମୁହଁକରି ଉଡ଼ି ଉଡ଼ି ଗଲେ ପୁଣି ଥରେ ଯେଉଁ ସ୍ଥାନରୁ ବାହାରିବ ଠିକ୍‍ ସେହି ସ୍ଥାନରେ ପହଞ୍ଚିଯିବ-ଏ’କଥା ଅଙ୍ଗେ ନିଭେଇବା ପାଇଁ ସୁବିଧା ପାଇବା ନିଶ୍ଚୟ ଗୋଟିଏ ରୋମାଞ୍ଚକର ଅନୁଭୂତି । ତା’ଛଡ଼ା ୧୯୫୭ରେ ଦେଖିଥିବା ଯୁକ୍ତରାଷ୍ଟ୍ର ଆମେରିକାକୁ ପୁଣି ଥରେ ଦେଖିବାକୁ ପ୍ରବଳ ଇଚ୍ଛା ଥାଏ । ବିଶେଷତଃ ଏହି ଦୀର୍ଘ ଷୋହଳବର୍ଷ ଭିତରେ ସୋଭିଏତ୍‍ ୟୁନିୟନ ଦୁଇଥର ବୁଲିଆସିବା ପରେ ପୁଣି ଥରେ ଯୁକ୍ତରାଷ୍ଟ୍ର ଆମେରିକା ଦେଖିବାର ଅଭିଳାଷ ପୂର୍ଣ୍ଣ ହେବାର ସମ୍ଭାବନା ଯୋଗୁ ମନ ଆନନ୍ଦରେ ଉଲ୍ଲସିତ ହୋଇଉଠୁଥିଲା ।

 

ପୃଥିବୀ ପରିକ୍ରମାର ଏହି ବିରାଟ ରୋମାଞ୍ଚକର ପରିକଳ୍ପନାର ବୁଢ଼ିଆଣୀ ଜାଲ ମୋ ମନ ଭିତରେ ନାନାଭାବରେ ପ୍ରସାରିତ ହୋଇ ଚାଲିଥାଏ । ମୁଁ ୧୯୭୩ ମସିହା ଜାନୁୟାରୀ ୨୩ ତାରିଖରେ କଲିକତାରେ ଉଡ଼ାଜାହାଜ ଚଢ଼ିଲି ହଙ୍ଗ୍‍କଙ୍ଗ୍‍ ଉଦ୍ଦେଶ୍ୟରେ । ବିରାଟ ବୋଇଙ୍ଗ୍‍ ଉଡ଼ାଜାହାଜ-ପ୍ରାୟ ଚାରିଶହ ଲୋକ ବସି ପାରିବା ଭଳି ବିରାଟକାୟ ଆକାଶଯାନକୁ ଦେଖିଲାକ୍ଷଣି ହଠାତ୍‍ ମନରେ ଭୟ ହେଲା ଯେ ଏତେ ବଡ଼ ଜିନିଷଟି କିପରି ଘଣ୍ଟାରେ ଆଠଶହ କିଲୋମିଟର ବେଗରେ ପ୍ରାୟ ଦଶହଜାର ମିଟର ଉଚ୍ଚରେ ଉଡ଼ିବ ? ଉଡ଼ାଜାହାଜଟିର ପ୍ରତ୍ୟେକ ଧାଡ଼ିରେ ଦଶଟି ଲେଖାଏଁ ସ୍ଥାନ, ଏହିପରି ତିରିଶ ଚାଳିଶ ଧାଡ଼ି ଆଗରୁ ପଛଯାଏଁ ଲମ୍ବିଛି । ସେ ଭିତରେ ଖାଇବା, ପିଇବା, ସିନେମା ଦେଖିବାପାଇଁ ସମସ୍ତ ପ୍ରକାର ଆୟୋଜନ କରାଯାଇଛି । ଅତି ଭଲ ଧରଣର ଖାଦ୍ୟ-ପେୟ ଯୋଗାଇ ଦିଆଯାଏ । ସେ ଭିତରେ ବସି ଆକାଶରେ ଉଡ଼ିଲାବେଳେ ଅଧିକାଂଶ ସମୟରେ ତୁମେ ଉଡ଼ୁଛ ବୋଲି ଜଣାଯାଏ ନାହିଁ । ଏହା ଏପରି ସ୍ଥିର ରହି ଉଡ଼େ ଯେ ଦେହ ହଲିବାର ସାମ୍ଭାବନା ନାହିଁ । ଖାଇପିଇ ସିନେମା ଦେଖୁଁ ଦେଖୁଁ ପ୍ରାୟ ପାଞ୍ଚଘଣ୍ଟା ଭିତରେ ଉଡ଼ାଜାହାଜଟି ହଙ୍ଗ୍‍କଙ୍ଗ୍‍ ରେ ପହଞ୍ଚିଲା । ମୁଁ ଗୋଟିଏ ଆଧୁନିକ ହୋଟେଲରେ ଯାଇ ରହିଲି । ତା’ ଆରଦିନ ମୋର ପୂର୍ବପରିଚିତ ଦୋକାନକୁ ଯାଇ କିଛି ଜାମାପଟା କିଣିଲି । ଏଠାରେ ସବୁ ଜିନିଷ ଅତ୍ୟନ୍ତ ଶସ୍ତାରେ ମିଳେ । ଟାକ୍ସ୍‍ମୁକ୍ତ ଏହି ସହରଟି ପ୍ରାଚ୍ୟ ଅଞ୍ଚଳରେ ବାଣିଜ୍ୟ ପାଇଁ ପ୍ରସିଦ୍ଧ । ଆମେରିକା ଓ ଜାପାନରେ ତିଆରି ଜିନିଷ ଏଠାରେ ସେ ଦେଶ ଅପେକ୍ଷା ଶସ୍ତାରେ ମିଳେ-ତେଣୁ-ଲୋକେ କେବଳ କିଣାବିକା କରିବାକୁ ହଙ୍ଗ୍‍କଙ୍ଗ୍‍ ଯାଆନ୍ତି । ଏଠାରେ ବହୁ ଭାରତୀୟ ବ୍ୟବସାୟୀ ଅଛନ୍ତି–ଏମାନଙ୍କର ବହୁ ଦୋକାନ ହଙ୍ଗ୍‍କଙ୍ଗ୍‍ ସହରରେ ଦେଖିବାକୁ ମିଳେ ।

 

ତା’ ଆରଦିନ ଟୋକିଓ ଅଭିମୁଖେ ଯାତ୍ରା କଲି-ଗତଥର ଟୋକିଓରେ ୩ହପ୍ତା ଥିଲି-ତେଣୁ ଏଥର ମୋଟେ ଦୁଇଦିନ ରହିବାପାଇଁ ସ୍ଥିର କରିଥିଲି । ଟୋକିଓ ପୃଥିବୀର ଯେ ସର୍ବବୃହତ୍‍ ସହର ତାହା ନୁହେଁ, ଏହା ମଧ୍ୟ ଖୁବ୍‍ ସୁନ୍ଦର ସହର । ସହରର ଜାକଜମକ, ସାଜସଜ୍ଜା, ଦୋକାନ ବଜାରରେ ଆଲୋକସଜ୍ଜା ପୃଥିବୀର ଅନ୍ୟାନ୍ୟ ସହରଠାରୁ ମଧ୍ୟ ବଳିପଡ଼ିବ । ଏଠାକାର ହୋଟେଲ,ସିନେମା ଓ ଅନ୍ୟାନ୍ୟ ସାଂସ୍କୃତିକ ଅନୁଷ୍ଠାନ ସବୁ ଦେଖିବାର କଥା । ଟୋକିଓ ସହରର ଜୀବନଯାପନ ବହୁତ ବ୍ୟୟବହୁଳ । ତା’ ସାଙ୍ଗକୁ କଳାକାରଖାନାରୁ ବାହାରୁଥିବା ଧୂଆଁ ଓ ଅସଙ୍ଖ୍ୟ ଗାଡ଼ି ମଟରରୁ ଉଦ୍‍ଗାରିତ ବାଷ୍ପ ଯୋଗୁ ଏହି ସହରଟିର ବାୟୁମଣ୍ଡଳ ଅତ୍ୟନ୍ତ ଦୂଷିତ | ଏହା ଏତେ ଦୂଷିତ ଯେ ବର୍ତ୍ତମାନ ଟୋକିଓର କେତେକ ସ୍ଥାନରେ ଶୁଦ୍ଧ ବାୟୁମୁଣି ବିକ୍ରି ହେବାପାଇଁ ଆୟୋଜନ ହେଲାଣି । ରାସ୍ତାରକ୍ଷକ ପୋଲିସମାନେ ମଝିରେ ମଝିରେ କୁଆଡ଼େ ଏପରି ଶୁଦ୍ଧ ବାୟୁମୁଣିରୁ କିଛି କିଛି ବାୟୁ ସେବନ ନକଲେ ଖୁବ୍‍ ଶୀଘ୍ର କ୍ଲାନ୍ତ ହୋଇପଡ଼ନ୍ତି । ଏତେ ସୁନ୍ଦର ସହର ଭିତରେ ଅତ୍ୟଧିକ ଶିଳ୍ପ ପ୍ରସାର ଯୋଗୁ କିପରି ଅସ୍ୱାସ୍ଥ୍ୟକର ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ ତାହା ଟୋକିଓ, ଲସ୍‍ଆଞ୍ଜଲେସ୍‍, ନିୟୁୟର୍କ ପ୍ରଭୃତି ସହର ନଦେଖିଲେ କଳ୍ପନା କରିହେବ ନାହିଁ ।

 

ତଥାପି ପୃଥିବୀର ସର୍ବବୃହତ୍‍ ଓ ମନୋରମ ସହରଟିରେ କିଛିଦିନ କଟାଇବାର ଲୋଭ ସମ୍ୱରଣ କରିହେଲା ନାହିଁ । ମୋର ପୂର୍ବ ପରିଚିତ ବନ୍ଧୁମାନଙ୍କ ସହ ଆଳାପ–ଆଲୋଚନା ପରେ ଦୁଇଦିନ ମଧ୍ୟରେ ବାହାରିଲି ହାଓ୍ୟାଇ ଦ୍ଵୀପପୁଞ୍ଜର ରାଜଧାନୀ ହନୋଲୁଲୁ ଅଭିମୁଖେ । ଜାନୁଆରୀ ୨୭ ତାରିଖ ସଂଧ୍ୟା ଆଠଟାରେ ଟୋକିଓ ଛାଡ଼ିଲି ଏବଂ ସେହି ୨୭ ତାରିଖ ଦିନ ଦଶଟାରେ ସେଠାରୁ ପ୍ରାୟ ଦଶହଜାର କିଲୋମିଟର ପୂର୍ବରେ ଥିବା ହନୋଲୁଲୁ ସହରରେ ପହଞ୍ଚିଲି । ତା’ ଅର୍ଥ ପୂରା ଗୋଟିଏ ଦିନ ଆଗରୁ ଏତେ ବାଟ ଅତିକ୍ରମ କରି ହନୋଲୁଲୁରେ ଯାଇ ପହଞ୍ଚିଲି-ଏହା ସମ୍ଭବ ହେଲା ପୃଥିବୀର ପୂର୍ବ ପଶ୍ଚିମ ସୀମାରେଖା ଧାର୍ଯ୍ୟ କରୁଥିବା ଆନ୍ତର୍ଜାତିକ ଦିବସ (ତାରିଖ) ରେଖା ପାରହେବା ଯୋଗୁଁ ।

 

(ଦୁଇ)

 

ହାଓ୍ୱାଇ ଦ୍ଵୀପପୁଞ୍ଜ ଯୁକ୍ତରାଷ୍ଟ୍ର ଆମେରିକାର ପଚାଶଟି ରାଷ୍ଟ୍ର ଭିତରୁ ଗୋଟିଏ ରାଷ୍ଟ୍ର । ପ୍ରଶାନ୍ତମହାସାଗର ବକ୍ଷରେ ଏହି ଦ୍ଵୀପପୁଞ୍ଜ ଅତ୍ୟନ୍ତ ମନୋହର । ଜାନୁୟାରୀ ମାସରେ ଆମ ପୁରୀର ଜଳବାୟୁଠାରୁ ସାମାନ୍ୟ ଥଣ୍ଡା-କିନ୍ତୁ ସମସ୍ତେ ଖରାଦିନର ପୋଷାକ ପିନ୍ଧନ୍ତି । ହନୋଲୁଲୁ ସହରଟି ସମୁଦ୍ରକୂଳରେ ଅବସ୍ଥିତ । ଚାରିଆଡ଼େ ଧାଡ଼ି ଧାଡ଼ି ନଡ଼ିଆଗଛ ସଜା ହୋଇ ଲଗାହୋଇଛି-। ନଡ଼ିଆଗଛ ସାହାଯ୍ୟରେ ସହରଟିକୁ କିପରି ସୁନ୍ଦର କରି ସଜାଯାଇପାରେ ତାହା ହନୋଲୁଲୁ ନଦେଖିଲେ ବିସ୍ଵାଶ କରିହେବ ନାହିଁ । ଆମ ଦେଶର ସମୁଦ୍ରକୂଳେ ନଡ଼ିଆଗଛର ଦେଖାନାହିଁ । ପୁରୀ ସମୁଦ୍ରକୂଳ ରାସ୍ତାରେ ନଡ଼ିଆଗଛକୁ କଅଣ ଏପରି ଭାବରେ ଲଗାଯାଇ ପାରନ୍ତା ନାହିଁ ? ଆମମାନଙ୍କର ସୌନ୍ଦର୍ଯ୍ୟବୋଧ ଓ ସାଂସ୍କୃତିକ ମନୋବୃତ୍ତି ଅଭାବରୁ ଏହା ସମ୍ଭବ ହୋଇପାରୁ ନାହିଁ-। ଏମାନଙ୍କର ଗଛପତ୍ର ଲଗାଇବାରେ ଯେତେ ଆଗ୍ରହ, ଆମ ଦେଶରେ ପ୍ରତିବର୍ଷ ବନମହୋତ୍ସବ ସତ୍ତ୍ୱେ ଏ ପ୍ରକାର ଆଗ୍ରହ ଗତ ୨୫ବର୍ଷ ଭିତରେ ସୃଷ୍ଟି ହୋଇପାରିଲା ନାହିଁ । ଅଥଚ ପ୍ରାଚୀନ ଭାରତର ଗୋଟିଏ ପ୍ରଧାନ ଐତିହ୍ୟ ହେଲା ରାସ୍ତାକଡ଼ରେ ବୃକ୍ଷ ରୋପଣ କରିବା । ଭାରତୀୟ ଐତିହ୍ୟ ବିଷୟରେ ଅନର୍ଗଳ ବକ୍ତୃତାକାରୀମାନେ ଏ ବିଷୟରେ ଆଗ୍ରହ ଦେଖାଇବାର ଦୃଷ୍ଟାନ୍ତ ଅତ୍ୟନ୍ତ ବିରଳ ।

 

ବିଭବଶାଳୀ ଆମେରିକାର ଏହା ଗୋଟିଏ ସହର ହୋଇଥିବାରୁ ଅନ୍ୟାନ୍ୟ ଆମେରିକାନ୍‍ ସହର ପରି ଏଠାରେ ମଧ୍ୟ ନଭଶ୍ଚୁମ୍ବୀ ପ୍ରାସାଦମାନ ଦେଖିବାକୁ ମିଳେ । ବହୁତ ସୁନ୍ଦର ସୁନ୍ଦର ହୋଟେଲ ସମୁଦ୍ରକୂଳରେ ଅବସ୍ଥିତ । ହଜାର ହଜାର ଲୋକ ସାରାଦିନ ସମୁଦ୍ରରେ ଗାଧୋଉଥାଆନ୍ତି-କିମ୍ବା ସମୁଦ୍ରକୂଳ ବାଲିରେ ଖରାରେ ପଡ଼ିଥାଆନ୍ତି । ପାଶ୍ଚାତ୍ୟ ଦେଶରେ ସାଧାରଣ ଲୋକେ ଜୀବନକୁ ଯେପରି ଭାବରେ ଉପଭୋଗ କରି ପାରନ୍ତି ତାହା ଆମ ଦେଶର ଧନୀ ଓ ଶିକ୍ଷିତ ଲୋକଙ୍କ ପକ୍ଷରେ ମଧ୍ୟ ସମ୍ଭବ ହୁଏ ନାହିଁ । ହନୋଲୁଲୁ ସହର ଭିତରେ କେତୋଟି ସୁନ୍ଦର ଛୋଟ ଛୋଟ ପାହାଡ଼-ସବୁଜ ଗାଢ଼ ବନାନୀରେ ପାହାଡ଼ଗୁଡ଼ିକ ପରିପୂର୍ଣ୍ଣ । ହନୋଲୁଲୁର ଚାରିଆଡ଼େ ଗଛ ଓ ପାହାଡ଼-ସେ ଭିତରେ ସୁନ୍ଦର ସୁନ୍ଦର ଘର-ସହରଟି ଏପରି ମନୋରମ ସେ ପର୍ଯ୍ୟଟକମାନେ ବହୁ ସଙ୍ଖ୍ୟାରେ ବର୍ଷସାରା ଏଠାକୁ ଆସନ୍ତି ।

 

ହାୱାଇ ଦ୍ୱୀପପୁଞ୍ଜର ପୁରାତନ ଅଧିବାସୀଙ୍କୁ ପଲିନେସିଆନ୍‍ ବୋଲି କୁହାଯାଏ । ସେମାନେ ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ, ଦକ୍ଷିଣପୂର୍ବ ଏସିଆ ଏବଂ ଚୀନରୁ ଆସି ବହୁ ପୂର୍ବେ ଏହି ଦ୍ଵୀପପୁଞ୍ଜ ଅଧିକାର କରି ରହିଥିଲେ । ଏମାନଙ୍କର ସଭ୍ୟତା ବହୁତ ପୁରୁଣା-ଏମାନେ ଏବେ ସୁଦ୍ଧା ସେଠାକାର ସ୍ଥାୟୀ ବାସିନ୍ଦା । କିନ୍ତୁ ଆମେରିକାନ୍‍ମାନଙ୍କ ତୁଳନାରେ ଏମାନେ ଗରିବ, ସହରରେ ଏମାନଙ୍କ ସଙ୍ଖ୍ୟା ବହୁତ କମ୍‍-ମଫସଲ ଅଞ୍ଚଳରେ ଆଖୁ ଓ ସପୁରୀ ଚାଷ ଏମାନେ ବହୁତ କରନ୍ତି-। ସେଠାରେ ମଧ୍ୟ ମାଲିକମାନେ ଆମେରିକାର ଧନିକ ଶ୍ରେଣୀର ଲୋକ । ପଲିନେସିଆନ୍‍ମାନଙ୍କ ମଧ୍ୟରେ ଅର୍ଥନୈତିକ ବୈଷମ୍ୟ ବର୍ତ୍ତମାନ ସୁଦ୍ଧା ବହୁ ପରିମାଣରେ ରହିଛି । ସେଥିପାଇଁ ମଝିରେ ମଝିରେ ସଙ୍ଘର୍ଷ ଓ ମନୋମାଳିନ୍ୟ ମଧ୍ୟ ଦେଖାଯାଏ ।

 

ଏହି ପଲିନେସିଆନ୍‍ମାନେ ବର୍ତ୍ତମାନ ସୁଦ୍ଧା ବଡ଼ ସରଳ ଜୀବନ ଯାପନ କରନ୍ତି । ପ୍ରକୃତିକୁ ସେମାନେ ଖୁବ୍‍ ଭଲ ପାଆନ୍ତି । ଏମାନଙ୍କ ମୁହଁରେ ସବୁବେଳେ ହସ ଲାଗିରହିଥାଏ । ସ୍ତ୍ରୀ ଓ ପୁରୁଷମାନେ ସବୁବେଳେ ଫୁଲ ବ୍ୟବହାର କରନ୍ତି । ପର୍ଯ୍ୟଟକମାନଙ୍କୁ ଡଙ୍ଗାରେ ବସାଇ ବୁଲାନ୍ତି-ନାନାପ୍ରକାର ଜିନିଷ ହାତରେ ତିଆରି କରି ବିକନ୍ତି । ଏମାନେ ଗୋଟିଏ ଉତ୍କୃଷ୍ଟ ଧରଣର ସାଂସ୍କୃତିକ କେନ୍ଦ୍ର ସ୍ଥାପନ କରିଛନ୍ତି । ଏହା ଗୋଟିଏ ବିସ୍ତୃତ ଅଞ୍ଚଳରେ ପ୍ରତିଷ୍ଠିତ । ଏମାନଙ୍କର ପୁରାତନ ଯୁଗର ସମସ୍ତ ପ୍ରକାର ଜୀବନଯାପନ ପ୍ରଣାଳୀ ଏଠାରେ ସ୍ଥାୟୀ ଭାବରେ ପ୍ରଦର୍ଶିତ ହୋଇଛି । ପୂର୍ବକାଳରେ ସେମାନେ ଯେପରି ଘରେ ରହୁଥିଲେ, ଯେ ପ୍ରକାରର ଲୁଗା ବୁଣୁଥିଲେ-ଯେ ପ୍ରକାରର ହାତତିଆରି ଜିନିଷ ତିଆରି କରୁଥିଲେ-ଯେ ପ୍ରକାର ଡଙ୍ଗାରେ ଚଢ଼ି ମାଛ ଧରୁଥିଲେ ସେସବୁ ଠିକ୍‍ ସେହିପରି ପ୍ରାକୃତିକ ପରିବେଶ ଭିତରେ ରଖାହୋଇଛି । ସେ ଭିତରେ କେନାଲ୍‍ ତିଆରି ହୋଇଛି-ଡଙ୍ଗା ଚାଲୁଛି-ଠିକ୍‍ ସେହିପରି ଘରେ ଲୋକେ କାମ କରୁଛନ୍ତି-ସେହିପରି ନଡ଼ିଆଗଛ ଓ ଅନ୍ୟାନ୍ୟ ଗଛ ଲଗାହୋଇଛି । ପର୍ଯ୍ୟଟକମାନେ ଏ ଭିତରେ ଘଣ୍ଟା ଘଣ୍ଟା ଧରି ବୁଲନ୍ତି-ଫଟୋ ଉଠାନ୍ତି-ପଲିନେସିଆନ୍‍ ସ୍ୱେଚ୍ଛାସେବକ ଓ ସ୍ୱେଚ୍ଛାସେବିକାମାନେ ଏମାନଙ୍କୁ ହସ ହସ ମୁହଁରେ ସବୁ ବୁଲାଇ ଦେଖାନ୍ତି । ପୂରା ଗୋଟିଏ ଦିନ ଏହି କଲୋନି ଭିତରେ କଟାଇ ପାରିବା ଭଳି ଦର୍ଶନୀୟ ସ୍ଥାନମାନ ରହିଛି ।

 

ତା’ପରେ ସଧ୍ୟାରେ ପିଲିନେସିଆନ୍‍ମାନଙ୍କର ଗୀତ ଓ ଗଣନୃତ୍ୟ ପ୍ରଦର୍ଶିତ ହୁଏ । ଏହା ଏତେ ବେଶି ମନୋମୁଗ୍ଧକର ଓ ମୁକ୍ତାକାଶ ତଳେ ଗୋଟିଏ ବିରାଟ ଦର୍ଶକ ମଞ୍ଚ ସବୁବେଳେ ଦର୍ଶକରେ ଭରପୂର । ପ୍ରାୟ ଦଶହଜାର ଲୋକ ବସିପାରିବା ଭଳି ଦର୍ଶକ ମଞ୍ଚ ଲୋକରେ ଭର୍ତ୍ତି ହୋଇଯାଏ-ତା’ ଆଗରେ ଗୋଟିଏ ବିରାଟ ମୁକ୍ତାକାଶ ରଙ୍ଗମଞ୍ଚ । ତା’ ପଛରେ କୃତ୍ରିମ ଉପାୟରେ ଜଳପ୍ରପାତ ଅହରହ ବିରାଟ ଜଳଧାରା ସୃଷ୍ଟି କରି ଚାଲିଛି । ସାରା ରଙ୍ଗମଞ୍ଚଟିକୁ ଗୋଟିଏ ସୁନ୍ଦର କେନାଲ ପରିବେଷ୍ଟନ କରି ରହିଛି । ସେଥିରେ ଡଙ୍ଗାରେ ଚଢ଼ି କଳାକାରମାନେ ରଙ୍ଗମଞ୍ଚକୁ ଆସନ୍ତି-। ମୁକ୍ତାକାଶତଳ ରଙ୍ଗମଞ୍ଚରେ ଏମାନେ ବହୁ ସଙ୍ଖ୍ୟାରେ ଗଣନୃତ୍ୟ ପ୍ରଦର୍ଶନ କରନ୍ତି-ସେହି ଅତୀତ ଯୁଗର ରଙ୍ଗବେରଙ୍ଗର ପୋଷାକ ପିନ୍ଧି । ଭିନ୍ନ ଭିନ୍ନ ରଙ୍ଗୀନ ଆଲୋକରେ ପ୍ରତିଫଳିତ ଜଳପ୍ରପାତକୁ ପୃଷ୍ଠଭୂମିରେ ରଖି ଏମାନେ ଯେପରି ଭାବରେ ମନମତାଣିଆ ସଙ୍ଗୀତର ମୂର୍ଚ୍ଛନାରେ ନୃତ୍ୟବିଭୋର ହୋଇଯାନ୍ତି, ତାହା ଦେଖିଲେ ଦର୍ଶକ ଦେହରେ ଶିହରଣ ସୃଷ୍ଟି ହୁଏ-ଗୋଟିଏ ଅଦ୍ଭୁତ ଧରଣର କାଳ୍ପନିକ ରାଜ୍ୟ ଭିତରକୁ ଦର୍ଶକମଣ୍ଡଳୀ ଯେପରି ଭାସିଯାଆନ୍ତି । ଆଧୁନିକ ବୈଜ୍ଞାନିକ କଳା କୌଶଳ ସହିତ ସେମାନଙ୍କ ସାବଲୀଳ ନୃତ୍ୟକଳା ମିଶି ଏପରି ଗୋଟିଏ ଅଭୂତପୂର୍ବ ରୋମାଞ୍ଚକର ପରିବେଷ ସୃଷ୍ଟି କରେ ଯେ ଏତେ ବଡ଼ ଦର୍ଶକମଣ୍ଡଳୀ ବିସ୍ମୟବିସ୍ଫାରିତ ଚକ୍ଷୁରେ ନୀରବ ନିଶ୍ଚଳ ଭାବରେ ବସିରହି ଏହି ନୈସର୍ଗିକ ଦୃଶ୍ୟ ଉପଭୋଗ କରୁଥାଆନ୍ତି । ଆମର ପୁରାଣବର୍ଣ୍ଣିତ ସ୍ୱର୍ଗରାଜ୍ୟରେ ଅପ୍ସରାମାନଙ୍କ ନୃତ୍ୟ ନିଶ୍ଚୟ ଏପରି କଳ୍ପନାଚକ୍ଷୁରେ ସୃଷ୍ଟି ହୋଇଥିବ-। ମୋର ମନେହେଲା କେବଳ ଏହି ଗୋଟିକ ଅନୁଭୂତି ଯୋଗୁ ଯେପରି ମୋର ହଓ୍ୱାଇ ଯାତ୍ରା ସମ୍ପୂର୍ଣ୍ଣରୂପେ ସଫଳ ହୋଇଗଲା । ସୁବିଧା ପାଇଥିଲେ ମୁଁ ବୋଧହୁଏ ବହୁଥର ଏହି ମନୋରମ ଦୃଶ୍ୟ ଦେଖିବାକୁ ଯାଇଥାଆନ୍ତି ।

 

ଜୀବନର ଫେନାୟିତ ଅଗ୍ରଗାମୀ ସମୟର ସ୍ରୋତ ଭିତରେ କାଳହୀନ ଓ ଛନ୍ଦମୟ ଆଦି-ଜୀବନର ମଦିରାରେ ଆତ୍ମବିଭୋର ପଲିନେସିଆନ ଯୁବକଯୁବତୀଙ୍କର ସଙ୍ଗୀତ ମୂର୍ଚ୍ଛନା ଓ ସେମାନଙ୍କର ଗଣ ନର୍ତ୍ତନର ଚଳଚଞ୍ଚଳ ପଦଧ୍ୱନି କ୍ରମେ ଲିଭି ଆସିଲା । ମୁଁ ଏହି ମନୋରମ ଦ୍ୱୀପ ଛାଡ଼ି ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆ ଷ୍ଟେଟରେ ରାଜଧାନୀ ସାନଫ୍ରାନ୍‍ସିସ୍କୋ ସହର ଅଭିମୁଖେ ଯାତ୍ରା ଆରମ୍ଭ କଲି । ପ୍ରଶାନ୍ତମହାସାଗରର ଉପରେ ପ୍ରାୟ ଛଅହଜାର କିଲୋମିଟର ଆକାଶପଥ ଅତିକ୍ରମ କଲେ ସାନ୍‍ଫ୍ରାନ୍‍ସିସ୍କୋରେ ଯାଇ ପହଞ୍ଚିବାକୁ ହେବ ।

 

(ତିନି)

 

ଆମର ବିରାଟ ବୋଇଙ୍ଗ ଉଡ଼ାଜାହାଜଟି ପ୍ରଶାନ୍ତମହାସାଗର ଉପରେ ଅବିରାମ ଗତିରେ ଘର୍‍ ଘର୍‍ ଶବ୍ଦ କରି ପ୍ରଖର ବେଗରେ ଉଡ଼ୁଥାଏ । ଆଦିକବି ବାଲ୍ମୀକିଙ୍କର କଳ୍ପନାପ୍ରସୂତ ପୁଷ୍ପକ ବିମାନ ବର୍ତ୍ତମାନ ବାସ୍ତବରେ ପରିଣତ ହୋଇଛି । ଦେବଯାନ ପୁଷ୍ପକ ବିମାନରେ କେବଳ ଦେବତାମାନେ ବସିପାରୁଥିଲେ; କିନ୍ତୁ ଆଜିକାଲି ଯେକୌଣସି ଲୋକ ବସି ଆକାଶମାର୍ଗରେ ଘଣ୍ଟାରେ ଆଠଶହ କିଲୋମିଟର ବେଗରେ ଗତି କରିପାରୁଛି । ଆମର ଉଡ଼ାଜାହାଜଟି ସେହିପରି ଗତିରେ ପ୍ରାୟ ଦଶହଜାର ମିଟର ଉଚ୍ଚରେ ଉଡ଼ୁଥାଏ । ରାତିର କେତେ ଘଣ୍ଟା ଏପରି ଭାବରେ ଚାଲିଲା ପରେ ସକାଳ ହେଲା । ସୂର୍ଯ୍ୟୋଦୟ ବେଳେ ଆକାଶମାର୍ଗରେ ମେଘ ଉପର ଦେଇ ଗଲାବେଳେ କି ଅଦ୍ଭୁଦ ଦୃଶ୍ୟ ! ବହୁତ ତଳେ ମେଘଖଣ୍ଡମାନ ବିରାଟ ବିରାଟ ତୁଳାର ପାହାଡ଼ ପରି ଜମା ହୋଇଥାଏ–ତା’ ଉପରେ ଉଡ଼ାଜାହାଜଟି ଚାଲିଥାଏ । କିନ୍ତୁ ପାଖରେ କୌଣସି ଗତିଶୀଳ ବା ସ୍ଥାଣୁ ବସ୍ତୁ ନଥିବାରୁ ବିମାନଟି ଏତେ ବେଗରେ ଉଡ଼ୁଥିଲେ ସୁଦ୍ଧା ଏହାର ଗତି ଭିତରେ ବସିଥିବା ଲୋକକୁ ଆଦୌ ଜଣା ପଡ଼ୁ ନଥାଏ । ଉପରେ ସୀମାହୀନ ଗାଢ଼ ନୀଳ ଆକାଶ-ତଳେ ଅପରିମିତ ମେଘମାଳା ଧଳା ଧଳା ତୁଳା ପାହାଡ଼ ପରି ଦିଗ୍‍ବଳୟ ପର୍ଯ୍ୟନ୍ତ ଆଚ୍ଛାଦି ରହିଥାଏ । ସେ ଅଦ୍ଭୁତ ଦୃଶ୍ୟ ଭିତରେ ସୂର୍ଯ୍ୟ ହଠାତ୍‍ ମେଘମାଳା ଭିତରୁ ଉଙ୍କି ମାରିବାକୁ ଆରମ୍ଭ କଲା । ସାରା ମେଘମଣ୍ଡଳ ଅଦ୍ଭୁତ ଆଲୋକରେ ଉଦ୍ଭାସିତ ହୋଇଉଠିଲା । ବିଭିନ୍ନ ତୁଳାକୁଢ଼ ସବୁ ନାନା ରଙ୍ଗରେ ରଞ୍ଜିତ ହୋଇଉଠିଲା । ଉପରେ ମେଘହୀନ ଆକାଶର ସୀମାହୀନ ନୀଳିମା-ତଳେ ବିଭିନ୍ନ ରଙ୍ଗର ତୁଳା ପାହାଡ଼ର ଲହରୀ-ତା’ ମଝିରେ ଆମର ପାର୍ଥିବ ବିମାନଟି । ଏ ସମସ୍ତ ଯେପରି ଦିଗ୍‍ମଣ୍ତଳବ୍ୟାପୀ ଗୋଟିଏ ବିରାଟ ଛବି-ଉପରେ ଆକାଶ ଯେପରି ସ୍ଥିର–ତଳର ରଙ୍ଗବେରଙ୍ଗୀ ମେଘମାଳା ସେହିପରି ଅଚଞ୍ଚଳ-ମେଘ ଫାଙ୍କଦେଇ ଠାଏ ଠାଏ ନୀଳ ସମୁଦ୍ର ଦେଖାଯାଉଛି–ତା’ର ପାଣି ମଧ୍ୟ ନିସ୍ତବ୍ଧ ଓ ନିଶ୍ଚଳ । ପ୍ରଶାନ୍ତ ମହାସାଗରରେ ଫେନାୟିତ ଉତ୍ତାଳ ଲହରୀମାଳା ଯେପରି ହଠାତ୍‍ ଥମକିପଡ଼ି ସୁନୀଳ ଆକାଶ ଆଡ଼କୁ ନିର୍ନିମେଷ ନୟନରେ ଅନାଇଁ ରହିଛି । ଅସୀମ ପ୍ରକୃତିର ମୁଗ୍ଧତା ଓ ଆତ୍ମାବିଭୋରତା ଭିତରେ ଯେପରି କୌଣସି ଚଞ୍ଚଳତା ନାହିଁ-। ଏହି ବିରାଟ ନୈସର୍ଗିକ ପ୍ରଚ୍ଛଦପଟ ଭିତରେ ଆମର ଆପାତତଃ ଗତିହୀନ ବିମାନଟି ମଧ୍ୟ ଗୋଟିଏ ସ୍ପନ୍ଦନହୀନ କ୍ଷୁଦ୍ର ବିନ୍ଦୁ ।

 

ସେହି କ୍ଷୁଦ୍ର ବିନ୍ଦୁଟି ଭିତରେ ମୋର ନିଜର ସତ୍ତା ଅନୁଭବ କରିବା ଅସମ୍ଭବ । ବିସ୍ମୟ ଓ ବିମୋହତାର ମୁଁ ଯେପରି ଗୋଟିଏ ଜମାଟବନ୍ଧା ବିନ୍ଦୁ । ଏହି ନୈସର୍ଗିକ ବିରାଟ ସୌନ୍ଦର୍ଯ୍ୟ ଯୋଗୁ ହିଁ କବିମାନେ ମେଘଲୋକକୁ ଦେବତାମାନଙ୍କର ବାସସ୍ଥାନ ବୋଲି କଳ୍ପନା କରିଥିଲେ । ପିଲାଦିନେ ସୂର୍ଯ୍ୟାସ୍ତ ଓ ସୂର୍ଯ୍ୟୋଦୟ ସମୟରେ ଯେଉଁ ବିଚିତ୍ର ମେଘମାଳାକୁ ବହୁ ସମୟ ଧରି ଚାହିଁ ଚାହିଁ କଳ୍ପନା କରିଆସୁଥିଲି, ଆଜି ସେହି ମେଘଲୋକରେ ନିଜକୁ ଏପରି ଭାସମାନ ଅବସ୍ଥାରେ ଅନୁଭବ କରି ଅଭୂତପୂର୍ବ ଆନନ୍ଦ ମନପ୍ରାଣକୁ ଆଲୋଡ଼ିତ କରିଥିଲା ।

 

କେତେବେଳେ ବିମାନଟି ବିରାଟ ବରଫାବୃତ ପ୍ରାନ୍ତର ଉପରେ ବିଶାଳ କଳଲଙ୍ଗଳରେ ଶିଆର କାଟିଲାପରି ଧଳା ମେଘ ପାହାଡ଼ମାଳର ଅସୀମ ବିସ୍ତୃତି ଭିତରେ ଛୁଟିଛି ତ’ ହଠାତ୍ କେତେବେଳେ ମେଘ ପାହାଡ଼ ଭେଦକରି ତୀର ପରି ହଠାତ୍‍ ନିଜକୁ ମୁକ୍ତ କରି ନୀଳ ଆକାଶ ଆଡ଼କୁ ମୁହାଁଉଛି । କେତେବେଳେ ଆଗ ପଛ ଉପର ତଳ ସବୁ ସମାନ । ଗୋଟିଏ ଅନିର୍ଦ୍ଦିଷ୍ଟ ଦିଗନ୍ତବ୍ୟାପୀ ତରଳ ଆଲୋକ-ଉପରେ ମହାଶୂନ୍ୟ-ତଳେ ମଧ୍ୟ ପ୍ରଶାନ୍ତ ମହାସାଗରର ଗଭୀର ଶୂନ୍ୟତା । ଏହି ଅନନ୍ତ ଶୂନ୍ୟତା ଭିତରେ ମନୁଷ୍ୟ-ତିଆରି ଯନ୍ତ୍ରଟି ଗୋଟିଏ ଧୂଳିକଣା ପରି ଭାସିଚାଲିଛି । ତା’ ଭିତରେ କେତୋଟି ନିରାଶ୍ରୟ ମନୁଷ୍ୟ । ବିମାନଟିର ସାମାନ୍ୟ ଗୋଟିଏ ପ୍ରକାର ଘର୍‍ଘର୍‍ ଶବ୍ଦ ଛଡ଼ା ଜୀବନର ଅନ୍ୟ କୌଣସି ଚିହ୍ନ ନାହିଁ-ଯେପରି ସମଗ୍ର ମାନବ ଜାତିର ଆଗେଇ ଯିବାର ଦୃଢ଼ ଉଦ୍ୟମ ଏହି ସାମାନ୍ୟ ଶବ୍ଦ ଭିତର ଦେଇ ପ୍ରକାଶ ପାଉଛି । ଏହି ନିରାଶ୍ରୟ ମନୁଷ୍ୟ ନିଜ ବୁଦ୍ଧିବଳରେ କିପରି ଦୁର୍ଦ୍ଧର୍ଷ ଓ ବଳୀୟାନ୍‍ ହୋଇପାରିଛି ଭାବି ଆଶ୍ଚର୍ଯ୍ୟ ଲାଗିଲା । ମାନବ ଜାତିର ବିଜୟଗୌରବରେ ପ୍ରାଣ ଉଲ୍ଲସି ଉଠିଲା ।

 

ଏହି ବିଭୋରତା ଭିତରେ କେତେ ସମୟ ରହିଲି ତାହା କଳନା କରିବା କଷ୍ଟ-ହଠାତ୍‍ ମଣିଷସ୍ୱର ଶୁଣାଗଲା “ଚୌକି ବେଲ୍ଟ୍‍ ବାନ୍ଧ–ଆମ ବିମାନଟି ସାନଫ୍ରାନ୍‍ସିସ୍କୋ ବିମାନ ବନ୍ଦରରେ ଅଳ୍ପ ସମୟ ପରେ ଓହ୍ଲାଇବ ।” ମିନିଟ୍ ଦଶ ପରେ ଆମେ ଉଡ଼ାଜାହାଜରୁ ଓହ୍ଲାଇଲୁ । ମୁଁ ବିଶ୍ରାମ କକ୍ଷକୁ ଯାଉ ଯାଉ ଦେଖିଲି ମୋର ବଡ଼ପୁଅ–ଯେ କି ବାର୍କଲେ ବିଶ୍ୱବିଦ୍ୟାଳୟରେ ଇଞ୍ଜିନିୟରିଂ ବିଭାଗର ଅପରେଶନ ରିସର୍ଚ୍ଚରେ ଡକ୍ଟରେଟ କରୁଛି–ମୋ’ପାଇଁ ଅପେକ୍ଷା କରିଛି । ଆମେ ଦୁହେଁ ତା’ ଗାଡ଼ିରେ ବସି ସାନଫ୍ରାନ୍‍ସିସ୍କୋ ସହର ପାରହୋଇ ବାର୍କଲେ ଗଲୁ । ତା’ ପାଖରେ ମାସେ ରହିବାର କଥା-ବାର୍କଲେ ବିଶ୍ୱବିଦ୍ୟାଳୟରେ ମୁଁ ଏକମାସପାଇଁ ଅତିଥି-ଅଧ୍ୟାପକଭାବରେ ବକ୍ତୃତା ଦେବାପାଇଁ ନିମନ୍ତ୍ରଣ ପାଇଥାଏ ।

 

ବାର୍କଲେ ସହରଟି ଅତ୍ୟନ୍ତ ସୁନ୍ଦର-ସମୁଦ୍ରକୂଳଠାରୁ ଆରମ୍ଭ କରି ଗୋଟିଏ ପାହାଡ଼ର ଶିଖର ପର୍ଯ୍ୟନ୍ତ ସହରଟି ବ୍ୟାପିରହିଛି । ପ୍ରାୟ ଦୁଇହଜାର ଫୁଟ ଉଚ୍ଚ ପାହାଡ଼ର ଶୀର୍ଷଦେଶରେ ଥିବା ଗୋଟିଏ ଅତି ରମଣୀୟ ଅଞ୍ଚଳରେ ମୋ ପୁଅର ବସାଘର । ସେ ଘର ଆଗରେ ଥିବା ରାସ୍ତା ଆରପାଖ ନିଘଞ୍ଚ ବୃକ୍ଷରାଜି ଭିତରେ ମେଘସବୁ ଭାସୁଥାଏ-ଘର ଛାତରେ ନରମ ସୂର୍ଯ୍ୟକିରଣ ଝଲ୍‍ ମଲ୍‍ କରୁଥାଏ-ଚାରିଆଡ଼େ ଛୋଟିଆ ଛୋଟିଆ ବଗିଚାଘେରା ଘରଟିମାନ ଅତି ଲୋଭନୀୟ ଦେଖାଯାଉଥାଏ । ଏପରି ଏକ ମନୋରମ ପରିବେଶ ଭିତରେ ଗୋଟିଏ ମାସ କଟାଇବା କଥା ଭାବି ମନ ଉତ୍‍ଫୁଲ୍ଲିତ ହୋଇଉଠିଲା ।

Image

 

ମାର୍କିନ ଗଣତନ୍ତ୍ରର ସାମର୍ଥ୍ୟ ଓ ଦୁର୍ବଳତା

 

ଯୁକ୍ତରାଷ୍ଟ୍ର ଆମେରିକାର ଗଣତାନ୍ତ୍ରିକ ସଂସ୍ଥା ଯେ ଗୋଟିଏ ବଳିଷ୍ଠ ଆଦର୍ଶ ଉପରେ ପ୍ରତିଷ୍ଠିତ, ଏଥିରେ ସନ୍ଦେହ ନାହିଁ । ବ୍ୟକ୍ତିଗତ ଜୀବନର ଅନିୟନ୍ତ୍ରିତ ପରିପ୍ରକାଶରେ ଅଖଣ୍ଡ ଅଧିକାର, ମତାମତ ପ୍ରକାଶ କରିବାରେ ପ୍ରଭୂତ ସ୍ଵାଧୀନତା, ବାଧାହୀନ ଜୀବନ ଯାପନ କରିବାର ମାଧୁର୍ଯ୍ୟ ଏଠାକାର ଜନସାଧାରଣ ଅନେକ ପରିମାଣରେ ନିଶ୍ଚୟ ଉପଭୋଗ କରୁଛନ୍ତି । ଏପରିକି ଅନ୍ୟ ଦେଶର ଲୋକେ ସେ ଦେଶରେ ପହଞ୍ଚିଗଲା ପରେ ଅବାଧରେ ଯେ କୌଣସି ସ୍ଥାନକୁ ଯାଇପାରନ୍ତି, ଯେକୌଣସି ହୋଟଲରେ ରହିପାରନ୍ତି, ଯେ କୌଣସି ଲୋକ ସହିତ ବିନା ସଙ୍କୋଚରେ କଥାବାର୍ତ୍ତା କରିପାରନ୍ତି । ପାସପୋର୍ଟ ହୋଟେଲରେ ଦେଖାଇବା ଦରକାର ନାହିଁ କି ସବୁବେଳେ ପକେଟରେ ନେଇ ବାହାରିବା ଦରକାର ନାହିଁ-ହପ୍ତାକୁ ବା ମାସକୁ ଥରେ ପୋଲିସ ପାଖରେ ଯାଇ ନିଜର ପରିଚୟ ଦେବାର ଆବଶ୍ୟକତା ନାହିଁ । ବିଦେଶୀ ହୋଇ ସୁଦ୍ଧା ଆମେରିକା ସରକାରକୁ ସମାଲୋଚନା କରିପାର । ଅନେକ କ୍ଷେତ୍ରରେ ବହୁ କଟୁ ସମାଲୋଚନା କଲାବେଳେ ଶ୍ରୋତା ଛାତ୍ରମାନଙ୍କ ଦ୍ୱାରା ସମର୍ଥନସୂଚକ କରତାଳି ଧ୍ୱନି ହୋଇଥାଏ । ଉଦାହରଣ ସ୍ଵରୂପ ଲେଖକ ଆମେରିକା ସରକାରଙ୍କର ଭିଏତ୍‍ନାମ ଯୁଦ୍ଧନୀତିର ସମାଲୋଚନା ଓ ଭାରତକୁ ସପ୍ତମ ନୌଭେଳା ପଠାଇବା ବିଷୟରେ ଉଲ୍ଲେଖ କଲାବେଳେ ବହୁସ୍ଥାନରେ ଛାତ୍ର ଓ ଅଧ୍ୟାପକମାନଙ୍କଠାରୁ କରତାଳି ଧ୍ୱନି ହୋଇଛି । ଆମେରିକା ସରକାର କିପରି ଗତ ପଚିଶ ବର୍ଷ ହେଲା କେବଳ ଏକଚ୍ଛତ୍ରପତିମାନଙ୍କୁ ଭଲପାଇ ଆସିଛି– ଭାରତ ପରି ଗଣତାନ୍ତ୍ରିକ ଦେଶକୁ ହିଂସା କରିଆସିଛି– ସେ ବିଷୟରେ କହିଲାବେଳେ ଅଧିକାଂଶ ଛାତ୍ରଛାତ୍ରୀ, ଅଧ୍ୟାପକ ଏକମତ ହୋଇଛନ୍ତି-। ଆମେରିକାର ସାମାଜିକ ଦୋଷ-ଦୁର୍ବଳତା ବିଷୟରେ ଆଲୋଚନା ବେଳେ ତୁମୂଳ ଯୁକ୍ତିତର୍କ ହୋଇଛି– ଶେଷରେ ନିଜର ଦୋଷ ଦୁର୍ବଳତା ବିଷୟରେ ଏମାନେ ସ୍ୱୀକାର କରିଛନ୍ତି । ଏପରି ସ୍ଵୀକାର କଲାବେଳେ ଏମାନଙ୍କଠାରେ କୌଣସି ଗ୍ଳାନି କିମ୍ୱା କ୍ରୋଧ ପ୍ରକାଶ ପାଇନାହିଁ । ଆମ ଦେଶରେ କ’ଣ ଏ ପ୍ରକାର ଆଲୋଚନା ସମ୍ଭବ ? ଜଣେ ବିଦେଶୀ ଯଦି ଆମ ସାଂସ୍କୃତିକ ଓ ସାମାଜିକ ଦୋଷ-ଦୁର୍ବଳତା ଦେଖାଏ ତା’ହେଲେ ତା’ର ଅବସ୍ଥା କ’ଣ ହେବ, ସହଜରେ ଅନୁମେୟ-। ଆମର ଦୋଷ-ଦୁର୍ବଳତା ବହୁତ କମ୍‍ କି ନା ? ତେଣୁ ମିଥ୍ୟାବାଦୀକୁ ଶାସ୍ତି ଦେବାରେ ଆମେ ପଛେଇବା ନାହିଁ । ଏ ବିଷୟରେ ଜନସାଧାରଣଙ୍କୁ ଧ୍ୱଂସାତ୍ମକ ପ୍ରେରଣା ଦେବାପାଇଁ ନେତାମାନଙ୍କର ମଧ୍ୟ ଅଭାବ ରହିବ ନାହିଁ । ଆମେରିକାରେ ଦଳେ ଲୋକ ଖ୍ରୀଷ୍ଟାନ ନୀତିକୁ ମାନିବାଲାଗି ବକ୍ତୃତା କଲାବେଳେ ଆଉ ଦଳେ ଅତି କଟୁଭାବରେ ସେହି ସଭାସ୍ଥାନରେ ଖ୍ରୀଷ୍ଟ ଧର୍ମ ବିରୁଦ୍ଧରେ ମନ୍ତବ୍ୟ ପ୍ରକାଶ କରୁଛନ୍ତି । ଦଳେ ଚାଇନା ସପକ୍ଷରେ କହୁଛନ୍ତି ତ’ ଆଉ ଦଳେ ନାନା ପ୍ରଶ୍ନ ପଚାରି ବକ୍ତାଙ୍କୁ ବିବ୍ରତ କରିପକାଉଛନ୍ତି । ଆଉ ଦଳେ ଗେରୁଆ ଲୁଗା ପିନ୍ଧି, ମୁଣ୍ଡ ଲଣ୍ଡା କରି, ପୁରୀ ପଣ୍ଡାଙ୍କ ପରି ଚୁଟି ରଖି, ବେକରେ କାଠମାଳି ପିନ୍ଧି ହରେକୃଷ୍ଣ କୀର୍ତ୍ତନ କରୁଛନ୍ତି-କେତେ ଲୋକ ସେମାନଙ୍କ ପାଖରେ ଠିଆହୋଇ ଶୁଣୁଛନ୍ତି ।

 

ମୋଟାମୋଟି ଭାବରେ ଗତ କେତେ ଶହ ବର୍ଷର ଗଣତାନ୍ତ୍ରିକ ପରମ୍ପରା ଯୋଗୁ ଜନସାଧାରଣଙ୍କଠାରେ ନିଜ ନିଜ ମତ ବ୍ୟକ୍ତ କରିବାରେ କିମ୍ବା ଅନ୍ୟର ମତାମତ ପ୍ରତି ସମ୍ମାନ ଦେଖାଇବାରେ ବଳିଷ୍ଠ ଆଦର୍ଶଗତ ଅଭ୍ୟାସ ଗଢ଼ି ଉଠିଛି । ବାପ-ମା’ ପାଖରେ ପୁଅଝିଅ, ଅଧ୍ୟାପକ ପାଖରେ ଛାତ୍ରଛାତ୍ରୀ, ରାଜନୀତିକ ପାଖରେ ଜନସାଧାରଣ ଅତି ମୁକ୍ତଭାବରେ ମିଶିପାରନ୍ତି-ଯୁକ୍ତି କରିପାରନ୍ତି-ବିନା ଦ୍ୱିଧାରେ ଯେ କୌଣସି ପ୍ରଶ୍ନ ପଚାରି ପାରନ୍ତି । ମତଦ୍ୱୈଧ ଯୋଗୁ ଅତ୍ୟଧିକ ମାନସିକ ଉତ୍ତେଜନା, ବିରକ୍ତି ବା ଶତ୍ରୁତା ଗଢ଼ିଉଠେ ନାହିଁ । କାରଣ ଏ ପ୍ରକାର ମତଦ୍ୱୈଧ ପାଇଁ ସେମାନେ ଯେପରି ସବୁବେଳେ ପ୍ରସ୍ତୁତ ।

 

ଏହି ଗୋଟିଏ ପ୍ରଧାନ ଆଦର୍ଶଗତ କାରଣ ଯୋଗୁଁ ସେମାନେ ପୋଷାକ ପରିଧାନରେ, ବନ୍ଧୁତା ବାନ୍ଧିବାରେ, କଥାବାର୍ତ୍ତା କରିବାରେ ଏବଂ ଦୈନନ୍ଦିନ ଜୀବନ ଯାପନ କରିବାରେ ବହୁ ପରିମାଣରେ ଅକୃତ୍ରିମ । ସବୁ କ୍ଷେତ୍ରରେ ଅନ୍ୟର ରୁଚି, ଆଗ୍ରହ ଓ ଚାଲିଚଳଣ ସମ୍ପୂର୍ଣ୍ଣ ଅଲଗା ହେଲେ ମଧ୍ୟ ଏମାନଙ୍କର ଗଣତାନ୍ତ୍ରିକ ସହନଶୀଳତା ଯୋଗୁ ଏସବୁ ପ୍ରତି ସହାନୁଭୂତି ଥାଏ; ଅର୍ଥାତ୍‍ ଜନସାଧାରଣଙ୍କଠାରେ ପରସ୍ପର ପ୍ରତି ସହନଶୀଳତା ବହୁତ ବେଶି । ପରସ୍ପର ପ୍ରତି ଶ୍ରଦ୍ଧା ଓ ସମ୍ମାନ ଗଣତାନ୍ତ୍ରିକ ପରମ୍ପରାର ଗୋଟିଏ ପ୍ରଧାନ ବ୍ୟାବହାରିକ ଦିଗ । ଏ କ୍ଷେତ୍ରରେ ଆମେରିକା, ଇଂଲଣ୍ଡ ଓ ଅନ୍ୟାନ୍ୟ ୟୁରୋପୀୟ ଜାତିର ଲୋକମାନେ ମଧ୍ୟ ବହୁତ ସଚେତନ । ଭାରତ ନୂଆ କରି ଗଣତାନ୍ତ୍ରିକତା ଶିଖିଥିବାରୁ ଯେକୌଣସି କ୍ଷେତ୍ରରେ ଅନ୍ୟର ରୁଚି ଓ ମତାମତ ପ୍ରତି ଖାତିରି ନକରି ନିଜ ଇଚ୍ଛାମତ କାମ କରିବାରେ ପୂର୍ଣ୍ଣ ସ୍ଵାଧୀନତା ଗଣତାନ୍ତ୍ରିକ ଅଧିକାରର ଅଭିବ୍ୟକ୍ତି ବୋଲି ଅନେକ ଭାରତୀୟ ଭାବନ୍ତି । ବିବାହ-ବ୍ରତବେଳେ କିମ୍ୱା ପର୍ବପର୍ବାଣୀରେ, ଏପରିକି ପ୍ରାର୍ଥନା ସଭାରେ ମଧ୍ୟ ବିରାଟ ଚିତ୍କାର କରୁଥିବା ଡାକବାଜି ଯନ୍ତ୍ର ରାତିସାରା ଲଗାଇବାରେ ଅନ୍ୟର ଅସୁବିଧା ହୋଇପାରେ ଏ ବିଚାର ଆମମାନଙ୍କ ଧାରଣାର ବାହାରେ । ଏ ପ୍ରକାର ବ୍ୟକ୍ତିଗତ ଔଦ୍ଧତ୍ୟରୁ ଅତି ଶିକ୍ଷିତ ବା ଅତି ଗଣ୍ୟମାନ୍ୟ ବ୍ୟକ୍ତିମାନେ ମଧ୍ୟ ମୁକ୍ତ ନୁହନ୍ତି ।

 

ଏ ପ୍ରକାର ବଳିଷ୍ଠ ଗଣତାନ୍ତ୍ରିକ ପରମ୍ପରା ଯୋଗୁ ହିଁ ଆମେରିକା ସରକାରଙ୍କର ଭିଏତ୍‍ନାମ ଯୁଦ୍ଧନୀତି ବିରୁଦ୍ଧରେ ଏତେ ବେଶି ବିକ୍ଷୋଭ ସମ୍ଭବ ହୋଇପାରିଥିଲା । ଏଠାକାର କେତେକ ବିଖ୍ୟାତ ବୈଜ୍ଞାନିକ ଭିଏତ୍‍ନାମ ଯୁଦ୍ଧ ସଂକ୍ରାନ୍ତୀୟ କୌଣସି ଗବେଷଣାରେ ନିଯୁକ୍ତ ହେବେ ନାହିଁ ବୋଲି ପ୍ରସ୍ତାବ ଗ୍ରହଣ କରିଥିଲେ । ଜାକ୍‍ ଆଣ୍ଡରସନ୍‍ଙ୍କ ପରି ସାମ୍ବାଦିକ ଯୁଦ୍ଧବିଭାଗରୁ ଏତେ ଗୁରୁତର କାଗଜପତ୍ର ଅତି ଗୁପ୍ତଭାବରେ ହସ୍ତଗତ କରି ଖବରକାଗଜମାନଙ୍କରେ ପ୍ରକାଶ କରିଦେଲେ ଏବଂ ସେଥିଯୋଗୁ ତାଙ୍କୁ ଉଚ୍ଚ ସାମାଜିକ ସମ୍ମାନ ମଧ୍ୟ ଦିଆହୋଇଥିଲା । ବର୍ତ୍ତମାନ ସେ ଅନେକ କାଗଜରେ ତାଙ୍କର ନିର୍ଭୀକ ମତାମତ ପ୍ରକାଶ କରୁଛନ୍ତି । ପ୍ରେସିଡେଣ୍ଟ ନିକ୍‍ସନ୍‍ ଓ ଅତି ଶକ୍ତିଶାଳୀ ମାର୍କିନ ଯୁଦ୍ଧ ବିଭାଗ ତାଙ୍କ ଉପରେ ଯେତେ ବିରକ୍ତ ହେଲେ ସୁଦ୍ଧା ସେ ସାମାଜିକ ସମ୍ମାନ ପାଉଛନ୍ତି । ଅବଶ୍ୟ କେଉଁ ମୁହୂର୍ତ୍ତରେ ତାଙ୍କୁ କିଏ ଗୁଳି କରିଦେଇପାରେ ସେ ଆଶଙ୍କା ମଧ୍ୟ ରହିଛି । ଏହି ସମାଜର ଆଉ ଗୋଟିଏ ଅଂଶରେ ବଢ଼ିଉଠୁଥିବା କାନ୍ସର୍‍ ଘା’ ପରି କୁତ୍ସିତ ଦିଗ ମଧ୍ୟ ରହିଛି । ତା’ର ଆଲୋଚନା ପରେ ହେବ ।

 

ମୋଟାମୋଟି ଭାବରେ କହିବାକୁ ଗଲେ ଯୁକ୍ତରାଷ୍ଟ୍ର ଆମେରିକାର ଗଣତାନ୍ତ୍ରିକ ପରମ୍ପରା ଏ ଦେଶର ଲୋକଙ୍କର ସାମାଜିକ, ସାଂସ୍କୃତିକ ଓ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣକୁ ଯେ ଅତି ନିବିଡ଼ ଭାବରେ ନିୟନ୍ତ୍ରଣ କରୁଛି, ଏଥିରେ ସନ୍ଦେହ ନାହିଁ । ସାହିତ୍ୟ, କଳା, ରଙ୍ଗମଞ୍ଚ, ଅଧ୍ୟୟନ, ଅଧ୍ୟାପନ, ସାଧାରଣ କଥାବାର୍ତ୍ତା, ରୁଚି-ଅରୁଚି, ଢଙ୍ଗଢାଙ୍ଗ ଭିତର ଦେଇ ଏହି ଗଣତାନ୍ତ୍ରିକ ଦିଗ୍‍ଦର୍ଶନ ଯେ ଅତି ପରିସ୍ଫୁଟଭାବରେ ଅଭିବ୍ୟକ୍ତ ହେଉଛି ଏହା ଯେ କୌଣସି ଆଗନ୍ତୁକ ଲକ୍ଷ୍ୟ କରିପାରିବେ; କିନ୍ତୁ ଗଣତାନ୍ତ୍ରିକ ଦର୍ଶନାନୁପ୍ରାଣିତ ଏହି ବିରାଟ ଜୀବନୀଶକ୍ତିର ସ୍ୱଚ୍ଛଳ ପ୍ରବାହ ନାନାଭାବରେ ମନ୍ଦିତ ତଥା କଳୁଷିତ ହୋଇ ପଡ଼ୁଛି । ମାର୍କିନ୍ ସମାଜର ଆଉ ଗୋଟିଏ ଅତି ଶକ୍ତିଶାଳୀ ସାମାଜିକ ଶକ୍ତି ଯୋଗୁଁ ଏହି ବିରାଟ ଶକ୍ତି ଆଗରେ ଗଣତାନ୍ତ୍ରିକ ଜୀବନଶକ୍ତି ରୋଗାକ୍ରାନ୍ତ ତଥା ପଥଭ୍ରଷ୍ଟ ହୋଇପଡ଼ୁଛି । ଯେଉଁ ବ୍ୟକ୍ତି-ସ୍ୱାଧୀନତା ଯୋଗୁଁ ବ୍ୟକ୍ତିର ଚରମ ବିକାଶ ଓ ସୁପ୍ତ ମାନବିକ ଶକ୍ତିର ଅପରିମିତ ଅଭିବ୍ୟକ୍ତି ସମ୍ଭବ ହୋଇ ପାରନ୍ତା ତାହା ଦିଗଭ୍ରଷ୍ଟ ହୋଇପଡ଼ୁଛି । ମନୁଷ୍ୟ ସମାଜର ଐତିହାସିକ ସ୍ଵପ୍ନାୟିତ ଆଶା-ଆକାଙ୍‍କ୍ଷା ସାମାଜିକ ହା-ହତାଶାର ଦୀର୍ଘଶ୍ୱାସରେ ପରିଣତ ହୋଇପଡ଼ୁଛି । ବ୍ୟକ୍ତିଗତ ତଥା ସାମାଜିକ ଜୀବନ ବ୍ୟର୍ଥତାରେ ବିଦୀର୍ଣ୍ଣ ହୋଇ ଯାଉଛି ।

 

(ଦୁଇ)

 

ମାର୍କିନ ଗଣତାନ୍ତ୍ରିକ ସଂସ୍ଥା ଯୋଗୁ ସେ ଦେଶର ସାମାଜିକ ଜୀବନରେ ଗଣତାନ୍ତ୍ରିକ ଚେତନା, ବ୍ୟକ୍ତିଗତ ଜୀବନରେ ଗଣତାନ୍ତ୍ରିକ ସ୍ୱାଧୀନତା କିପରି ପ୍ରତିଫଳିତ ହେଉଛି, ସେ ବିଷୟରେ ଏ ପ୍ରବନ୍ଧର ପୂର୍ବାର୍ଦ୍ଧରେ ଆଲୋଚନା ହୋଇଛି । କିନ୍ତୁ ଏ ପ୍ରକାର ଗଣତାନ୍ତ୍ରିକ ସଂସ୍ଥାର ସର୍ବପ୍ରସାରୀ ବିକାଶ ପୁଞ୍ଜିପତି ଦେଶର କେତେଗୁଡ଼ିଏ ଅତି ମାରାତ୍ମକ ସାମାଜିକ ଅନୁଷ୍ଠାନ ଯୋଗୁ ସମ୍ଭବ ହୋଇ ପାରୁନାହିଁ । ସର୍ବସାଧାରଣଙ୍କର କଲ୍ୟାଣଲାଗି ସରକାରୀ କଳ ଯେପରି ଭାବରେ ପରିଚାଳିତ ହେବା କଥା ତାହା ମୁଷ୍ଟିମେୟ କେତେକ କୋଟିପତିଙ୍କର ପ୍ରଭୂତ ପୁଞ୍ଜି, ଅପରିସୀମ ରାଜନୈତିକ କ୍ଷମତା ତଥା ସୁଦୂରପ୍ରସାରୀ ପ୍ରଭାବ ଯୋଗୁଁ ସମ୍ଭବ ହୋଇ ପାରୁ ନାହିଁ । ସରକାର ଏମାନଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଥିବାରୁ ଜନସାଧାରଣଙ୍କର ସ୍ଵାର୍ଥ ସହିତ ଏମାନଙ୍କର ସ୍ଵାର୍ଥର ସଙ୍ଘର୍ଷ ହେଲାକ୍ଷଣି ଏହି କେତେକ ପୁଞ୍ଜିପତିଙ୍କର ସ୍ୱାର୍ଥରକ୍ଷା ଲାଗି ଅଧିକାଂଶ କ୍ଷେତ୍ରରେ ସରକାର କାର୍ଯ୍ୟ କରନ୍ତି ଏବଂ ଅନେକ ସମୟରେ ସରକାରଙ୍କର ଏହା କରିବା ଛଡ଼ା ଅନ୍ୟ ଉପାୟ ନ ଥାଏ; ଅର୍ଥାତ୍‍ ଯେତେଦିନଯାଏ ଏବଂ ଯେଉଁ ସବୁ କ୍ଷେତ୍ରରେ ପୁଞ୍ଜିପତିଙ୍କ ପୁଞ୍ଜି ଲାଭରେ କୌଣସି ଆଞ୍ଚ ଆସେ ନାହିଁ, ସେତେ ବେଳଯାଏ ଜନସାଧାରଣଙ୍କ ମତାମତର ମୂଲ୍ୟ ଅଛି, କିନ୍ତୁ ଜନସାଧାରଣ ଯଦି ଏହି ପୁଞ୍ଜିପତିଙ୍କୁ ନିୟନ୍ତ୍ରଣ କରିବାକୁ ଚାହିଁବେ ତା’ହେଲେ ତାହା କେବେ ସମ୍ଭବ ହେବ ନାହିଁ ।

 

ଖବରକାଗଜ ସବୁ ବଡ଼ ବଡ଼ ପୁଞ୍ଜିପତିଙ୍କ ଦ୍ୱାରା ନିୟନ୍ତ୍ରିତ । ତେଣୁ ସେମାନଙ୍କୁ ସୁହାଇଲା ଭଳି ଖବର ବେଶି ବାହାରେ । ଅବଶ୍ୟ ଗଣତାନ୍ତ୍ରିକ ପରମ୍ପରାନୁଯାୟୀ ଅନ୍ୟାନ୍ୟ ଖବର ମଧ୍ୟ ବାହାରେ; କିନ୍ତୁ ସେ ସବୁ ଏପରି ଭାବରେ ବିଜ୍ଞାପନଭରା ପୃଷ୍ଠାରେ ଦିଆହୋଇଥାଏ ଯେ ସାଧାରଣ ଲୋକଙ୍କ ପକ୍ଷରେ ତାକୁ ଖୋଜି ବାହାର କରିବା ସହଜ ନୁହେଁ । ତିରିଶ ଚାଳିଶ ପୃଷ୍ଠାର ଖବରକାଗଜ ବିଜ୍ଞାପନରେ ଭରପୂର । ଗୋଟିଏ ପୂରା ପୃଷ୍ଠାରେ ଗୋଟିଏ ସ୍ତମ୍ଭରୁ କମ୍‍ ଖବର ହୁଏତ ଥାଏ–ଆଉ ସବୁ ବିଜ୍ଞାପନ । ସାଧାରଣ ଲୋକଙ୍କର ଏସବୁ ପୃଷ୍ଠା ଲେଉଟାଇ ଲେଉଟାଇ ସେହି ଟିକକ ଖବର ପଢ଼ିବାପାଇଁ ଧୈର୍ଯ୍ୟ ଏବଂ ସମୟ ନଥାଏ । ଏସବୁ କାଗଜରେ ଆନ୍ତର୍ଜାତିକ ଖବର ମଧ୍ୟ ବହୁତ କମ୍‍ । ବିଶେଷତଃ ଭାରତ ପରି ଦେଶ ବିଷୟରେ ପ୍ରାୟ କିଛି ଖବର ନ ଥାଏ । ‘ନ୍ୟୁୟର୍କ ଟାଇମ୍ସ’ରେ ମଝିରେ ମଝିରେ ଭାରତ ବିଷୟରେ କିଛି ଖବର ବାହାରେ । କିନ୍ତୁ ଏହି କାଗଜକୁ ସର୍ବସାଧାରଣଙ୍କ ଭିତରୁ ବହୁତ କମ୍‍ ଲୋକ ପଢ଼ନ୍ତି । ଆମ ଦେଶର ଛୋଟ ଛୋଟ କାଗଜରେ ଆନ୍ତର୍ଜାତିକ ଖବର ଯେତେ ବାହାରେ ତା’ ତୁଳନାରେ ଆମେରିକାର ଅତି ପୃଥୁଳକାୟ ଖବରକାଗଜମାନଙ୍କରେ ଏ ପ୍ରକାର ଖବର ବହୁତ କମ୍‍ । ଅର୍ଥାତ୍‍ ଖବରକାଗଜର ଅଧିକାରୀ ପୁଞ୍ଜିପତିମାନେ ଯେ ପ୍ରକାର ଖବର ଦେବାକୁ ଚାହାନ୍ତି–ଯେପରି ଭାବରେ ଲୋକଙ୍କୁ ଅଜ୍ଞ କରି ରଖିବାକୁ ଚାହାନ୍ତି, ତାହା ଏ ଦେଶରେ ଅତିମାତ୍ରାରେ ସମ୍ଭବ । ଫଳରେ ଲୋକମାନଙ୍କର ଦେଶବିଦେଶ ବିଷୟରେ ସଠିକ୍‍ ଖବର ଜାଣିବାର ଯେଉଁ ଗଣତାନ୍ତ୍ରିକ ସ୍ଵାଧୀନତା ରହିଛି ତାହା ବାଧାପ୍ରାପ୍ତ ହୁଏ । ଅବଶ୍ୟ ଅନେକ କାଗଜରେ ସରକାରଙ୍କ ନୀତି ବିରୁଦ୍ଧରେ ବିଶେଷତଃ ଭିଏତ୍‍ନାମ ଯୁଦ୍ଧ ବିରୁଦ୍ଧରେ ଯେପରି ଖବର ସବୁ ପ୍ରକାଶିତ ହୁଏ, ତାହା ଯେ କୌଣସି ଦେଶ ପକ୍ଷରେ ନିଶ୍ଚୟ ଗର୍ବ ଓ ଗୌରବର କଥା ।

 

ଖବରକାଗଜ ପରି ରେଡ଼ିଓ ଓ ଟେଲିଭିଜନ ମଧ୍ୟ ବହୁତ ବେଶି ପୁଞ୍ଜିପତିଙ୍କର ଲାଭଖୋର ମନୋବୃତ୍ତିଦ୍ୱାରା ପ୍ରଭାବିତ । ଦଶ ପନ୍ଦର ମିନିଟ୍‍ ଧରି ଦେଶ-ବିଦେଶ ଖବର ଧାରାବାହିକ ଭାବରେ ଶୁଣିବାର ଉପାୟ ନାହିଁ । ଅଳ୍ପ ସମୟ ଖବର ଦେଲା ପରେ ରେଡ଼ିଓ ଓ ଟେଲିଭିଜନରେ ଦୁଇ ତିନୋଟି ବିଜ୍ଞାପନ ଘୋଷଣା କରାଯାଏ । ତା’ପରେ ପୁଣି କିଛି ସମୟ ଖବର–ତା’ ପରେ ପୁଣି ସେହି ବିଜ୍ଞାପନ । ଯେ କୌଣସି ବିଖ୍ୟାତ ଡ୍ରାମା ବା ବାଲେ ନାଚ ମୂଳରୁ ଶେଷ ଯାଏ ଟେଲିଭିଜନରେ ଦେଖିବାର ଉପାୟ ନାହିଁ । ବହୁଥର ମଝିରେ କଟିଯିବ, ତା’ ଭିତରେ ସାବୁନ କିମ୍ବା ପୋଷାକ ବା ଅନ୍ୟାନ୍ୟ ଜିନିଷ ବିଷୟରେ ବିଜ୍ଞାପନ ଦେଖିବାକୁ ମିଳିବ । ଆମ ଦେଶର ରେଡ଼ିଓ କିମ୍ୱା ଲଣ୍ଡନର ବି.ବି.ସି.ରୁ ଯେପରି ଗୋଟିଏ ଆଲୋଚନା ଧାରାବାହିକ ଭାବରେ ପନ୍ଦର କୋଡ଼ିଏ ମିନିଟ୍‍ ଯାଏ ଶୁଣିହେବ, ତାହା ଆମେରିକାରେ ହୋଇପାରିବ ନାହିଁ । ତା’ ଅର୍ଥ ଲୋକଶିକ୍ଷା ବା ସାଂସ୍କୃତିକ କାର୍ଯ୍ୟକ୍ରମ ଅପେକ୍ଷା ପୁଞ୍ଜିପତିଙ୍କ ଦ୍ୱାରା ପରିଚାଳିତ ବ୍ୟବସାୟଗତ ବିଜ୍ଞାପନର ମୂଲ୍ୟ ବେଶି । ସକାଳୁ ସନ୍ଧ୍ୟାଯାଏ-ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଲୋକେ କ’ଣ ଖାଇବେ, କି ଗାଡ଼ି କିଣିବେ, କି ପ୍ରକାର ଘର କିଣିବା ଉଚିତ, କେଉଁ ସାମାଜିକ ସ୍ତରର ଲୋକେ କ’ଣ କରିବା ଉଚିତ ସେ ବିଷୟରେ ଅନବରତ ପୁଞ୍ଜିପତିମାନେ ଲୋକଙ୍କୁ କହିବାରେ ଲାଗିଛନ୍ତି । କେତେକ ବୈଜ୍ଞାନିକଙ୍କ ମତରେ ଏ ପ୍ରକାର ଧାରାବାହିକ ଓ ଦ୍ୱନ୍ଦ୍ୱାତ୍ମକ ପ୍ରଚାର ଫଳରେ ଲୋକଙ୍କ ମନରେ ବହୁପ୍ରକାର ମାନସିକ ବିଭ୍ରାଟ ଦେଖାଦେଉଛି । ଲୋକଙ୍କର ସ୍ୱାଧୀନ ଚିନ୍ତାବିକାଶରେ ବହୁତ ବାଧା ସୃଷ୍ଟି ହେଉଛି-ଲୋକେ ଏ ପ୍ରକାର ଦ୍ୱନ୍ଦ୍ୱାତ୍ମକ ପ୍ରଚାର ଫଳରେ ପ୍ରତ୍ୟେକ ବିଷୟରେ ନିଜକୁ ଅସହାୟ ମନେକରୁଛନ୍ତି ।

 

ମାର୍କିନ ଗଣତନ୍ତ୍ରର ଗୋଟେ ପ୍ରଧାନ ଦିଗ୍‍ଦର୍ଶନ ହେଲା ଲୋକଙ୍କର ଯେ କୌଣସି କ୍ଷେତ୍ରରେ ପୁଞ୍ଜି ଖଟାଇବାରେ ଅନିୟନ୍ତ୍ରିତ ସ୍ଵାଧୀନତା । ଏହା ଏପରି ଚରମ ସୀମାରେ ପହଞ୍ଚିଲାଣି ଯେ ବର୍ତ୍ତମାନ ଏହି କାରଣ ଯୋଗୁଁ ଏଠାରେ ବହୁ ସାମାଜିକ ବିଭ୍ରାଟ ଦେଖାଦେଲାଣି । ବହୁ ପୁଞ୍ଜିପତି ବର୍ତ୍ତମାନ ଅସାମାଜିକ ଯୌନ ସିନେମା-ଚିତ୍ର ଉତ୍ପାଦନ କରୁଛନ୍ତି । ସହରମାନଙ୍କରେ ଏ ପ୍ରକାର ଯୌନଚିତ୍ର ଏତେ ବ୍ୟାପକ ଭାବରେ ସିନେମାଘରମାନଙ୍କରେ ଦେଖାଯାଉଛି ଯେ କ୍ରମେ ଏହି କାରଣ ଯୋଗୁଁ ସମାଜରେ ଅନ୍ୟାନ୍ୟ ବ୍ୟଭିଚାର ଦେଖାଦେଲାଣି । ଏ ପ୍ରକାର ସିନେମା-ଚିତ୍ରରେ କଳା ସୌନ୍ଦର୍ଯ୍ୟ, କଥାବସ୍ତୁ କିମ୍ୱା ଅଭିନୟ ଶୈଳୀର କୌଣସି ସ୍ଥାନ ନାହିଁ ।

 

ଦୁଇଘଣ୍ଟା ଧରି ସ୍ତ୍ରୀ-ପୁରୁଷମାନେ ନାନା ଭାବରେ ଯୌନକ୍ରିୟାରେ ଲିପ୍ତ ଥିବାର ଛବି ଦେଖାଯାଉଛି । ଯେତେପ୍ରକାର ଅପ୍ରାକୃତ ଯୌନ ସମ୍ପର୍କ ମନସ୍ତତ୍ତ୍ୱ ବହିମାନଙ୍କରେ ପଢ଼ିବାକୁ ମିଳେ ସେ ସବୁ ଛବିରେ ଦେଖାଯାଉଛି । ସିନେମା ଘର ଦର୍ଶକମାନଙ୍କଦ୍ୱାରା ଭରପୂର । ଏ ପ୍ରକାର ଛବିର ନିର୍ମାତା ଓ ନିର୍ଦ୍ଦେଶକମାନେ ବହୁ ଅର୍ଥ ରୋଜଗାର କରନ୍ତି । ଖବରକାଗଜରେ ଏପରି ଜଣେ ଛବି-ନିର୍ମାତାଙ୍କର ବିବୃତି ଓ ତାଙ୍କର ଫଟୋ ବାହାରିଥିଲା ଯେ ସେ ନିଚ୍ଛକ ଭାବରେ ଜଣେ ବ୍ୟବସାୟୀ । ତାଙ୍କର ଏ ବ୍ୟବସାୟରେ ଚାରି ମିଳିୟାନ୍‍ ଡଲାର ବର୍ଷକୁ ଲାଭ ହୁଏ । ତେଣୁ ସେ ପ୍ରକାର ବ୍ୟବସାୟ କରିବାରେ ତାଙ୍କର ନିଶ୍ଚୟ ଯଥାର୍ଥତା ରହିଛି, ସେ ସେଥିପାଇଁ ଲଜ୍ଜିତ ହେବାର କୌଣସି କାରଣ ନାହିଁ । ବହୁ ପୁଞ୍ଜିପତି ଏ ପ୍ରକାର ବିକୃତ ରୋମାଞ୍ଚକର ବ୍ୟାପାରରେ ବହୁ ଅର୍ଥ ଉପାର୍ଜ୍ଜନ କରୁଛନ୍ତି । ଫଳରେ ଅସାମାଜିକ କାର୍ଯ୍ୟକଳାପ କ୍ରମେ ବଢ଼ି ବଢ଼ି ଚାଲିଛି ।

 

ତା’ ଛଡ଼ା ଗୋଟିଏ ଗଣତାନ୍ତ୍ରିକ ଦେଶରେ ମୁଷ୍ଟି ମେୟ ଲୋକଙ୍କ ହାତରେ ଯଦି ଅସମ୍ଭବ ଭାବରେ ପୁଞ୍ଜି ଠୁଳହୋଇ ରହେ, ତା’ ହେଲେ ରାଜନୈତିକ କ୍ଷେତ୍ରରେ ଜନସାଧାରଣଙ୍କର ସ୍ଵାଧୀନତା କିପରି ଭାବରେ ସଙ୍କୁଚିତ ହୋଇଯାଏ ତାହା ଆଧୁନିକ ଯୁକ୍ତରାଷ୍ଟ୍ର-ଆମେରିକାରେ ଦେଖିବାକୁ ମିଳିବ । ଆମେରିକାର ରାଷ୍ଟ୍ରପତି ଜଣେ କୋଟିପତି ହେବାକୁ ବାଧ୍ୟ । ଏପରିକି ପଚାଶଟି ଷ୍ଟେଟର ଗଭର୍ଣ୍ଣରମାନେ ମଧ୍ୟ ଏହି ଧନିକ ଶ୍ରେଣୀର ଲୋକ । ସିନେଟ୍‍କୁ ଆସିବାକୁ ହେଲେ ପ୍ରଭୂତ ଧନ ଖର୍ଚ୍ଚ କରିବାକୁ ହେବ । ଆମେରିକାର ବୁଦ୍ଧିଜୀବୀମାନେ ଦୁଃଖ ପ୍ରକାଶ କରି କହନ୍ତି ଯେ ଆମେରିକାର ଯେଉଁ ଧରଣର ଲୋକେ ରାଷ୍ଟ୍ରପତି ହେବା କଥା ସେମାନଙ୍କ ଭିତରୁ ଉପଯୁକ୍ତ ଲୋକ ପାଇବା ବହୁତ କଷ୍ଟକର ବ୍ୟାପାର ହେଲାଣି । ଅଥଚ ଅନ୍ୟ ଅର୍ଥନୈତିକ ସ୍ତରର ଲୋକେ କଦାପି ପ୍ରେସିଡେଣ୍ଟ ହୋଇ ପାରିବେ ନାହିଁ । ଜଣେ ବିଜ୍ଞାନୀ କିମ୍ବା ବିଶିଷ୍ଟ ବୁଦ୍ଧିଜୀବୀ ଯେ’ କି କୋଟିପତି ନୁହେଁ, ସେ କଦାପି ପ୍ରେସିଡେଣ୍ଟ ହୋଇପାରିବ ନାହିଁ । ତା’ହେଲେ ଏ ଦେଶରେ ରାଜନୈତିକ ଅଧିକାର କେତେ ବେଶି ସଙ୍କୁଚିତ ସହଜରେ ଅନୁମେୟ ।

 

ପ୍ରେସିଡେଣ୍ଟ ନିକ୍ସନ ଯେପରିଭାବରେ ଅର୍ଥବଳରେ ନାନା ଅସଦ୍‍ ଉପାୟ ଅବଲମ୍ବନ କରି ଦ୍ୱିତୀୟଥର ପାଇଁ ପ୍ରେସିଡେଣ୍ଟ ହେଲେ ବର୍ତ୍ତମାନ ସେ ବିଷୟରେ ବହୁ ତଥ୍ୟ ଉଦ୍‍ଘାଟିତ ହେଉଛି । ନିକ୍ସନଙ୍କର ବହୁ ଅନ୍ତରଙ୍ଗ ବନ୍ଧୁ ଏଥିଲାଗି ଜେଲ୍‍ବରଣ କଲେଣି । ପୁଞ୍ଜିପତିମାନେ ଠିକ୍‍ କରନ୍ତି କିଏ ପ୍ରେସିଡେଣ୍ଟ ହେବ । ଭୋଟ ଦିଆନିଆ ଏହି ପୁଞ୍ଜି ବଳରେ ବହୁ ପରିମାଣରେ ନିୟନ୍ତ୍ରିତ ହୁଏ । ତେଣୁ ଆମେରିକା ସମାଜରେ ଅର୍ଥନୈତିକ କ୍ଷେତ୍ରରେ ଯେ ପ୍ରକାର ଆକାଶ ପାତାଳ ପ୍ରଭେଦ ରହିଛି ତା’ ଫଳରେ ଲୋକଙ୍କର ଗଣତାନ୍ତ୍ରିକ ସ୍ୱାଧୀନତା ବହୁ ପରିମାଣରେ ବ୍ୟାହତ ହେଉଛି । ଆମ ଦେଶରେ ଜଣେ ଭିକାରିର କାଶ୍ମୀରରେ ଖରାଦିନ କଟାଇବାର ସ୍ୱାଧୀନତା ଥିଲାପରି ଯେ କୌଣସି ଆମେରିକାବାସୀର ପ୍ରେସିଡେଣ୍ଟ ହେବାର ସ୍ୱାଧୀନତା ସେହିପରି । ଏତେବଡ଼ ଗଣତାନ୍ତ୍ରିକ ଦେଶର ଗଣ୍ଡି ଭିତରେ ଅତି ପରାକ୍ରମଶାଳୀ ପୁଞ୍ଜିପତି ଗୋଷ୍ଠୀ ଗୋଟିଏ କାନ୍ସର ଘା’ପରି ସାରା ସମାଜକୁ ଦୂଷିତ ତଥା ରୋଗାକ୍ରାନ୍ତ କରିପକାଉଛି । ଆମ ଦେଶର ନିର୍ବାଚନ ପ୍ରକ୍ରିୟାକୁ ବିଶ୍ଳେଷଣ କଲେ ଏ ପ୍ରକାର ଦୂଷିତ ପ୍ରଭାବ ବିଷୟରେ ମଧ୍ୟ ଉପଲବ୍ଧି କରିହୁଏ । ଆମେରିକା ଭଳି ବିରାଟ ଗଣତାନ୍ତ୍ରିକ ଦେଶର ରାଜନୈତିକ ବିଭ୍ରାଟ ବିଷୟରେ ସଠିକ୍‍ ଜ୍ଞାନ ଅର୍ଜ୍ଜନ କଲା ପରେ ମଧ୍ୟ ଆମେ ଆମର ଗଣତାନ୍ତ୍ରିକ ସଂସ୍ଥାକୁ କିପରି ଭାବରେ ଗଢ଼ିବାକୁ ଯାଉଛୁ ତାହା ପ୍ରତ୍ୟେକ ଚିନ୍ତାଶୀଳ ବ୍ୟକ୍ତିର ଭାବିବାର କଥା ।

Image

 

ଯୁକ୍ତରାଷ୍ଟ୍ର ଆମେରିକାରେ ଗଣତନ୍ତ୍ର ବିପନ୍ନ *

 

ପ୍ରେସିଡେଣ୍ଟ ନିକ୍ସନ ଦ୍ୱିତୀୟଥର ପାଇଁ ପ୍ରେସିଡେଣ୍ଟ ନିର୍ବାଚିତ ହେଲା ପରେ ଯେପରି ଏକଚ୍ଛତ୍ରବାଦୀ ପରି ବ୍ୟବହାର କରୁଛନ୍ତି ସେଥିରେ ଆମେରିକାର ବୁଦ୍ଧିଜୀବୀ ତଥା କଂଗ୍ରେସ (ବିଧାୟକ ସଭା) ସଭ୍ୟମାନେ ମଧ୍ୟ ବଡ଼ ବିଚଳିତ ହୋଇପଡ଼ିଛନ୍ତି । ସେ ଏପରି ଭାବରେ ତାଙ୍କର ରାଜନୈତିକ କ୍ଷମତା ବ୍ୟବହାର କରୁଛନ୍ତି ଯେ ଅନ୍ୟାନ୍ୟ ଲୋକପ୍ରତିନିଧିମୂଳକ ସଂସ୍ଥାର ସଭ୍ୟମାନେ ଅସହାୟ ହୋଇପଡ଼ିଛନ୍ତି । କଂଗ୍ରେସ ଓ ପ୍ରେସିଡେଣ୍ଟ ନିକ୍ସନ ଙ୍କ ଭିତରେ ଐତିହାସିକ ସଙ୍କଟ ଦେଖା ଦେବାକୁ ଯାଉଛି । ଏହି ଗଣତାନ୍ତ୍ରିକ ସଂଗ୍ରାମରେ ନିକ୍ସନଙ୍କ ନିଜ ରିପବ୍ଳିକାନ ଦଳର ସଭ୍ୟମାନେ ମଧ୍ୟ ନିକ୍ସନଙ୍କ ବିରୁଦ୍ଧରେ କହିବାକୁ ଆରମ୍ଭ କରିଛନ୍ତି । ଲୋକପ୍ରତିନିଧିମୂଳକ କଂଗ୍ରେସ ଏବଂ ସିନେଟ ଯେଉଁ ଖର୍ଚ୍ଚ ସବୁ ମଞ୍ଜୁର କରୁଛନ୍ତି ନିକ୍ସନ୍‍ ତାଙ୍କ ନିଜର ଭିଟୋ ବଳରେ ସେସବୁ କାଟି ଦେଉଛନ୍ତି । ଯେଉଁସବୁ ଖର୍ଚ୍ଚ କଂଗ୍ରେସରେ ମଞ୍ଜୁରୀ ପାଉନାହିଁ ସେ ପ୍ରକାର ଖର୍ଚ୍ଚ ମଧ୍ୟ ସେ ନିଜ ଇଚ୍ଛାନୁସାରେ କରିଯାଉଛନ୍ତି । ଗତବର୍ଷ ଗ୍ରାମାଞ୍ଚଳରେ ବିଦ୍ୟୁତ ପ୍ରସାରଣ ଓ ଦୂଷିତ ବାୟୁମଣ୍ଡଳ ବିଶୋଧନ, ଚିକିତ୍ସା ଓ ଅନ୍ୟାନ୍ୟ ଲୋକହିତକର ଯୋଜନା ପାଇଁ ମଞ୍ଜୁର ହୋଇଥିବା ବହୁତ ଖର୍ଚ୍ଚ ନିକ୍ସନ ଖର୍ଚ୍ଚ କଲେ ନାହିଁ । ଏ ବର୍ଷ ସେସବୁ ଦିଗରେ ଖର୍ଚ୍ଚ ନକରି ପ୍ରତିରକ୍ଷା ପାଇଁ ଆହୁରି ଅଧିକରୁ ଅଧିକ ଖର୍ଚ୍ଚ କରିବାପାଇଁ ସେ ଘୋଷଣା କରିଛନ୍ତି ଏବଂ କଂଗ୍ରେସ ଏହା ବିରୁଦ୍ଧରେ ବିରାଟ ଅଭିଯାନ ଆରମ୍ଭ କରିଛି । ପ୍ରେସିଡେଣ୍ଟ ନିକ୍ସନ କହନ୍ତି ଯେ ସେ କଂଗ୍ରେସ ଓ ସିନେଟକୁ ଖାତିର କରନ୍ତି ନାହିଁ । ଯେତେବେଳଯାଏ ଏକ ତୃତୀୟାଂଶ ଠାରୁ ଗୋଟିଏ ଅଧିକ ଭୋଟରେ ଖର୍ଚ୍ଚ ମଞ୍ଜୁରୀ ପାଉଥିବ ସେ ତାଙ୍କ ଇଚ୍ଛାନୁସାରେ ଖର୍ଚ୍ଚ କରିବେ । ଦୁଇ ତୃତୀୟାଂଶ ଭୋଟରେ କୌଣସି ଖର୍ଚ୍ଚ ମଞ୍ଜୁରି ହେଲେ ଯାଇ ସେ ଗ୍ରହଣ କରିବାକୁ ବାଧ୍ୟ ହେବେ । ସେଥିରେ ମଧ୍ୟ ତାଙ୍କର ବିଭାଗ ସବୁ ଖର୍ଚ୍ଚ ନକରି ବଳକା ରଖିଦେବାର ଜଣାଯାଏ । ଆଜି ପର୍ଯ୍ୟନ୍ତ କୁଆଡ଼େ ଆମେରିକାର କୌଣସି ପ୍ରେସିଡେଣ୍ଟ ଏପରି ମନୋମତ କାରବାର ଏପରି ଖୋଲାଖୋଲି ଭାବରେ କରିନଥିଲେ । ଭିଏତ୍‍ନାମ ଯୁଦ୍ଧ ବନ୍ଦ ହେଲା ପରେ ମଧ୍ୟ ସେ ଗତବର୍ଷ ଅପେକ୍ଷା ଏ ବର୍ଷ ଆଠମିଲିୟାନ ଡଲାର, ଅର୍ଥାତ୍‍ ପ୍ରାୟ ଛଅହଜାର କୋଟି ଟଙ୍କା, ଅଧିକ ଖର୍ଚ୍ଚ କରିବାକୁ ଘୋଷଣା କରିଛନ୍ତି । ୟା ଫଳରେ ସ୍କୁଲ କଲେଜ ଓ ଅନ୍ୟାନ୍ୟ ଲୋକହିତକର କାର୍ଯ୍ୟ ବହୁତ ବ୍ୟାହତ ହେବ । ତଥାପି ସେ ଏ ଖର୍ଚ୍ଚ ଚାହାନ୍ତି । କଂଗ୍ରେସ ଏହା ବିରୁଦ୍ଧରେ ।

 

୧୯୭୩ ମସିହାରେ ଏହା ଲେଖା ହୋଇଥିଲା । ତେଣୁ ପ୍ରେସିଡେଣ୍ଟ ନିକ୍ସନ୍‍ଙ୍କ ଶେଷ ପରିଣତି ବିଷୟରେ ଏଠାରେ ଉଲ୍ଲେଖ ନାହିଁ । କିନ୍ତୁ ନିକ୍ସନ୍‍ଙ୍କୁ ଯେ ଜନତାର ଗଭୀର ଅସନ୍ତୋଷ ଓ ତାଙ୍କ ପ୍ରତି ବିରାଟ ବିରକ୍ତି ଯୋଗୁ ପ୍ରେସିଡେଣ୍ଟ ପଦରୁ ଯିବାକୁ । ପଡ଼ିବ ତା’ର ଆଭାଷ ସ୍ପଷ୍ଟ ହୋଇଥିଲା ।

 

ପୁଞ୍ଜିବାଦୀ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତିରକ୍ଷା ବ୍ୟୟ ପୁଞ୍ଜିବାଦୀଙ୍କୁ ଭଲ ପୋଷାଏ । ଏମାନେ ଯୁଦ୍ଧ ସରଞ୍ଜାମ ଯୋଗାଇବାର ଠିକା ପାଆନ୍ତି-ସେଥିରେ ସେମାନଙ୍କର ବହୁତ ଲାଭ ହୁଏ-। କିନ୍ତୁ ଏ ବାବଦରେ ଯେତେ ବେଶି ଖର୍ଚ୍ଚ ହେବ ଅନ୍ୟାନ୍ୟ ଲୋକହିତକର କାର୍ଯ୍ୟରେ କମ୍‍ ଖର୍ଚ୍ଚ ହେବ । ପ୍ରେସିଡେଣ୍ଟ ନିକ୍ସନ ଖୋଲାଖୋଲି ଭାବରେ କହୁଛନ୍ତି ଯେ ଲୋକହିତକର କାମରେ ଅଯଥା ବ୍ୟୟ କରିବା ଆଦୌ ଉଚିତ ନୁହେଁ । ଫଳରେ ବହୁତ ନିମ୍ନମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଛାତ୍ର ବିଶ୍ୱବିଦ୍ୟାଳୟରେ ପଢ଼ି ପାରିବେ ନାହିଁ । ଚିକିତ୍ସା ବ୍ୟବସ୍ଥା ଏ ଦେଶରେ ବର୍ତ୍ତମାନ ବହୁତ ବ୍ୟୟବହୁଳ-ବର୍ତ୍ତମାନ ଚିକିତ୍ସା ବ୍ୟବସ୍ଥା ଆହୁରି ଖରାପ ହୋଇଯିବ ।

 

ସବୁଠୁ ଆଶ୍ଚର୍ଯ୍ୟର କଥା ଯେ, ଗଣତନ୍ତ୍ରର ବଡ଼ପଣ୍ଡା ବୋଲାଉଥିବା ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରେସିଡେଣ୍ଟଙ୍କର ମୁକ୍ତ ଏକଚ୍ଛତ୍ରବାଦୀ ମନୋବୃତ୍ତି କିପରି ସମ୍ଭବ ହେଉଛି ? ପ୍ରେସିଡେଣ୍ଟଙ୍କ ହାତରେ ଅନେକ କ୍ଷମତା ରହିଛି ଏବଂ ପୁଞ୍ଜିପତିଙ୍କ କ୍ଷମତାରେ ବାଧା ଆସିଲାକ୍ଷଣି ପ୍ରେସିଡେଣ୍ଟ ଏହି କ୍ଷମତାର ଆଶ୍ରୟ ନିଅନ୍ତି । ଏମାନଙ୍କର ଖବରକାଗଜରେ ପ୍ରେସିଡେଣ୍ଟ କିପରି ଏହି କ୍ଷମତା ବ୍ୟବହାର କରୁଥିଲେ ସେ ବିଷୟରେ ବହୁତ ଆଲୋଚନା ହେଉଛି । କିନ୍ତୁ ଅଧିକାଂଶଙ୍କ ମତରେ ନିକ୍ସନଙ୍କ ପରି କେହି ଏପରି ଖୋଲାଖୋଲି ଭାବରେ କ୍ଷମତା ବ୍ୟବହାର (ବା ଅପବ୍ୟବହାର) କରୁନଥିଲେ । ତାହାହେଲେ ସେ କାହିଁକି ଏପରି କରିବାକୁ ଯାଉଛନ୍ତି ? ତା’ର କାରଣ ହେଲା ଭିଏତ୍‌ନାମ ଯୁଦ୍ଧ ଏବଂ ତା’ର ଅବସାନ ସାଙ୍ଗକୁ ପୁଞ୍ଜିବାଦୀ ଜାପାନ ଓ ଜର୍ମାନୀର ଅଭ୍ୟୁଦୟ ଫଳରେ ପୁଞ୍ଜିବାଦୀ ଆମେରିକାରେ ଯେଉଁ ଅର୍ଥନୈତିକ ସଙ୍କଟ ଦେଖା ଦେଇଛି ତା’ର ମୁକାବିଲା କରିବାପାଇଁ ପ୍ରେସିଡେଣ୍ଟ ନିକ୍ସନ୍‍ ତାଙ୍କର ପରମ ବନ୍ଧୁ ପୁଞ୍ଜିପତିମାନଙ୍କୁ ସାହାଯ୍ୟ କରିବାକୁ ଯାଉଛନ୍ତି । ଡଲାର ପୃଥିବୀ ବଜାରରେ ଯେପରି ନିମ୍ନଗାମୀ ଅବସ୍ଥାରେ ରହିଛି ତା’ ଫଳରେ ଆମେରିକାର ପୁଞ୍ଜିପତିମାନେ ଡରି ଯାଇଛନ୍ତି । ତେଣୁ ପ୍ରେସିଡେଣ୍ଟ ନିକ୍ସନ ଯେ କୌଣସି ଉପାୟରେ ଏମାନଙ୍କ ପାଣ୍ଠିକୁ ବଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି । ଏଣେ ଦରମା ବୃଦ୍ଧି ଯୋଗୁ ଜନସାଧାରଣଙ୍କର ଯେତେ ଅସୁବିଧା ହେଉ ପଛେ, ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଯେତେ ସଙ୍କଟ ଦେଖାଦେଉ ପଛେ-ସେଥିଲାଗି ଲୋକପ୍ରତିନିଧିମାନେ ଯେତେ ଚିତ୍କାର କରନ୍ତୁ ପଛେ, ପ୍ରେସିଡେଣ୍ଟ ନିକ୍ସନ ଯେଉଁମାନଙ୍କ ଖର୍ଚ୍ଚରେ ଜିତିଛନ୍ତି ସେମାନଙ୍କୁ ବଞ୍ଚାଇବେ ନିଶ୍ଚୟ । ଏହା ହେଉଛି ପୁଞ୍ଜିବାଦୀ ଦେଶର ପ୍ରଧାନ ସଙ୍କଟ ।

 

ଅର୍ଥନୈତିକ ସଂସ୍ଥା ଉପରେ ରାଜନୈତିକ ପରିସ୍ଥିତି ସମ୍ପୂର୍ଣ୍ଣ ଭାବରେ ନିର୍ଭର କରୁଥିବାରୁ ପ୍ରେସିଡେଣ୍ଟ ନିକ୍ସନ ଏକଚ୍ଛତ୍ରପତି ହୋଇପଡ଼ିଛନ୍ତି । ବଳିୟାନ୍‍ ପୁଞ୍ଜିପତିଙ୍କ ସ୍ୱାର୍ଥ ଆଗରେ ଜନସାଧାରଣର ସ୍ଵାର୍ଥର ମୂଲ୍ୟ ଏ ପ୍ରକାର ଗଣତାନ୍ତ୍ରିକ ପଦ୍ଧତିରେ କିପରି କିଛି ନୁହେଁ ତାହା ବର୍ତ୍ତମାନ ପ୍ରମାଣିତ ହେବାକୁ ଯାଉଛି । ଅନେକ ବୁଦ୍ଧିଜୀବୀଙ୍କ ମତରେ ଆମେରିକାର ଗଣତନ୍ତ୍ର ବର୍ତ୍ତମାନ ଘୋର ସଙ୍କଟ ମଧ୍ୟ ଦେଇ ଯାଉଛି । ନିକ୍ସନ ଆଉଥରେ ନିର୍ବାଚନ ଲଢ଼ିପାରିବେ ନାହିଁ । ତେଣୁ ସେ ଏହି ଚାରିବର୍ଷ ନିଜ ଇଚ୍ଛାନୁସାରେ ଯା ଚାହିଁବେ ତା’ କରୁଛନ୍ତି ଏବଂ ଏପରି ଏକଚ୍ଛତ୍ରପତି ହିସାବରେ କୁଆଡ଼େ ଆମେରିକାର କୌଣସି ସଭାପତି ଅତୀତରେ ବ୍ୟବହାର କରିନଥିଲେ । ଖବରକାଗଜ, ରେଡ଼ିଓ ଓ ଟେଲିଭିଜନ ନିକ୍ସନଙ୍କୁ ସମାଲୋଚନା କରୁଥିବାରୁ ସେ ସେମାନଙ୍କ ବିରୁଦ୍ଧରେ ଅତି କଟୁ ଭାବରେ କହୁଛନ୍ତି-ସେମାନଙ୍କୁ ନିୟନ୍ତ୍ରଣ କରିବା ଲାଗି ଚେଷ୍ଟା କରୁଛନ୍ତି । ତାଙ୍କର ଅତି ନିଜର ଜଣେ ଲୋକକୁ ଏଫ୍‍.ବି. ଆଇ. (ଆମେରିକାର ଗୋଇନ୍ଦା ବିଭାଗ)ର ଡିରେକ୍ଟର ରୂପେ ନିଯୁକ୍ତି ଦେଇଛନ୍ତି । କଂଗ୍ରେସ ସଭ୍ୟମାନେ ଏହି ଭଦ୍ରବ୍ୟକ୍ତିଙ୍କ ବିରୁଦ୍ଧରେ ବହୁ ଅଭିଯୋଗ ଆଣୁଛନ୍ତି, ତଥାପି ପ୍ରେସିଡେଣ୍ଟ ନିକ୍ସନ ଆଗେଇ ଚାଲିଛନ୍ତି ।

 

ଆହୁରି ଗୋଟିଏ ଅଦ୍ଭୂତ ଘଟଣା ଘଟୁଛି । ଏପ୍ରକାର ଏକଚ୍ଛତ୍ରବାଦୀ ପ୍ରେସିଡେଣ୍ଟଙ୍କୁ ଆଇନ ବଦଳାଇ ପୁଣି ଥରେ ସଭାପତି କରିବାପାଇଁ ସୁବିଧା କରିବାପାଇଁ ପୁଞ୍ଜିପତିମାନଙ୍କର ଗୋଟିଏ କମିଟି ବସିଲାଣି, କୋଟି କୋଟି ଟଙ୍କା ସେମାନେ ସଂଗ୍ରହ କଲେଣି । ବର୍ତ୍ତମାନ ପରିସ୍ଥିତିରେ ସେମାନଙ୍କ ପକ୍ଷରେ ଆଇନ ବଦଳାଇବା ସମ୍ଭବ ହୋଇନପାରେ । ତଥାପି ନିକ୍ସନଙ୍କ ସପକ୍ଷରେ ତ’ ଅନ୍ତତଃ ପ୍ରଚାର ଚାଲିପାରିବ, ନାନା ଉପାୟରେ ଲୋକଙ୍କୁ ବିଭ୍ରାନ୍ତ କରାଯାଇପାରିବ-। ପ୍ରେସିଡେଣ୍ଟ ନିକ୍ସନ ଯେଉଁ ଭୟାବହ କାମସବୁ କରିବାକୁ ଯାଉଛନ୍ତି ତାହା ସପକ୍ଷରେ ଲୋକମତ କିଛି ପରିମାଣରେ ସୃଷ୍ଟି କରିବାପାଇଁ ଏହି କମିଟି ବସୁଥିବାର ଜଣାଯାଏ ।

 

ବିରାଟ ପୁଞ୍ଜିପତି (ପୁଞ୍ଜିବାଦୀ) ଦେଶରେ ଜନସାଧାରଣଙ୍କର ମତାମତ କିପରି ଦୁର୍ବଳ ଏବଂ ଗଣତାନ୍ତ୍ରିକ ନୀତିର କି ବିରାଟ ପ୍ରହସନ ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକାରେ ଘଟୁଛି, ସେ ବିଷୟରେ ବହୁ ଅଧ୍ୟାପକ, ସମାଜସେବୀ ଓ ସାମ୍ବାଦିକଙ୍କ ସହିତ ଲେଖକର ଆଲୋଚନା ହୋଇଛି-। ପ୍ରାୟ ସମସ୍ତେ ଏ ବିଷୟରେ ବିବ୍ରତ ହୋଇପଡ଼ିଛନ୍ତି ଏବଂ ଏମାନେ ନିଜକୁ ବହୁତ ଅସହାୟ ମନେକରୁଛନ୍ତି । ଖବରକାଗଜ ପଢ଼ିଲେ ମଧ୍ୟ ପରିଷ୍କାର ଭାବରେ ଜଣାଯାଏ ଏମାନେ କିପରି ଭାବରେ ବିବ୍ରତ ହୋଇପଡ଼ିଛନ୍ତି । ଲେଖକ ଏ ବିଷୟରେ କୌଣସି ସଭାରେ ପ୍ରଶ୍ନ ଉଠାଇଲାବେଳେ ଛାତ୍ର ଓ ଅଧ୍ୟାପକମାନଙ୍କ ମଧ୍ୟରେ ବିପୁଳ ଆଗ୍ରହ ପ୍ରକାଶ ପାଇଛି । ଏପରି ଗଣତାନ୍ତ୍ରିକ ସଂସ୍ଥା ଭାରତ ଚାହେଁ ନାହିଁ ଏବଂ ପୃଥିବୀ ପକ୍ଷରେ ଏହା ବିରାଟ ବିପଦବୋଲି କହିଲାବେଳେ ଛାତ୍ରମାନଙ୍କ ଠାରୁ କରତାଳି ହେବାର ଦେଖାଯାଇଛି । ଆମେରିକା ପରିସ୍ଥିତି ଦେଖିଲେ ଆମଦେଶର ଗଣତାନ୍ତ୍ରିକ ସଂସ୍ଥା କେତେ ଭଲ ତାହା ଅନୁଭବ କରିହୁଏ ।

Image

 

ଆମେରିକାର ବିଭବ

 

ଆଧୁନିକ ଯୁଗରେ ଆମେରିକା ପୃଥିବୀର ସବୁଠାରୁ ବଡ଼ ଧନଶାଳୀ ଦେଶ । ଜାତୀୟ ଆୟ ବ୍ୟୟ, ବ୍ୟବସାୟ ବାଣିଜ୍ୟ, ଉତ୍ପାଦନ, ରତ୍ପାନୀପ୍ରଭୃତି ଦୃଷ୍ଟିରୁ ଆମେରିକା ପୃଥିବୀରେ ଅଗ୍ରଣୀ । ଜନସାଧାରଣଙ୍କର ଜୀବନଧାରଣ ମାନ ମଧ୍ୟ ଖୁବ୍‍ ଉଚ୍ଚରେ । ଖାଇବା, ପିନ୍ଧିବା ପ୍ରଭୃତି ଅତ୍ୟାବଶ୍ୟକୀୟ ଓ ମଟର କାର, ରେଡ଼ିଓ, ଟେଲିଭିଜନ, ଟେଲିଫୋନ୍‍ ପ୍ରଭୃତି ଆଧୁନିକ ସୌଖୀନ ଦ୍ରବ୍ୟର ପ୍ରାଚୁର୍ଯ୍ୟ ଫଳରେ ପ୍ରାୟ ସମସ୍ତେ ଏସବୁର ଭାଗୀଦାର ହୋଇପାରିଛନ୍ତି । ଏ ସବୁଥିରେ ସେମାନଙ୍କ ସହିତ ଆମର ଆକାଶ ପାତାଳ ତଫାତ୍‍ । ସେମାନେ ସ୍ୱାସ୍ଥ୍ୟବାନ୍‍, ଆମେମାନେ ରୁଗ୍ଣ । ସେମାନେ ହୃଷ୍ଟପୁଷ୍ଟ, ଆମେମାନେ ଜୀର୍ଣ୍ଣ ଶୀର୍ଣ୍ଣ । ସେମାନଙ୍କ ଠାରେ ଅପରିସୀମ ଶାରିରୀକ ଶକ୍ତି ଥିଲାପରି ଜଣାଯାଏ; କିନ୍ତୁ ଆମମାନଙ୍କଠାରେ ଜୀବନୀ ଶକ୍ତି ଅତି କଷ୍ଟରେ ତିଷ୍ଠି ରହିଲା ପରି ଦେଖାଯାଏ । ଫଳରେ ସେମାନଙ୍କର ଚଲାବୁଲା, କଥାବାର୍ତ୍ତାରେ ଯେପରି ଦୁର୍ଦ୍ଦାମ ଶକ୍ତି ଓ ସ୍ଫୁର୍ତ୍ତି ପ୍ରକାଶ ପାଇଥାଏ, ଆମମାନଙ୍କ ଚାଲିଚଳଣରେ ସେପରି ନିଷ୍ପ୍ରଭ ମୁମୂର୍ଷତା ଦେଖାଦେଇଥାଏ । ଆମେରିକାରୁ ହଠାତ୍‍ ଆସି କଟକରେ ପହଞ୍ଚିଗଲେ ଜଣାଯାଏ ଯେପରି ରାସ୍ତାରେ, ଅଫିସରେ, ମଟର କାର ଭିତରେ ସମସ୍ତେ ଢୁଳେଇ ଢଳେଇ ଚାଲିଛନ୍ତି । ସେମାନେ ପ୍ରତିଦିନ ଖାଆନ୍ତି ଏଣ୍ଡୁରି ପିଠା ପରି ଖଣ୍ଡ ଖଣ୍ଡ ମାଂସ, ଅଣ୍ଡା, ଖାଣ୍ଟି ବହଳ ଦୁଧ, ଫଳରସ; ଆଉ ଆମେ ମାଂସବୋଲି ଚାପୁ ହାଡ଼, ଦୁଧବୋଲି ପିଉ ଧଳାପାଣି, ଫଳରସ ପରିବର୍ତ୍ତେ ଖାଉ ଜହ୍ନି ଭେଣ୍ଡି କଖାରୁ ତରକାରୀ । ଇଜିପ୍ଟର ପିରାମିଡ଼୍‍ ଭିତରୁ ବାହାରିଥିବା ତିନିହଜାର ବର୍ଷର ପୁରୁଣା ସାଙ୍କୁଡ଼ା ମୁର୍ଦ୍ଦାର ଯେପରି ଜୀବନ୍ତ ମଣିଷର ସଙ୍କୁଚିତ ସଂସ୍କରଣ, ଆମର ଦୋକାନରେ ଥୁଆହୋଇଥିବା କମଳା ଆପେଲ୍‍ର ଚେହେରା ସେହିପରି; ଦାମ୍‍ ସୁନା ସହିତ ତୁଳନା କରାଯାଇପାରେ । ତଥାପି ଆମ ଡାକ୍ତରମାନେ ରୋଗୀକୁ ଫଳରସ ଖାଇବାପାଇଁ ପରାମର୍ଶ ଦେଇ ହାସ୍ୟରସ ସୃଷ୍ଟି କରିଥାଆନ୍ତି ।

 

ସେମାନଙ୍କର ସାଧାରଣ ଜୀବନ ଆଶା ପ୍ରାୟ ସତୁରୀ ବାସ୍ତରୀବର୍ଷ-ଆମର କୁଆଡ଼େ ଗତ କେତେ ବର୍ଷର ସ୍ଵାଧୀନତା ପରେ ସତେଇଶବର୍ଷରୁ ବଢ଼ି ବଢ଼ି ପଚାଶ ଯାଏ ଗଲାଣି । ସେଠାରେ କଲେରା, ଟାଇଫଏଡ଼୍‍, ବସନ୍ତ ପ୍ରଭୃତି ସଙ୍କ୍ରାମକ ରୋଗ ନାହିଁ, ଆମର କିନ୍ତୁ ଏହା ସାଧାରଣ ଜୀବନର ଗୋଟିଏ ପ୍ରଧାନ ଅଙ୍ଗ । ଗତ କେତେବର୍ଷ ହେଲା ଆମର ସ୍ଵାଧୀନତା ସାଙ୍ଗେ ସାଙ୍ଗେ ଏସବୁ ଜୀବାଣୁଙ୍କର ମଧ୍ୟ ବଳିଷ୍ଠତା ଓ ସଙ୍ଖ୍ୟା ବଢ଼ି ଚାଲିଛି । ତଥାପି ଆମେ କହିବୁ ଯେ ଆମେ ଜୀର୍ଣ୍ଣ ଶୀର୍ଣ୍ଣ, ଶହେ ରୋଗରେ ରୋଗୀ, ଅଳ୍ପାୟୁ । ଦିନରାତି ଅର୍ଦ୍ଧ ସୁସୁପ୍ତି ଅବସ୍ଥାରେ ଥିଲେ ସୁଦ୍ଧା ପୃଥିବୀରେ ଆମେ ସମସ୍ତଙ୍କ ଅପେକ୍ଷା ବେଶି ଅଧ୍ୟାତ୍ମିକ ଶକ୍ତିରେ ବଳୀୟାନ୍‍ । ନିର୍ବାଚନ ସମୟ ଛଡ଼ା ଅନ୍ୟ ସମୟରେ ବୋଧହୁଏ ଏ ପ୍ରକାର ବାହାବାର ମୂଲ୍ୟ କମ୍‍ । ତେବେ ଯାହା ହେଉ, ଆଧ୍ୟାତ୍ମିକ ଶକ୍ତିର ମର୍ଯ୍ୟାଦା ଆମ ଜନସାଧାରଣଙ୍କ ପକ୍ଷରେ ବୁଝିବା କଠିନ । ଅବଶ୍ୟ ତା’ ଅର୍ଥ ନୁହେଁ ଯେ ହୃଷ୍ଟପୁଷ୍ଟ ଆମେରିକାବାସୀର ମାଂସପେଶୀର ଶକ୍ତି, ଦେହର ଓଜନ ଅନୁପାତରେ ଆଧ୍ୟାତ୍ମିକ ଶକ୍ତି ବଢ଼ି ଚାଲିଛି । କିନ୍ତୁ ସୁସ୍ଥ ଦେହରେ ଆଧ୍ୟାତ୍ମିକ ଶକ୍ତିର ସମ୍ଭାବନା ନିଶ୍ଚୟ ବେଶି । ରୁଗ୍ଣ ଓ ଦୁର୍ବଳ ଦେହରେ ଅସହାୟର କରୁଣ ଚିତ୍କାର ଦେଖାଯିବା ସ୍ଵାଭାବିକ-ଆଧ୍ୟାତ୍ମିକ ଶକ୍ତିର ସମ୍ଭାବନା କମ୍‍ ।

 

ତେବେ ଯାହାହେଉ ଖାଦ୍ୟପେୟ ଓ ଆଧୁନିକ ଦୁନିଆରେ ଯେତେ ପ୍ରକାର ସୌଖୀନ ଜିନିଷ ଜୀବନକୁ ଏହି ପୃଥିବୀରେ ସୁଖମୟ କରିବାରେ ଅତି ଆବଶ୍ୟକ, ସେସବୁ ଆମେରିକାର ଜନସାଧାରଣଙ୍କଠାରେ ଦେଖାଯାଏ । ଆମର ଅଧିକାଂଶ ଡାକ୍ତରଖାନାରେ ରୋଗୀ ୧୦୭° ଜ୍ୱରରେ ଚିତ୍କାର କରୁଥିଲାବେଳେ ଖଣ୍ତେ ବରଫ ତା’ ମୁଣ୍ଡରେ ଥୋଇବା ଲାଗି ମିଳେନା । ଅଥଚ ଆମେରିକାର ଅଧିକାଂଶଙ୍କ ଘରେ ଖୁବ୍‍ ଉନ୍ନତ ଧରଣର ରେଫ୍ରିଜରେଟର୍‍ରୁ ଯେ କୌଣସି ମୁହୂର୍ତ୍ତରେ ବରଫ ଟେଳାଏ ମିଳିପାରିବ । ପ୍ରାୟ ସମସ୍ତଙ୍କ ଘରେ ରେଡ଼ିଓ, ଟେଲିଭିଜନ, ଟେଲିଫୋନ; ପ୍ରାୟ ପ୍ରତ୍ୟେକଙ୍କ ଘରେ ମଟରଗାଡ଼ି । ଏଥିରୁ ସେମାନଙ୍କ ଜୀବନଯାପନର ମାନଦଣ୍ଡ ବିଷୟରେ ସହଜରେ ଅନୁମିତ ହୁଏ । ଦୈନନ୍ଦିନ ବ୍ୟବହାର୍ଯ୍ୟ ପଦାର୍ଥ ସବୁ ବହୁ ପରିମାଣରେ ଦେକାନରେ ମିଳେ-କୌଣସି ଦୋକାନ ଆଗରେ ଲୋକେ ଧାଡ଼ିବାନ୍ଧି ଠିଆ ହୋଇଥିବାର ଦେଖାଯାଏ ନାହିଁ । ଏସବୁ ଜିନିଷ ମଧ୍ୟ ଶସ୍ତା । ଦୁଧ, ଦହି, ପନିପରିବା, ମାଛ ମାଂସ ଆମ ଭାରତ ତୁଳନାରେ ମଧ୍ୟ ଶସ୍ତାବୋଲି ଧରାଯାଇପାରେ ।

 

କଳକାରଖାନାରେ ତିଆରି ସୌଖୀନ ଜିନିଷର ଦାମ ମଧ୍ୟ ବେଶି ନୁହେଁ । ବହୁ ପ୍ରକାରର ଜିନିଷ ଦେଖିବାକୁ ମିଳେ । ତୀବ୍ର ପ୍ରତିଯୋଗିତା ଉତ୍ପାଦନ କ୍ଷେତ୍ରରେ ଲାଗିରହିଥିବାରୁ ଜିନିଷଗୁଡ଼ିକ ଦେଖିବାକୁ ସୁନ୍ଦର, ମଜଭୁତ୍‍ ଏବଂ ଶସ୍ତା ହୁଏ । ନାନା ଧରଣର ଖେଳଣା, କ୍ଷୌର ଯନ୍ତ୍ର, ସାବୁନ, ଘର ସଫା କରିବା ଜିନିଷ ପ୍ରଭୃତି ଅତି ଶସ୍ତାରେ ମିଳେ । ମଟରଗାଡ଼ି ତ’ ଅତି ଶସ୍ତା-। ପେଟ୍ରୋଲ ଦାମ୍‍ ବହୁତ କମ୍‍-ମଧ୍ୟ-ପ୍ରାଚ୍ୟରେ ଏହାର ଦାମ୍‍ ଏତେ ବଢ଼ିଥିଲେ ସୁଦ୍ଧା ଏଠାରେ ସେହି ପରିମାଣରେ ଦାମ୍‍ ବଢ଼ିନାହିଁ । ଜାମା, ସାର୍ଟ ଦାମ୍‍ ତ’ ବହୁତ କମ୍‍ । ଏଠାରେ ଯେଉଁ ସାର୍ଟଟି ଶହେଟଙ୍କା ହେବ, ସେଠାରେ ଦୁଇ ତିନି କିମ୍ୱା ପାଞ୍ଚ ଛଅ ଡଲାରରେ ମିଳିପାରିବ । ଲୋକମାନଙ୍କ ଠାରେ କ୍ରୟ କରିବା ଶକ୍ତି ଏତେ ବେଶି ଯେ ପ୍ରତ୍ୟେକ ସହରରେ ନୂଆ ନୂଆ ଅଞ୍ଚଳରେ ବହୁତ ବଡ଼ ବଡ଼ ଦୋକାନ ଘର ତିଆରି ହୋଇଛି । କେତେକ ଦୋକାନ ଏତେ ବଡ଼ ଯେ ଏକ ସମୟରେ ହଜାର ହଜାର ଲୋକ ସେ ଭିତରେ ପଶି ଜିନିଷ କିଣିପାରିବେ । ଜିନିଷ କିଣି ଘରକୁ ନେଲାପରେ ପସନ୍ଦ ନହେଲେ ପୁଣି ଫେରାଇ ଦେବା ସମ୍ଭବ, ଅବଶ୍ୟ ସେତିକି ଦାମ୍‍ରେ ଅନ୍ୟ ଜିନିଷ କିଣିବାକୁ ପଡ଼ିବ, କାରଣ ଦାମ୍‍ତ ଆଗରୁ ଯନ୍ତ୍ର ସାହାଯ୍ୟରେ ହିସାବରେ ଚଢ଼ିଯାଇଛି-ତାହା ଆଉ ଫେରସ୍ତ ପାଇବା ସମ୍ଭବ ନୁହେଁ ।

 

ତା’ ଛଡ଼ା ଦୋକାନ ବଜାରରେ ଜିନିଷ କିଣିବାପାଇଁ ଆଉ ଗୋଟିଏ ସୁବିଧା କରାହୋଇଛି-ତୁମେ ହାତରେ ଟଙ୍କା ନେଇ ବଜାରକୁ ଯିବା ଦରକାର ନାହିଁ । ବ୍ୟାଙ୍କରୁ ତୁମ ନାଁରେ ଗୋଟିଏ Credit card ଦିଆଯାଏ-ସେହି କାର୍ଡ଼ ଦେଖାଇ ତୁମେ ଯେତେ ଜିନିଷ କିଣିପାର, ତୁମର ବ୍ୟାଙ୍କ ତା’ ପାଇଁ ଦାୟୀ ହେବ । ତେଣୁ ତୁମେ ହାତରେ ପଇସାଟିଏ ନଧରି ମଧ୍ୟ ବହୁ ଜିନିଷ କିଣି ପାରିବ । ଯେହେତୁ ଏଠାରେ ଦୋକାନ ବଜାର କିଣାଳିଙ୍କ ପାଇଁ ତିଆରି ହୋଇଛି, ବିକ୍ରେତାମାନେ କିଣାଳିକୁ ଖୁବ୍‍ ଖାତିର କରନ୍ତି । ଭାରତବର୍ଷରେ ଠିକ୍‍ ଓଲଟା । ବିକାଳିମାନେ କିଣାଳିକୁ ହତାଦର କରନ୍ତି । କିନ୍ତୁ ଉପାୟ କ’ଣ ? ଭାରତ ବିକାଳିଙ୍କର ସ୍ଵର୍ଗ । କିଣାଳିକୁ ଦୂର୍‍ ଦୂର୍‍ କରିବା ଏମାନଙ୍କର ଅଭ୍ୟାସ ।

 

କେବଳ ଶିକ୍ଷା ଓ ସ୍ୱାସ୍ଥ୍ୟ ଏଠାରେ ବ୍ୟୟବହୁଳ । ଏଥିପାଇଁ ଲୋକଙ୍କୁ ବହୁତ ଖର୍ଚ୍ଚ କରିବାକୁ ହୁଏ । ପୁଞ୍ଜିପତି ଦେଶର ଏହା ଗୋଟିଏ ବିରାଟ ଦୁର୍ବଳତା । ଅବଶ୍ୟ ଶିକ୍ଷାପାଇଁ ବହୁତ ବୃତ୍ତି ରହିଛି-କାମ କରି ପଢ଼ିବା ସୁବିଧା ରହିଛି, ତଥାପି ଶିକ୍ଷା ଖର୍ଚ୍ଚ ବହୁତ ବେଶି ବଢ଼ି ଯାଉଛି । ସେହିପରି ସ୍ଵାସ୍ଥ୍ୟପାଇଁ ବୀମା ପଦ୍ଧତି ଥିଲେ ସୁଦ୍ଧା ଏଠାକାର ଲୋକେ ଏଥିଲାଗି ବହୁତ ଅସୁବିଧାରେ ପଡ଼ନ୍ତି । ଡାକ୍ତରମାନଙ୍କର ବହୁତ ରୋଜଗାର-ଔଷଧ ଦାମ୍‍ ବହୁତ ବେଶି । ଚିକିତ୍ସାପାଇଁ ଅତ୍ୟନ୍ତ ବେଶି ଖର୍ଚ୍ଚାନ୍ତ ହେବାକୁ ପଡ଼େ । ଏ ସମ୍ପର୍କରେ ବହୁତ ସମାଲୋଚନା ଖବରକାଗଜମାନଙ୍କରେ ବାହାରେ ।

 

ଆମେରିକାର କଳକାରଖାନାମାନ ଦେଖିଲେ ମନୁଷ୍ୟ ଆଶ୍ଚର୍ଯ୍ୟରେ ସ୍ତମ୍ଭୀଭୂତ ହୋଇପଡ଼ିବ । ପ୍ରତ୍ୟେକ ମଟର କାରଖାନାରେ ପ୍ରାୟ ପ୍ରତି ମିନିଟରେ ଗୋଟିଏ ଲେଖାଏଁ ମଟରଗାଡ଼ି ତିଆରିହୋଇଯାଏ ଏବଂ ଜଣେ ସେ ମଟରଗାଡ଼ିଟିରେ ବସି ମଟର ଜମାହୋଇଥିବା ଗୋଦାମକୁ ଚଳାଇ ନେଇଯାଏ । ବହୁ କମ୍ପାନୀ ଏହିପରି ଭାବରେ ଦିନକୁ ହଜାର ହଜାର ସଙ୍ଖ୍ୟାରେ ମଟର ଉତ୍ପାଦନ କରନ୍ତି । ଏହିପରି ଭାବରେ ମଧ୍ୟ ଅନ୍ୟାନ୍ୟ ଜିନିଷ ପ୍ରଚୁର ପରିମାଣରେ କାରଖାନାରୁ ଉତ୍ପାଦିତ ହୁଏ । ବିଥଲହାମ୍‍ ଇଷ୍ପାତ କାରଖାନା ଆମେ ଦେଖିବାକୁ ଯାଇଥିଲୁ । ସେହି ଗୋଟିଏ କାରଖାନାରେ କେବଳ ବର୍ଷକୁ ଦୁଇକୋଟି ପନ୍ଦରଲକ୍ଷ ଟନ ଇଷ୍ପାତ ଉତ୍ପାଦନ କରାହୁଏ ।

 

ପ୍ରଚୁର ଇଷ୍ପାତ, କୋଇଲା, ପେଟ୍ରୋଲ ଓ ବିଦ୍ୟୁତ୍‍ ଶକ୍ତି ଯୋଗୁ ମଟର ଛଡ଼ା ଅନ୍ୟାନ୍ୟ ବିଦ୍ୟୁତ୍‍ ଶକ୍ତି ଓ ପେଟ୍ରୋଲ ଚାଳିତ ଗାଡ଼ି ଖୁବ୍ ବେଶି ଦେଖାଯାଏ । ଉଡ଼ାଜାହାଜରେ ଯିବାଆସିବା ଗୋଟିଏ ସାଧାରଣ କଥା ହୋଇଗଲାଣି । ଥରେ ଗୋଟିଏ ମଧ୍ୟମ ଧରଣର ଉଡ଼ାଜାହାଜ ଷ୍ଟେସନରେ ମୋତେ ଉଡ଼ାଜାହାଜ ପାଇଁ ଘଣ୍ଟାଏ ଯାଏ ଅପେକ୍ଷା କରିବାକୁ ପଡ଼ିଥିଲା । ସେଠାରେ ପ୍ରତି ପାଞ୍ଚ ମିନିଟରେ ଗୋଟିଏ କରି ଛୋଟ ଉଡ଼ାଜାହାଜ ଆସି ପହଞ୍ଚେ କିମ୍ୱା ଉପରକୁ ଉଠେ । ଏସବୁ ଉଡ଼ାଜାହାଜରେ ଜଣେ କିମ୍ବା ଦୁଇ ଜଣ ବସିଥାଆନ୍ତି । ସେମାନେ ବିଭିନ୍ନ ସ୍ଥାନରେ ନିଜ ନିଜର କାମ ଦେଖିବାପାଇଁ ନିଜ ଉଡ଼ାଜାହାଜରେ ଯିବାଆସିବା କରନ୍ତି ।

 

ରାସ୍ତାଘାଟ ଖୁବ୍‍ ଚମତ୍କାର ଏବଂ ପ୍ରଶସ୍ତ । ଜାତୀୟପଥରେ ଏକାସାଙ୍ଗରେ ଅନ୍ତତଃ ଚାରୋଟି ମଟର ଯିବାପାଇଁ ଏବଂ ଚାରୋଟି ମଟର ଆସିବାପାଇଁ ଦୁଇଟି ଅଲଗା ଅଲଗା ରାସ୍ତା ହୋଇଥାଏ । ହଜାର ହଜାର ମଟରଗାଡ଼ି ଘଣ୍ଟାକେ ଷାଠିଏ ସତୁରୀ ମାଇଲ ବେଗରେ ଛୁଟୁଥାନ୍ତି । ଅନେକ ରାସ୍ତାରେ ଷାଠିଏ ମାଇଲରୁ କମ୍‍ ବେଗରେ ଗାଡ଼ି ଚଳାଇଲେ ପୋଲିସ ଧରେ । ରାସ୍ତାରେ କେହି ଚାଲିବାର ଦେଖାଯାଆନ୍ତି ନାହିଁ-ସମସ୍ତେ ଗାଡ଼ି ଭିତରେ । ଗୋଟିଏ ସହର ଅନେକ ସମୟରେ ଜନ-ମାନବ-ହୀନ ଗୋଟିଏ ଯନ୍ତ୍ରଚାଳିତ ଭୂତ ସହର ପରି ଦେଖାଯାଏ । ଆମ କଟକ ସହରର ସଂକୀର୍ଣ୍ଣ ରାଜପଥ ମଝିରେ ଯେପରି ମହା ଶାନ୍ତିରେ ଠିଆହୋଇ ଗାଈମାନେ ଆଖି ବୁଜି ଖାଦ୍ୟ ପାକୁଳାଉଥା’ନ୍ତି, କୁକୁରମାନେ ଖେଳୁଥାନ୍ତି, ସ୍କୁଲ କଲେଜ ପିଲା ଦଳଦଳ ହୋଇ ସାଇକେଲ ଧରି ଠିଆ ହୋଇ ନାନା ବିଷୟରେ ଗପ ଜମେଇ ଥାନ୍ତି, ପିଲାମାନେ ବଲ୍‍ ଖେଳୁଥାନ୍ତି ଓ ପୋଲିସବାଲା ଠିଆହୋଇ ନିର୍ବିକାର ଚିତ୍ତରେ ଆକାଶର ସୌନ୍ଦର୍ଯ୍ୟ ଉପଭୋଗ କରୁଥାଆନ୍ତି କିମ୍ବା ସେମାନଙ୍କର ଭୋକିଲା ପିଲାପିଲିଙ୍କ କଥା ଭାବୁ ଥାଆନ୍ତି, ସେଠାରେ ତାହା ସ୍ୱପ୍ନରେ ସୁଦ୍ଧା କଳ୍ପନା କରାଯାଇ ପାରେନା । ସମସ୍ତେ କାମ କରନ୍ତି-ଅବିଶ୍ରାନ୍ତ କାମରେ ସାରା ଦେଶ ଅନବରତ ବ୍ୟସ୍ତ–କିନ୍ତୁ ଆମର ଯେପରି ଅସରନ୍ତି ସମୟ ପଡ଼ିଛି ଆଗରେ ବିଶ୍ରାମପାଇଁ-ଖୁସି ଗପପାଇଁ-କିମ୍ୱା ହରିନାମ କହି କହି ଢୁଳେଇବା ପାଇଁ ।

 

ଅଦମ୍ୟ ପରିଶ୍ରମ ଯୋଗୁ ଗତ ଶହେବର୍ଷ ଭିତରେ ଏମାନଙ୍କର ସମ୍ପତ୍ତି ବହୁ ପରିମାଣରେ ବଢ଼ିଯାଇଛି । ଗୋଟିଏ ମୂଲିଆର ମାସକୁ ହାରାହାରି ପାଞ୍ଚ-ହଜାର ଟଙ୍କା ରୋଜଗାର-ଆମ ଖର୍ଚ୍ଚ ଅନୁସାରେ ହିସାବ କଲେ ମଧ୍ୟ ଅନ୍ତତଃ ଏକହଜାର ଟଙ୍କାରୁ କମ୍‍ ହେବନାହିଁ । ଏତେ ବେଶି ଧନୀ ହେବାର କାରଣ–ଆମେରିକା ଗୋଟିଏ ପ୍ରକାଣ୍ଡ ଦେଶ-ଆକାରରେ ଆମ ଭାରତବର୍ଷ ଠାରୁ ପ୍ରାୟ ଦୁଇଗୁଣ ବେଶି । ଲୁହା, କୋଇଲା, ପେଟ୍ରୋଲ ପ୍ରଭୃତି ଆଧୁନିକ ଅତ୍ୟାବଶ୍ୟକୀୟ ଖଣିଜପଦାର୍ଥରେ ଭରପୂର । ଗତ ତିନିଶହବର୍ଷ ଧରି ୟୁରୋପର ବିଭିନ୍ନ ଦେଶରୁ ଦଳଦଳ ଲୋକେ ନୂତନ ଆଶା ଓ ଅଦମ୍ୟ ଉତ୍ସାହ ନେଇ ଏ ଦେଶରେ ବସତି ସ୍ଥାପନ କରିଛନ୍ତି । ଅଧିକାଂଶଙ୍କର ପ୍ରଧାନ ଲକ୍ଷ୍ୟ ହେଲା କିପରି ବହୁ ରୋଜଗାର କରି ଧନଶାଳୀ ହେବା । ସେଥିଲାଗି ସେମାନଙ୍କୁ ପ୍ରଶସ୍ତ କ୍ଷେତ୍ର ମଧ୍ୟ ମିଳିଗଲା । ସେମାନଙ୍କର ଇଚ୍ଛାନୁରୂପ ଅଗ୍ରଗତି ରୋକିବାକୁ ପୁରାତନ ସମାଜର କୌଣସି ବନ୍ଧନ ନଥିଲା-ଅତି ଶୀଘ୍ର ନୂତନ ସମାଜର ସୃଷ୍ଟି ହେଲା । ଜଣକୁ ହଜାରେ ଏକର ଜମି ଚାଷ କରିବାପାଇଁ ମିଳିବାରେ ଅସୁବିଧା ହେଲାନାହିଁ । ଜଣେ ଗୋଟିଏ ବିରାଟ କୋଇଲାଖଣିର ମାଲିକ ଅତି ସହଜରେ ହୋଇପାରିଲା । ନିଗ୍ରୋମାନଙ୍କର ଶ୍ରମ ଅତି ଶସ୍ତା ଓ ସୁବିଧାରେ ବ୍ୟବହାର କରିବାର ସୁବିଧା ହେଲା । ଏହିପରି ନାନା ଐତିହାସିକ ଓ ପ୍ରାକୃତିକ କାରଣ ଯୋଗୁ ଅତି ଅଳ୍ପ ସମୟ ଭିତରେ ଦେଶର ଧନ ସମ୍ପତ୍ତି, ବାଣିଜ୍ୟ ବ୍ୟବସାୟ, ଉତ୍ପାଦନ, ରପ୍ତାନୀ ହୁ ହୁ ହୋଇ ବଢ଼ି ଉଠିଲା । ପୁଞ୍ଜିବାଦର ପ୍ରସାର ଅନିୟନ୍ତ୍ରିତ ଭାବରେ ଅତି ଦ୍ରୁତ ଗତିରେ ଚାଲିଲା । ବିଭିନ୍ନ ଦେଶର ଭିନ୍ନ ଭିନ୍ନ ଭାଷାଭାଷୀ ଦଳମାନଙ୍କ ଭିତରେ ଅନିୟନ୍ତ୍ରିତ ପ୍ରତିଯୋଗିତା ହିଁ ଦେଖାଯିବା ସ୍ଵାଭାବିକ । ଏହା ଆଧୁନିକ ଆମେରିକାନ୍‍ ସମାଜର ଅତ୍ୟଧିକ ବ୍ୟକ୍ତିବାଦ ପାଇଁ ମୁଖ୍ୟତଃ ଦାୟୀ ହୋଇପାରେ । କ୍ରମେ ଦଳେ ଅତି ଶକ୍ତିଶାଳୀ ଓ ଧନୀ ପୃଞ୍ଜିପତି ଦେଖାଦେଲେ । ଏମାନଙ୍କ ଭିତରେ ଅତିରିକ୍ତ ପ୍ରତିଯୋଗିତା ଯୋଗୁ ଦେଶର ଉତ୍ପାଦନ ଶକ୍ତି ବହୁ ପରିମାଣରେ ବଢ଼ି ପାରିଲା ।

 

ଦେଶର ଧନ ସମ୍ପତ୍ତି ବଢ଼ିବା ଉଚିତ-କିନ୍ତୁ କେବଳ ଧନ ସମ୍ପତ୍ତି ଯେ ବ୍ୟକ୍ତି ଓ ସମାଜର ଏକମାତ୍ର କାମ୍ୟ ତା’ ନୁହେଁ-ଧନ ସମ୍ପତ୍ତି, ଆଧୁନିକ ଯନ୍ତ୍ରପାତି, କଳ କାରଖାନା ମନୁଷ୍ୟର ସୁଖ ଶାନ୍ତିର ଉପାୟ ମାତ୍ର । କିନ୍ତୁ ଏସବୁ ଯଦି ମନୁଷ୍ୟର ମୁଖ୍ୟ କାମ୍ୟବୋଲି କୌଣସି କାରଣରୁ ପ୍ରତିପାଦିତ ହୁଏ ତାହାହେଲେ ବ୍ୟକ୍ତି ତଥା ସାମାଜିକ ଜୀବନରେ ବହୁ ବିଭ୍ରାଟ ଦେଖାଯାଏ । ସୁଖ ପ୍ରାପ୍ତିର ଉପାୟ ଗୁଡ଼ିକ ଯଦି ମନୁଷ୍ୟର ପ୍ରଧାନ କାମ୍ୟରେ ପରିଣତ ହୁଏ ତାହା ହେଲେ ମନୁଷ୍ୟ ଜୀବନରେ ସୁଖଶାନ୍ତି ରହେନାହିଁ । ଆମ ଦେଶରେ ଆର୍ଥିକ ଅନଟନ ଓ ଅତ୍ୟାବଶ୍ୟକୀୟ ଜିନିଷର ଅଭାବ ଫଳରେ ନାନା ରକମର ବ୍ୟକ୍ତିଗତ ଅଶାନ୍ତି, ଦୁଃଖ କଷ୍ଟ ଓ ଅସାମାଜିକ କାର୍ଯ୍ୟାବଳୀ ଦେଖାଯାଉଛି । ତେଣୁ ଆମେରିକାର ଏତେ ବଡ଼ ବିଭବଶାଳୀ ସମାଜରେ ଏ’ ପ୍ରକାର ସାମାଜିକ ବିଭ୍ରାଟ ଦେଖାଯିବା ଉଚିତ ନୁହେଁ । ଜନସାଧାରଣ ପରମ ସୁଖରେ ଜୀବନ ଯାପନ କରିବା ଉଚିତ; କିନ୍ତୁ ପ୍ରକୃତରେ ତାହା ସତ କି ? ଯଦି ପ୍ରକୃତରେ ସୁଖଶାନ୍ତି ନାହିଁ, ତାହାହେଲେ ତା’ର କାରଣ କ’ଣ ?

Image

 

ଅନିୟନ୍ତ୍ରିତ ଉତ୍ପାଦନର ସୁଫଳ ଓ କୁଫଳ

(ଏକ)

 

ପୁଞ୍ଜିପତି ଦେଶରେ ଉତ୍ପାଦନ କ୍ଷେତ୍ରରେ ସରକାରୀ ବା ସାମାଜିକ ନିୟନ୍ତ୍ରଣ ପ୍ରାୟ ନାହିଁ କହିଲେ ଚଳେ । ଲାଭପାଇଁ ଉତ୍ପାଦନ ବଢ଼ାଇବାରେ ବା ଯେ କୌଣସି କ୍ଷେତ୍ରରେ ବ୍ୟବସାୟ ବାଣିଜ୍ୟ ବା ଶିଳ୍ପ ପ୍ରସାରରେ ଅଗ୍ରଧର୍ଷୀ କାର୍ଯ୍ୟକ୍ରମ ଏ ଦେଶର ଜୀବନ ଦର୍ଶନର ଗୋଟିଏ ପ୍ରଧାନ ଅଙ୍ଗ । ବଜାରର ଚାହିଦା ଅନୁସାରେ ଅଳ୍ପ ଖର୍ଚ୍ଚରେ ଉତ୍ପାଦନ ବଢ଼ାଇ ପାରିଲେ ଲାଭ ହେବ । ଲୋକମାନଙ୍କଠାରେ ନାନା ରକମର ଦ୍ରବ୍ୟ ପ୍ରତି ଚାହିଦା ସୃଷ୍ଟି କରିବାପାଇଁ ନାନାପ୍ରକାର ବୈଜ୍ଞାନିକ ଉପାୟ ଅବଲମ୍ବନ କରାହୁଏ । ରେଡ଼ିଓ, ଟେଲିଭିଜନ, ଖବରକାଗଜ ଓ ଅନ୍ୟାନ୍ୟ ବୈଜ୍ଞାନିକ ପ୍ରଣାଳୀରେ ଉତ୍ପାଦିତ ଜିନିଷ ପ୍ରତି ଲୋକଙ୍କଠାରେ ଆଗ୍ରହ ସୃଷ୍ଟି କରିବାପାଇଁ ମଧ୍ୟ କୋଟି କୋଟି ଡଲାର ଖର୍ଚ୍ଚ ହୁଏ । ପ୍ରତ୍ୟେକ ବ୍ୟବସାୟୀ ନିଜର ଜିନିଷ ଯେତେ ଶସ୍ତାରେ ତିଆରି କରି ବଜାରରେ ବିକ୍ରି କରିପାରିବ ତା’ର ସେତେ ଲାଭ ହେବ । କିନ୍ତୁ ଖାଲି ଶସ୍ତା ହେଲେ ତ’ ଚଳିବ ନାହିଁ–ବଜାରରେ ସେହି ଗୋଟିଏ ପ୍ରକାର ଜିନିଷ ଅହୁରି ଅନେକ ଲୋକ ତିଆରି କରୁଛନ୍ତି । ତେଣୁ ତା’ର ଜିନିଷ ଉତ୍କୃଷ୍ଟ ମଧ୍ୟ ହେବା ଦରକାର । ତେଣୁ ପୁଞ୍ଜିପତି ଦେଶରେ ପରସ୍ପର ଭିତରେ ଭୟାନକ ଭାବରେ ପ୍ରତିଯୋଗିତା ଦେଖାଦେବାକୁ ବାଧ୍ୟ । ଫଳରେ ବହୁ ଉତ୍ପାଦିତ ବସ୍ତୁ ଭଲ ହୁଏ ଏବଂ ଶସ୍ତାରେ ମିଳେ । ଏହି ପ୍ରତିଯୋଗିତା ଯୋଗୁ ଆମେରିକାର ମଟରଗାଡ଼ି ସବୁ ଏତେ ଶସ୍ତା ଏବଂ ମଜ୍‍ବୁତ । କ୍ରମେ କ୍ରମେ ନୂଆ ଉଦ୍ଭାବନ ଗାଡ଼ି ମାନଙ୍କରେ ଖଞ୍ଜା ହୁଏ, ଅଥଚ ଦାମ୍‍ ବଢ଼େ ନାହିଁ । ଆମ ଦେଶରେ ପୁଞ୍ଜିପତିମାନେ ମଟରଗାଡ଼ି ତିଆରି କରନ୍ତି; କିନ୍ତୁ ସରକାର ସେମାନଙ୍କୁ ଘଣ୍ଟଘୋଡ଼ାଇ ରଖିଥିବା ଯୋଗୁ ପ୍ରତିବର୍ଷ ଗାଡ଼ି ଦାମ୍‍ ବଢ଼ି ବଢ଼ି ଚାଲେ ଏବଂ ସେହି ଅନୁପାତରେ ତା’ର ଉତ୍କର୍ଷତା କମି କମି ଆସେ । ତଥାକଥିତ ସମାଜବାଦୀ ଭାରତରେ ଏ ଗୋଟିଏ ଅଦ୍ଭୁତ ଘଟଣା । ପୁଞ୍ଜିପତିଙ୍କ ଭିତରେ ପ୍ରତିଯୋଗିତା ନହେବା ଏବଂ ସେମାନଙ୍କୁ ବେଶି ଲାଭ ଦେବା ବୋଧହୁଏ ଭାରତୀୟ ସମାଜବାଦର ଗୋଟିଏ ନୂତନ ଦିଗ୍‍ଦର୍ଶନ । ଅବଶ୍ୟ ସରକାର ବୋଇଲେ ଯେଉଁମାନଙ୍କୁ ବୁଝାଏ ସେମାନେ ଗାଡ଼ିର ଦାମ୍‍ ବଢ଼ିବାରେ ବିଶେଷ ଭାବରେ ଅସୁବିଧାରେ ପଡ଼ନ୍ତି ନାହିଁ । ଏମାନଙ୍କୁ ମଟରଗାଡ଼ି ଯଥା ସମୟରେ ଯୋଗାଇ ଦେବାରେ ସରକାର ସବୁବେଳେ ନଜର ଦେଇଥାଆନ୍ତି । ଫଳରେ ସେମାନେ ସବୁବେଳେ ବେଶି ଦରରେ ପୁରୁଣା ଗାଡ଼ି ବିକି ବିକି ଚାଲିଥାଆନ୍ତି । ତେଣୁ ଦାମ୍‍ ବଢ଼ିଲେ ସେମାନଙ୍କର କ୍ଷତି କ’ଣ ? ମୋଟାମୋଟି ଭାବରେ ଆମର ଶିଳ୍ପଜାତ ଦ୍ରବ୍ୟର ଦାମ୍‍ ବଢ଼ି ବଢ଼ି ଚାଲିଛି ଏବଂ ତା’ର ଗୁଣାତ୍ମକ ଉତ୍କର୍ଷତା କମି କମି ଆସୁଛି । ଅଥଚ ଆମେରିକାରେ ଏହା ସମ୍ପୂର୍ଣ୍ଣ ବିପରୀତ । ଲୁଗାପଟା, ରେଡ଼ିଓ, ଟେଲିଭିଜନ, ଖାଦ୍ୟଦ୍ରବ୍ୟ ଓ ପ୍ରତିଦିନ ବ୍ୟବହାର୍ଯ୍ୟ ଜିନିଷପତ୍ରର ଉତ୍କର୍ଷତା ବଢ଼ି ବଢ଼ି ଚାଲିଛି । ଫଳରେ ସାଧାରଣ ଲୋକେ ଏ ସବୁ ଜିନିଷ ଉପଭୋଗ କରିପାରୁଛନ୍ତି । ଆମେରିକାରେ ପୁଞ୍ଜିପତିଙ୍କ ଭିତରେ ତୀବ୍ର ପ୍ରତିଯୋଗିତା ଯୋଗୁ ଯେ ଏହା ସମ୍ଭବ ହୋଇଛି ଏଥିରେ ସନ୍ଦେହ ନାହିଁ । ତା’ ଫଳରେ ଲୋକଙ୍କର ଉତ୍ପାଦିକା ଶକ୍ତି ମଧ୍ୟ ଅତ୍ୟନ୍ତ ବେଶି । ପ୍ରତିଯୋଗିତା ଯୋଗୁ ନାନା କ୍ଷେତ୍ରରେ ଗବେଷଣା ଚାଲିଛି ଏବଂ ସମସ୍ତଙ୍କର କାର୍ଯ୍ୟ ଦକ୍ଷତା ଏବଂ ଉତ୍ପାଦନ କ୍ଷେତ୍ରରେ ପ୍ରାଚୁର୍ଯ୍ୟ ଯୋଗୁ ଲୋକଙ୍କର ଜୀବନ ନିର୍ବାହ ମାନ ବଢ଼ି ବଢ଼ି ଚାଲିଛି ।

 

ଉଦାହରଣ ସ୍ଵରୂପ ଯୁକ୍ତରାଷ୍ଟ୍ର-ଆମେରିକାର ଟେଲିଫୋନ୍‍ ବ୍ୟବସ୍ଥା ନିଆଯାଉ । ଏତେ ବଡ଼ ପ୍ରକାଣ୍ଡ ଭୂଖଣ୍ଡରେ-ଭାରତଠାରୁ ଆକାରରେ ଅନେକ ବଡ଼ ଏହି ଦେଶର ଗୋଟିଏ ସ୍ଥାନରୁ ଅନ୍ୟ ଯେ କୌଣସି ସ୍ଥାନକୁ ଡାଏଲ କରି ଟେଲିଫୋନ୍‍ କରାଯାଇପାରେ । ଡାଏଲ କଲାକ୍ଷଣି ତିନିହଜାର ମାଇଲ ଦୂରରେ ଥିବା ଲୋକ ସହିତ ଅତି ପ୍ରାଞ୍ଜଳ ଭାବରେ ସେହିକ୍ଷଣି କଥାବାର୍ତ୍ତା କରିପାରିବ । ଖାଲି ଆମେରିକାରେ କାହିଁକି, ଆମେରିକାରୁ ଇଂଲଣ୍ଡ ବା ୟୁରୋପର ଯେ କୌଣସି ସ୍ଥାନକୁ କିମ୍ବା ଜାପାନକୁ ସେହି ମୁହୂର୍ତ୍ତରେ ଡାଏଲ୍‍ କରି କଥାବାର୍ତ୍ତା କରିହେବ । ଦାମ୍‍ ମଧ୍ୟ ବହୁତ କମ୍‍ । ସନ୍ଧ୍ୟା ପାଞ୍ଚଟାରୁ ସକାଳ ସାତଟା ଯାଏଁ ଏବଂ ଶନିବାର ରବିବାର ଦିନ ଆମେରିକାର ଯେ କୌଣସି ଦୂର ସ୍ଥାନକୁ ଟେଲିଫୋନ୍‍ କଲେ ତିନିମିନିଟ୍‍ କୁ ପ୍ରାୟ ପଞ୍ଚାଅଶୀ ସେଣ୍ଟ୍‍ ଖରଚ ହୁଏ-ଆମ ଟଙ୍କାରେ ପ୍ରାୟ ଛଅଟଙ୍କା । କିନ୍ତୁ ସେମାନଙ୍କର ଆୟ ତୁଳନାରେ ଏହା ପଞ୍ଚାଅଶୀ ପଇସାବୋଲି ଧରାଯାଇ ପାରେ । ମୁଁ ନିୟୁର୍କ ଛାଡ଼ିବାର ଦଶମିନିଟ ପୂର୍ବରୁ ପ୍ରାୟ ତିନିହଜାର ମାଇଲ ଦୁରରେ ଥିବା ମୋ ପୁଅ ସହିତ ପାଞ୍ଚମିନିଟ କଥା କହିଥିଲି । ବାହାରେ ଅପେକ୍ଷା କରିଥିବା ମଟରକୁ ଯାଉ ଯାଉ ଡାଏଲ କଲି ଏବଂ କଥାବାର୍ତ୍ତା ହେଲି । ଭାରତରେ ଏହା ଏକାବେଳକେ ଅସମ୍ଭବ । କଟକ ସହରରେ, ଯେଉଁଠାରେ ବର୍ଷ ବର୍ଷ ଅପେକ୍ଷା କଲା ପରେ ‘ଅତ୍ୟାଧୁନିକ’ ଟେଲିଫୋନ୍‍ ସଂସ୍ଥା ବହୁ ଆଡ଼ମ୍ବରରେ ଉଦ୍‍ଘାଟିତ ହେଲା, ସେଠାରେ ଏଠାରୁ ସେ ଘରକୁ କଥାବାର୍ତ୍ତା ହେବା ସମ୍ଭବ ହେଉନାହିଁ । ଆମର ଟେଲିଫୋନ୍‍ କର୍ତ୍ତା ଲୋକଙ୍କର ଆଧ୍ୟାତ୍ମିକ ଉନ୍ନତି ଲାଗି ବେଶି ବ୍ୟଗ୍ର-ଏ ସାଧାରଣ ନାଗରିକଙ୍କ ସୁବିଧା କଥା କିଏ ଭାବୁଛି ? ତା’ଛଡ଼ା ଏଠାରେ ସମାଜବାଦ ପ୍ରସାର ଅର୍ଥ କେବଳ ନିର୍ମମ ସରକାରୀ କଳ ହାତରେ ଲୋକଙ୍କୁ ସମର୍ପଣ କରିଦେବା-। ଟେଲିଫୋନ୍‍ ବ୍ୟବସାୟର କର୍ତ୍ତା ହେଲେ ସବୁଠୁଁ ବଡ଼ ସାହେବ । ତାଙ୍କର ମିଞ୍ଜାସ ବଡ଼ କଡ଼ା ହେବା କଥା । ତେଣୁ ଟଙ୍କା ଦେଇ ଟେଲିଫୋନ୍‍ କିଣିଲେ ସୁଦ୍ଧା ଲୋକଙ୍କ କଥା କିଏ ଶୁଣେ ?

 

ଏହି ଟେଲିଫୋନ୍‍ ବ୍ୟବସ୍ଥା ମଧ୍ୟ ବ୍ୟବସାୟ ସୂତ୍ରରେ ପୁଞ୍ଜିପତିମାନେ ଚଳାନ୍ତି । ବହୁ ଗବେଷଣା ଫଳରେ ଏହା ଅତ୍ୟନ୍ତ କାର୍ଯ୍ୟକ୍ଷମ । ଯେ ହିସାବ କରି ଦେଖା ଯାଇଛି, ଆମ ଭାରତରେ ଥିବା ଟେଲିଫୋନ ବ୍ୟବସ୍ଥା ଯଦି ଏଠାରେ ପ୍ରଚଳନ କରାଯାଆନ୍ତା, ତା’ହେଲେ ସେମାନଙ୍କର ଟେଲିଫୋନ୍‍ ସଂସ୍ଥାରେ ଆମେରିକାର ଆବାଳବୃଦ୍ଧବନିତା ସମସ୍ତେ କାମ କଲେ ଏହି କୋଟି କୋଟି ଟେଲିଫୋନ୍‍ ଯାଇ କାର୍ଯ୍ୟକାରୀ ହୋଇପାରନ୍ତା । ଅର୍ଥାତ୍‍ କେବଳ ଅତି ନିପୁଣ ଯନ୍ତ୍ରପାତି ଯୋଗୁ ହିଁ ଏ ପ୍ରକାର କାର୍ଯ୍ୟଦକ୍ଷତା ସମ୍ଭବ ହୋଇଛି । କମ୍‍ ଖର୍ଚ୍ଚରେ ଲୋକମାନେ ଏତେ ସୁବିଧା ପାଇ ପାରୁଛନ୍ତି ।

 

ଏହିପରି ଭାବରେ ମଟରଗାଡ଼ି, ଟେଲିଭିଜନ୍‍, ରନ୍ଧାଘରେ ଲଗା ହୋଇ ଥିବା ବହୁପ୍ରକାର ସୁବିଧାଜନକ ଯନ୍ତ୍ରପାତି, ଲୁଗାପଟା, ଖାଦ୍ୟଦ୍ରବ୍ୟ ପ୍ରଭୃତି ସୁଲଭ ଦରରେ ମିଳେ । ବହୁଦିନ ଧରି ଏ ସବୁ ବ୍ୟବହାର କରାଯାଏ । ଛୋଟ ଛୋଟ ଜିନିଷ ଟିକିଏ ଖରାପ ହେଲେ ଲୋକେ ଫୋପାଡ଼ି ଦିଅନ୍ତି-ନୂଆ ଜିନିଷ କିଣନ୍ତି । ଏହି କାରଣରୁ ଏଠାରେ ଏତେ ସଙ୍ଖ୍ୟାରେ ମଟରଗାଡ଼ି । ପ୍ରତି ଦୁଇ ଜଣରେ ଗୋଟିଏ ଗାଡ଼ି-ସ୍ଵାମୀ ସ୍ତ୍ରୀ ଦୁଇ ଜଣଙ୍କର ଦୁଇଟି ଗାଡ଼ି । ପେଟ୍ରୋଲ ଦାମ୍‍ ଏତେ କମ୍‍ ଯେ ସମସ୍ତେ ମଟର ଚଳାଇ ପାରନ୍ତି । ଗାଲନ୍‍ ଆମ ଟଙ୍କାରେ ଦେଢ଼ ଟଙ୍କା-ସେମାନଙ୍କ ପକ୍ଷରେ ଏହା କିଛି ନୁହେଁ । ପ୍ରାୟ ସମସ୍ତଙ୍କ ଘରେ ଟେଲିଭିଜନ-ଅଧିକାଂଶଙ୍କ ଘରେ ଲୁଗାଧୁଆ, ଲୁଗାଶୁଖା ବିଦ୍ୟୁତ ଯନ୍ତ୍ର । ଯେଉଁମାନଙ୍କର ନାହିଁ, ସେମାନଙ୍କ ପାଇଁ ଗୋଟିଏ ଗୋଟିଏ ଅଞ୍ଚଳରେ ବହୁତ ଗୁଡ଼ିଏ ଏ ପ୍ରକାରର ଯନ୍ତ୍ର ଗୋଟିଏ ଘରେ ରଖା ହୋଇଥାଏ । ଲୋକେ ରବିବାର ଦିନ ଯାଇ ଖୁବ୍‍ କମ୍‍ ଖର୍ଚ୍ଚରେ ଲୁଗାପଟା ଧୋଇ ଶୁଖାଇ ଘରକୁ ନେଇଆସନ୍ତି ।

 

ଲୋକଙ୍କର ଆୟ ଅନୁଯାୟୀ ଖାଦ୍ୟପେୟ ସାମଗ୍ରୀର ଦାମ୍‍ ବେଶି ନୁହେଁ । ଆମ ଦେଶର ଖାଦ୍ୟପଦାର୍ଥ ଅପେକ୍ଷା ଏଠାରେ ଅତ୍ୟନ୍ତ ଭଲ ଧରଣରେ ଖାଦ୍ୟଦ୍ରବ୍ୟ ମିଳେ । ଦୁଧ ସବୁବେଳେ ଖାଣ୍ଟି-ଫଳ, ପନିପରିବା ପ୍ରଚୁର-ଅଣ୍ଡା, ମାଛ, ମାଂସ ସମସ୍ତେ ଖାଆନ୍ତି-ମାଂସ ଦର ଟିକିଏ ବେଶି ବଢ଼ିଯିବାରୁ ଏବଂ ସରକାର ଏ ବିଷୟରେ କୌଣସି ପ୍ରତିକାର ନକରିବାରୁ ଜନସାଧାରଣ ଅନେକ ଦିନ ଯାଏ ବଜାରରୁ ମାଂସ କିଣିଲେ ନାହିଁ । ଆମ ଦେଶରେ କେବଳ ବକ୍ତୃତାରେ ଦାମ୍‍ କମାଯାଏ, କାର୍ଯ୍ୟରେ ନୁହେଁ । ଅନର୍ଗଳ ବକ୍ତୃତା ଛଡ଼ା ଆଉ କୌଣସି ଜିନିଷ ଏ ଦେଶରେ ଶସ୍ତା ନୁହେଁ ।

 

ଏ ଦେଶର ରାସ୍ତାଘାଟ, ପୋଲ, ରେଳ, ବସ୍‍, ଉଡ଼ାଜାହାଜ, ଏପରିକି ଡାକତାର, ଟେଲିଫୋନ ବ୍ୟବସ୍ଥା ମଧ୍ୟ ପୁଞ୍ଜିପତିଙ୍କର ବ୍ୟକ୍ତି ବା ଗୋଷ୍ଠୀଗତ ବ୍ୟବସାୟ । ଏମାନଙ୍କର ଲାଭମନୋବୃତ୍ତି ପରସ୍ପର ପ୍ରତିଯୋଗିତା ଭିତର ଦେଇ ଚରିତାର୍ଥ ହୁଏ । ଫଳରେ ଅଳ୍ପ କେତେ ଜଣ ବହୁ କୋଟି ଡଲାରର ଅଧିକାରୀ ତ’ ବହୁ ଲୋକ ଛୋଟ ଛୋଟ ବ୍ୟବସାୟରେ ପାଣ୍ଠି ବିନିଯୋଗ କରନ୍ତି । ଅଳ୍ପ ପୁଞ୍ଜି ଥିବା ବ୍ୟବସାୟୀଙ୍କ ଭିତରେ ଯେପରି ତୀବ୍ର ପ୍ରତିଯୋଗିତା ଅହରହ ଲାଗିରହିଛି, କୋଟିପତିଙ୍କ ଭିତରେ ସେ ପ୍ରକାର କଠୋର ପ୍ରତିଯୋଗିତା ନାହିଁ । କାରଣ ସେମାନେ ସେମାନଙ୍କର ପ୍ରଭୂତ ପୁଞ୍ଜି ଫଳରେ ସମାଜରେ ଏକଚାଟିଆ ବ୍ୟବସାୟ ବା ଶିଳ୍ପପ୍ରତିଷ୍ଠା କରିବାରେ ସମର୍ଥ ହୁଅନ୍ତି । ପୁଞ୍ଜିବାଦୀ ପ୍ରତିଯୋଗିତାର ସାମାଜିକ ସୁଫଳ ବିଷୟରେ ଆଲୋଚନା ହେଲା; କିନ୍ତୁ ଏହାର ବିଷମୟ ଫଳ ବିଷୟରେ ବର୍ତ୍ତମାନ ଆଲୋଚନା କରାଯାଉ ।

 

(ଦୁଇ)

 

ଯୁକ୍ତରାଷ୍ଟ୍ର ଆମେରିକା ବର୍ତ୍ତମାନ ପୃଥିବୀର ସର୍ବ ଶ୍ରେଷ୍ଠ ଧନଶାଳୀ ଦେଶ । ବ୍ୟକ୍ତିଗତ ଓ ଜାତୀୟ ଆୟ ଏବଂ ସାମଗ୍ରିକ ଉତ୍ପାଦନ ଦୃଷ୍ଟିରୁ ଏହା ଅଦ୍ୱିତୀୟ । ବିଦ୍ୟୁତ୍‍ଶକ୍ତି, ପେଟ୍ରୋଲ ଓ ଅନ୍ୟାନ୍ୟ ଶିଳ୍ପ ଜାତୀୟ ପଦାର୍ଥ ବ୍ୟବହାରରେ ମଧ୍ୟ ଏହା ସର୍ବପ୍ରଥମ । ଏମାନେ ବିଦ୍ୟୁତ୍‍ଶକ୍ତି, ପେଟ୍ରୋଲ ପ୍ରଭୃତି ଜାଳେଣିଶକ୍ତି ଏତେ ପରିମାଣରେ ବ୍ୟବହାର କରୁଛନ୍ତି ଏବଂ ଏହାର ଚାହିଦା ପ୍ରତିବର୍ଷ ଏତେ ବେଶି ବଢ଼ୁଛି ଯେ, ଆସନ୍ତା ଦଶବର୍ଷ ମଧ୍ୟରେ ଏହାର ଚାହିଦା ଦୁଇଗୁଣ ବଢ଼ିଯିବ-ପୁଣି ଆସନ୍ତା କୋଡ଼ିଏବର୍ଷ ମଧ୍ୟରେ ଚାରିଗୁଣ ବଢ଼ିଯିବ । କିନ୍ତୁ ଏ ପ୍ରକାର ବିରାଟ ଚାହିଦା ତୁଳନାରେ ପ୍ରାକୃତିକ ସମ୍ପତ୍ତିର ଅଭାବ ଦେଖା ଦେବାକୁ ବାଧ୍ୟ । ତା’ ସହିତ ଜଳ, ସ୍ଥଳ, ଆକାଶ ଏବଂ ସମସ୍ତ ପରିବେଶ କ୍ରମେ କ୍ରମେ ଏପରି ବିଷାକ୍ତ ହୋଇପଡ଼ୁଛି ଯେ ଲୋକଙ୍କର ରୋଗ ବଢ଼ିବାକୁ ଆରମ୍ଭ କଲାଣି । ଗତ କେତେ ବର୍ଷ ଭିତରେ ଏମାନଙ୍କର ଆୟୁଷ ସାମାନ୍ୟ କମିବାକୁ ଆରମ୍ଭ କରିଛି । ନିୟୁୟର୍କ, ଲସ୍‌ଆଞ୍ଜେଲସ୍‍, ସିକାଗୋ ପ୍ରଭୃତି ସହରର ପରିବେଶ ଅତ୍ୟନ୍ତ ବେଶି କଳୁଷିତ ହୋଇପଡ଼ିଛି । ବର୍ତ୍ତମାନ ହିସାବ କରି ଦେଖାଯାଇଛି ଲସ୍‍ଆଞ୍ଜେଲସ୍‍ ସହରର ବାୟୁମଣ୍ଡଳ ଏତେ ବିଷାକ୍ତ ହୋଇ ପଡ଼ିଛି ଯେ, ଅତି ଶୀଘ୍ର ଏଠାରେ ବ୍ୟବହୃତ ହେଉଥିବା ଗାଡ଼ି ସଙ୍ଖ୍ୟା ଯଦି ଶତକଡ଼ା ପଞ୍ଚାଅଶୀ କମାଇ ଦିଆ ନ ଯାଏ, ସ୍ଵାସ୍ଥ୍ୟ ଦୃଷ୍ଟିରୁ ନିରାପଦ ଏବଂ ସହନଶୀଳ ବାୟୁମଣ୍ଡଳ ଏଠାରେ ସମ୍ଭବ ହୋଇ ପାରିବ ନାହିଁ । କଳକାରଖାନା ସବୁ ଅଧାଅଧି ବନ୍ଦ ନ ହେଲେ ବାୟୁମଣ୍ଡଳ ନିରାପଦ ହୋଇପାରିବ ନାହିଁ । ମଟରଗାଡ଼ି ସବୁ ଦୂଷିତ ଗ୍ୟାସ ପରିଶୋଧକ ଯନ୍ତ୍ର ସହିତ ତିଆରି କରିବାପାଇଁ ଆଇନ ହୋଇଛି । ୧୯୭୫ ସୁଦ୍ଧା ସବୁ ମଟରଗାଡ଼ି ଏ ପ୍ରକାର ଯନ୍ତ୍ର ବ୍ୟବହାର କରିବାକୁ ବାଧ୍ୟ ବୋଲି ଘୋଷଣା କରାଯାଇଛି । କିନ୍ତୁ ମଟରଗାଡ଼ି କମ୍ପାନୀମାନେ ମଧ୍ୟ ଘୋଷଣା କଲେଣି ଯେ, ଖର୍ଚ୍ଚ ଦୃଷ୍ଟିରୁ ସେମାନଙ୍କ ପକ୍ଷରେ ୧୯୭୫ ସୁଦ୍ଧା ଏହା କରିବା ସମ୍ଭବ ନୁହେଁ । ମଟର କମ୍ପାନୀମାନେ ବହୁତ ଶକ୍ତିଶାଳୀ, କୋଟିପତି । ତେଣୁ ସେମାନଙ୍କୁ ବାଧ୍ୟ କରିବା ସମ୍ଭବ ବୋଲି ଜଣା ଯାଉନାହିଁ । ଜନସାଧାରଣଙ୍କ ମତରେ ଏହି ଆଇନ ପୁଣି ପରିବର୍ତ୍ତିତ ହେବାର ଆଶଙ୍କା ରହିଛି ।

 

ଶିଳ୍ପବିକାଶ ଯେଉଁ ପରାକ୍ରମଶାଳୀ ପୁଞ୍ଜିପତିଙ୍କ ହାତରେ ରହିଛି, ସେମାନଙ୍କର ପ୍ରତ୍ୟକ୍ଷ ଓ ପରୋକ୍ଷ ରାଜନୈତିକ ପ୍ରଭାବ ଏତେ ବେଶି ଯେ ସେମାନଙ୍କର ଲାଭପାଇଁ ସେମାନେ ଯାହା କରିବେ ତାକୁ ରୋକିବା ଶକ୍ତି ସରକାରଙ୍କର ନାହିଁ । ବରଂ ସରକାରୀ କଳ ସେମାନଙ୍କ ହାତରେ । କିନ୍ତୁ ଜନସାଧାରଣ ଏ ବିଷୟରେ ଜାଗ୍ରତ ଥିବାରୁ ଲୋକଙ୍କୁ ଅସ୍ୱାସ୍ଥ୍ୟକର ପରିସ୍ଥିତିରୁ ରକ୍ଷା କରିବାପାଇଁ ବହୁତ ଆନ୍ଦୋଳନ କଂଗ୍ରେସ ଭିତରେ ଏବଂ ବାହାରେ ହେଉଛି । ଏହି ଦଶନ୍ଧିର ଏହା ଗୋଟିଏ ପ୍ରଧାନ ସମସ୍ୟାରେ ପରିଣତ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ବିଜ୍ଞାନୀ ତଥା ଜନସାଧାରଣ ଏ ସମ୍ପର୍କରେ ବହୁତ ବିବ୍ରତ ହୋଇପଡ଼ିଛନ୍ତି । ବିଷାକ୍ତ ବାୟୁମଣ୍ଡଳ ଯୋଗୁ ହୃଦରୋଗ ଏବଂ କ୍ୟାନସର ରୋଗୀ ସଙ୍ଖ୍ୟା ବଢ଼ି ବଢ଼ି ଚାଲିଛି । ଲୋକଙ୍କର ପଚାଶବର୍ଷ ବୟସ ବେଳକୁ ହୃଦ୍‌ରୋଗ ଆକ୍ରମଣର ସମ୍ଭାବନା ଥିଲା । ମାତ୍ର ଏବେ ଏହି ସମ୍ଭାବନା ୩୫ ବର୍ଷକୁ ଖସିଆସିଛି ।

 

ବର୍ତ୍ତମାନ ସାଧାରଣଙ୍କ ପକ୍ଷରୁ ଦାବୀ ହେଉଛି ସହରମାନଙ୍କରେ ବେଶି ପରିମାଣରେ ବସ୍‍ ଓ ବିଦ୍ୟୁତ ରେଳ ଗାଡ଼ି ବ୍ୟବହାର ପାଇଁ । ଏ ଦେଶର ଜନସାଧାରଙ୍କ ପାଇଁ ବସ୍‍ ଓ ସହରତଳି ରେଳଗାଡ଼ି ବ୍ୟବସ୍ଥା ଅତ୍ୟନ୍ତ ଖରାପ । ସମସ୍ତଙ୍କର ଗାଡ଼ି ଥିବାରୁ ବସ୍‍ ଓ ଟ୍ରେନ ପ୍ରଭୃତିରେ ବେଶି ଲାଭ ହୁଏ ନାହିଁ । ଲାଭ ନହେଲେ ପୁଞ୍ଜିପତି ଦେଶରେ କୌଣସି ବ୍ୟବସ୍ଥା ତିଷ୍ଠିପାରିବ ନାହିଁ । ତେଣୁ କେତେକ ଅଞ୍ଚଳରେ ଯିବା ଆସିବା ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଥିବାଯୋଗୁଁ ପ୍ରତ୍ୟେକ ପରିବାରକୁ ଦୁଇଟି ମଟର କିଣିବାକୁ ପଡ଼ୁଛି । ସ୍ଵାମୀ ସ୍ତ୍ରୀ ବିଭିନ୍ନ ସ୍ଥାନରେ କାମ କରନ୍ତି କିମ୍ବା ସ୍ତ୍ରୀକୁ ଘର ଚଳାଇବା ପାଇଁ ବିଭିନ୍ନ ସ୍ଥାନକୁ ଯିବାକୁ ପଡ଼େ । ବସରେ ଘଣ୍ଟା ଘଣ୍ଟା ସମୟ ବ୍ୟୟ କରିବାକୁ ହୁଏ । ତେଣୁ ତାକୁ ମଧ୍ୟ ମଟରଗାଡ଼ି କିଣିବାକୁ ପଡ଼େ-ଫଳରେ ମଟରଗାଡ଼ି ସଙ୍ଖ୍ୟା ବଢ଼ିବାରେ ଲାଗେ-ପେଟ୍ରୋଲ ବେଶି ଦରକାର ହୁଏ-ରାସ୍ତାଘାଟ ମଟରରେ ପୂରିଯାଏ । ଅନେକ ସମୟରେ ବହୁ ଚଉଡ଼ା ରାସ୍ତା ସବୁ-ପ୍ରତ୍ୟେକ ରାସ୍ତାରେ ଏକମୁହାଁ ଚାରିଧାଡ଼ି ଗାଡ଼ି ଚାଲିବାର ସୁବିଧା ଥିଲେ ମଧ୍ୟ-ରାସ୍ତା ଏପରି ଭାବରେ ଗାଡ଼ିରେ ରୁନ୍ଧି ହୋଇଯାଏ ଯେ, ଗୋଟିଏ ଗାଡ଼ି ଅଟକିଗଲେ ମାଇଲ ମାଇଲ ଧରି ଗାଡ଼ି ଅଟକିଯାଏ । ଗୋଟିଏ ଗାଡ଼ି ରାସ୍ତାରେ ଓଲଟିଗଲେ ଆଉ କୋଡ଼ିଏଟି ଗାଡ଼ି ତା’ ଉପରେ ତା’ ଉପରେ ଆସି ଅଜାଡ଼ି ହୋଇ ପଡ଼େ । ଷାଠିଏ-ସତୁରୀ ମାଇଲ ବେଗରେ ଗାଡ଼ି ଚାଲେ । ତେଣୁ ଗାଡ଼ିକୁ ହଠାତ୍‍ ଅଟକାଇବା ସମ୍ଭବ ନୁହେଁ । ନିୟୁୟର୍କ ଭଳି ସହରରେ ମାଇଲିଏ ଦୁଇ ମାଇଲ ରାସ୍ତା ଯିବାକୁ ଘଣ୍ଟାଏ ଲାଗେ । ଲୋକେ ଚାଲି ଚାଲି ଯାଇ ଜଲଦି ପହଞ୍ଚନ୍ତି । ଗାଡ଼ି ରଖିବା ପାଇଁ ମଧ୍ୟ ଜାଗା ମିଳେ ନାହିଁ । ସହରରେ ଅତ୍ୟଧିକ ପରିମାଣରେ ମଟରଗାଡ଼ି ଯୋଗୁ ବାୟୁମଣ୍ଡଳ ଅଧିକରୁ ଅଧିକ ଦୂଷିତ ହୋଇପଡ଼ୁଛି । ପୃଥିବୀର ପେଟ୍ରୋଲ ଭଣ୍ଡାର କମି କମି ଆସୁଛି । ବର୍ତ୍ତମାନ ଯୁକ୍ତରାଷ୍ଟ୍ର-ଆମେରିକାର ମଟରଗାଡ଼ି ଏକ ବିରାଟ ଅନ୍ତର୍ଘାତୀ ସଙ୍କଟ ସୃଷ୍ଟି କରିଛି । ରେଡ଼ିଓ, ଟେଲିଭିଜନ୍‍ ଓ ଖବରକାଗଜରେ ଏ ବିଷୟରେ ବହୁ ଆଲୋଚନା ଚାଲିଛି । ସମସ୍ତେ ବିବ୍ରତ ।

 

ପୁଞ୍ଜିପତି ଦେଶର ଅନିୟନ୍ତ୍ରିତ ଶିଳ୍ପ ପ୍ରସାରର ବିଷମ ପରିଣତି କେବଳ ମଟରଗାଡ଼ିର ଉତ୍ପାଦନରେ ନୁହେଁ । ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ତାହା ଅତି ଭୟଙ୍କର ଭାବରେ ଅନୁଭୂତ ହେଉଛି । ଖାଦ୍ୟ ସାମଗ୍ରୀ ତିଆରି ଏବଂ ସଂରକ୍ଷଣରେ ମଧ୍ୟ ଅତ୍ୟନ୍ତ ଉଦ୍‍ବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି-। ଲାଭ ଆଶାରେ ଅତି ଶୀଘ୍ର ଏବଂ ଅତି ବେଶି ସବୁ ପ୍ରକାର ଖାଦ୍ୟବସ୍ତୁ ତିଆରି କରିବା ଏବଂ ବଜାରକୁ ପଠାଇବା ପାଇଁ ବ୍ୟବସ୍ଥା ହେଉଛି । ଏହାର ଗୋଟିଏ ଭଲ ଦିଗ ରହିଛି ଯେ କ୍ଷିପ୍ର ଉତ୍ପାଦନ ଓ ବଣ୍ଟନ ଫଳରେ ଖାଇବା ଜିନିଷ ଅତ୍ୟନ୍ତ ଶସ୍ତା ହୋଇଯାଉଛି; ଅଳ୍ପ ଖର୍ଚ୍ଚରେ ବହୁ ଖାଦ୍ୟ ମିଳି ପାରୁଛି । ମାତ୍ର ସେଠାକାର ବୈଜ୍ଞାନିକଙ୍କ ମତରେ ସ୍ୱାସ୍ଥ୍ୟ ପକ୍ଷରେ ଏହାର ବିଷମ ପରିଣତି କ୍ରମେ ଦେଖାଯାଉଛି । ଯେଉଁସବୁ ରସାୟନିକ ପ୍ରକିୟା ଅଧିକରୁ ଅଧିକ ବ୍ୟବହୃତ ହେଉଛି ତାହା ସ୍ୱାସ୍ଥ୍ୟ ପକ୍ଷରେ ଭୀଷଣ କ୍ଷତିକର ପ୍ରଭାବ ପକାଉଛି । କ୍ୟାନସର, ହୃଦରୋଗ ପ୍ରଭୃତି ମାରାତ୍ମକ ରୋଗ ସୃଷ୍ଟି କରିବାରେ ଏବଂ ଆୟୁ କ୍ଷୟ ଲାଗି ଏହି ରାସାୟନିକ ପ୍ରକ୍ରିୟା ଦାୟୀବୋଲି ବୈଜ୍ଞାନିକମାନେ ଘୋଷଣା କରିଛନ୍ତି । ଆମେରିକାର ଚିକିତ୍ସା ବିଜ୍ଞାନ ବିଶେଷଜ୍ଞମାନେ ଲୋକଙ୍କୁ ପରାମର୍ଶ ଦିଅନ୍ତି କେତେ ପ୍ରକାର ଅତି ବେଶି ପରିମାଣରେ ଚର୍ବିଥିବା ମାଂସ ବ୍ୟବହାର ନ କରିବା ଲାଗି ଓ ସେ ପ୍ରକାର ମାଂସର ଉତ୍ପାଦନ ବନ୍ଦ ଲାଗି ମଧ୍ୟ ଆଇନ କରିବାପାଇଁ ଏମାନେ ଅନୁରୋଧ କରୁଛନ୍ତି । କିନ୍ତୁ ମୁକ୍ତ ପୁଞ୍ଜି ପ୍ରସାରଣ ଓ ଅନିୟନ୍ତ୍ରିତ ଲାଭଖୋର ସମାଜରେ ଏହା ଅରଣ୍ୟ ରୋଦନରେ ପରିଣତ ହୋଇଛି । ତେଣୁ ଆମେରିକାର ବହୁ ସହରରେ ପ୍ରାକୃତିକ ଖାଦ୍ୟ ଖାଇବାକୁ ଲୋକଙ୍କୁ ପରାମର୍ଶ ଦିଆହୁଏ । ଅନେକ ବହି ଲେଖାହୋଇଛି-କିପରି ଲୋକେ ପ୍ରାକୃତିକ ଖାଦ୍ୟ ବାଛିବେ । ବହୁତ ସମବାୟ ସଂସ୍ଥା ଦେଖାଦେଇଛି ଏ ପ୍ରକାର ଖାଦ୍ୟ ବିକ୍ରି କରିବାପାଇଁ । ଲେଖକ ୧୯୫୭ରେ ଆମେରିକାରେ ଥିଲାବେଳେ ସମବାୟ ସଂସ୍ଥାଗୁଡ଼ିକ ଆରମ୍ଭ ହୋଇଥିଲା । କିନ୍ତୁ ସେଗୁଡ଼ିକୁ କମ୍ୟୁନିଷ୍ଟ ସଂସ୍ଥାବୋଲି ଲୋକମାନେ ହେୟ ଦୃଷ୍ଟିରେ ଦେଖୁଥିଲେ । ବର୍ତ୍ତମାନ ଅନ୍ତତଃ ଖାଦ୍ୟଦ୍ରବ୍ୟ ଓ ଜିନିଷପତ୍ର ବିକ୍ରି କରିବାପାଇଁ ବହୁ ବିରାଟ ସମବାୟ ସଂସ୍ଥା ଦେଖାଯାଇଛି । ଏମାନେ ମଧ୍ୟ କୋଟି କୋଟି ଟଙ୍କାର ବ୍ୟବସାୟ କରିଛନ୍ତି । କିନ୍ତୁ ଏକଚାଟିଆ ପୁଞ୍ଜିପତି ସଂସ୍ଥା ତୁଳନାରେ ଏମାନଙ୍କର ସଙ୍ଖ୍ୟା ଅତି ନଗଣ୍ୟ ।

 

ଅବଶ୍ୟ ଅନିୟନ୍ତ୍ରିତ ପୁଞ୍ଜି ପ୍ରସାରଣ ଓ ଲାଭ ମନୋବୃତ୍ତି ଯୋଗୁଁ ନାନା କ୍ଷେତ୍ରରେ ଖୁବ୍‍ କମ୍‍ ଖର୍ଚ୍ଚରେ ବହୁତ ସୁବିଧା ସମ୍ଭବ ହୋଇପାରୁଛି । ନିତ୍ୟ ବ୍ୟବହାର୍ଯ୍ୟ ଜିନିଷତ୍ରର ଦାମ୍‍ ଖୁବ୍‍ କମ୍‍-। ଶିଳ୍ପଜାତ ଦ୍ରବ୍ୟଗୁଡ଼ିକର ଦାମ୍ ସବୁଠୁଁ କମ୍‍ । ରେଡ଼ିଓ, ଟେଲିଭିଜନ, ମଟରଗାଡ଼ି, ବିଦ୍ୟୁତ୍‍ ଚାଳିତ ଯନ୍ତ୍ରପାତି, ଲୁଗାପଟା ପ୍ରଭୃତି ଲୋକଙ୍କର ଆୟ ତୁଳନାରେ ଖୁବ୍‍ ଶସ୍ତା । ଲୋକଙ୍କର ମଜୁରୀ ବହୁତ ବଢ଼ି ବଢ଼ି ଚାଲିଥିବାରୁ ପୁଞ୍ଜିପତିମାନେ ଅଧିକରୁ ଅଧିକ ସ୍ଵୟଂଚାଳିତ ଯନ୍ତ୍ର ବ୍ୟବହାର କରୁଛନ୍ତି । ଅବଶ୍ୟ ଏ କ୍ଷେତ୍ରରେ ଜାପାନର ଅଗ୍ରଗତି ଅତ୍ୟନ୍ତ ବେଶି । ସୋଭିଏତ୍‍ ରୁଷରେ ଲୋକଙ୍କର ପେଶୀଚାଳିତ ଶ୍ରମର ଲାଘବପାଇଁ ମଧ୍ୟ ଏହାର ବ୍ୟବହାର ଅତି ଦ୍ରୁତଗତିରେ ବଢ଼ି ଚାଲିଛି ।

 

ଆମେରିକାରେ ସ୍ଵୟଂଚାଳିତ ଯନ୍ତ୍ରର ପ୍ରସାର ଫଳରେ ଏକଚାଟିଆ ପୁଞ୍ଜିପତିଙ୍କ ଲାଭ ବଢ଼ି ବଢ଼ି ଚାଲିଛି ଏବଂ ସବୁ କ୍ଷେତ୍ରରେ ଏହି ସର୍ବପରାକ୍ରମଶାଳୀ ପୁଞ୍ଜିପତି ସଂସ୍ଥାଗୁଡ଼ିକର ସାମାଜିକ ଓ ରାଜନୈତିକ ପ୍ରଭାବ ଅତ୍ୟନ୍ତ ବେଶି । ଠିକ୍‍ ଏହି କାରଣରୁ ସମାଜରେ ଅନ୍ୟାନ୍ୟ ବହୁତ ଜଟିଳ ପରିସ୍ଥିତି ସୃଷ୍ଟି ହେଉଛି । ଏମାନଙ୍କୁ ନିୟନ୍ତ୍ରଣ କରିବା ସରକାର ପକ୍ଷରେ ଅସମ୍ଭବ କହିଲେ ଚଳେ ।

 

ଯୁକ୍ତରାଷ୍ଟ୍ର-ଆମେରିକା ଗୋଟିଏ ବିରାଟ ଧନଶାଳୀ ଦେଶ ହେଲେ ମଧ୍ୟ ଅନିୟନ୍ତ୍ରିତ ଉତ୍ପାଦନ ଯୋଗୁ ଓ ଏକଚାଟିଆ ପୁଞ୍ଜିପତିଙ୍କ ଅଗାଧ ସମ୍ପତ୍ତି ଓ ଅପରିମେୟ ରାଜନୈତିକ କ୍ଷମତା ଯୋଗୁଁ ଯେଉଁ ପ୍ରକାର ସାମାଜିକ ବିଭ୍ରାଟ ଓ ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଟି ହୋଇଛି ତାହା ଏମାନଙ୍କର ସାମାଜିକ ଜୀବନକୁ କଳୁଷିତ କରିଚାଲିଛି । ଏହି ପୁଞ୍ଜିପତି ଦେଶ ଏ ପ୍ରକାର ବିରାଟ ସଙ୍କଟକୁ କିପରି ଭାବରେ ନିୟନ୍ତ୍ରଣ କରିବ ଦେଖିବାର କଥା । ଆସନ୍ତା ଦଶନ୍ଧି ଏମାନଙ୍କ ପକ୍ଷରେ ଅତ୍ୟନ୍ତ ସଙ୍କଟମୟ ବୋଲି ମନେହୁଏ ।

Image

 

ଅସାମାଜିକ କାର୍ଯ୍ୟରେ ପୁଞ୍ଜିଲାଭ

 

ଯୁକ୍ତରାଷ୍ଟ୍ର-ଆମେରିକାରେ ପୁଞ୍ଜି-ବିନିଯୋଗ, ପୁଞ୍ଜି ପ୍ରସାରଣ ଓ ପୁଞ୍ଜି ଲାଭରେ ସାମାଜିକ ଦିଗ୍‍ଦର୍ଶନ ଓ ବ୍ୟକ୍ତିଗତ ଜୀବନର ଚରମ ଉପଲବ୍ଧି ସାଧିତ ହୁଏ । କେତେକ ଐତିହାସିକ କାରଣରୁ ଏଠାରେ ସମାଜ ଏହି ମୌଳିକ ତତ୍ତ୍ୱ ଉପରେ ଗଢ଼ିଉଠିଛି । ଇଉରୋପରୁ ଯେଉଁମାନେ ଆମେରିକାକୁ ଯାଇ ବସବାସ କଲେ, ପ୍ରଥମରୁ ଏହି ଉଦ୍ଦେଶ୍ୟ ନେଇ ଆମେରିକାରେ ପହଞ୍ଚିଥିଲେ । ତେଣୁ ଏଠାରେ ପୁଞ୍ଜିପତି ସମାଜ ଗଢ଼ି ଉଠିଲା ଏଠା ଅଧିବାସୀଙ୍କର ଏହି ଚରମ ଲକ୍ଷ୍ୟ ସାଧନ ଉଦ୍ଦେଶ୍ୟରେ । ଗଣତାନ୍ତ୍ରିକ ପରମ୍ପରା, ବ୍ୟକ୍ତି ସ୍ୱାଧୀନତା, ସରକାରୀ ସଂସ୍ଥା, ସାମାଜିକ ଜୀବନ ସବୁ ଏହି ଗୋଟିଏ ମୌଳିକ ଦିଗ୍‍ଦର୍ଶନର ବାସ୍ତବ ରୂପାୟନ ମାତ୍ର । ସବୁବେଳେ, ସବୁ କଥାରେ, ପ୍ରତ୍ୟେକ ସାମାଜିକ ଓ ବ୍ୟକ୍ତିଗତ ଉଦ୍ୟମ ପଛରେ ଅର୍ଥ ଉପାର୍ଜନର ପନ୍ଥା ଦେଖିବାକୁ ମିଳିବ । ଅବଶ୍ୟ ସବୁ ଦେଶରେ ଅର୍ଥନୈତିକ ପ୍ରଭାବ ପ୍ରତ୍ୟେକ ସାମାଜିକ ସଂସ୍ଥାକୁ ନିଶ୍ଚୟ ପ୍ରଭାବିତ କରୁଛି, କିନ୍ତୁ ଯୁକ୍ତରାଷ୍ଟ୍ର-ଆମେରିକାର ପ୍ରତ୍ୟେକ କ୍ଷେତ୍ରରେ ପୁଞ୍ଜିର ପ୍ରଭାବ ବିଷୟରେ ଅତି ବାସ୍ତବ ଓ ସୁସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିବ ।

 

ସେହି କାରଣରୁ ଜଣେ ପୁଞ୍ଜିପତି ଯେକୌଣସି ଉପାୟରେ ପୁଞ୍ଜି ପ୍ରସାର କଲେ ମଧ୍ୟ ସେ ଆଦୃତ ହେବ । ବହୁ ଅସତ୍‍ ଉପାୟରେ ପୁଞ୍ଜିଲାଭ ହେଲେ ମଧ୍ୟ ତାକୁ ନିୟନ୍ତ୍ରଣ କରିବାପାଇଁ ସରକାରୀ କିମ୍ୱା ସାମାଜିକ ଅନୁଷ୍ଠାନର କୌଣସି ବଳିଷ୍ଠ ଆଗ୍ରହ ନାହିଁ । ଅସାମାଜିକ କାର୍ଯ୍ୟକଳାପର ନିୟନ୍ତ୍ରଣ ଲାଗି ନିୟମକାନୁନ ମଧ୍ୟ ସେହିପରି ଭାବରେ ହୁଗୁଳା । ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକାରେ ନଗ୍ନ ଯୌନ ଚିତ୍ର ସିନେମାରେ ବହୁତ ଦେଖାଯାଉଛି । ବଡ଼ ବଡ଼ ସହରର ବହୁ ସିନେମା ଘରେ ନିୟମିତ ଭାବରେ ବିଜ୍ଞାପିତ ହୋଇ ଅତି ଅଶ୍ଳୀଳ ଚିତ୍ର ସବୁ ଦେଖାଯାଉଛି । ଏ ପ୍ରକାର ଚିତ୍ରରେ କଥାବସ୍ତୁ ବିଶେଷ କିଛି ନ ଥାଏ । କେବଳ ନାରୀ ପୁରୁଷ ଭିତରେ ଯୌନକ୍ରିୟା ଅତି ବିଶଦ ଭାବରେ ଦେଖାହୁଏ । ଜଣେ ନାରୀ ଜଣେ ପୁରୁଷ, କିମ୍ବା ବହୁ ନାରୀ ଏକ ପୁରୁଷ ସଙ୍ଗେ କିମ୍ବା ସ୍ତ୍ରୀମାନଙ୍କ ଭିତରେ ଚାଲୁଥିବା ପାରସ୍ପରିକ ବିକୃତ ଯୌନକ୍ରିୟା ଘଣ୍ଟା ଘଣ୍ଟା ଧରି ସିନେମାରେ ଦେଖାଯାଏ । ଏ ପ୍ରକାର ସିନେମାଘର ଦର୍ଶକରେ ଭରପୂର । ଦିନ ଦଶଟାରୁ ରାତି ଦୁଇଟା ତିନିଟାଯାଏ ଏ ପ୍ରକାର ସିନେମା ଏକାଦିକ୍ରମେ ଚାଲିଥାଏ । ଏ ପ୍ରକାର ଯୌନ ସିନେମାର ନିର୍ଦ୍ଦେଶକ, ପରିଚାଳକ ଓ ଚିତ୍ରତାରକାମାନେ ପ୍ରଚୁର ଅର୍ଥ ଉପାର୍ଜନ କରନ୍ତି । ବିଶିଷ୍ଟ ନିର୍ଦ୍ଦେଶକମାନଙ୍କର ଫଟୋ ବଡ଼ ବଡ଼ କାଗଜରେ ବାହାରିଥାଏ । ଯେହେତୁ ସେମାନେ ପ୍ରଭୂତ ଅର୍ଥ ଉପାର୍ଜନ କରନ୍ତି ତେଣୁ ବୋଧହୁଏ ସେମାନଙ୍କର ବ୍ୟବସାୟରେ କୌଣସି ଅସାମାଜିକତାର ପ୍ରଶ୍ନ ନାହିଁ ।

 

ସେହିପରି ଜୀବନ୍ତ ଯୌନକ୍ରିୟା ପ୍ରଦର୍ଶନ ପାଇଁ ମଧ୍ୟ ବହୁ ଥିଏଟର ଅଛି । ଏହା ରାତିସାରା ଚାଲିଥାଏ । ଏ ପ୍ରକାରର ଥିଏଟରର ପ୍ରବେଶ ଦ୍ୱାରରେ ନଗ୍ନ ନରନାରୀଙ୍କର ଚିତ୍ର ଆଲୋକରେ ଝପ୍‍ ଝପ୍‍ କରୁଥାଏ । ଏ ପ୍ରକାର ଥିଏଟର ମଧ୍ୟ ଦର୍ଶକରେ ଭର୍ତ୍ତି ହୋଇଯାଏ । ଯୌନକ୍ରିୟା ସମ୍ପର୍କୀୟ ଏ ପ୍ରକାର ଯେଉଁ ବ୍ୟବସାୟ ପ୍ରତିଷ୍ଠାନ ଗଢ଼ି ଉଠିଛି ତା’ ସାଙ୍ଗକୁ ବହୁ ପ୍ରକାର ଆନୁସଙ୍ଗିକ ବ୍ୟବସାୟ ମଧ୍ୟ ଗଢ଼ି ଉଠୁଛି । ଏହି ସିନେମାଘର ପାଖରେ କୃତ୍ରିମ ଉପାୟରେ ଯୌନକ୍ରିୟା ସାଧନ ପାଇଁ ବହୁ ପ୍ରକାର ଯନ୍ତ୍ରପାତି ବିକ୍ରିପାଇଁ ଦୋକାନମାନଙ୍କରେ ଦେଖିବାକୁ ମିଳେ । ଏହାର ଦାମ୍ ବହୁତ ବେଶି । ଲୋକେ ଏତେ ଦାମ୍ ଦେଇ ସେ ସବୁ ଜିନିଷ କିଣୁଛନ୍ତି ବୋଲି ତ’ ଏ ସବୁ ବ୍ୟବସାୟ ପ୍ରତିଷ୍ଠାନ ଗଢ଼ି ଉଠିଛି । ତା’ ସାଙ୍ଗକୁ ବହୁ ସାପ୍ତାହିକ ଓ ମାସିକ କାଗଜ ବାହାରେ ଯେଉଁଥିରେ କି ଏ ପ୍ରକାର ସିନେମା, ଥିଏଟର ଓ ଦୋକାନମାନଙ୍କର ବିଜ୍ଞାପନ ଦିଆଯାଏ । ଲୋକମାନଙ୍କୁ ଚିରାଚରିତ ଯୌନ ଶୃଙ୍ଖଳରୁ ମୁକ୍ତ କରିବାପାଇଁ ଏସବୁ କାଗଜ ଧାରାବାହିକ ଲେଖା ପ୍ରକାଶ କରନ୍ତି । ଗୋଷ୍ଠୀଗତ ଯୌନ ପ୍ରକ୍ରିୟାରେ କି ପ୍ରକାର ସାମଗ୍ରିକ ଭାବରେ ଶାରୀରିକ ଶିହରଣ ସୃଷ୍ଟି କରାଯାଇପାରେ ସେ ବିଷୟରେ ବହୁତ ଲେଖା, ବିଜ୍ଞାପନ ଓ କେଉଁଠାରେ ଏହା ସମ୍ଭବ ତା’ର ସଠିକ ଠିକଣା ଏ ସବୁ କାଗଜରେ ପ୍ରକାଶ ପାଏ । ଯେତେ ପ୍ରକାର ବିକୃତ ଯୌନକ୍ରିୟା ସମ୍ଭବ ସେ ସବୁ କିପରି ମନୁଷ୍ୟର ଚରମ ସୁଖସ୍ୱାଚ୍ଛନ୍ଦ୍ୟ ପାଇଁ ବ୍ୟବହୃତ ହୋଇପାରେ ସେ ବିଷୟରେ ବହୁ ଲେଖା ବାହାରେ । କେଉଁଠି ଏକେଲା ସ୍ତ୍ରୀ ବା ଏକେଲା ପୁରୁଷ ଯୌନ ସାଥୀ ଚାହାନ୍ତି ସେ ସବୁର ବିଜ୍ଞାପନ, ଠିକଣା ଓ ଟେଲିଫୋନ୍‍ ନମ୍ବର ଏ ସବୁ କାଗଜରେ ବାହାରେ ।

 

ମୋଟାମୋଟି ଭାବରେ ଏହା ଏକ ପ୍ରକାର ବିରାଟ ବ୍ୟବସାୟ ଧାରାରେ ପରିଣତ ହୋଇଗଲାଣି । ଜଣେ ବିଶିଷ୍ଟ ଚିତ୍ର ନିର୍ମାତା ଏ ବ୍ୟବସାୟରେ ବର୍ଷକୁ ୪୦ ଲକ୍ଷ ଡଲାର ଲାଭ କରନ୍ତି ବୋଲି ତାଙ୍କର ଫଟୋ ପ୍ରତିଷ୍ଠିତ ଖବରକାଗଜମାନଙ୍କରେ ବାହାରିଥିଲା-ତାଙ୍କର ଜୀବନୀ ଓ ଚିତ୍ର ପ୍ରକାଶ ପାଇଥିଲା । ଅର୍ଥାତ୍ ଯେହେତୁ ଏମାନେ ବ୍ୟବସାୟରେ ଲାଭ କରୁଛନ୍ତି ଏ ଦେଶର ସମାଜ ସେମାନଙ୍କୁ ଯଥେଷ୍ଟ ସାମାଜିକ ଆଦର ଦେଖାଇବାରେ ହେଳା କରୁନାହିଁ । ବହୁ ଲୋକ ଏ ସବୁ ଚିତ୍ରକୁ ଅସାମାଜିକ ଓ ଅଶ୍ଳୀଳ ବୋଲି କହୁଥିଲେ ସୁଦ୍ଧା ମାର୍କିନ ଗଣତନ୍ତ୍ରର ଅବାଧ ପୁଞ୍ଜି ପ୍ରସାର ନୀତି ଯୋଗୁଁ ଏ ସବୁକୁ ନିୟନ୍ତ୍ରଣ କରିବା ସହଜ ନୁହେଁ । ଅସାମାଜିକ କାର୍ଯ୍ୟ ଏପରି ଭାବରେ ହୁ-ହୁ ହୋଇ ବ୍ୟାପିଯାଉଥିଲାବେଳେ ସରକାରୀ ଆଇନ ବା ସାମାଜିକ ମତାମତର ମୂଲ୍ୟ କିଛି ନାହିଁ କହିଲେ ଚଳେ । ୧୯୫୭ରେ ଲେଖକ ଆମେରିକାରେ ଥିଲାବେଳେ ଏ ପ୍ରକାର ନଗ୍ନ ଚିତ୍ର ଏପରିଭାବରେ ପ୍ରଦର୍ଶିତ ହେଉ ନଥିଲା । ଗତ କେତେ ବର୍ଷ ଭିତରେ ଏହାର ପ୍ରସାର ବହୁତ ବଢ଼ିଯାଇଛି ।

 

ଅବାଧ ଯୌନକ୍ରିୟା ପ୍ରଦର୍ଶନ ବ୍ୟବସାୟ ପରି ଆଉ ଗୋଟିଏ ଅସାମାଜିକ ବ୍ୟବସାୟ ବହୁତ ବେଶି ପ୍ରସାର ଲାଭ କରୁଛି । ତା’ ହେଲା ମାଦକ ଦ୍ରବ୍ୟ ବ୍ୟବସାୟ । ବର୍ତ୍ତମାନ ଏଠାକାର ସମାଜରେ ନାନା ପ୍ରକାର ମାଦକ ଦ୍ରବ୍ୟର ବ୍ୟବହାର ବହୁତ ବେଶି ବଢ଼ି ବଢ଼ି ଚାଲିଛି । ଏସବୁ ମାଦକଦ୍ରବ୍ୟ ବିକ୍ରି ବେଆଇନ ହେଲେ ମଧ୍ୟ ଏହା ଗୋଟିଏ ଅତ୍ୟନ୍ତ ଲାଭଜନକ ବ୍ୟବସାୟ ହୋଇଥିବାରୁ ଏହା ଅତିମାତ୍ରାରେ ବ୍ୟାପୀ ଯାଉଛି । ମାଦକ ଦ୍ରବ୍ୟର କଳା ବଜାରରେ ଲିପ୍ତ ଥିବା ବହୁ ବ୍ୟକ୍ତି କୋଟିପତି । ସେମାନଙ୍କର କଳାବଜାର ସାମ୍ରାଜ୍ୟ ସାରା ପୃଥିବୀରେ କାମ କରୁଛି । ଜାହାଜ, ଉଡ଼ାଜାହାଜ ଓ ଅନ୍ୟାନ୍ୟ ପରିବହନ ସଂସ୍ଥା ଦ୍ୱାରା ଏ ବ୍ୟବସାୟ ବହୁତ ବେଶି ପ୍ରସାରିତ ହୋଇ ଚାଲିଛି । ନିକଟରେ ଏ ପ୍ରକାର ବ୍ୟବସାୟରେ ସଫଳତା ସହ କାମ କରୁଥିବା ଜଣେ ବିଶିଷ୍ଟ ଲୋକର ମୃତ୍ୟୁ ପରେ ତା’ର ଫଟୋ କାଗଜମାନଙ୍କରେ ବାହାରିଥିଲା । ଏମାନେ କୁଆଡ଼େ କୋଟି କୋଟି ଟଙ୍କା ରାଜନୈତିକ ଦଳମାନଙ୍କୁ ଦିଅନ୍ତି । ସେ ସବୁର ହିସାବ ନଥାଏ । ବର୍ତ୍ତମାନ ଚାଲିଥିବା ଓ୍ୟାଟରଗେଟ୍‍ ମକଦ୍ଦମାରେ ଏ ପ୍ରକାର ବହୁ ରହସ୍ୟ ଉଦ୍‌ଘାଟିତ ହେବ ବୋଲି ଆଶାକରାଯାଏ । କିନ୍ତୁ ସରକାରୀ ତରଫରୁ ବହୁ ରହସ୍ୟ ଯେପରି ଭାବରେ ଚାପି ଦିଆଯାଇଛି ତା’ ଫଳରେ ସବୁ ଘଟଣା ବାହାରକୁ ଜଣା ନପଡ଼ିପାରେ ।

 

ଲେଖକ ବୋଷ୍ଠନରେ ଥିଲାବେଳେ କେତେକ ସାମ୍ବାଦିକ ବୋଷ୍ଠନର ପୋଲିସ କର୍ତ୍ତାଙ୍କୁ ପଚାରିଲେ ଯେ ବୋଷ୍ଠନର ସାମ୍ବାଦିକମାନେ ବୋଷ୍ଠନ ସହର ଭିତରେ ଥିବା ପ୍ରାୟ ଅଶୀଟି ବ୍ୟବସାୟ ସଂସ୍ଥାକୁ ଜାଣନ୍ତି ଯେଉଁମାନେ ଏପ୍ରକାର ମାଦକ ଦ୍ରବ୍ୟ ବ୍ୟବସାୟରେ ଲିପ୍ତ ଅଛନ୍ତି, କିନ୍ତୁ ପୋଲିସ କର୍ତ୍ତୃପକ୍ଷ କିପରି ଏହା ଜାଣି ପାରୁନାହାନ୍ତି । ପୋଲିସ କର୍ତ୍ତା ଏ ବିଷୟରେ କୌଣସି ଯୁକ୍ତିଯୁକ୍ତ ଉତ୍ତର ନ ଦେଇ ପାରି ଏଆଡ଼ୁ ସେଆଡ଼ୁ କହିଲେ । ତା’ ଅର୍ଥ ଆମେରିକାର ଜନସାଧାରଣ ବର୍ତ୍ତମାନ ହୃଦୟଙ୍ଗମ କରୁଛନ୍ତି ଯେ ମାଦକ ଦ୍ରବ୍ୟ ବ୍ୟବସାୟୀକୁ ପୋଲିସ ମଧ୍ୟ ସାହାଯ୍ୟ କରୁଛି-ସେଥିପାଇଁ ପୋଲିସ ବହୁ ଅର୍ଥ ଲାଞ୍ଚ ଆକାରରେ ପାଆନ୍ତି । ପୋଲିସ ଓ ସରକାରୀ ଅଫିସର ଲାଞ୍ଚ ନେବା ବିଷୟରେ ଲେଖକ ବହୁ ଲୋକଙ୍କଠାରୁ ଶୁଣିବାକୁ ପାଇଛି । ବଡ଼ ଆଶ୍ଚର୍ଯ୍ୟ ଲାଗିଲା ଯେ ଆମେରିକା ପରି ସଭ୍ୟ ଓ ଶିକ୍ଷିତ ଦେଶରେ ମଧ୍ୟ ପୋଲିସ ଏପରି ଭାବରେ ଲାଞ୍ଚଖୋର ହୋଇ ପଡ଼ିଛନ୍ତି । ପୋଲିସ ଓ ବହୁ ବଡ଼ ବଡ଼ ଅଫିସର ନାନା କ୍ଷେତ୍ରରେ ମୋଟା ପରିମାଣ ଲାଞ୍ଚ ନେବାର ବହୁ ଅଭିଯୋଗ ଏଠା କାଗଜରେ ବାହାରେ । ଲୋକେ କହନ୍ତି ଯେ ଗଲା ଦଶବର୍ଷ ଭିତରେ ଏ ପ୍ରକାର ଲାଞ୍ଚ ଗ୍ରହଣ ବହୁତ ବେଶି ବଢ଼ିଯାଇଛି ।

 

ଅଶ୍ଳୀଳ ଯୌନ ଚିତ୍ର ହେଉ ବା ମାଦକ ଦ୍ରବ୍ୟ ବ୍ୟବସାୟ ହେଉ ଲାଭ ହେଲେ ବ୍ୟବସାୟୀର ବ୍ୟକ୍ତିଗତ ତଥା ସାମାଜିକ ସାର୍ଥକତା ହେଲା ବୋଲି ଯେପରି ଧରିନିଆ ହେଉଛି । ଆଉ ଗୋଟିଏ ମାରାତ୍ମକ ଆଇନସିଦ୍ଧ, କୋଟି କୋଟି ଡଲାର ରୋଜଗାର ହେଉଥିବା ବ୍ୟବସାୟ ହେଉଛି ପିସ୍ତଲ, ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ପ୍ରସ୍ତୁତି । ଆମେରିକାରେ ଡାକ ପାର୍ଶଲ ଦ୍ୱାରା ଯେକୌଣସି ମାରଣାସ୍ତ୍ର କିଣାଯାଇପାରେ । ଏଥିପାଇଁ କୌଣସି ଲାଇସେନ୍ସର ଦରକାର ନାହିଁ । ଜଣେ ଗୋଟିଏ ଷ୍ଟେନଗନ୍‍ କିଣିଆଣି ସାଙ୍ଗେ ସାଙ୍ଗେ ଜଣକୁ ମାରିଦେଇପାରେ । ଯେତେବେଳେ କୌଣସି ବିଶିଷ୍ଟ ଲୋକ ଏପରି ଭାବରେ ମୃତ୍ୟୁ ମୁଖରେ ପଡ଼ନ୍ତି-ଯଥା ପ୍ରେସିଡେଣ୍ଟ କେନେଡ଼ି ବା ସିନେଟର କେନେଡ଼ି ବା ମାର୍ଟିନ ଲୁଥର କିଙ୍ଗ-ସାଙ୍ଗେ ସାଙ୍ଗେ ଚାରିଆଡ଼େ ପ୍ରବଳ ଦାବି ହୁଏ ଯେ ମାରଣାସ୍ତ୍ର କିଣିବାରେ ଆଇନଗତ କଟକଣା ଜାରୀ କରିବାପାଇଁ । କିନ୍ତୁ ମାରଣାସ୍ତ୍ର ବ୍ୟବସାୟୀମାନେ ଏଠାରେ ଏତେ ଶକ୍ତିଶାଳୀ ଯେ ଏହାର ନିୟନ୍ତ୍ରଣ ପାଇଁ କୌଣସି ପ୍ରକାର କଟକଣା ଜାରି କରିବା ସମ୍ଭବ ହୁଏନାହିଁ । ସାଧାରଣ ଲୋକେ ଏ ବିଷୟ ନେଇ ବହୁତ ବିଚଳିତ, କିନ୍ତୁ ସେମାନଙ୍କ କଥା ଶୁଣୁଛି କିଏ ? ଯେ କୌଣସି ପ୍ରକାର ବ୍ୟବସାୟ ହେଉ ନା କାହିଁକି-ସାମାଜିକ ହେଉ ବା ଅସାମାଜିକ ହେଉ-ଦେଶର ମଙ୍ଗଳ ପାଇଁ ହେଉ ବା ଲୋକଙ୍କର ଚରମ ଅମଙ୍ଗଳ ପାଇଁ ହେଉ-ତା’ ବିରୁଦ୍ଧରେ କୌଣସି ପ୍ରକାର କଡ଼ା ଆଇନ ଜାରୀ ହୋଇ ପାରିବ ନାହିଁ । ଏହା ହେଲା ଏମାନଙ୍କର ଚରମ ବ୍ୟକ୍ତିସ୍ୱାଧୀନତା ନୀତି ।

 

ପ୍ରତ୍ୟେକ ହିତକର ସାମାଜିକ ପ୍ରଥାର ଉପକାରିତାର ସୀମା ଅଛି । କିନ୍ତୁ ତାହା ସୀମାତିକ୍ରମ କଲେ ସେଥିଯୋଗୁ ଉପକାର ପରିବର୍ତ୍ତେ ସମାଜରେ ଭୟଙ୍କର ଅପକାର ଘଟେ । ଏହା ହେଉଛି ଗୋଟିଏ ମୌଳିକ ସମାଜ-ବୈଜ୍ଞାନିକତତ୍ତ୍ୱ । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ମୌଳିକତତ୍ତ୍ୱର ବହୁ ନିଦର୍ଶନ ଦେଖିବାକୁ ମିଳେ । ଫଳରେ ଏହି ସମାଜରେ ନାନା ପ୍ରକାର ଅସାମାଜିକ ଓ ଆତ୍ମଘାତୀ ବିଭ୍ରାଟ ଦେଖାଦେବାକୁ ବାଧ୍ୟ । ଏହି ବିଶେଷ କାରଣରୁ ବିଂଶ ଶତାବ୍ଦୀର ଶେଷ ଭାଗରେ ଯୁକ୍ତରାଷ୍ଟ୍ର ଆମେରିକା ଗୋଟିଏ ଚରମ ସାମାଜିକ ଆନ୍ଦୋଳନ ତଥା କ୍ରମବର୍ଦ୍ଧିଷ୍ଣୁ ବିଭ୍ରାଟ ଭିତର ଦେଇ ଗତି କରୁଥିବାର ଲକ୍ଷଣ ଯେକୌଣସି ଚିନ୍ତାଶୀଳ ବ୍ୟକ୍ତି ଉପଲବ୍ଧ କରିପାରିବେ ।

Image

 

ନିଃସହାୟତା ଯୋଗୁ ସାମାଜିକ ବିଭ୍ରାଟ

 

କିନ୍ତୁ ବର୍ଷ ତଳେ ଯୁକ୍ତରାଷ୍ଟ୍ର ଆମେରିକାର ବିଶ୍ୱବିଦ୍ୟାଳୟମାନଙ୍କରେ ଛାତ୍ର ଉତ୍ତେଜନା ବହୁତ ବେଶି ଦେଖାଦେଇଥିଲା । ଭିଏତନାମ ଯୁଦ୍ଧ ନେଇ ସେତେବେଳକାର ରାଷ୍ଟ୍ରପତି ଜନ୍‍ସନ୍‍ଙ୍କ ବିରୁଦ୍ଧରେ ପ୍ରବଳ ବିକ୍ଷୋଭ ଚାରିଆଡ଼େ ଲାଗି ରହିଥିଲା । ବାର୍କଲେ ବିଶ୍ୱବିଦ୍ୟାଳୟ, ଯାହାକି ଯୁକ୍ତରାଷ୍ଟ୍ର ଆମେରିକାର ଗୋଟିଏ ବୃହତ୍‍ ଏବଂ ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ, ସେଠାରେ ହପ୍ତା ହପ୍ତା ଧରି ପୋଲିସ ଷ୍ଟ୍ରେନଗନ ଓ ବେୟୋନେଟ ଧରି ବିଶ୍ୱବିଦ୍ୟାଳୟ ହତାକୁ ଜଗିରହିଥିଲେ । ଗୋଟିଏ ସାଧାରଣ ପାର୍କକୁ ଛାତ୍ରମାନେ ନିଜ ଅକ୍ତିଆରରେ ରଖିବାକୁ ଚାହିଁଥିଲେ; କିନ୍ତୁ ସରକାର ସେଥିରେ ରାଜି ହୋଇନଥିଲେ । ସେଥିଲାଗି ଏକମାସ କାଳ ବିରାଟ ଆନ୍ଦୋଳନ ତେଜି ଉଠିଥିଲା ଛାତ୍ର-ପୋଲିସ ଭିତରେ । ବିଶେଷତଃ ଭିଏତ୍‍ନାମ ଯୁଦ୍ଧ ବିରୁଦ୍ଧରେ ଯେଉଁ ଦେଶବ୍ୟାପୀ ବିକ୍ଷୋଭ ଏବଂ ଯୁବକମାନଙ୍କୁ ଯୁଦ୍ଧରେ ଭର୍ତ୍ତିହେବା ପାଇଁ ଯେଉଁ ବାଧ୍ୟତାମୂଳକ ଆଇନ ଥିଲା ତା’ ବିରୁଦ୍ଧରେ ଯେଉଁ ଆନ୍ଦୋଳନ ଦେଖା ଦେଇଥିଲା ତାହା ବିଶ୍ୱବିଦ୍ୟାଳୟ ଜୀବନକୁ ଦୋହଲାଇ ଦେଇଥିଲା ।

ତା’ ସାଙ୍ଗକୁ କଳା ଲୋକଙ୍କ ବିଦ୍ରୋହ ଯୋଗୁ ସହରମାନଙ୍କରେ ରକ୍ତାକ୍ତ ଲଢ଼େଇର ସୂତ୍ରପାତ ଘଟିଥିଲା । ଖରାଦିନ ହେଲେ ସହରମାନଙ୍କରେ କେଉଁ ମୁହୂର୍ତ୍ତରେ ରକ୍ତାକ୍ତ ଖଣ୍ଡ ଯୁଦ୍ଧ ସାହିମାନଙ୍କରେ ଘଟିବ ସେ ବିଷୟରେ ପୋଲିସ ସଦାସର୍ବଦା ତତ୍ପର ରହିଥାଏ । କିନ୍ତୁ ଗତ କେତେ ବର୍ଷ ହେଲା ଏ ପ୍ରକାର ରକ୍ତାକ୍ତ ବିଦ୍ରୋହ ସେପରି ତୀବ୍ର ଭାବରେ ଦେଖା ଯାଇନାହିଁ । ଏ ସମ୍ପର୍କରେ ଲେଖକ କେତେକ ଛାତ୍ରନେତା ଏବଂ ଅନ୍ୟାନ୍ୟ ଲଘୁ ସମ୍ପ୍ରଦାୟର ନେତାମାନଙ୍କ ସହିତ ଆଲୋଚନା କରିଥିଲା । ହଠାତ୍‍ କାହିଁକି ଏବଂ କିପରି ଏ ପ୍ରକାର ତୀବ୍ର ଉତ୍ତେଜନା ହ୍ରାସ ପାଇଲା ଏହି ପ୍ରଶ୍ନର ଉତ୍ତରରୁ ଜଣାପଡ଼ିଲା ଯେ ଯୁବକ ବିଦ୍ରୋହୀମାନେ କିଛି ଦିନ ସମାଜ ବିରୁଦ୍ଧରେ ସଂଗ୍ରାମ କରି କ୍ଳାନ୍ତ ହୋଇପଡ଼ିଲେ । ସମସ୍ତଙ୍କ ମୂହଁରେ ଗୋଟିଏ କଥା ଯେ ସେମାନେ କ୍ରମେ ନିଜକୁ ବହୁତ ବେଶି ନିଃସହାୟ ମନେକଲେ । ଏ ପ୍ରକାର ବୈପ୍ଳବିକ କାର୍ଯ୍ୟ ପନ୍ଥାର ପରିଣତି କିଛି ହେଲାନାହିଁ ବୋଲି ସେମାନଙ୍କର ଅସହାୟତା । ଯୁକ୍ତରାଷ୍ଟ୍ର ଆମେରିକାର ଅତି ଶକ୍ତିଶାଳୀ ସରକାରୀ ସଂସ୍ଥାର ଅସାମାଜିକ ଲୋକ ଅହିତକର ବା ଅଗଣତାନ୍ତ୍ରିକ କାର୍ଯ୍ୟ ବିରୁଦ୍ଧରେ ସଂଗ୍ରାମ କରିବାରେ କୌଣସି ପ୍ରକାର ପରିବର୍ତ୍ତନ ସମ୍ଭବ ହେଲାନାହିଁ ବୋଲି ଏମାନଙ୍କଠାରେ ନିଃସହାୟତା ପ୍ରକାଶ ପାଇଲା । କିନ୍ତୁ ମନ ଭିତରେ, ପରସ୍ପର ଆଲୋଚନାବେଳେ, ଯୁକ୍ତିତର୍କ ମଧ୍ୟରେ, ଛୋଟ ଛୋଟ ବକ୍ତୃତା ସଭାରେ ଏହି ବିରାଟ ଅମାନୁଷିକ ସରକାରୀ କଳ ବିରୁଦ୍ଧରେ ଛାତ୍ର, ବୁଦ୍ଧିଜୀବୀ, ନିଗ୍ରୋ, ଇଣ୍ଡିଆନ ପ୍ରଭୃତି ଲଘୁ ସମ୍ପ୍ରଦାୟର ଲୋକଙ୍କର ତୀବ୍ର ଘୃଣା ଓ ବିଦ୍ରୋହ ପ୍ରକାଶ ପାଏ । ସେଥିଲାଗି ବହୁ ଦାୟିତ୍ୱ ସମ୍ପନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ବହୁତ ବିବ୍ରତ । ଏମାନଙ୍କର ମତରେ ଯୁବ ସମ୍ପ୍ରଦାୟର ଏ ପ୍ରକାର ନିଃସହାୟ ମନୋଭାବ ସମାଜ ପକ୍ଷରେ ଭୟଙ୍କର କ୍ଷତିକାରକ।

ଏହା ପ୍ରକୃତରେ ଭୟଙ୍କର ବିପଦ୍‍ଜନକ । କାରଣ ରାସ୍ତା ଘାଟରେ ଆନ୍ଦୋଳନ ନହୋଇ ମନ ଭିତରେ, ଅନୁଷ୍ଠାନ ଭିତରେ ଅସନ୍ତୋଷ କୁହୁଳୁ ଥିଲେ ସମାଜରେ ନିଶ୍ଚୟ ବିଷାକ୍ତ ଆବହାଓ୍ୟା ସୃଷ୍ଟି ହେବାକୁ ବାଧ୍ୟ । ଏହି ନିଃସହାୟତା ଯୋଗୁଁ ଯେଉଁ ବିଦ୍ରୋହାତ୍ମକ ମନୋଭାବ ସୃଷ୍ଟି ହୋଇଛି, ତାହା ନାନା ଭାବରେ ଏହି ସମାଜରେ ଦେଖାଦେଉଛି ।

ଯାହା ଗତାନୁଗତିକ, ଯାହା ସମାଜର ଅଭିଭାବକମାନେ ସାମାଜିକ ନୀତି ବୋଲି ଗ୍ରହଣ କରୁଛନ୍ତି, ତା’ ବିରୁଦ୍ଧରେ ଯୁବ ସଂପ୍ରଦାୟ ବିଦ୍ରୋହ କରୁଛନ୍ତି । ଅତି ଭଦ୍ର ଓ ରକ୍ଷଣଶୀଳ ବ୍ୟକ୍ତିମାନେ ଭଲ ପୋଷାକ ପିନ୍ଧନ୍ତି । ଛୋଟ ଛୋଟ ବାଳ ରଖନ୍ତି । ସାମାଜିକତା ଲାଗି କେତେଗୁଡ଼ିଏ ଭଦ୍ର ବ୍ୟବହାର ଦେଖାଇବାର କଥା । କିନ୍ତୁ ଯୁବ ସମ୍ପ୍ରଦାୟ ସେମାନଙ୍କ ବିରୁଦ୍ଧରେ କାମ କରିବାକୁ ଯେପରି ବଦ୍ଧପରିକର । ଠିକ୍‍ ସେହି କାରଣରୁ ଯୁବ ସଂପ୍ରଦାୟ ସେମାନଙ୍କ ପରି ବ୍ୟବହାର କରିବାକୁ ନାରାଜ । ଯୁବକମାନେ ଲମ୍ବା ବାଳ ରଖନ୍ତି । ଅନେକ ସମୟରେ ବାଳ ଏତେ ଲମ୍ବା ଯେ ବେଣୀ ପକାଇବା କିମ୍ବା ଜୁଡ଼ା ବାନ୍ଧିବା ଦରକାର ହୁଏ । ପୋଷାକ ପତ୍ରର କୌଣସି ଧରାବନ୍ଧା ନିୟମ ନାହିଁ-ଯିଏ ଯାହା ପିନ୍ଧିଲା । ଛିଣ୍ଡା ପେଣ୍ଟ ଉପରେ ଖାଲି ଗୋଟିଏ ସାର୍ଟ, କିମ୍ବା କେବଳ ଗୋଟିଏ ଗେଞ୍ଜି ହାଫ୍‍ ପେଣ୍ଟ ପିନ୍ଧି ଛାତ୍ରମାନେ କଲେଜକୁ ଆସନ୍ତି । ବେଳେ ବେଳେ ଅତି ଛୋଟ ପେଣ୍ଟ କିମ୍ବା ଛିଣ୍ତା ପେଣ୍ଟ ପିନ୍ଧି କଲେଜ ଯିବାର ଦେଖାଯାଏ । ଫୁଟ୍‍ପାଥ୍‍ ରେ ବସିଥାଆନ୍ତି-ପ୍ରେମ କରନ୍ତି, କେତେକେ ଏଠି ସେଠି ଶୋଇ ବି ପଡ଼ନ୍ତି । ଯେ କୌଣସି ଅଦ୍ଭୁତ ପ୍ରକାର ପୋଷାକ ପିନ୍ଧିଲେ ଚଳେ । ନାନା ପ୍ରକାର ଅଦ୍ଭୁତ ବ୍ୟବହାର କଲେ ମଧ୍ୟ କାହାର କୌଣସି ଆପତ୍ତି ନାହିଁ । ମୋଟାମୋଟି ଭାବରେ କହିବାକୁ ଗଲେ ଯେଉଁ ସବୁ ବ୍ୟବହାର ଓ ରୀତି ନୀତି ସମାଜ ଅନୁମୋଦିତ ବୋଲି ଧରାଯାଉଥିଲା ତା’ ବିରୁଦ୍ଧରେ ଯୁବ ସମ୍ପ୍ରଦାୟର ଭୟଙ୍କର ବିଦ୍ରୋହ । କେବଳ ଯେ ଯୁବକମାନେ ଏପରି କରନ୍ତି ତା’ ନୁହେଁ, ଯେଉଁ ବୟସ୍କ ଅଧ୍ୟାପକମାନେ ନିଜକୁ ପ୍ରଗତିଶୀଳ ବୋଲି ଭାବନ୍ତି ସେମାନେ ମଧ୍ୟ ଲମ୍ବା ବାଳ, ଲମ୍ବା ଦାଢ଼ି ରଖନ୍ତି ଏବଂ ଇଚ୍ଛାନୁସାରେ ପୋଷାକ ପିନ୍ଧନ୍ତି । ଛୋଟ ବାଳ ରଖିବା ହେଉଛି ପ୍ରତିକ୍ରିୟାଶୀଳ ମନୋବୃତ୍ତିର ଚିହ୍ନ । ହିପ୍ପି ପୋଷାକ ଏ ପ୍ରକାର ପ୍ରଗତିଶୀଳ ମନୋବୃତ୍ତିର ଲକ୍ଷଣ ବୋଲି ଧରାଯାଏ । ପୋଷାକ ଓ ବ୍ୟକ୍ତିଗତ ସାଜ ସଜ୍ଜାରେ ଅଯତ୍ନ-ଯାହା ଗତାନୁଗତିକ ତାହା ଅଗ୍ରହଣୀୟ-ଯାହା ଅଭିଜାତ ସମ୍ପ୍ରଦାୟର ରୁଚିସମ୍ପନ୍ନ ତାହା ରକ୍ଷଣଶୀଳତାର ଚରମ ନିଦର୍ଶନ ଏବଂ ସର୍ବଥା ବର୍ଜନୀୟ-ଏହା ହେଲା ପ୍ରଗତିଶୀଳ ଗୋଷ୍ଠୀଙ୍କର ଜୀବନଦର୍ଶନ ।

ତା’ଛଡ଼ା ବିଶ୍ୱବିଦ୍ୟାଳୟମାନଙ୍କରେ ଛାତ୍ରମାନଙ୍କ ପାଇଁ ଯେତେ ପ୍ରକାର ଆଇନ କାନୁନ୍‍ ରହିଛି ତା’ ବିରୁଦ୍ଧରେ ମଧ୍ୟ ଏମାନେ ବରାବର ଯୁକ୍ତି କରନ୍ତି । ବହୁ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଏସବୁ ଆଇନ ମାନୁନାହାନ୍ତି ।

ବହୁ ବର୍ଷ ଧରି ଯେଉଁ ସାମାଜିକ ରୀତି ନୀତି ଗଢ଼ିଉଠିଥିଲା ତା’ ବିରୁଦ୍ଧରେ ତୀବ୍ର ବିଦ୍ରୋହ ଯୋଗୁ ସମାଜରେ ବିଶୃଙ୍ଖଳା ଗଢ଼ି ଉଠିବାକୁ ବାଧ୍ୟ । କେତେକ କ୍ଷେତ୍ରରେ ଏ ପ୍ରକାର ବିଦ୍ରୋହ ଅସାମାଜିକ କାର୍ଯ୍ୟରେ ମଧ୍ୟ ପରିଣତ ହେଉଛି । ଅବଶ୍ୟ ବହୁ କ୍ଷେତ୍ରରେ ବିପ୍ଳବାତ୍ମକ ପରିବର୍ତ୍ତନ ଦେଖାଦେବାର ଲକ୍ଷଣ ବହୁତ ବେଶି । ଏହା ଫଳରେ ଏ ସମାଜରେ ନୂତନ ଜୀବନ ଦର୍ଶନ ଗଢ଼ି ଉଠିପାରେ । ପ୍ରଚଳିତ ପ୍ରଥାକୁ ପ୍ରଶ୍ନ କରିବା ଯୋଗୁଁ ପୃଥିବୀର ଅନ୍ୟାନ୍ୟ ସଂସ୍କୃତି ଓ ଜୀବନଦର୍ଶନ ପ୍ରତି ଏମାନଙ୍କର ଗଭୀର ଶ୍ରଦ୍ଧା ଓ ଆକର୍ଷଣ ଦେଖାଦେଇଛି । ଭାରତୀୟ, ଚୀନା ପ୍ରଭୃତି ପ୍ରାଚ୍ୟ ଦର୍ଶନ ପ୍ରତି ବିଶ୍ୱବିଦ୍ୟାଳୟମାନଙ୍କରେ ବହୁତ ଆଗହ ପ୍ରକାଶ ପାଇଛି । ଏପରିକି ‘ହରେକୃଷ୍ଣ’ ସଙ୍କୀର୍ତ୍ତନ କରି କେତେକ ଯୁବକ ରାସ୍ତା ଘାଟରେ ବୁଲିଲାବେଳେ ଲୋକେ ଆଗ୍ରହର ସହିତ ଦେଖନ୍ତି । ଏମାନଙ୍କ ପ୍ରତି କୌଣସି ଅବଜ୍ଞା ପ୍ରକାଶ ପାଏ ନାହିଁ । ଯୋଗ ସ୍କୁଲ ଚାରିଆଡ଼େ ଦେଖିବାକୁ ମିଳୁଛି । ବହୁ ଅନାମଧେୟ ଭାରତୀୟ ଯୋଗୀ ଏଠାରେ ରୀତିମତ ବ୍ୟବସାୟ ଆରମ୍ଭ କରିଦେଇଛନ୍ତି । ମହର୍ଷି ମହେଶ ଯୋଗୀଙ୍କର ଅତୀନ୍ଦ୍ରିୟ ଧ୍ୟାନ ବଡ଼ ଲୋକପ୍ରିୟ ହୋଇଉଠିଛି । ଏ ପ୍ରକାର ପ୍ରାଚ୍ୟ ରୀତି ନୀତି ପ୍ରଚାର କରି ଅନେକ ଲୋକ ବହୁତ ଟଙ୍କା ଲାଭ କରନ୍ତି ।

 

ତେଣୁ ଏ ପ୍ରକାର ବିଦ୍ରୋହୀ ମନୋଭାବ ଯୋଗୁ କେତେଗୁଡ଼ିଏ ନୂତନ ବିଚାର-ଧାରା ଏମାନଙ୍କଠାରେ ଦେଖାଦେଇଛି । ନିଜ ସମାଜ ବିରୁଦ୍ଧରେ ବିଦ୍ରୋହ ଯୋଗୁଁ ଅନ୍ୟ ସମାଜ ପ୍ରତି ଆଦର ବଢ଼ିଛି । ଅନ୍ୟମାନଙ୍କର ବିଚାରଧାରା ପ୍ରତି ଶ୍ରଦ୍ଧା ଓ ସହାନୁଭୂତି ଦେଖା ଦେଉଛି । କିନ୍ତୁ ତା’ ସହିତ ଆହୁରି କେତୋଟି ଚରମ ଚିନ୍ତାଧାରା ମଧ୍ୟ ସମାଜରେ ବିଭ୍ରାଟ ସୃଷ୍ଟି କରୁଛି । ଉଦାହରଣସ୍ୱରୂପ କୁହାଯାଇପାରେ ଯେ ଯୌନ ସମ୍ପର୍କ ନେଇ ଏଠାରେ ଅତି ଉତ୍କଟ ଚିନ୍ତାଧାରା ଦେଖାଦେଇଛି । ଯୌନ ସମ୍ପର୍କକୁ ପୂରାପୂରି ଭାବରେ ସାମାଜିକ ବନ୍ଧନରୁ ବିମୁକ୍ତ କରିଦେବା ପାଇଁ ଏମାନେ ବଦ୍ଧପରିକର । ଯୌନ ସ୍ୱାଧୀନତା ଆନ୍ଦୋଳନ ଏପରି ଭାବରେ ସର୍ବପ୍ରସାରୀ ହୋଇ ପଡ଼ିଛି ଯେ ପାରିବାରିକ ବନ୍ଧନ କ୍ରମେ କ୍ରମେ ଭାଙ୍ଗିପଡ଼ୁଛି ।

 

ଅବାଧ ଯୌନ ମିଳନ ଲାଗି ବ୍ୟାପକ ସୁଯୋଗ ଯୋଗୁଁ ଅନ୍ୟାନ୍ୟ ନାନା ପ୍ରକାର ଅସାମାଜିକ ପ୍ରକ୍ରିୟା ଦେଖା ଦେଉଛି । ପିଲାଦିନରୁ ଯୌନ ମିଳନରେ ସ୍ୱାଧୀନତା ଯୋଗୁ ତିରିଶ ପଞ୍ଚତିରିଶବର୍ଷ ବେଳକୁ ପୁରୁଷମାନଙ୍କଠାରେ ଯୌନ ମନ୍ଥରତା ପ୍ରକାଶ ପାଉଛି, ଅଥଚ ସ୍ତ୍ରୀମାନଙ୍କଠାରେ ସ୍ଵାଭାବିକ ଭାବରେ ଯୌନ ଲାଳସା ରହୁଛି । ଫଳରେ ବହୁପ୍ରକାର ସାମାଜିକ ବିଭ୍ରାଟ ଦେଖାଦେଉଛି । ଏଠାକାର ମନସ୍ତତ୍ୱବିତ୍‍ମାନେ ଏ ବିଷୟ ନେଇ ବଡ଼ ଚିନ୍ତିତ ।

 

ଜନସାଧାରଣଙ୍କର ଏ ପ୍ରକାର ବିଦ୍ରୋହାତ୍ମକ ମନୋଭାବର ସୁବିଧା ନେଇ ପୁଞ୍ଜିପତିମାନେ ଲାଭ ଉଠାଇବା ଲାଗି ନଗ୍ନ ଯୌନ ସିନେମା ଚିତ୍ର କରିବାରେ ବ୍ୟସ୍ତ । ବଡ଼ ବଡ଼ ସହରରେ ଏ ପ୍ରକାର ଚିତ୍ରଘର ବହୁତ ବେଶି । ଏ ସମ୍ପର୍କରେ ଗୋଟିଏ ପ୍ରଧାନ ପ୍ରଶ୍ନ ଉଠେ ଯେ ଅବାଧ ଯୌନ ସମ୍ପର୍କ ଯଦି ଲୋକମାନଙ୍କୁ ଅସ୍ୱାଭାବିକ ଯୌନ ଦମନରୁ ମୁକ୍ତ କରି ଅନ୍ୟାନ୍ୟ ସାଂସ୍କୃତିକ ଓ ବୈଜ୍ଞାନିକ କାର୍ଯ୍ୟରେ ନିୟୋଜିତ କରିପାରିବ ବୋଲି ଧରିନିଆଯାଏ, ତାହେଲେ ବିକୃତ ଯୌନ ପ୍ରଚାର ଏତେ ଅଧିକ ଭାବରେ କାହିଁକି ପ୍ରସାରଲାଭ କରୁଛି ।

 

ତା’ ଛଡ଼ା ଆଉ ଗୋଟିଏ ପ୍ରଧାନ ପ୍ରଶ୍ନ ଲେଖକ ଏମାନଙ୍କ ଆଗରେ ସଭାସମିତିରେ ଉଠାଇଥିଲା ଯେ ସାଧାରଣ ଲୋକେ ଯଦି ଯୌନ କ୍ରିୟା ବିଷୟରେ ଏତେ ବେଶି ମଗ୍ନ ରହନ୍ତି ତାହାହେଲେ ଅତି ଗୁରୁତ୍ୱପୂର୍ଣ୍ଣ ସାମାଜିକ ଓ ରାଜନୈତିକ ସମସ୍ୟାବଳୀର ସମାଧାନ ଲାଗି ହୁଏତ ଏମାନଙ୍କର ଆଉ ଧୈର୍ଯ୍ୟ ବା ଉତ୍ସାହ ରହିବ ନାହିଁ । ହୁଏତ ଠିକ୍‍ ଏହି କାରଣରୁ ଅତି ପରାକ୍ରମଶାଳୀ ପୁଞ୍ଜିପତିମାନେ ମନେ ମନେ ନିଜକୁ ନିରାପଦ ମନେକରୁଥିବେ, କାରଣ ଲୋକମାନଙ୍କର ଦୃଷ୍ଟି ସେମାନଙ୍କର ଅସାମାଜିକ କାର୍ଯ୍ୟ ପ୍ରତି ରହିବ ନାହିଁ, ଅନ୍ୟାନ୍ୟ ଛୋଟ ଛୋଟ କଥାରେ ଲୋକଙ୍କର ଶକ୍ତି କ୍ଷୟ ହେଉଥିବ-ଆମ ଦେଶରେ ଯୁବସମ୍ପ୍ରଦାୟ ଛୋଟ ଛୋଟ କଥାରେ ଲିପ୍ତ ରହି ବସ କଣ୍ତକ୍ଟର, ଚପରାସୀ, କିରାଣିକୁ ମାଡ଼ ମାରିବାରେ ବ୍ୟସ୍ତ ରହିଲେ ଶାସକ ଗୋଷ୍ଠୀ ଯେପରି ଆରାମରେ ନିଶ୍ୱାସ ମାରନ୍ତି । ଯେ କୌଣସି ସମାଜର ଯୁବସମ୍ପ୍ରଦାୟର ଶକ୍ତି ଓ ଆଗ୍ରହ ଯଦି ଏପରି ଭାବରେ ଅଯଥା କାମରେ ନିୟୋଜିତ ହୋଇ ରହେ ତାହେଲେ ସେ ଦେଶର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଲାଗି ସେହି ଅନୁପାତରେ କମ୍‍ ଲୋକଶକ୍ତି ମିଳିପାରିବ । ଯୁକ୍ତରାଷ୍ଟ୍ର ଆମେରିକାରେ ଏ ବିଷୟ ନେଇ ମଧ୍ୟ ବହୁ ଚିନ୍ତାଶୀଳ ବ୍ୟକ୍ତି ଚିନ୍ତିତ ଥିବାର ଦେଖାଯାଏ ।

Image

 

ନିଃସହାୟତାରୁ ଅସାମାଜିକ କାର୍ଯ୍ୟ

 

ଚୋରି, ଡକାଏତି, ନାରୀଧର୍ଷଣ ପ୍ରଭୃତି ଆସାମାଜିକ କାର୍ଯ୍ୟ ସବୁ ସମାଜରେ ରହିଛି । କିନ୍ତୁ କେତେକ ସମାଜରେ ଏହା କମ୍‍ ପରିମାଣରେ ଘଟେ ଅଥବା ଆଉ କେଉଁ କେଉଁ ସମାଜରେ ଏହାର ମାତ୍ରା ଅତି ବେଶି । ତେବେ କୌଣସି ସମାଜରୁ ଏହା ସମ୍ପୂର୍ଣ୍ଣ ରୂପେ ଦୂର କରିବା ସମ୍ଭବ ନୁହେଁ । ତଥାପି ସାମାଜିକ ଅସ୍ଥିରତା, ସରକାରୀ ସଂସ୍ଥାର ଅଯୌକ୍ତିକ ଚାପ ବା ଅତ୍ୟାଚାର, ବ୍ୟକ୍ତିଗତ ନିଃସହାୟତା ଓ ବ୍ୟର୍ଥତାର ପରିମାଣ ଅନୁସାରେ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ଯେଉଁ ସମାଜରେ ଯେତେ ବେଶି ଦେଖାଯାଏ ସେହି ସମାଜ ସେତେ ବେଶି ଅସ୍ୱାଭାବିକ ପରିସ୍ଥିତି ଭିତର ଦେଇ ଯାଉଛି ବୋଲି ଧରିନିଆଯାଏ ।
 

ଗତ କେତେ ବର୍ଷ ହେଲା ଯୁକ୍ତରାଷ୍ଟ୍ର ଆମେରିକାରେ ବିଭିନ୍ନ ଧରଣର ଅସାମାଜିକ କାର୍ଯ୍ୟକଳାପ ବହୁତ ବେଶି ବଢ଼ିଯାଇଛି । ସରକାରୀ ହିସାବରୁ ଜଣାଯାଏ ଯେ, ପ୍ରତିବର୍ଷ ଏସବୁ କାର୍ଯ୍ୟ ଜନସଙ୍ଖ୍ୟା ବୃଦ୍ଧି ହାରଠାରୁ ବହୁତ ବେଶି ହାରରେ ବଢ଼ି ବଢ଼ି ଚାଲିଛି । ଆଉ କେତେକ ଉନ୍ନତ ଦେଶରେ ଏହାର ସଙ୍ଖ୍ୟା ସାମାନ୍ୟ ପରିମାଣରେ ବୃଦ୍ଧି ପାଇଥାଇପାରେ, କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକାରେ ଏ ପ୍ରକାର କାର୍ଯ୍ୟ ସବୁଠୁ ବେଶି ବୃଦ୍ଧି ପାଇଛି । ହିସାବରୁ ଜଣାଯାଏ ନିଉୟର୍କ ପରି ସହରରେ ପ୍ରତ୍ୟେକ ଲୋକ ପାଞ୍ଚବର୍ଷରେ ଥରେ ଏପରି କୌଣସି ନା କୌଣସି ବିପଦର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ବଡ଼ ବଡ଼ ସହରରେ ରାତି ନଅ ଦଶଟା ପରେ କେତେକ ଅଞ୍ଚଳକୁ ଯିବା ଆଦୌ ନିରାପଦ ନୁହେଁ । ବାର୍କଲେ ପରି ବିଶ୍ୱବିଖ୍ୟାତ ବିଶ୍ୱବିଦ୍ୟାଳୟ ହତା ଭିତରେ ସନ୍ଧ୍ୟା ପରେ କୌଣସି ସ୍ତ୍ରୀ ଲୋକ ଏକେଲା ଲାଇବ୍ରେରୀକୁ ଯିବାପାଇଁ ସାହସ କରୁନାହାନ୍ତି । ସେମାନେ ଦଳ ବାନ୍ଧି ବାହାରନ୍ତି କିମ୍ୱା ପୁରୁଷ ଲୋକକୁ ନେଇ ଲାଇବ୍ରେରୀକୁ ଯାଆନ୍ତି । ସନ୍ଧ୍ୟା ପରେ ନାରୀଧର୍ଷଣ କାର୍ଯ୍ୟ ବିଶ୍ୱବିଦ୍ୟାଳୟ ହତା ଭିତରେ ମଧ୍ୟ ସମ୍ଭବ । ଅଥଚ ଲେଖକ ଲଣ୍ଡନରେ ରହିଥିବାବେଳେ ରାତି ଗୋଟାଏ ଦି’ଟାରେ ମଧ୍ୟ ଲଣ୍ଡନ ରାସ୍ତାରେ ସ୍ତ୍ରୀଲୋକ ଏକେଲା ଯିବାର ଦେଖିଛି । ଲଣ୍ଡନ, ପ୍ୟାରିସ ପ୍ରଭୃତି ୟୁରୋପୀୟ ସହରରେ ସ୍ତ୍ରୀଲୋକମାନଙ୍କ ପ୍ରତି ଏ ପ୍ରକାର ବିପଦର ସମ୍ଭାବନା ଯଥେଷ୍ଟ କମ୍‍ ।

 

ଏଠାରେ ଚୋରୀ, ଡକାଏତି ସଙ୍ଖ୍ୟା ମଧ୍ୟ ବହୁତ ବଢ଼ିଯାଇଛି । ଲେଖକର ପୁଅ ବାର୍କଲେ ବିଶ୍ୱବିଦ୍ୟାଳୟ ହତା ପାଖରେ ମଟର ଗାଡ଼ିଟିଏ ରଖି ଲାଇବ୍ରେରୀକୁ ଯାଇଥିଲା । ଦିନ ଦୁଇଟାଠାରୁ ଚାରିଟା ଭିତରେ ରାସ୍ତାକଡ଼ରେ ରଖା ହୋଇଥିବା ମଟରଗାଡ଼ି ଭିତରୁ ଗୋଟିଏ ମୂଲ୍ୟବାନ୍‍ ମଟର ରେଡ଼ିଓ ଚୋରି ହୋଇଗଲା । ପୋଲିସକୁ ଖବର ଦେବାରେ କିଛି ଲାଭ ହେଲା ନାହିଁ-ଇନ୍‍ସୁରାନ୍ସରୁ କ୍ଷତିପୂରଣ ପାଇବାପାଇଁ ପୋଲିସକୁ ଯାହା ଖବର ଦିଆହୋଇଥିଲା । ଏସବୁ ଚୋରି ଧରିବାପାଇଁ ପୋଲିସ ସମ୍ପୂର୍ଣ୍ଣରୂପେ ଅପାରଗ ବୋଲି ଶୁଣିବାକୁ ମିଳିଲା । ଆଉ ଜଣେ ଭଦ୍ରମହିଳା ଲେଖକଙ୍କୁ କହିଲେ ଯେ ସେ ଗୋଟିଏ ରଙ୍ଗୀନ ଟେଲିଭିଜନ କିଣିଆଣିବାର ଏକ ହପ୍ତା ଭିତରେ ତାଙ୍କର କାଚ ଝରକା ଭାଙ୍ଗି କେହି ସେହି ରଙ୍ଗୀନ ଟେଲିଭିଜନଟିକୁ ଚୋରି କରି ନେଇଯାଇଛି । ତା’ପରେ ଯେତେବେଳେ ସେ ଆଉଗୋଟିଏ ଟେଲିଭିଜନ କିଣିଲେ ତା’କୁ କମ୍ପାନୀ ଗାଡ଼ିରେ ନଆଣି ନିଜ ମଟରଗାଡ଼ିରେ ଦୋକାନରୁ ଆଣିଥିଲେ । ତା’ପରେ ବହୁ ମାସ ହେଲା ତାହା ଚୋରି ଯାଇ ନ ଥିଲା । ଆଉ ଜଣେ ଭଦ୍ର ମହିଳା କହୁଥିଲେ ଯେ କୌଣସି ଅଞ୍ଚଳରୁ ଚୋରି ଗଲେ ସେଠାକାର ଲୋକେ ବାଧା ଦେବାକୁ ସାହସ କରନ୍ତି ନାହିଁ, କାରଣ ଚୋରଙ୍କ ହାତରେ ଭୟଙ୍କର ମାରଣାସ୍ତ୍ର ସବୁ ଥାଏ । ତା’ଛଡ଼ା ସ୍ତ୍ରୀ-ପୁରୁଷ ସମସ୍ତେ କାମକୁ ଯାଇଥିବାବେଳେ ବହୁ ଅଞ୍ଚଳ ପ୍ରାୟ ଜନଶୂନ୍ୟ ହୋଇଯାଏ-ସେତିକିବେଳେ ଲୋକେ ଗାଡ଼ି ଧରି ଆସି କବାଟ ଭାଙ୍ଗ ଜିନିଷ ନେଇଯାଆନ୍ତି । ଏତେ ବଡ଼ ଧନୀ ଦେଶରେ ମଧ୍ୟ ଏ ପ୍ରକାର ଚୋରି ସଙ୍ଖ୍ୟା ବଢ଼ି ବଢ଼ି ଚାଲିଛି କାହିଁକି ?

 

ଲେଖକକୁ କେହି କେହି ପରାମର୍ଶ ଦେଇଥିଲେ ଯେ ଯଦି କେହି ଦୁର୍ଦ୍ଧର୍ଷ ଲୋକ ଜୋର୍‍ଜବରଦସ୍ତ ପଇସା ଦାବୀ କରେ ତାହେଲେ ସାଙ୍ଗେ ସାଙ୍ଗେ ପକେଟରେ ଯାହା ଥିବ ଦେଇଦେବା ଉଚିତ, ତା’ ନହେଲେ ପ୍ରାଣ ଯିବାର ଆଶଙ୍କା ରହିଛି । ଯେ କୌଣସି ଲୋକର ବିନା ଲାଇସେନ୍ସରେ ଯେ କୌଣସି ମାରଣାସ୍ତ୍ର କିଣିବାର ଅଧିକାର ଥିବାରୁ ଏ ପ୍ରକାର ଦୁର୍ଦ୍ଧର୍ଷ ପ୍ରକୃତିର ଲୋକଙ୍କ ହାତରେ ବହୁ ପ୍ରକାର ମାରଣାସ୍ତ୍ର ରହିଥିବା ସ୍ଵାଭାବିକ ।

 

ଲେଖକ ଯେତେବେଳେ ଏ ସବୁର ସାମାଜିକ କାରଣ ବିଷୟରେ ବିଶିଷ୍ଟ ଲୋକମାନଙ୍କ ସହିତ ଆଲୋଚନା କରିଥିଲେ, ସେତେବେଳେ ସେମାନଙ୍କଠାରୁ ମୋଟାମୋଟି ଭାବରେ ଗୋଟିଏ ପ୍ରକାର ମତ ପ୍ରକାଶ ପାଇଥିଲା ଯେ ଯୁବ ସମ୍ପ୍ରଦାୟର ଅନ୍ତର୍ନିହିତ ବ୍ୟର୍ଥତା ଓ ନିଃସହାୟତା ଯୋଗୁ ଏପରି ଉପାୟରେ ଏମାନେ ସମାଜ ବିରୁଦ୍ଧରେ ପ୍ରତିଶୋଧ ନେଉଛନ୍ତି । କେହି କେହି ଓ୍ୟାଟରଗେଟ ଘଟଣାର ଉଲ୍ଲେଖ କରି କହିଲେ ଯେ ଯେଉଁ ସମାଜରେ ସର୍ବୋଚ୍ଚ ସରକାରୀ ସଂସ୍ଥା ପ୍ରେସିଡ଼େଣ୍ଟଙ୍କ ଦପ୍ତରରେ, ପ୍ରେସିଡ଼େଣ୍ଟଙ୍କ ବିଶ୍ୱସ୍ତ କର୍ମଚାରୀଙ୍କ ଦ୍ୱାରା, ଏପରି କଳଙ୍କମୟ ଅସାମାଜିକ କାର୍ଯ୍ୟ ସମ୍ଭବ, ଯେଉଁ ଦେଶରେ କାଲିଫର୍ଣ୍ଣିଆର ଗଭର୍ଣ୍ଣର ରିଗାନଙ୍କ ପରି କୋଟିପତି ବ୍ୟବସାୟୀ ନାନା ପ୍ରକାର ହିସାବ ଦେଖାଇ ଗତ କେତେ ବର୍ଷ ହେଲା ଆୟକର ଦେଉନାହାନ୍ତି ଏବଂ ସେଥି ଲାଗି ବାରମ୍ବାର ଆଲୋଚନା ଚାଲିଛି ଓ ତଥାପି ଲୋକଙ୍କ ପ୍ରତି ତାଙ୍କର କୌଣସି ଭ୍ରୂକ୍ଷେପ ନାହିଁ, ସେଠାରେ ଏ ପ୍ରକାର ଅସାମାଜିକ କାର୍ଯ୍ୟର ମାତ୍ରା ବଢ଼ିବାକୁ ବାଧ୍ୟ । ଯୁବନେତାଙ୍କ ମତରେ ଯୁକ୍ତରାଷ୍ଟ୍ର ଆମେରିକା ସରକାରର ନୀତି ବିରୁଦ୍ଧରେ ଯୁବ ସମ୍ପ୍ରଦାୟ ବହୁତ ଲଢ଼ିଲେ । ଆମେରିକା ସରକାରର ଭିଏତ୍‍ନାମ ଯୁଦ୍ଧରେ ଅମାନୁଷିକ ଅତ୍ୟାଚାର ବିରୁଦ୍ଧରେ ଛାତ୍ରମାନେ ବହୁ ଆନ୍ଦୋଳନ କଲେ । ଲକ୍ଷ ଲକ୍ଷ ଯୁବକ ଆମେରିକାରେ ଶିକ୍ଷା ପାଇପାରୁ ନଥିବାବେଳେ, ଲକ୍ଷ ଲକ୍ଷ ନିଗ୍ରୋଙ୍କର ଜୀବନ ଧାରଣ ମାନ ଅତ୍ୟନ୍ତ ନିମ୍ନ ଧରଣର ହୋଇଥିବା ବେଳେ କୋଟି କୋଟି ଡଲାର ଭିଏତନାମର ଲୋକଙ୍କୁ ମାରିବାରେ ବ୍ୟୟ ହେଉଛି । ଏଥିପାଇଁ ଦେଶର ସବୁ ଯୁବକଙ୍କୁ ସାମରିକ ବିଭାଗରେ ବାଧ୍ୟବାଧକତାରେ ଭର୍ତ୍ତି କରାହେଉଛି । ଏହା ବିରୁଦ୍ଧରେ ଯୁବ ସମ୍ପ୍ରଦାୟ ବହୁ ଆନ୍ଦୋଳନ କଲେ । ତଥାପି ସରକାରକୁ କୌଣସି ଉପାୟରେ ବି ପ୍ରଭାବିତ କରି ପାରିଲେ ନାହିଁ । ଖାଲି ସେତିକି ନୁହେଁ, ଯୁକ୍ତରାଷ୍ଟ୍ର ଆମେରିକା ସମାଜରେ ଯେଉଁ ଚରମ ପାର୍ଥକ୍ୟ ଦେଖାଦେଉଛି, ଅନିୟନ୍ତ୍ରିତ ଶିଳ୍ପ ପ୍ରସାର ଯୋଗୁ ଯେଉଁ ପ୍ରକାର ଦୂଷିତ ବାୟୁମଣ୍ଡଳ ସୃଷ୍ଟି ହେଉଛି ତା’ର ବିଶୋଧନ ପାଇଁ ପୁଞ୍ଜି ବିନିଯୋଗ ପାଇଁ କଂଗ୍ରେସ ପ୍ରସ୍ତାବ ଗ୍ରହଣ କରୁଥିଲେ ସୁଦ୍ଧା ପ୍ରେସିଡେଣ୍ଟ ନିକ୍ସନ ଖର୍ଚ୍ଚ କରୁପାରୁନାହାନ୍ତି । ଅଥଚ ଯୁଦ୍ଧ ଲାଗି ବେଶି ଖର୍ଚ୍ଚ କରୁଛନ୍ତି । ତଥାପି କେହି ତାଙ୍କୁ ଅଟକାଇ ପାରୁନାହାନ୍ତି । ତେଣୁ ଗତ କେତେବର୍ଷ ହେଲା ଯୁବସମ୍ପ୍ରଦାୟଙ୍କଠାରେ ଗଭୀର ବ୍ୟର୍ଥତା ଓ ନିଃସହାୟତା ଦେଖାଦେଇଛି । ସେମାନେ ଏ ପ୍ରକାର ବିରାଟ ନ୍ୟସ୍ତସ୍ଵାର୍ଥ ସରକାରୀ କଳକୁ ବଦଳାଇ ନପାରି ନିଃସହାୟ ଭାବରେ ନାନା ଅସାମାଜିକ କାର୍ଯ୍ୟରେ ନିଜକୁ ଲିପ୍ତ କରୁଛନ୍ତି ।

 

ଆହୁରି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅସାମାଜିକ ଘଟଣା ଏ ପ୍ରକାର ବ୍ୟର୍ଥତାର ଚରମ ନିଦର୍ଶନ ବୋଲି ଜଣାଯାଏ । ଭିଏତନାମ ଯୁଦ୍ଧକ୍ଷେତ୍ରକୁ ବହୁ ଯୁବକଙ୍କୁ ସେମାନଙ୍କର ଅନିଚ୍ଛାସତ୍ୱେ ପଠାଗଲା । ଏହି ଯୁଦ୍ଧରେ ଲଢ଼ିବାପାଇଁ ସେମାନେ କୌଣସି ରାଜନୈତିକ ଆଦର୍ଶ କିମ୍ୱା ଦେଶାତ୍ମବୋଧ ପ୍ରେରଣାରେ ଅନୁପ୍ରାଣିତ ହୋଇ ପାରିଲେ ନାହିଁ । ମାର୍କିନ ସରକାରର ଖାମଖିଆଲୀ ଯୁଦ୍ଧ ବିଭାଗର ଆଦେଶରେ ସେମାନେ ନିରୀହ ଲୋକଙ୍କ ଉପରେ ଲକ୍ଷ ଲକ୍ଷ ଟନ୍‍ ବୋମା ବର୍ଷଣ କରିବାକୁ ବାଧ୍ୟ ହେଲେ । ସେମାନଙ୍କର ଧାନଖେତ, ଜଙ୍ଗଲ ରାସାୟନିକ ଉପାୟରେ ପୋଡ଼ି ଦେବାକୁ କୁହାଗଲା । ଅଥଚ ଏସିଆ ମହାଦେଶର ଏହି କ୍ଷୁଦ୍ର ରାଜ୍ୟଟି ବିରୁଦ୍ଧରେ କାହିଁକି ଏସବୁ କରାଯାଉଥିଲା ତା’ର କୌଣସି ଯୁକ୍ତିଯୁକ୍ତ କାରଣ ଯୁବ ସଂପ୍ରଦାୟ ଖୋଜି ପାଉ ନ ଥିଲେ । ସେଥିଲାଗି ଆମେରିକାରେ ବିକ୍ଷୋଭ କଲେ । ସାମରିକ ବିଭାଗରେ ଭର୍ତ୍ତି ନ ହେବା ଲାଗି ଜିଦ୍‍ ଧରି ବସିଲେ । ବହୁ ଯୁବକ ଦେଶ ଛାଡ଼ି ଚାଲିଗଲେ । ଲୋକ-ପ୍ରତିନିଧି କଂଗ୍ରେସ ସଭାରେ ମଧ୍ୟ ଏହା ବିରୁଦ୍ଧରେ ପ୍ରତିବାଦ ହେଲା । ତଥାପି ଯୁଦ୍ଧ ଚାଲିଲା । ତଥାପି ଯୁବକମାନେ ବିଶ୍ୱବିଦ୍ୟାଳୟ ଶିକ୍ଷା ବନ୍ଦ କରି ଏ ପ୍ରକାର ଯୁକ୍ତିହୀନ ଅମାନୁଷିକ କାର୍ଯ୍ୟରେ ନିଯୁକ୍ତ ହେଲେ । ଫଳରେ ଭିଏତ୍‌ନାମରେ ଥିବା ସୈନ୍ୟବାହିନୀର ସଙ୍ଖ୍ୟାଧିକ ଲୋକ ନାନା ପ୍ରକାର ମାଦକଦ୍ରବ୍ୟ ସେବନ କଲେ । ନିଶାରେ ବିଭୋର ହୋଇ ଏମାନେ ଯନ୍ତ୍ରବତ୍‍ ନିଜ ବିବେକ ବିରୁଦ୍ଧରେ କାମ କରିଗଲେ । ହିସାବରୁ ଜଣାଯାଏ, ଆଜି ପର୍ଯ୍ୟନ୍ତ କୌଣସି ସେନାବାହିନୀରେ ଏତେ ସଙ୍ଖ୍ୟାରେ ମାଦକସେବୀ ସୈନ୍ୟ ନଥିଲେ । ବହୁ ଦିନ ଧରି ଭିଏତ୍‍ନାମରେ ମାଦକଦ୍ରବ୍ୟ ସେବନରେ ଅଭ୍ୟସ୍ତ ହୋଇଯାଇଥିବା ଲୋକେ ଯେତେବେଳେ ନିଜ ଦେଶକୁ ଫେରିଆସିଲେ ବହୁ ଅସାମାଜିକ କାର୍ଯ୍ୟ ଦେଖାଦେଲା । ଯେଉଁମାନେ ଭିଏତ୍‌ନାମ ଯାଇ ନ ଥିଲେ ସେମାନେ ମଧ୍ୟ ଏ ପ୍ରକାର ରାଜନୈତିକ ଆଦର୍ଶହୀନତା ଓ ସାମାଜିକ ବ୍ୟର୍ଥତାଜନିତ ଦୁଶ୍ଚିନ୍ତା ଓ ମାନସିକ ଉଦ୍‍ବେଗରୁ ରକ୍ଷା ପାଇବା ଲାଗି ବହୁ ପ୍ରକାର ଅସାମାଜିକ କାର୍ଯ୍ୟରେ ଲିପ୍ତ ରହିଲେ ।

 

ତା’ଛଡ଼ା କେତେକ ଅତ୍ୟନ୍ତ ଧନଶାଳୀ ଲୋକ ଓ୍ୟାଟରଗେଟ୍ ପରି ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବାର ଜଣାଯାଏ । ଏପରି ସଂସ୍ଥା ସବୁ ରହିଛି ଯାହାକୁ ଟଙ୍କା ଦେଲେ ସେମାନେ ଯେ କୌଣସି ବେନିୟମ କାର୍ଯ୍ୟ କରାଇଦେବେ । କୌଣସି ଲୋକକୁ ପ୍ରାଣରେ ମାରି ଦେବାକୁ ହେଲେ ଏପରି ଏକ ସଂସ୍ଥାର ସାହାଯ୍ୟ ନିଆଯାଇପାରେ । ଏଠାରେ ବହୁ ମାରାତ୍ମକ ଘଟଣା ଏମାନଙ୍କ ସାହାଯ୍ୟରେ ସାଧିତ ହୁଏ । ତା’ର ବିଭିନ୍ନ ବିବରଣୀ କାଗଜରେ ମଝିରେ ମଝିରେ ବାହାରେ-ସିନେମାର କଥାବସ୍ତୁ ଏମାନଙ୍କୁ ନେଇ ରଚିତ ହୁଏ । ତେଣୁ ଏ ପ୍ରକାର କାର୍ଯ୍ୟରେ ବାହାଦୁରୀ ମଧ୍ୟ ରହିଛି ।

 

ମାର୍କିନ ସମାଜରେ ଯୌନ ସ୍ଵାଧୀନତା ବ୍ୟାପକ ହେଉଥିବା ବେଳେ ନାରୀଧର୍ଷଣ ଅପରାଧ ସଙ୍ଖ୍ୟା କାହିଁକି ବଢ଼ୁଛି ବୋଲି ପ୍ରଶ୍ନ କରିବାରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କାରଣ ବିଷୟରେ ଶୁଣିବାକୁ ମିଳିଥିଲା । କେତେକ କୁଆଡ଼େ ବାହାଦୁରୀ ନେବାପାଇଁ କିମ୍ବା ସେମାନଙ୍କର ପୁରୁଷତ୍ୱ ପ୍ରଦର୍ଶନ କରିବାପାଇଁ ନାରୀଧର୍ଷଣ କରିଥାଆନ୍ତି-ଯୌନ ଉଚ୍ଛୃଙ୍ଖଳତା ଯୋଗୁ ନୁହେଁ । ତା’ଛଡ଼ା ମଧ୍ୟ ଅତି ଭୀଷଣ ଅମାନୁଷିକ କାର୍ଯ୍ୟ ପଛରେ ଆଉ ଗୋଟିଏ କାରଣ ମଧ୍ୟ ଥାଇପାରେ । ସମାଜର ଅନ୍ୟାନ୍ୟ କ୍ଷେତ୍ରରେ ବ୍ୟର୍ଥତାର ଚରମ ସୀମାରେ ପହଞ୍ଚିଲା ପରେ ସମାଜର ଦୃଷ୍ଟି ଆକର୍ଷଣ କରିବାପାଇଁ-ସମାଜର ଗୋଟିଏ ସ୍ୱନାମଧନ୍ୟ ବୀର ପୁରୁଷ ହେବାପାଇଁ ବହୁ ପ୍ରକାର ଅମାନୁଷିକ କାର୍ଯ୍ୟରେ କେତେକ ଲିପ୍ତ ରହନ୍ତି । ଧରାପଡ଼ିଲା ପରେ ସେମାନଙ୍କର ଛବି, ସେମାନଙ୍କର ଜୀବନୀ, ସେମାନଙ୍କର ଅତି ଦୁର୍ଦ୍ଦର୍ଷ କାର୍ଯ୍ୟାବଳୀ ବିଷୟରେ ବିଶଦ ବିବରଣୀ କାଗଜମାନଙ୍କରେ ବର୍ଣ୍ଣିତ ହୁଏ-। ସେମାନେ ବହୁ ପ୍ରକାର ନାଟକୀୟ ରୀତିରେ ନିଜର କୁଖ୍ୟାତ କାର୍ଯ୍ୟକଳାପ ବର୍ଣ୍ଣନା କରନ୍ତି । ଏହା ଦଶନ୍ଧି ବା ଶତାବ୍ଦୀର ଅତି ଦୁର୍ଦ୍ଧର୍ଷ ବା ଅତି ଅମାନୁଷିକ ଘଟଣାର ମୁଖ୍ୟ ନାୟକ ହିସାବରେ ସେମାନେ ପରିଗଣିତ ହେବାର ଗୌରବ ଲାଭ କରିବାପାଇଁ ଲାଳାୟିତ । ଏହିପରି ଏକ କୁଖ୍ୟାତ ଦୁର୍ଦ୍ଦର୍ଷ ଲୋକ ପନ୍ଦରଟି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମାରିଥିବା ଅଭିଯୋଗରେ ଲେଖକ ଏଠାରେ ଥିଲାବେଳେ ଧରାହୋଇଥିଲା । ସେ କୋର୍ଟରେ ମନ୍ଦ ମନ୍ଦ ହାସ ବଦନରେ ସ୍ୱୀକାର କରିଥିଲା ଯେ ସେ ଏ ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଜ ହାତରେ ମାରିଛି । ତା’ ଜୀବନୀରୁ ଜଣାଗଲା ଯେ ସେ କୁଆଡ଼େ ବହୁ ବର୍ଷ ଧରି ପ୍ରାଚ୍ୟ ରହସ୍ୟବାଦୀ ଦର୍ଶନରେ ଆଗ୍ରହୀ ଥିଲା । ଏହି ଦଶନ୍ଧିର ସେ ବୋଧହୁଏ ସର୍ବଶ୍ରେଷ୍ଠ ଦୁର୍ଦ୍ଧର୍ଷ ଓ ଅମାନୁଷିକ ଲୋକବୋଲି ପରିଗଣିତ ହୋଇପାରେ ।

 

ଏ ପ୍ରକାର ବିଭିନ୍ନ ଧରଣର ଅସାମାଜିକ କାର୍ଯ୍ୟକଳାପ ବିଶ୍ଳେଷଣ କଲେ ଜଣାଯାଏ ଯେ ମାର୍କିନ ସମାଜର ଅନ୍ତର୍ନିହିତ ଦ୍ୱନ୍ଦ୍ୱ, ଅନିୟନ୍ତ୍ରିତ ଉତ୍ପାଦନର ଅସ୍ୱାଭାବିକ ପରିଣତି, ଅତି ପରାକ୍ରମଶାଳୀ ପୁଞ୍ଜିପତିଙ୍କର ଅସମ୍ଭବ ଧରଣର ରାଜନୈତିକ କ୍ଷମତା, ସାମାଜିକ ବିକାଶ ଦିଗରେ ଆଦର୍ଶହୀନତା, ଯାନ୍ତ୍ରିକ ସଭ୍ୟତା ଭିତରେ ମାନବିକତା ପ୍ରତି ଅସମ୍ମାନ, କେତେକଙ୍କର ଅସମ୍ଭବ ଧରଣର ପୁଞ୍ଜିଲାଭ ପାଇଁ ଭିଏତ୍‍ନାମ ପରି ଦେଶରେ ଅମାନୁଷିକ ଅତ୍ୟାଚାର, ବାଙ୍ଗଲାଦେଶରେ ଘଟି ଯାଇଥିବା ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଓ ନାରୀ ଧର୍ଷଣ ବିରୁଦ୍ଧରେ ରାଜନୈତିକ ସ୍ଵାର୍ଥ ଯୋଗୁଁ ସରକାରୀ ଉଦାସୀନତା, ଭାରତ ପରି ଶାନ୍ତିକାମୀ ଗଣତାନ୍ତ୍ରିକ ଦେଶ ବିରୁଦ୍ଧରେ ସପ୍ତମ ନୌବାହିନୀ ପ୍ରେରଣର ଅଯୌକ୍ତିକତା ପ୍ରଭୃତି ନାନାପ୍ରକାର । ଅଗଣତାନ୍ତ୍ରିକ ତଥା ଆଦର୍ଶହୀନ ରାଜନୈତିକ ତଥା ସାମାଜିକ କାର୍ଯ୍ୟ ଯୋଗୁ ଜନସାଧାରଣ, ବିଶେଷ ଭାବରେ ଅତି ସମ୍ବେଦନଶୀଳ ଯୁବ ସମ୍ପ୍ରଦାୟ, ମନରେ ଗୋଟିଏ ବିରାଟ ମନସ୍ତାତ୍ୱିକ ବ୍ୟର୍ଥତା ତଥା ତିକ୍ତତା ଦେଖା ଦେଇଥିବାରୁ ତାହା ଅନ୍ୟାନ୍ୟ ନାନାପ୍ରକାର ଅସାମାଜିକ କାର୍ଯ୍ୟରେ ପରିଚାଳିତ ହେଉଛି । ବର୍ତ୍ତମାନ ମାର୍କିନ ସମାଜ ଏ ପ୍ରକାର କାର୍ଯ୍ୟ ଯୋଗୁ ଗୋଟିଏ ବିରାଟ ସଙ୍କଟର ସମ୍ମୁଖୀନ ହୋଇଛି-। ଅବଶ୍ୟ ଏ ବିଷୟରେ ଆମେରିକାର ଜନସାଧାରଣ ଏପରି ଗଭୀର ଭାବରେ ବିବ୍ରତ ଯେ ଏହାର ସମାଧାନ ଲାଗି ଏଠାରେ ଅନବରତ ଆଲୋଚନା ଚାଲିଛି । ଏତେ ବଡ଼ ବିରାଟ ଦେଶ–ଯେଉଁଠି ଜନସାଧାରଣଙ୍କର ଗଣତନ୍ତ୍ର ତଥା ମାନବିକତା ପ୍ରତି ଗଭୀର ଶ୍ରଦ୍ଧା ରହିଛି–ସେ ଦେଶ ଯେ ନିଶ୍ଚୟ ଏହାର ସମାଧାନ କରିବ ଏଥିରେ ସନ୍ଦେହ ନାହିଁ । କିନ୍ତୁ ଏଥିପାଇଁ କି ପ୍ରକାର ତ୍ୟାଗ କରିବାକୁ ପଡ଼ିବ ବର୍ତ୍ତମାନ ଅବସ୍ଥାରେ କଳନା କରିବା ସମ୍ଭବ ନୁହେଁ ।

Image

 

ଅତ୍ୟଧିକ ପ୍ରତିଯୋଗିତା ଯୋଗୁ ଉଦ୍‌ବେଗ ଓ ଅଶାନ୍ତି

 

ଆମେରିକା ଏତେ ବଡ଼ ବିଭବଶାଳୀ ଦେଶ ହେଲେହେଁ ଏଠାରେ ନାନା ପ୍ରକାର ସାମାଜିକ ବିଭ୍ରାଟ ଅନ୍ୟ ଦେଶ ତୁଳନାରେ ବେଶି ପରିମାଣରେ ଦେଖାଯାଏ । ଆମେରିକାର ମୁଷ୍ଟିମେୟ ପୁଞ୍ଜପତିଙ୍କର ମୁଖ୍ୟ କାମ ହେଲା ଲାଭ ଏବଂ ସେହି ଲାଭ ନିର୍ଭର କଲା ଅନିୟନ୍ତ୍ରିତ ପ୍ରଚୁର ଉତ୍ପାଦନ ଉପରେ । ଉତ୍ପାଦିତ ଜିନିଷ ଅତିଶୀଘ୍ର ବିକ୍ରି ହେବା ଦରକାର । ତା’ ନହେଲେ ଲାଭାଂଶ କମିଯିବ । ତେଣୁ ଆମେରିକାର ପୁଞ୍ଜିପତିମାନଙ୍କ ମଧ୍ୟରେ ଖୁବ୍‍ ବେଶି ପ୍ରତିଯୋଗିତା ଦେଖାଯାଏ । ପ୍ରତ୍ୟେକେ ଚାହାଁନ୍ତି କିପରି ଅତି ଶୀଘ୍ର କେବଳ ସେମାନଙ୍କର ଉତ୍ପାଦିତ ବସ୍ତୁ ଲୋକଙ୍କ ଭିତରେ ବିକ୍ରୀ ହୋଇପାରିବ । ତେଣୁ ସକାଳୁ ଉଠିଲାବେଳଠାରୁ ରାତିରେ ଶୋଇବାକୁ ଯିବା ପର୍ଯ୍ୟନ୍ତ ଚାରିଆଡ଼େ ଅନବରତ କୋଳାହଳ ଲାଗିଛି । ପ୍ରତ୍ୟେକେ ନାନା ଉପାୟରେ ଖାଲି କହୁଛନ୍ତି–“ଆମ ଜିନିଷ ଆଉ ସବୁ ଜିନିଷଠାରୁ ବହୁତ ଭଲ । ତେଣୁ ତୁମେ କେବଳ ଆମ ଜିନିଷ ଅତିଶିଘ୍ର କିଣ ।” ସକାଳୁ ରେଡ଼ିଓ ଖୋଲ-ସେଥିରୁ ବୀଣାଜିଣା କଣ୍ଠରେ ସୁଗାୟିକାମାନେ ଗୀତ ଗାଉଛନ୍ତି ସିଗାରେଟ, ମଟରକାର ପ୍ରଭୃତି ବିଷୟରେ । ଟେଲିଭିଜନ ଖୋଲି ଦେଖ ସେଥିରେ ନୂଆ ନୂଆ ମଟରଗାଡ଼ି ଛୁଟୁଛି । ନାଲି ଟହ ଟହ ମଦଗ୍ଲାସ ଧରି ଅର୍ଦ୍ଧଉଲଗ୍ନ ଯୁବତୀ ଜବାକୁସୁମ ପରି ଓଠରେ ହସ ଛୁଟାଇ ଢଳ ଢଳ ଆଖିର ଇଙ୍ଗୀତରେ କହୁଛି ତାକୁ ଏହି ମଦ କିପରି ଯୌବନ ଓ ଜୀବନୀ ଶକ୍ତି ବଢ଼ାଇବାରେ ସାହାଯ୍ୟ କରୁଛି । ସ୍ତୂପାକାରରେ ସାବୁନ ଗଦା କିପରି ତା’ର ସୁସ୍ନିଗ୍ଧ କେଶ ଓ ସୁଚିକ୍କଣ ଦେହର ଲାଳିତ୍ୟ ବୃଦ୍ଧି କରି ପାରିଛି ଇତ୍ୟାଦି । ଏହିପରି ହଜାର ହଜାର ଦୃଶ୍ୟ ମଣିଷ ଆଖି ଆଗରେ ଭାସିଚାଲିଛି । ରାସ୍ତାଘାଟ ଯେଉଁ ଆଡ଼େ ଚାହଁ କିଏ ଜଣେ ନିଶ୍ଚୟ ନାନା ଉପାୟରେ ତୁମକୁ ପରାମର୍ଶ ଦେଉଛି କେଉଁ ଜିନିଷ ତୁମର କିଣିବା ଉଚିତ ଓ କିପରି ଭାବରେ ତୁମର ଜୀବନ ଯାପନ କରିବା ଉଚିତ । ତା’ ଫଳରେ ପ୍ରତ୍ୟେକ ଲୋକର ଜିନିଷ କିଣିବାରେ ଅଦମ୍ୟ ପିପାସା ବଢ଼ିଯାଇଛି ।

 

ଜଣକର ସାମାଜିକ ମୂଲ୍ୟ ଓ ସମ୍ମାନ ତା’ର ଜିନିଷ କିଣିବା ଶକ୍ତି ଉପରେ ହିଁ ବେଶି ନିର୍ଭର କରୁଛି । ପ୍ରତିବର୍ଷ ଯେଉଁମାନେ ନିଜର ମଟରଗାଡ଼ି ବଦଳାଇ ପାରୁଛନ୍ତି ସେମାନଙ୍କ ପ୍ରତି ସାମାଜିକ ସମ୍ମାନ ବେଶି-ସେମାନଙ୍କର ସବୁ କ୍ଷେତ୍ରରେ ଆଦର ବେଶି । ଫଳରେ ଜିନିଷ ଉପଭୋଗ କରିବା ଅପେକ୍ଷା ଜିନିଷ କିଣି ସମାଜରେ ଦେଖାଇବା ପ୍ରବୃତ୍ତି ଲୋକମାନଙ୍କଠାରେ ବେଶି ମାତ୍ରାରେ ବଢ଼ି ଯାଇଛି । ତା’ ନହେଲେ ପ୍ରତିବର୍ଷ ମଟରଗାଡ଼ି କିମ୍ୱା ରେଫ୍ରିଜରେଟର ବଦଳାଇବା ପଛରେ ଆଉ କ’ଣ ବା ଆଦର୍ଶ ଥାଇପାରେ । ଏ ପ୍ରକାର ପ୍ରବୃତ୍ତି ଲୋକମାନଙ୍କଠାରେ ନାନା ଉପାୟରେ ପୁଞ୍ଜିପତିମାନେ ସୃଷ୍ଟି କରିପାରୁଛନ୍ତି । ତେଣୁ ଏ ପ୍ରକାର ତୀବ୍ର ପ୍ରତିଯୋଗିତାରେ ଯେ ପାରିଉଠୁନି ତାର ଖୁବ୍‍ ଅଶାନ୍ତି ବଢ଼ି ଯାଉଛି । ତା’ଛଡ଼ା ଅନିୟନ୍ତ୍ରିତ ପ୍ରତିଯୋଗିତା ଏପରି ଗୋଟିଏ ମାନସିକ ଚିନ୍ତା ଧାରା ସୃଷ୍ଟି କରୁଛି ଯେ-ପ୍ରତ୍ୟେକେ ଭାବୁଛନ୍ତି ଯେ ଅନ୍ୟ ତୁଳନାରେ ତାର କମ୍‍ ଅଛି । ଫଳରେ ତା’ର ଯେତେ ଭଲ ଜିନିଷ ଥିଲେ ମଧ୍ୟ ଟେଲିଭିଜନ ଓ ଖବରକାଗଜରେ ନୂଆ ନୂଆ ଜିନିଷର ଆକର୍ଷଣୀୟ ବିଜ୍ଞାପନ ବାରମ୍ବାର ଦେଖି ଦେଖି ସେସବୁ ବିଷୟରେ ସେ ସବୁବେଳେ ଚିନ୍ତିତ ହୋଇ ପଡ଼ୁଛି ଏବଂ କିଣି ନପାରିଲେ ତା’ର ମନ ଅଶାନ୍ତିରେ ପୂରିଉଠୁଛି । ୧୯୭୩ରେ ଯାର ୧୯୭୦ କିମ୍ବା ୧୯୬୯ ମଡ଼େଲ ଗାଡ଼ି ଅଛି ସେ ନିଜକୁ ଗରିବ ମନେକରୁଛି-। ସେ ଚେଷ୍ଟା କରୁଛି କି ଉପାୟରେ ୧୯୭୩ ମଡ଼େଲ ଗାଡ଼ିଟିଏ କିଣିପାରିବ । ତେଣୁ ସମସ୍ତଙ୍କର ମଟରଗାଡ଼ି ଥିଲେ ସୁଦ୍ଧା ଆମେରିକାରେ ବହୁ ମଟର ଚୋରି ହେଉଛି ଏବଂ ସାଧାରଣତଃ ଭଲ ଭଲ ଗାଡ଼ିହିଁ ବେଶି ଚୋରିହୁଏ । ଯେ କିଣିପାରୁନି ସେ ଅନ୍ୟମାନଙ୍କ ତୁଳନାରେ ନ୍ୟୂନ ବୋଲି ଭାବିବା ଫଳରେ ଚୋରିକରି ତା’ର ମାନସିକ ଅଶାନ୍ତିକୁ ଶାନ୍ତ କରିବାର ପ୍ରବୃତ୍ତି ତାହାଠାରେ ଜାତ ହେବା ସ୍ୱାଭାବିକ ।

 

କିଣାଳୀମାନଙ୍କ ଠାରେ ଯେପରି ଅଶାନ୍ତି ଦେଖାଦେଇଛି ବିକାଳୀମାନଙ୍କ ଠାରେ ମଧ୍ୟ ସେହିପରି ତୀବ୍ର ଅଶାନ୍ତି ଓ ମାନସିକ ଉଦ୍‍ବେଗ ଦେଖାଯାଏ । ଅତ୍ୟଧିକ ପ୍ରତିଯୋଗିତା ଯୋଗୁଁ କେହି ଜଣେ କୌଣସି କାରଣରୁ ଯଦି ଗୋଟିଏ ଜିନିଷର ଦାମ୍ କମେଇ ଦିଏ ଅନେକ ସମୟରେ ଏଥିଯୋଗୁଁ ଆଉ ଜଣେ ସର୍ବସ୍ୱାନ୍ତ ହୋଇଯାଏ । ଫଳରେ ବଜାରରେ ଦରଦାମ୍ ର ବହୁତ ତାରତମ୍ୟ ଦେଖାଯାଏ । ନିଉୟର୍କ ସହରର ଗୋଟିଏ ଦୋକାନରେ ଗୋଟିଏ ସାର୍ଟର ଦାମ୍‍ ତିରିଶଟଙ୍କା ଓ ଠିକ୍‍ ସେହିପରି ଗୋଟିଏ ସାର୍ଟର ଦାମ୍ ଆଉ ଗୋଟିଏ ଦୋକାନରେ କୋଡ଼ିଏଟଙ୍କା-। ଥରେ ମୁଁ ଗୋଟିଏ ସାର୍ଟ କିଣିବାକୁ ଯାଇଥିଲି । ମୁଁ ଯେଉଁ ଦୋକାନକୁ ଗଲି ସେଠି ସାର୍ଟର ଦାମ ତିରିଶଟଙ୍କା, ଅଥଚ ସେହିପରି ଗୋଟିଏ ସାର୍ଟ ମୁଁ କୋଡ଼ିଏ ଟଙ୍କାରେ କିଣି ପିନ୍ଧିଥାଏ । ମୁଁ ଦୋକାନିକୁ ସାର୍ଟର ଦାମ୍ କହିଲା ପରେ ତା’ ମୁହଁ ଏକାବେଳକେ ଶୁଖିଗଲା । ସେ କହିଲା, “ହଁ, ଆପଣ କିଣିଥିବେ । କିଏ ତାର ଦାମ୍‍ କମାଇ ଦେଲାଣି । ମୋର ଏପରି ବହୁତ୍ ସାର୍ଟ ଅଛି ଏବଂ ୟା ଫଳରେ ମୁଁ ସର୍ବସ୍ୱାନ୍ତ ହୋଇଯାଇପାରେ ।” ଲୋକଟିର କରୁଣ ମୁଖ ଭଙ୍ଗୀ ଦେଖି ମୋର ବହୁତ ଦୟା ହେଲା । ଏହିପରି ଭାବରେ କେତେ ଜଣ ବଡ଼ ପୁଞ୍ଜିପତିଙ୍କୁ ଛାଡ଼ିଦେଲେ ଅନ୍ୟାନ୍ୟ ବ୍ୟବସାୟୀମାନେ ଅବିଶ୍ରାନ୍ତ ମାନସିକ ଉତ୍ତେଜନା ଓ ଉଦ୍‍ବେଗର ସହିତ ବ୍ୟବସାୟ ଚଳାଇଥାନ୍ତି ।

 

ଜନସାଧାରଣଙ୍କଠାରେ ଏପ୍ରକାର ମାନସିକ ଉଦ୍‌ବେଗ ଓ ଅନିର୍ଦ୍ଦିଷ୍ଟତାର ଭୟ ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକାରେ ମାନସିକ ରୋଗଗ୍ରସ୍ତ ରୋଗୀ ସଙ୍ଖ୍ୟା ବହୁତ ବେଶି । ଆମେରିକାରେ ପ୍ରତ୍ୟେକ ଦଶଜଣରୁ ଜଣେ ମନସ୍ତାତ୍ତିକର ସାହାଯ୍ୟ ଦରକାର କରେ ଏବଂ ପ୍ରତି କୋଡ଼ିଏ ଜଣରୁ ଜଣେ ମାନସିକ ବିକାରଗ୍ରସ୍ତ ଡାକ୍ତରଖାନାରେ ଚିକିତ୍ସିତ ହୁଏ । ଏ ବିଷୟ ନେଇ ସେଠାକାର ସମାଜବିତ୍‍ ଓ ମନସ୍ତାତ୍ତ୍ୱିକମାନେ ବଡ଼ ଚିନ୍ତିତ । କିନ୍ତୁ ପରମ ପୁଞ୍ଜିବାଦ ଉପରେ ପ୍ରତିଷ୍ଠିତ ବ୍ୟକ୍ତିକୈନ୍ଦ୍ରିକ ସାମାଜିକ ନିୟମ ବିରୁଦ୍ଧରେ ଯିବାର ଶକ୍ତି ସାଧାରଣ ଲୋକଙ୍କର ନାହିଁ । ପୃଥିବୀର ଅନ୍ୟ କୌଣସି ଦେଶରେ ମାନସିକ ଅଶାନ୍ତି ଏତେ ପରିମାଣରେ ଦେଖାଯାଏ ନାହିଁ ।

 

ମାନସିକ ଉତ୍ତେଜନା ଓ ଉଦ୍‌ବେଗରୁ ରକ୍ଷା ପାଇବା ଲାଗି, ମନରେ ଶାନ୍ତି ଆଣିଦେବା ଲାଗି ବହୁ ପ୍ରକାର ଔଷଧ ଆମେରିକାରେ ପ୍ରଚାରିତ ହୋଇ ସେସବୁ ଏତେ ବେଶି ଲୋକପ୍ରିୟ ହୋଇପାରିଛି ଯେ, ଏ ପ୍ରକାର ଔଷଧ କୋଟି କୋଟି ଟଙ୍କାର ବିକ୍ରି ହୁଏ । ଏ ପ୍ରକାର ଔଷଧର ଉପକାରିତା ବିଷୟରେ ପ୍ରଚାର କରାହୁଏ ଯେ-

 

“A drug which induces a mental state free from agitation, anxiety and renders the patient calm and peaceful.” କିନ୍ତୁ ଡାକ୍ତରମାନଙ୍କ ମତରେ ପ୍ରକୃତରେ ଏ ପ୍ରକାର ଗୁଣଥିବା କୌଣସି ଔଷଧ ଆବିଷ୍କାର ହେବା ସମ୍ଭବ ନୁହେଁ । କିନ୍ତୁ ଲୋକମାନଙ୍କ ଭିତରେ ଉଦ୍‌ବେଗ, ଆତୁରତା, ଅନିର୍ଦ୍ଦିଷ୍ଟତାଜନିତ ଅସ୍ଥିରତା ଏତେ ବେଶି ଯେ, ଏହାର ସୁଯୋଗ ନେଇ ବ୍ୟବସାୟୀମାନେ ଏ ପ୍ରକାର ମିଥ୍ୟା ପ୍ରଚାର କରି ଯେ କୌଣସି ଔଷଧ ବିକ୍ରି କରି ପ୍ରଚୁର ଲାଭବାନ ହୋଇ ପାରୁଛନ୍ତି । ଡାକ୍ତରମାନଙ୍କ ମତରେ ଏ ପ୍ରକାର ଔଷଧର କୁଫଳ ଛଡ଼ା କୌଣସି ସୁଫଳ ନାହିଁ । ତଥାପି ଏପ୍ରକାର ବ୍ୟବସାୟୀମାନଙ୍କ ବିରୁଦ୍ଧରେ ସମାଜ ତଥା ସରକାରଙ୍କର ବିଶେଷ କିଛି କହିବାର ଅଧିକାର ନାହିଁ, କାରଣ ବ୍ୟବସାୟ କ୍ଷେତ୍ରରେ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ସ୍ୱାଧୀନତାରେ ଏମାନେ ବିଶ୍ୱାସ କରନ୍ତି । ତା’ ଛଡ଼ା ଏ ପ୍ରକାର ବ୍ୟବସାୟକୁ କିଏ ନିୟନ୍ତ୍ରଣ କରିବ ? ତା’ ହେଲେ ଅନ୍ୟାନ୍ୟ ବ୍ୟବସାୟ ମଧ୍ୟ କାହିଁକି ନିୟନ୍ତ୍ରିତ ନ’ ହେବ ? ଶାସନ କ୍ଷେତ୍ରରେ ପୁଞ୍ଜିପତିମାନଙ୍କର ଅଖଣ୍ଡ ଆଧିପତ୍ୟ ଥିବା ଫଳରେ ବ୍ୟବସାୟ କ୍ଷେତ୍ରରେ କୌଣସି ପ୍ରକାର ନିୟନ୍ତ୍ରଣ ଅସମ୍ଭବ । ଯୁକ୍ତରାଷ୍ଟ୍ର୍ର ଆମେରିକାର ଏହା ଗୋଟିଏ ପ୍ରଧାନ ଅର୍ଥନୈତିକ ଓ ରାଜନୀତିଗତ ଦର୍ଶନ ।

 

ଜନସାଧାରଣଙ୍କର ମାନସିକ ଅଶାନ୍ତି, ଉଦ୍‌ବେଗ ଓ ଅର୍ଥଲାଭ ପାଇଁ ଚରମ ପ୍ରତିଯୋଗିତା ବହୁ ପରିମାଣରେ ବଢ଼ି ଚାଲିଥିବା ଚୋରି, ଡକାଏତି, ଆତ୍ମହତ୍ୟା ପ୍ରଭୃତି ଅସାମାଜିକ କାର୍ଯ୍ୟାବଳୀର ମୂଳକାରଣ ବୋଲି ଧରା ଯାଇପାରେ । ଗତ କେତେ ବର୍ଷ ଭିତରେ ଏସବୁର ପରିମାଣ ବହୁତ ବେଶି ବଢ଼ି ଯାଇଛି । ଆମ ଦେଶରେ ଅଭାବ ଅନଟନ, ରୋଗବୈରାଗ ଯୋଗୁଁ ଚୋରି, ଡକାଏତି, ଆତ୍ମହତ୍ୟା ପ୍ରଭୃତି ଅସାମାଜିକ କାର୍ଯ୍ୟକଳାପ ଦେଖାଯିବା ସ୍ୱାଭାବିକ; କିନ୍ତୁ ଆମେରିକା ପରି ବିଭବଶାଳୀ ଦେଶରେ ଯେଉଁଠି ସମସ୍ତେ ଅନାୟାସରେ ଜାଗତିକ ସୁଖ ସମ୍ଭୋଗର ଅଧିକାରୀ ହୋଇ ପାରିବେ, ସେଠି ଏ ପ୍ରକାର ଅସାମାଜିକ କାର୍ଯ୍ୟ ସବୁ କାହିଁକି ପୃଥିବୀର ଅନ୍ୟ ଦେଶ ତୁଳନାରେ ଏତେ ଅଧିକ ? ଅନେକଙ୍କ ମତରେ ପୁଞ୍ଜିବାଦର ଆତ୍ମଘାତୀ ଚରମ ପ୍ରତିଯୋଗିତା ଓ ତତ୍ଜ୍‍ନିତ ମାନସିକ ଅଶାନ୍ତି ଓ ଉଦ୍‍ବେଗ ହିଁ ଅନ୍ୟାନ୍ୟ କାରଣ ଭିତରୁ ଗୋଟିଏ ପ୍ରଧାନ କାରଣ ।

 

ମୋଟାମୋଟି ଭାବରେ କହିବାକୁ ଗଲେ, ମାନସିକ ଅଶାନ୍ତି ଓ ଉଦ୍‍ବେଗ ଯୋଗୁଁ ଯେତେ ପ୍ରକାର ମାନସିକ ରୋଗ ଓ ଅସାମାଜିକ କାର୍ଯ୍ୟ ଦେଖାଯିବା କଥା, ତାହା ଯୁକ୍ତରାଷ୍ଟ୍ର ଆମେରିକାରେ ବହୁତ ବେଶି ଦେଖାଯାଏ । ଆମେରିକାର କେତେକ ସମାଜବିତ୍‍ ଓ ମନୋବିତ୍‍ ମାନଙ୍କ ମତରେ ବ୍ୟକ୍ତିକୈନ୍ଦ୍ରିକ ସମାଜରେ ଅତ୍ୟଧିକ ଅର୍ଥଲାଳସା ଓ ପ୍ରତିଯୋଗିତାର ଭୟଙ୍କର ଚାପ ଏଥିପାଇଁ ଦାୟୀ । କିଛି ପରିମାଣରେ ପ୍ରତିଯୋଗିତାର ସାମାଜିକ ମୂଲ୍ୟ ଅଛି କିନ୍ତୁ ତା’ର ମାତ୍ରା ବେଶି ବଢ଼ିଗଲେ ଓଲଟା ଫଳ ହୁଏ । ଏ ତଥ୍ୟ ଆମେରିକାରେ ପ୍ରତିପାଦିତ ହୋଇ ସାରିଛି । ଯେଉଁ ଅନିୟନ୍ତ୍ରିତ ପୁଞ୍ଜିବାଦୀ ସାମାଜ ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକା ଏତେ ବେଶି ବିଭବଶାଳୀ ହୋଇ ପାରିଛି ସେହି ପୁଞ୍ଜିବାଦର ଆତ୍ମଘାତୀ ଅର୍ଥକୈନ୍ଦ୍ରିକ ଚରମ ସ୍ଵାର୍ଥଜନିତ ବିଷରେ ସାରା ସମାଜ ଅଶାନ୍ତିରେ ଜର୍ଜରିତ ହୋଇପଡ଼ିଛି ।

Image

 

Unknown

ନାରୀ ମୁକ୍ତି ଆନ୍ଦୋଳନ

 

ଭାରତ ଓ ଅନ୍ୟାନ୍ୟ ଏସିୟାନ୍‍ ଦେଶମାନଙ୍କରେ ନାରୀ ମୁକ୍ତି ଆନ୍ଦୋଳନ କଥା ସହଜରେ ବୁଝି ହୁଏ । ଅଧିକ ଶିକ୍ଷା ଦୀକ୍ଷା ଓ ଅର୍ଥନୈତିକ ସ୍ୱାଧୀନତା ଲାଗି ନାରୀମାନେ ଉନ୍ନତିକାମୀ ଦେଶମାନଙ୍କରେ ସଂଗ୍ରାମ ଚଳାଇବା ସ୍ଵାଭାବିକ । କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକା ପରି ଏତେ ଉନ୍ନତ, ଶିକ୍ଷିତ ଓ ବିଭବଶାଳୀ ଦେଶରେ ନାରୀ ମୁକ୍ତି ଆନ୍ଦୋଳନର ଲକ୍ଷ୍ୟ ବିଷୟରେ ସହଜରେ ଧରି ହେବ ନାହିଁ । ଯୁକ୍ତରାଷ୍ଟ୍ର ଆମେରିକାର ନାରୀମାନେ ଶିକ୍ଷା ଦୀକ୍ଷା, ସଂସ୍କୃତି ଓ ବ୍ୟକ୍ତି ସ୍ୱାଧୀନତା କ୍ଷେତ୍ରରେ ପୁରୁଷମାନଙ୍କଠାରୁ କୌଣସି ଗୁଣରେ କମ୍‍ ନୁହନ୍ତି । ବାଧ୍ୟତାମୂଳକ ଶିକ୍ଷା ସମସ୍ତଙ୍କ ପାଇଁ ସମାନ-ବିଶ୍ୱବିଦ୍ୟାଳୟ ଶିକ୍ଷାରେ ମଧ୍ୟ ସମାନ ଅଧିକାର । ନାରୀମାନେ ପୁରୁଷମାନଙ୍କ ପରି ସବୁ କ୍ଷେତ୍ରରେ ସ୍ଵାଧୀନ । ସେମାନେ ପୁରୁଷମାନଙ୍କ ପରି ସମ୍ପତ୍ତିର ଅଧିକାରିଣୀ । ସେମାନେ ବିବାହ ବିଚ୍ଛେଦ ଲାଗି ମଧ୍ୟ ସମାନ ଭାବରେ ଦାୟୀ । ତଥାପି ଯୁକ୍ତରାଷ୍ଟ ଆମେରିକାରେ ଗଲା କେତେ ବର୍ଷ ଧରି ନାରୀ ମୁକ୍ତି ଆନ୍ଦୋଳନର ତୀବ୍ରତା ଅନୁଭୁତ ହୁଏ । ଏହା ପଛରେ ଅତି ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ଓ ରାଜନୈତିକ କାରଣମାନ ରହିଛି ।

 

ଏତେ ବର୍ଷ ଧରି ଆମେରିକା ଅତି ଉନ୍ନତ ବିଭବଶାଳୀ ଦେଶବୋଲି ପରିଗଣିତ ହେଉଥିଲେ ସୁଦ୍ଧା ଏବଂ ନାରୀମାନେ ପୁରୁଷମାନଙ୍କ ପରି ଶିକ୍ଷାକ୍ଷେତ୍ରରେ ସମସ୍ତ ସୁବିଧା ପାଉଥିଲେ ସୁଦ୍ଧା, ଏହି ଦେଶର ରାଜନୈତିକ ପରିବେଶ ତଥା ଐତିହ୍ୟଯୋଗୁଁ ନାରୀମାନଙ୍କୁ ସାମାଜିକ ଓ ରାଜନୈତିକ ଜୀବନର ସବୁ କ୍ଷେତ୍ରରେ ସମାନ ଅଧିକାର ଦିଆଯାଇ ନାହିଁ । ଆଜିଯାଏଁ ରାଜନୈତିକ କ୍ଷେତ୍ରରେ ଖୁବ୍‍ କ୍ୱଚିତ ନାରୀ ଉଚ୍ଚସ୍ତରକୁ ଉଠିପାରିଛନ୍ତି । ପଚାଶଟି ଷ୍ଟେଟରେ ଆମେରିକାର ସ୍ଵାଧୀନତା ପରଠାରୁ କେତେ କେତେ ଗଭର୍ଣ୍ଣର ରହିଲେଣି, ଅଥଚ ଜଣେ ସୁଦ୍ଧା ନାରୀ ଗଭର୍ଣ୍ଣର ନିର୍ବାଚିତ ହୋଇ ନାହାନ୍ତି । ସେହିପରି ସିନେଟ ପ୍ରଭୁତି ସର୍ବୋଚ୍ଚ ରାଜନୈତିକ ଅନୁଷ୍ଠାନମାନଙ୍କରେ ମଧ୍ୟ ନାରୀ ସଙ୍ଖ୍ୟା ଅତି ନଗଣ୍ୟ । ବିଶ୍ୱବିଦ୍ୟାଳୟର ପ୍ରେସିଡ଼େଣ୍ଟ ପରି ସର୍ବୋଚ୍ଚ ପଦରେ ନାରୀ ନାହାନ୍ତି କହିଲେ ଚଳେ । ଅର୍ଥାତ୍‍ ଏମାନଙ୍କର ସଙ୍ଖ୍ୟା ସ୍ଥିର କରିବାକୁ ହେଲେ ଗବେଷଣାର ଆବଶ୍ୟକତା ପଡ଼ିବ । ସେହିପରି ଶିଳ୍ପ ଅନୁଷ୍ଠାନର ସର୍ବୋଚ୍ଚ ସ୍ଥାନରେ ମଧ୍ୟ ଏମାନଙ୍କର ସଙ୍ଖ୍ୟା ବେଶି ନୁହେଁ । ଭାରତ ଓ ସୋଭିଏତ ରୁଷ ଡାକ୍ତରଖାନାମାନଙ୍କରେ ଯେଉଁ ଅନୁପାତରେ ମହିଳା ଡାକ୍ତର ଦେଖିବାକୁ ମିଳେ ଏଠାରେ ତାହା ସମ୍ଭବ ହୋଇପାରି ନାହିଁ । ସୋଭିଏତ ରୁଷରେ ବିଭିନ୍ନ ଧରଣର ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ପୁରୁଷଙ୍କ ଅନୁପାତରେ ନାରୀମାନଙ୍କର ସଙ୍ଖ୍ୟା ଯେତେ ବେଶି ଆମେରିକାରେ ତାହା ଆଜିପର୍ଯ୍ୟନ୍ତ ସମ୍ଭବ ହୋଇପାରୁ ନାହିଁ । ଅଥଚ ଯୁକ୍ତରାଷ୍ଟ୍ର-ଆମେରିକାର ନାରୀମାନେ ଅନ୍ୟାନ୍ୟ କ୍ଷେତ୍ରରେ ପୁରୁଷମାନଙ୍କ ପରି ଯେପରି ଶିକ୍ଷିତ ସେହିପରି ସ୍ଵାଧୀନ ।

 

ଏହି କାରଣରୁ ଗତ କେତେ ବର୍ଷ ହେଲା ଏଠାକାର ନାରୀମାନଙ୍କ ଭିତରେ ତୀବ୍ର ବିଦ୍ରୋହ ଦେଖାଦେଇଛି । ସେମାନେ ପୁରୁଷମାନଙ୍କ ସହିତ ସମସ୍ତ କ୍ଷେତ୍ରରେ ସମାନ ଅଧିକାର ତଥା ସୁବିଧା ପାଇବାପାଇଁ ଦାବୀ କରୁଛନ୍ତି । ଏମାନଙ୍କର ସଭା ସମ୍ମିଳନୀରେ ବହୁ ଜ୍ୱାଳାମୟୀ ବକ୍ତୃତା ଶୁଣାଯାଏ–ବିଦ୍ରୋହାତ୍ମକ ଆନ୍ଦୋଳନ ପାଇଁ ନାରୀମାନଙ୍କୁ ଆହ୍ୱାନ କରାଯାଏ-ଖୁବ୍‍ ଜାକଜମକରେ ଏ ସବୁ ସଭା ସମିତି ଅନୁଷ୍ଠିତ ହୁଏ ।

 

ପୁଞ୍ଜିପତି ଦେଶରେ ନାରୀମାନଙ୍କର ସାମାଜିକ ସ୍ଥାନ ସେତେ ଉଚ୍ଚରେ ଥିବାର ଜଣାଯାଉ ନାହିଁ । ତା’ ନହେଲେ ଏତେ ବର୍ଷ ଧରି ଏତେ ବଡ଼ ଉନ୍ନତ ଦେଶର ନାରୀମାନେ ରାଜନୈତିକ ସଂସ୍ଥାରେ ଉଚ୍ଚ ସ୍ଥାନ ପାଉ ନଥିବାବେଳେ ଏସିଆ ମହାଦେଶରେ ତିନୋଟି ବିକାଶଶୀଳ ଦେଶରେ ଗତ କେତେ ବର୍ଷର ସ୍ଵାଧୀନତା ଭିତରେ ତିନୋଟି ଦକ୍ଷ ପ୍ରଧାନମନ୍ତ୍ରୀ ହେଲେ କିପରି ? ଯୁକ୍ତରାଷ୍ଟ୍ର ଆମେରିକା ତୁଳନାରେ ଭାରତ ଏବଂ ଶ୍ରୀଲଙ୍କାଦେଶ ଶିକ୍ଷା ଦୀକ୍ଷା ଓ ସାଂସ୍କୃତିକ କ୍ଷେତ୍ରରେ ବହୁତ ପଛରେ ପଡ଼ିଥିଲେ ସୁଦ୍ଧା ନାରୀମାନଙ୍କର ଏ ପ୍ରକାର ଅଗ୍ରଗତି କଦାପି ରାଜନୈତିକ ଆକସ୍ମିକ ଘଟନା ବୋଲି କହିହେବ ନାହିଁ । ଏହି ଦୁଇ ଦେଶରେ ଖୁବ୍‍ ଟାଣୁଆ ନାରୀ ପ୍ରଧାନମନ୍ତ୍ରୀ ଦୁଇଜଣ ସେମାନଙ୍କର ଦକ୍ଷତା ଆନ୍ତର୍ଜାତିକ କ୍ଷେତ୍ରରେ ପ୍ରତିଷ୍ଠିତ କରିପାରିଛନ୍ତି । ଭାରତରେ କେତେ ଜଣ ନାରୀ ମୁଖ୍ୟମନ୍ତ୍ରୀ, ସାଧାରଣ ମନ୍ତ୍ରୀ ତଥା ରାଜ୍ୟ ଗଭର୍ଣ୍ଣର କାର୍ଯ୍ୟ ମଧ୍ୟ ଦକ୍ଷତାର ସହିତ ପରିଚାଳିତ କରି ପାରିଛନ୍ତି । ଅଥଚ ଏହା ଯୁକ୍ତରାଷ୍ଟ୍ର ଆମେରିକାରେ ସମ୍ଭବ ହୋଇ ପାରିଲା ନାହିଁ ।

 

ପୁଞ୍ଜିପତି ଦେଶ ପୁରୁଷପ୍ରଧାନ ଦେଶ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଠାରେ ପୁଞ୍ଜିପତିମାନେ ନିଜନିଜର ଶିଳ୍ପଜାତ ଦ୍ରବ୍ୟ କୌଣସି ଉପାୟରେ ହେଲେ ବଜାରରେ ବିକ୍ରି କରିବାପାଇଁ ବଦ୍ଧପରିକର । ଚରମ ପ୍ରତିଯୋଗିତା । ଭିତର ଦେଇ ଜିନିଷ ବିକ୍ରି କରିବାରେ ଏମାନେ ଏତେ ବ୍ୟଗ୍ର ଯେ, ଯେ କୌଣସି ଅସାମାଜିକ ଉପାୟ ଅବଲମ୍ବନ କରି ଜିନିଷ ବିକ୍ରି କରିବାପାଇଁ ଏମାନେ ପଶ୍ଚାତ୍‍ପଦ ହୁଅନ୍ତି ନାହିଁ । ସେହି କାରଣରୁ ବିଜ୍ଞାପନର ମାତ୍ରା ଏ ଦେଶରେ ଏତେ ବେଶି । ବିଜ୍ଞାପନ ଗୁଡ଼ିକୁ ଆକର୍ଷଣୀୟ କରିବା ଲାଗି ଏମାନେ ନାନା ଭାବରେ ଲୋକଙ୍କ ଆଗରେ ଆଣି ରଖନ୍ତି । ଲୋକମାନଙ୍କର ଦୃଷ୍ଟି ଆକର୍ଷଣ କରିବାପାଇଁ ଉଲଗ୍ନ ନାରୀଚିତ୍ର, ନାରୀମାନଙ୍କର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଓ ସେମାନଙ୍କର ନାନା ପ୍ରକାର ଲୋଭନୀୟ ଠାଣି ମାଧ୍ୟମରେ ବିଜ୍ଞାପନ ସଜାନ୍ତି । ସୁନ୍ଦର ସୁନ୍ଦର ନାରୀମାନଙ୍କୁ ଏ ପ୍ରକାର ପ୍ରଚାରରେ ବହୁ ଟଙ୍କା ଦେଇ ନିଯୁକ୍ତ କରନ୍ତି । ପୁରୁଷମାନଙ୍କର ପାଶବିକ ପ୍ରବୃତ୍ତିକୁ ଜାଗ୍ରତ କରିବାପାଇଁ ବହୁପ୍ରକାର ନଗ୍ନ ସିନେମା ଚିତ୍ର ଦେଖାନ୍ତି ଏବଂ ସେଥିରୁ ବହୁ ଲାଭ ମିଳେ । ଏ ପ୍ରକାର ପ୍ରଚାର ଫଳରେ ଜନସାଧାରଣ ନାରୀମାନଙ୍କୁ ଯୌନସଙ୍ଗୀ ହିସାବରେ ଦେଖିବାରେ ଅଭ୍ୟସ୍ତ ହୋଇଯାଆନ୍ତି । ନାରୀମାନେ ମଧ୍ୟ ପିଲାଦିନରୁ ପୁରୁଷମାନଙ୍କୁ ଆକୃଷ୍ଟ କରିବା ଲାଗି ବହୁ ଚେଷ୍ଟା କରନ୍ତି । ଫଳରେ ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଉନ୍ନତି କରିବା ଲାଗି ଅତି ପିଲାଦିନରୁ ସେମାନଙ୍କର ସ୍ପୃହା କମିଯାଏ । ସେହି କାରଣରୁ ପୁରୁଷମାନଙ୍କର ଏମାନଙ୍କ ପ୍ରତି ଏତେ ବେଶି ଆସ୍ଥା ମଧ୍ୟ ରହେ ନାହିଁ । ପୁଞ୍ଜିପତି ଦେଶର ଏ ପ୍ରକାର ଆତ୍ମଘାତୀ ସାମାଜିକ ଦିଗ୍‍ଦର୍ଶନ ଯୋଗୁ ନାରୀମାନେ ଆଜି ପର୍ଯ୍ୟନ୍ତ ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଏପରି ଭାବରେ ରହିଯାଇଛନ୍ତି । ଏସିଆ ଦେଶର ନବଜାଗ୍ରତ ଦେଶମାନଙ୍କରେ ତଥା ପୃଥିବୀର ସମାଜବାଦୀ ଦେଶମାନଙ୍କରେ ନାରୀମାନଙ୍କର ଅଗ୍ରଗତିର ଗୁଣାତ୍ମକ ଉତ୍କର୍ଷତା ଏହି ଦେଶମାନଙ୍କର ନୂତନ ସାମାଜିକ ଆଦର୍ଶ ଯୋଗୁଁ ସମ୍ଭବ ହୋଇଛି ।

 

ଆଧୁନିକ ଯୁକ୍ତରାଷ୍ଟ୍ର ଆମେରିକାର ନାରୀମାନେ ଏ ବିଷୟରେ ଗଭୀର ଭାବରେ ସଚେତନ ଥିବାର ଜଣାଯାଏ । ସେମାନଙ୍କ ପ୍ରତି ବହୁ ଯୁଗ ଧରି ଚାଲି ଆସୁଥିବା ସାମାଜିକ ଅନ୍ୟାୟ ବିରୁଦ୍ଧରେ ସେମାନେ ଯୁଦ୍ଧ ଘୋଷଣା କରିଛନ୍ତି ।

 

ପୁରୁଷମାନଙ୍କ ସହିତ ସବୁ କ୍ଷେତ୍ରରେ ସମାନସ୍କନ୍ଧ ହେବାପାଇଁ ଏମାନେ ଦୃଢ଼ପରିକର । ଶତାବ୍ଦୀ ଶତାବ୍ଦୀ ଧରି ଚାଲିଥିବା ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରିବାକୁ ଯାଇ ଅନେକ ସମୟରେ ବହୁତ ହାସ୍ୟାସ୍ପଦ ଦାବୀ କରିବାରେ ମଧ୍ୟ ଏମାନେ ପଶ୍ଚାତ୍ପଦ ହୁଅନ୍ତି ନାହିଁ । ଉଦାହରଣସ୍ୱରୁପ କେତେକ ଉଗ୍ରପନ୍ଥୀ ନାରୀନେତ୍ରୀ ନାରୀ ନାରୀ ଭିତରେ ଯୌନ ସମ୍ପର୍କ ସପକ୍ଷରେ ପ୍ରଚାର ଆରମ୍ଭ କରିଛନ୍ତି । ସମଲିଙ୍ଗୀ ଯୌନସଙ୍ଗମକୁ ଆଇନସମ୍ମତ କରାଇବା ଲାଗି ଏମାନେ ଜନମତ ସୃଷ୍ଟି କରିବାପାଇଁ ଉଦ୍ୟମ ଆରମ୍ଭ କଲେଣି । ବୟକଟ୍‍ ଶବ୍ଦଟି ବାଳକ ନାମ ଅର୍ଥରେ ହୋଇଛିବୋଲି ଭାବି ଗାର୍ଲକଟ୍‍ କଥା କେହି କହନ୍ତି; କିନ୍ତୁ ପ୍ରକୃତରେ ବୟକଟ୍‍ ଜଣେ ଭଦ୍ରଲୋକର ନାମ ବୋଲି ଜଣାଯାଏ । ପିଲା ଜନ୍ମ ସମୟରେ ସ୍ତ୍ରୀଲୋକମାନେ ତିନିମାସଯାଏ ମାତୃତ୍ୱାବସ୍ଥା ପାଇଁ ଛୁଟି ପାଆନ୍ତି, କିନ୍ତୁ ବର୍ତ୍ତମାନ ଏମାନେ ଦାବୀ କରନ୍ତି ଯେ ଏହି ତିନିମାସ ଭିତରୁ ଦେଢ଼ମାସ ସ୍ତ୍ରୀମାନେ ପାଆନ୍ତୁ, ଆଉ ଦେଢ଼ମାସ ବାପମାନଙ୍କୁ ‘ପିତୃତ୍ୱ’ ଛୁଟି ଦିଆଯାଉ । କେବଳ ସେମାନେ କାହିଁକି, ତିନିମାସ କାଳ ପିଲାକାମକରି ଘରେ ବସିରହିବେ, ବାପମାନେ ମଧ୍ୟ ଦେଢ଼ମାସ ପିଲାଙ୍କ କଥା ବୁଝନ୍ତୁ । କେତେକ ସ୍ଥାନରେ ପୁରୁଷମାନେ ମଧ୍ୟ ଏ ପ୍ରକାର ଦାବୀ କରିବାର ଶୁଣାଯାଏ । ସେମାନଙ୍କ ମତରେ ସ୍ତ୍ରୀମାନଙ୍କ ସହିତ ସେମାନେ ମଧ୍ୟ ସମାନ ଭାବରେ ପିଲାଙ୍କ କଥା ବୁଝନ୍ତି-ଘରେ ପିଲାଙ୍କ କଥା ବୁଝି ତା’ପରେ ଅଫିସ ଯାଆନ୍ତି । ତା’ହେଲେ ସେମାନେ କାହିଁକି ସ୍ତ୍ରୀମାନଙ୍କ ପରି ସମାନ ଭାବରେ ଅଫିସ କାର୍ଯ୍ୟରୁ ଛୁଟି ନ ପାଇବେ ? ଏ ପ୍ରକାର ଆନ୍ଦୋଳନ ଏମାନଙ୍କ ସମାଜରେ ନାନା ଭାବରେ ଆଲୋଚିତ ହେଉଥିବାର ଦେଖାଯାଏ।

 

ଯୁବକ ଶ୍ରେଣୀର ପୁରୁଷମାନେ ନାରୀମୁକ୍ତି ଆନ୍ଦୋଳନ ଓ ନାରୀପୁରୁଷମାନଙ୍କ ଭିତରେ ସମାନ ଅଧିକାର ବିଷୟରେ ଆଦର୍ଶଗତ କାରଣରୁ ସମ୍ପୂର୍ଣ୍ଣ ପକ୍ଷପାତୀ ଥିବାରୁ ନାରୀ ପୁରୁଷ ଭିତରେ ଥିବା ବାହ୍ୟିକ ପାର୍ଥକ୍ୟକୁ ଯଥାସମ୍ଭବ ଦୂର କରିବା ଲାଗି ଚେଷ୍ଟା କରୁଛନ୍ତି । ପୋଷାକ ପରିଚ୍ଛଦ ଓ ଲମ୍ବାବାଳ ରଖିବା ପ୍ରଭୃତିରେ ଏମାନେ ନାରୀମାନଙ୍କ ପରି ଦେଖାଯିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ନାରୀ ପୁରୁଷ ଭିତରେ ବାହ୍ୟିକ ପାର୍ଥକ୍ୟ ଯେତେଦୂର କମା ଯାଇପାରେ ସେଥିପାଇଁ ଉଦ୍ୟମ ହେଉଛି । ଏକାପରି ପୋଷାକ ଯୁବକ ଯୁବତୀମାନେ ପିନ୍ଧୁଛନ୍ତି । ଯୁବକମାନେ ଝିଅମାନଙ୍କପରି ଲମ୍ବାବାଳ ରଖୁଛନ୍ତି-ତାକୁ । କୁଣ୍ଡାକୁଣ୍ତି କରି ବେଣୀ ବାନ୍ଧି ବାଳର ଯତ୍ନ ନିଅନ୍ତି । ଯୁବକମାନଙ୍କର ଏ ପ୍ରକାର ଢଙ୍ଗଢାଙ୍ଗକୁ ଝିଅମାନେ ପସନ୍ଦ କରନ୍ତି । ଏପରି ପୁରୁଷଲେକେ ପ୍ରଗତିଶୀଳ ବୋଲି ଆଦୃତ ହୁଅନ୍ତି ।

 

ମୋଟାମୋଟି ଭାବରେ ନାରୀମୁକ୍ତି ଚେତନା ଯୁକ୍ତରାଷ୍ଟ୍ର ଆମେରିକାର ସାମାଜିକ ଜୀବନରେ ଗୋଟିଏ ଗଭୀର ଆଲୋଡ଼ନ ସୃଷ୍ଟି କରିଛି । ଗତାନୁଗତିକ ପୁରୁଷପ୍ରଧାନ ସମାଜରେ ବିପ୍ଳବାତ୍ମକ ପରିବର୍ତ୍ତନ ଦେଖାଦେଉଛି । ପାରିବାରିକ ଜୀବନ ଦୋହଲି ଯାଇଛି । ଅତ୍ୟଧିକ ସ୍ୱାଧୀନ ଚେତନା ଯୋଗୁଁ ବିବାହବିଚ୍ଛେଦ ସଙ୍ଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି । ଏହାର ଶେଷ ପରିଣତି କି ଆକାର ଧାରଣ କରିବ, ପାରିବାରିକ ଜୀବନ କିପରି ଭାବରେ ପରିବର୍ତ୍ତିତ ହେବ, ବର୍ତ୍ତମାନ ଅବସ୍ଥାରେ ସେ ବିଷୟରେ ଧାରଣା କରିବା କଷ୍ଟକର ।

Image

 

ପାରିବାରିକ ସମସ୍ୟା

 

ପାଶ୍ଚାତ୍ୟ ଦେଶର ପାରିବାରିକ ଜୀବନରେ କେତେକ ବୈଶିଷ୍ଟ୍ୟ ରହିଛି ଯାହା ପ୍ରାଚ୍ୟ ଦେଶର ପରିବାର ଭିତରେ ଦେଖାଯାଏ ନାହିଁ । ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦେଶର ଏ ଦୁଇଟି ସାମାଜିକ ସଂସ୍ଥା ଅନେକାଂଶରେ ସଂପୂର୍ଣ୍ଣ ବିପରୀତ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ପାଶ୍ଚାତ୍ୟ ସମାଜରେ ନାରୀମାନେ ବହୁ ପରିମାଣରେ ସ୍ୱାଧୀନତା ପାଇଛନ୍ତି । ଶିକ୍ଷା କ୍ଷେତ୍ରରେ ସେମାନେ ପୁରୁଷମାନଙ୍କ ପରି ସମସ୍ତ ପ୍ରକାର ସୁବିଧା ସୁଯୋଗ ଲାଭକରୁଛନ୍ତି । ଅର୍ଥନୈତିକ ସ୍ଵାଧୀନତା ହାସଲ କରିବାର ଯୋଗ୍ୟତା ତଥା କ୍ଷମତା ଏଠାକାର ସ୍ତ୍ରୀଲୋକମାନଙ୍କର ରହିଛି । ଅଧିକାଂଶ ସ୍ତ୍ରୀଲୋକ ଏ ଦିଗରେ ଯଥେଷ୍ଟ ସୁଯୋଗ ପାଉଛନ୍ତି । ତେଣୁ ସ୍ତ୍ରୀ ପୁରୁଷ ସମ୍ପର୍କ ଆମ ଦେଶ ଅପେକ୍ଷା ଏ ଦେଶରେ ନିଶ୍ଚୟ ଅଲଗା ହେବ । ଆମ ଦେଶରେ ମଧ୍ୟ ଯେଉଁ ସ୍ତ୍ରୀମାନେ ଶିକ୍ଷାଲାଭ କଲା ପରେ ଚାକିରିବାକିରି କରନ୍ତି ସେମାନଙ୍କର ପାରିବାରିକ ଜୀବନରେ ଅଧିକରୁ ଅଧିକ ସଙ୍ଘର୍ଷ ଦେଖା ଯାଉଛି । ଏହା ହେଉଛି ଦୁଇଟି ସୁସଙ୍ଗଠିତ ବ୍ୟକ୍ତିତ୍ୱ ମଧ୍ୟରେ ସଙ୍ଘର୍ଷ । ତେଣୁ ଠିକ୍‍ ଏହି ଗୋଟିକ ପ୍ରଧାନ କାରଣରୁ ସେମାନଙ୍କର ପାରିବାରିକ ଜୀବନର ଦିଗ୍‍ଦର୍ଶନ, ପାରସ୍ପରିକ କ୍ରିୟାକଳାପ ଓ ବ୍ୟାବହାରିକ ସମାଜଯୋଜନରେ ଆମ ଦେଶର ପାରିବାରିକ ଦୃଷ୍ଟିକୋଣଠାରୁ ସଂପୂର୍ଣ୍ଣ ଅଲଗା ହେବା ସ୍ଵାଭାବିକ ।

 

ପାଶ୍ଚାତ୍ୟ ଦେଶର ପାରିବାରିକ ରୀତିନୀତି ଅପେକ୍ଷା ଯୁକ୍ତରାଷ୍ଟ ଆମେରିକାରେ ପାରିବାରିକ ଜୀବନର ବୈଶିଷ୍ଟ୍ୟ ଅନେକାଂଶରେ ପୃଥକ୍‍ବୋଲି ଜଣାଯାଏ । ଆମେରିକାର ନାରୀସମାଜ ଏମାନଙ୍କ ଅପେକ୍ଷା ବେଶି ସ୍ୱାଧୀନ । ଏମାନେ ବ୍ୟକ୍ତିଗତ ସ୍ଵାଧୀନତା ବିଷୟରେ ଏତେ ସଚେତନ ଯେ, ନାରୀ ସ୍ୱାଧୀନତା ଲାଗି ଚାରିଆଡ଼େ ବିରାଟ ଆନ୍ଦୋଳନ ଦେଖା ଦେଇଛି । ବିଶ୍ୱବିଦ୍ୟାଳୟରେ, ଅନ୍ୟାନ୍ୟ ଅନୁଷ୍ଠାନରେ ଏଥିଲାଗି ବହୁ ବିକ୍ଷୋଭ ସ୍ତ୍ରୀମାନଙ୍କଦ୍ୱାରା ପରିଚାଳିତ ହୁଏ । ଚାକିରିବାକିରିରେ ସମାନ ଅଧିକାର ପାଇବାପାଇଁ ଏମାନେ ବହୁ ଆନ୍ଦୋଳନ କରୁଛନ୍ତି ।

 

ନାରୀ ସ୍ୱାଧୀନତାର ଏପରି ପରିବେଶ ଭିତରେ ପାରିବାରିକ ସମ୍ପର୍କର ବିଶ୍ଳେଷଣ ହେବା ଉଚିତ । ସ୍ତ୍ରୀମାନେ ଯଦି ସଂପୂର୍ଣ୍ଣରୂପେ ସ୍ଵାଧୀନ ହେବାକୁ ଚାହାନ୍ତି ତା’ହେଲେ ପାରିବାରିକ ଜୀବନରେ ମଧ୍ୟ ସେମାନେ ସଂପୂର୍ଣ୍ଣ ସ୍ୱାଧୀନତା ଚାହାନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ପୁରୁଷ ପାରିବାରିକ ଜୀବନରେ ସ୍ତ୍ରୀକୁ ସବୁ କ୍ଷମତା ଦେବାରେ କୁଣ୍ଠା ବୋଧ କରିଆସିଛି । ଏ ପ୍ରକାର ସଙ୍ଘର୍ଷ ଆମେରିକାରେ ମଧ୍ୟ ରହିଛି । କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକାରେ ନାରୀର ସ୍ଵାଧୀନତା ବଢ଼ି ବଢ଼ି ଯାଉଥିବାରୁ ପାରିବାରିକ ସଂଙ୍ଘର୍ଷ ମଧ୍ୟ ବଢ଼ିଚାଲିଛି । ସ୍ଵାମୀ ସ୍ତ୍ରୀ ଭିତରେ ତୀବ୍ର ମତଭେଦ ଦେଖାଦେଲେ ସାଙ୍ଗେ ସାଙ୍ଗେ ବିବାହ ବିଚ୍ଛେଦ ହୋଇଯାଉଛି । ସାରା ଆମେରିକାରେ ବର୍ତ୍ତମାନ ପ୍ରତି ତିନୋଟି ବିବାହରୁ ଗୋଟିଏ ଭାଙ୍ଗି ଯାଉଛି–କାଲିଫର୍ଣ୍ଣିଆ ଷ୍ଟେଟରେ ପ୍ରତି ଦୁଇଟି ବିବାହ ଭିତରୁ ଗୋଟିକର ବିଚ୍ଛେଦ ଘଟୁଛି । ଅନେକ ସ୍ଥଳରେ ଜଣଜଣକର ବହୁବାର ବିବାହ ବିଚ୍ଛଦ ହେଉଥିବାର ଦେଖାଯାଉଛି । ଅଲଗା ହୋଇଯାଉଥିବା ସ୍ତ୍ରୀ ପୁରୁଷମାନେ ପୁଣି ଆଉ ଥରେ ବିବାହ କରନ୍ତି । ପିଲାମାନେ ମା’ ପାଖରେ କିମ୍ବା ବାପ ପାଖରେ କିମ୍ବା ଶିଶୁ ଅନୁଷ୍ଠାନ ମାନଙ୍କରେ ରହନ୍ତି-। ପିଲାଙ୍କର ଭବିଷ୍ୟତ ବ୍ୟକ୍ତିତ୍ୱ ଗଠନରେ ଏହା ତିବ୍ର ପ୍ରତିକ୍ରିୟା ସୃଷ୍ଟି କରିବା ଦେଖାଯାଉଛି-

 

ଥରେ ଜଣେ କଲେଜ ଛାତ୍ର ମୋତେ ତା’ ଗାଡ଼ିରେ ଗୋଟିଏ ସଭା ପରେ ମୋ ବସାକୁ ଛାଡ଼ିବା ପାଇଁ ଆଣୁଥିଲା । ସଭାରେ ସେମାନଙ୍କର ପାରିବାରିକ ଜୀବନର ମନସ୍ତାତ୍ୱିକ ଅଭାବ ଅସୁବିଧା ବିଷୟରେ ଆଲୋଚନା କରୁ କରୁ ମୁଁ ଭାରତୀୟ ପାରିବାରିକ ଜୀବନର କେତୋଟି ଭଲ ଦିଗ ବିଷୟରେ ଆଲୋଚନା କରିଥିଲି । ମୋତେ ଗାଡ଼ିରେ ଆଣୁଥିବା ଛାତ୍ରଟିର ମୋ ଉପରେ ବିଶ୍ୱାସ ହୋଇ ଯାଇଥିବାରୁ ରାସ୍ତାରେ ତା’ ଜୀବନର କରୁଣ କାହାଣୀ ମୋତେ କହିପକାଇଲା । ସେ ବାପ ମା ଦୁଇଜଣଙ୍କୁ ବହୁତ ଭଲପାଉଥିଲା; କିନ୍ତୁ ତା’ର ଯେତେବେଳେ ଏଗାର ବାରବର୍ଷ ବୟସ ସେତେବେଳେ ତା’ର ବାପ ମା ହଠାତ୍ ଛାଡ଼ବାଡ଼ ହୋଇଗଲେ ଏବଂ ଦୁଇଜଣ ଅନ୍ୟ ବିବାହ କଲେ । ପିଲାଟି ମା’ ପାଖରେ ରହିଲା ସତ, କିନ୍ତୁ ଏ ଘଟଣାଟି ତା’ ପକ୍ଷରେ ଏପରି ଗଭୀର ଦୁଃଖଦାୟକ ହୋଇଥିଲା ଯେ ବହୁ ଦିନ ଧରି ସେ ଶାନ୍ତିରେ ରହି ପାରି ନ ଥିଲା । ସେ ମା’ ପାଖରେ ରହୁଥିଲା; କିନ୍ତୁ ପ୍ରତି ହପ୍ତାରେ ବାପାକୁ ନ ଦେଖିଲେ ତା’ ମନ ଅସ୍ଥିର ହୁଏ । କିନ୍ତୁ ବାପା ପାଖରେ ଆଉ ଜଣେ ସ୍ତ୍ରୀ ଲୋକ ଏବଂ ମା ପାଖରେ ଆଉ ଜଣେ ପୁରୁଷ ଲୋକ । ସେମାନଙ୍କୁ ସେ ଆନ୍ତରିକ ଘୃଣା କରୁଥିଲା । ସେମାନେ ମଧ୍ୟ ତାକୁ ସେତେ ଭଲ ପାଉ ନ ଥିଲେ । ପିଲାଟି ଏ ପ୍ରକାର ଦୟନୀୟ ଅବସ୍ଥା ଭିତର ଦେଇ ତା’ର ଯୌବନର ପ୍ରଥମାବସ୍ଥା କଟାଇଲା । କଲେଜରେ ପଢ଼ିଲା ବେଳକୁ ସେ ଗୋଟିଏ ଛୋଟିଆ ଘର ଭଡ଼ା ନେଇ ଏକା ରହୁଥାଏ । ସେ ସବୁବେଳେ ନିଜକୁ ଏକା ଏକା ଏବଂ ନିଃସହାୟ ବୋଲି ମନେକରୁଥାଏ । ଏ କରୁଣ କାହାଣୀ ସେ ବର୍ଣ୍ଣନା କଲାବେଳେ ତା’ର ଆଖିରେ ଲୁହ ଭରି ଉଠିଥିଲା । ସେ ମୋତେ ପୁଣି କହିଲା ଯେ ତା’ର ଏ ମାନସିକ ଅଶାନ୍ତିର କାହାଣୀ ସେ କାହାକୁ କହିପାରେନା । ମୁଁ ଏ ବିଷୟରେ ସହାନୁଭୂତି ପ୍ରକାଶ କରିଥିବାରୁ ଛାଏଁ ଛାଏଁ ମୋ ଆଗରେ ତା’ର ସମସ୍ତ ଦୁଃଖାଶ୍ରୁ ଯେପରି ହଠାତ୍‍ ଝରିପଡ଼ିଲା ।

 

ପାରିବାରିକ ବିଚ୍ଛେଦ ଯୋଗୁ ଏଠାକାର ବହୁ ଶିଶୁଙ୍କର ଏ ପ୍ରକାର ମାନସିକ ବେଦନା ଦେଖାଯାଇଥାଏ । ତା’ ଫଳରେ ଏମାନେ ବଡ଼ ହେଲା ପରେ ବହୁପ୍ରକାର ମାନସିକ ଉଦ୍‌ବେଗ ଭୋଗିବାର ତଥା ଅନ୍ୟାନ୍ୟ ନାନା ପ୍ରକାରର ଅସାମାଜିକ କାର୍ଯ୍ୟରେ ଲିପ୍ତ ହେବାର ଜଣାଯାଏ । ଯୁକ୍ତରାଷ୍ଟ୍ର ଆମେରିକାର ସମାଜବିଜ୍ଞାନୀମାନେ ଏ ପ୍ରକାର ପାରିବାରିକ ବିଭ୍ରାଟ ଯୋଗୁ ଅତ୍ୟନ୍ତ ବିଚଳିତ ।

 

ପାଶ୍ଚାତ୍ୟ ଦେଶ ତଥା ଆମେରିକାର ପାରିବାରିକ ଦିଗ୍‍ଦର୍ଶନ ହେଲା ବ୍ୟକ୍ତିଗତ ସୁଖ ସ୍ଵାଚ୍ଛନ୍ଦ୍ୟ ଓ ପାରମ୍ପରିକ ସହବାସ ଜନିତ ମାନସିକ ଆନନ୍ଦ ଅନୁଭୂତି । ଏହା ହେଲା ସେମାନଙ୍କର ମୁଖ୍ୟ କାମ୍ୟ । ବ୍ୟକ୍ତିଗତ ସୁଖରେ ବ୍ୟାଘାତ ଆସିଲେ ସେମାନେ ଅଲଗା ହୋଇଯାଆନ୍ତି ଏବଂ ଆଉ ଜଣକ ସହିତ ବିବାହ କଲେ ସେମାନେ ଯଦି ଏହି ଆନନ୍ଦ ଉପଭୋଗ କରି ପାରିବେ ବୋଲି ଭାବନ୍ତି ତାହେଲେ ଖୁବ୍‍ ଶୀଘ୍ର ବିବାହ ବିଚ୍ଛେଦ କରି ଅନ୍ୟ ସହିତ ରହନ୍ତି । ପିଲାମାନେ ବାପାମାଙ୍କର ଏହି ସଂକୀର୍ଣ୍ଣ ମାନସିକ ପରିସର ଭିତରୁ ଅଲଗା ରହିଯାଆନ୍ତି । ସବୁବେଳେ ସ୍ଵାମୀ ସ୍ତ୍ରୀ ନିଜକୁ ଗୋଟିଏ ପ୍ରଶ୍ନ ପଚାରନ୍ତି ଯେ କୌଣସି ନିଦ୍ଧିଷ୍ଟ ପାରିବାରିକ ଜୀବନରେ ସେମାନେ ନିଜେ କେତେ ସୁଖ ଶାନ୍ତି ପାଇପାରୁଛନ୍ତି-ଅନ୍ୟ ଜଣକ ସହିତ ରହିବାରେ ନିଜର କେତେ ଆନନ୍ଦ ହେଉଛି-ଜୀବନକୁ ସେ କେତେ ଉପଭୋଗ କରିପାରୁଛନ୍ତି । ଏହି ଉପଭୋଗର ମାତ୍ରା କମିଗଲାକ୍ଷଣି ସେମାନେ ନିଜକୁ ଅତ୍ୟନ୍ତ ଅସୁଖୀ ବୋଲି ଭାବନ୍ତି ଏବଂ ନୂତନ ସୁଖ ଭୋଗ ଲାଗି ପୁଣି ଆଉଥରେ ବିବାହ କରିବାକୁ ଆଗେଇ ଯାଆନ୍ତି । ପିଲାମାନଙ୍କର ଏ ପ୍ରକାର ସୁଖ ଶାନ୍ତି ଲାଗି କୌଣସି ଅବଦାନ ନାହିଁ ବୋଲି ଏମାନେ ଭାବନ୍ତି । ତେଣୁ ସେମାନଙ୍କ ପ୍ରତି କୌଣସି ଦୃଷ୍ଟି ନ ଦେଇ ଏମାନେ ବେଶି ବେଶି ସୁଖ ଶାନ୍ତି ଅନ୍ୱେଷଣରେ ବିବାହ ପରେ ବିବାହ ବିଚ୍ଛେଦ କରିଯିବାରେ ପଶ୍ଚାଦ୍‍ପଦ ହୁଅନ୍ତି ନାହିଁ । ଫଳରେ ଏମାନେ କେତେଦୂର ସୁଖଶାନ୍ତି ପାଆନ୍ତି କହିବା କଷ୍ଟକର; କିନ୍ତୁ ଏହା ନିର୍ଦ୍ଦିଷ୍ଟଭାବରେ କୁହାଯାଇ ପାରେ ଯେ ବିବାହ ବିଚ୍ଛେଦ ଯୋଗୁ ପିଲାମାନଙ୍କର ତୀବ୍ର ମାନସିକ ଅଶାନ୍ତି ଘଟେ ଏବଂ ସେମାନଙ୍କର ବ୍ୟକ୍ତିତ୍ୱ ବିକାଶରେ ଏହା ଭୟଙ୍କର ଭାବରେ କ୍ଷତିକାରକ ।

 

ଏ ପ୍ରକାର ପାରିବାରିକ ତଥା ସାମାଜିକ ବିଭ୍ରାଟ ବିଷୟରେ କ୍ରମେ ଚିନ୍ତାଶୀଳ ବ୍ୟକ୍ତିମାନେ ଖୁବ୍‍ ବେଶି ସଚେତନ ହେଉଛନ୍ତି । ତେଣୁ ମୁଁ ଯେତେବେଳେ ଭାରତୀୟ ଓ ପାଶ୍ଚାତ୍ୟ ପାରିବାରିକ ଆଭିମୁଖ୍ୟ ବିଷୟରେ ତୁଳନାତ୍ମକ ବିଚାର କରୁଥିଲି, ଏମାନେ ସେଥିରେ ଗଭୀର ଆଗ୍ରହ ପ୍ରକାଶ କରୁଥିଲେ । ଘଣ୍ଟା ଘଣ୍ଟା ଆଲୋଚନା ପରେ ମଧ୍ୟ କଫି ପିଇବାବେଳେ କିମ୍ବା ଖାଇବା ଟେବୁଲରେ ଏ ବିଷୟରେ ବହୁ ପ୍ରଶ୍ନ ଏମାନେ ପଚାରୁଥିଲେ । ମୁଁ ଏମାନଙ୍କୁ ବୁଝାଇବାକୁ ଚାହୁଁଥିଲି ଯେ ଭାରତୀୟ ପାରିବାରିକ ଜୀବନର ଦିଗ୍‍ଦର୍ଶନ ପଛରେ ଗୋଟିଏ ବଳିଷ୍ଠ ଆଦର୍ଶ ଏବଂ ସୁଖ ଶାନ୍ତିର ଦୃଷ୍ଟିକୋଣ ରହିଛି । ପାଶ୍ଚାତ୍ୟ ଦେଶର ସ୍ତ୍ରୀ-ପୁରୁଷମାନେ ନିଜ ନିଜର ବ୍ୟକ୍ତିଗତ ସୁଖ ସନ୍ତୋଷର ପରିସର ଭିତରେ କେବଳ ସ୍ଵାମୀ ସ୍ତ୍ରୀକୁ ରଖି ଥାଆନ୍ତି । କିନ୍ତୁ ଭାରତତୀୟମାନଙ୍କର ପାରିବାରିକ ସୁଖ ଶାନ୍ତିର ପରିସର ଭିତରେ ସ୍ୱାମୀ-ସ୍ତ୍ରୀ ସହିତ ପିଲାପିଲି ଓ ଅନ୍ୟାନ୍ୟ ବନ୍ଧୁବାନ୍ଧବମାନେ ମଧ୍ୟ ରହିଥାଆନ୍ତି । ବିଶେଷ କରି ପିଲାମାନଙ୍କ ପାଇଁ ବାପ ମା’ମାନେ ସବୁ ପ୍ରକାର ସ୍ଵାର୍ଥ ତ୍ୟାଗ କରିବାରେ ଆନନ୍ଦ ପାଆନ୍ତି । ପିଲାଙ୍କର ସୁଖ ଶାନ୍ତି ପ୍ରତି ବାପ ମା’ମାନେ ଏତେ ବେଶି ଦୃଷ୍ଟି ଦିଅନ୍ତି ଯେ ସେମାନେ ସୁଖରେ ରହିଲେ ବାପ ମା’ଙ୍କର ସୁଖଶାନ୍ତି ବହୁତ ବଢ଼ିଯାଏ । ଅର୍ଥାତ୍‍ ଆମମାନଙ୍କର ସୁଖ ଶାନ୍ତିର ପରିସର ବହୁତ ବିସ୍ତାରିତ ହୋଇଥିବାରୁ ଆମେମାନେ ସ୍ୱାମୀ କିମ୍ବା, ସ୍ତ୍ରୀ ସୁଖ ନ ପାଇଲେ ମଧ୍ୟ ଏହି ବିସ୍ତାରିତ କ୍ଷେତ୍ର ଭିତରେ ଅନ୍ୟାନ୍ୟ ପ୍ରିୟଜନଙ୍କ ମୁହଁକୁ ଚାହିଁ ଆନନ୍ଦ ପାଇଥାଉ ତା’ ଛଡ଼ା ଏହି ବିସ୍ତାରିତ କ୍ଷେତ୍ର ଭିତରେ ରହିଥିବାରୁ ସ୍ୱାମୀ-ସ୍ତ୍ରୀ ଭିତରେ ଝଗଡ଼ା ହେଲେ ମଧ୍ୟ ପରିବାରର ଅନ୍ୟାନ୍ୟ ଲୋକଙ୍କ ଯୋଗୁ ଏହି ଝଗଡ଼ାର ତୀବ୍ରତା ଅଳ୍ପ ସମୟ ଭିତରେ କମି କମି ଆସେ । ଅସନ୍ତୋଷର ମାତ୍ରା କମିଯାଏ । କିନ୍ତୁ ପାଶ୍ଚାତ୍ୟ ପରିବାର ଗୋଟିଏ କ୍ଷୁଦ୍ର ପାରିବାରିକ ପରିସର ଭିତରେ ସର୍ବଦା ଆବଦ୍ଧ ହୋଇ ରହିଥିବାରୁ ଏବଂ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ସ୍ୱାମୀ-ସ୍ତ୍ରୀ ପରସ୍ପରଠାରୁ ବହୁତ ବେଶି ଆଶା କରି ସର୍ବଦା ମୁହାଁମୁହିଁ ହୋଇ ରହିଥିବାରୁ ଥରେ ମନୋମାଳିନ୍ୟର ସୂତ୍ରପାତ ହେଲେ ତାହା ବରଫ ପିଣ୍ଡୁଳା ପରି ବଢ଼ି ବଢ଼ି ଚାଲେ ଏବଂ ହଠାତ୍‍ ଦିନେ ପାରିବାରିକ ଭୂମିକମ୍ପ ଯୋଗୁ ବିବାହ ବିଚ୍ଛେଦ ଘଟେ । ଏମାନଙ୍କ ମଝିରେ ଆଉ କିଏ ନ ଥାନ୍ତି । ପିଲାମାନେ ଏବଂ ପରିବାରର ଅନ୍ୟାନ୍ୟ ନିଜ ଲୋକ ସଂକୀର୍ଣ୍ଣ ପରିବାରର ବାହାରେ । ତେଣୁ ମନସ୍ତାତ୍ତ୍ୱିକ ପରିପୂର୍ଣ୍ଣତା ଦୃଷ୍ଟିକୋଣରୁ ଭାରତୀୟ ପାରିବାରିକ ଜୀବନର ଏପରି ଗୋଟିଏ ବଳିଷ୍ଠ ଦିଗ ରହିଛି ଯାହାର ଗୁରୁତ୍ୱ ତଥା ଉପାଦେୟତା ବିଷୟରେ ମୁଁ ପାଶ୍ଚାତ୍ୟ ଦେଶମାନଙ୍କରେ ରହିଲାବେଳେ ଉପଲବ୍ଧି କରିପାରିଥିଲି । ଏ ବିଷୟ ଗଭୀର ଭାବରେ ବିଶ୍ଳେଷଣ କଲେ ଆମେରିକାର ଲୋକଙ୍କୁ ଏହା ସ୍ପର୍ଶ କରିପାରୁଥିଲା ବୋଲି ମଧ୍ୟ ମୁଁ ଉପଲବ୍ଧି କଲି-। ଏମାନେ ଯେପରି ପାରିବାରିକ ଜୀବନରେ ଗୋଟିଏ ନୂତନ ଦୃଷ୍ଟିକୋଣର ଅନ୍ୱେଷଣରେ ରହିଛନ୍ତି ।

 

ମୋଟାମୋଟି ଭାବରେ କହିବାକୁ ଗଲେ ଯୁକ୍ତରାଷ୍ଟ୍ର ଆମେରିକାରେ ବର୍ତ୍ତମାନ ପାରିବାରିକ ଜୀବନରେ ଗୋଟିଏ ପ୍ରକାର ବୈପ୍ଳବିକ ପରିବର୍ତ୍ତନ ଦେଖାଦେଉଛି-ତା’ର ପରିଣାମ କ’ଣ ହେବ ବର୍ତ୍ତମାନ କହିବା କଷ୍ଟକର । ବହୁ ଯୁବକ ଯୁବତୀ ପୃଥିବୀର ଅନ୍ୟାନ୍ୟ ଦେଶର ପାରିବାରିକ ଜୀବନ ବିଷୟରେ ଜାଣିବାପାଇଁ ଅତ୍ୟନ୍ତ ଆଗ୍ରହୀ ବୋଲି ଜଣାଯାଏ । ସେମାନଙ୍କର ପାରିବାରିକ ଅଶାନ୍ତି ଯୋଗୁ ଅନେକ ଆମେରିକାନ୍‍ ସ୍ତ୍ରୀଲୋକ ଭାରତୀୟ ଓ ଜାପାନୀ ଯୁବକଙ୍କୁ ବିବାହ କରିବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଭାରତୀୟ ପୁରୁଷମାନେ ଅତି ବିଶ୍ୱସ୍ତ ଓ ସ୍ୱୀ-ଅନୁରକ୍ତ ସ୍ୱାମୀ ହୋଇପାରନ୍ତି ବୋଲି ଏମାନଙ୍କର ମତ । ପାରିବାରିକ ଅଶାନ୍ତି ଯୋଗୁ ଏମାନେ ଯେ ନୂତନ ଦିଗଦର୍ଶନର ଅନ୍ୱେଷଣରେ ବ୍ୟାକୁଳ ଏଥିରେ ସନ୍ଦେହର ଅବକାଶ ନାହିଁ ।

Image

 

ରେଡ଼ିଓ, ଟେଲିଭିଜନ ଓ ସିନେମା

 

ଯୁକ୍ତରାଷ୍ଟ୍ର ଆମେରିକାରେ ବର୍ତ୍ତମାନ ଏତେ ବେଶି ରେଡ଼ିଓ ଓ ଟେଲିଭିଜନ ଯେ, ପ୍ରତ୍ୟେକ ପରିବାରରେ ରେଡ଼ିଓ କିମ୍ବା ଟେଲିଭିଜନ ଦେଖିବାକୁ ମିଳେ । ଅଧିକାଂଶ ହୋଟେଲର ପ୍ରତ୍ୟେକ ବଖରାରେ ରେଡ଼ିଓ କିମ୍ବା ଟେଲିଭିଜନ ଥାଏ । ନିମ୍ନମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ଘରେ ମଧ୍ୟ ଏହା ଦେଖିବାକୁ ମିଳେ । ନ୍ୟୁୟର୍କ, ସିକାଗୋ ପ୍ରଭୃତି ସହର ତଳି ଅଞ୍ଚଳରେ ବହୁ ଗରିବ ଲୋକ ଭଙ୍ଗା ଓ ମଇଳା ଘରେ ରହିଥାଆନ୍ତି । ଭଙ୍ଗାରୁଜା କବାଟ କାନ୍ଥରୁ ଚୂନ ଖସି ଗଲାଣି । ଖସିପଡ଼ିବା ଅବସ୍ଥାରେ ଥିବା ବାରଣ୍ଡା ପାରାପିଟ୍‍କୁ ଦଉଡ଼ି ଦେଇ ବନ୍ଧା ହୋଇଛି । ବାହାରକୁ ଲମ୍ୱିଥିବା ଖୋଲା ସିଡ଼ି ମଇଳାରେ ଭର୍ତ୍ତି । ଏହିପରି ଗୋଟିଏ ଘରେ ତିନିଚାରିଟି ପରିବାର ଖୁନ୍ଦାଖୁନ୍ଦି ହୋଇ ରହିଚନ୍ତି । ତଥାପି ଦୁଆରମୁହଁରେ ସେମାନଙ୍କର ଚିକ୍‍ ଚିକ୍‍ ମଟରଗାଡ଼ି ଥୁଆହୋଇଛି । ଘର ଛାତ ଉପରେ ଟେଲିଭିଜନ ଏରିଆଲ୍‍ । ଭିତରେ ହୁଏତ ଲୁଗାଧୁଆ ଓ ବାସନଧୁଆ କଳ ଓ ରେଫ୍ରିଜେରେଟର । ଏହା ନିଃସନ୍ଦେହରେ କୁହାଯାଇ ପାରେ ଯେ ପ୍ରାୟ ସମସ୍ତଙ୍କ ଘରେ ନିଶ୍ଚୟ ରେଡ଼ିଓ କିମ୍ୱା ଟେଲିଭିଜନ ଥିବ । ତେଣୁ ରେଡ଼ିଓ ଟେଲିଭିଜନର ଲୋକମାନଙ୍କ ଉପରେ ପ୍ରଭାବ ଖୁବ୍‍ ବେଶି ହେବା ସ୍ୱାଭାବିକ । ଏ କ୍ଷେତ୍ରରେ ମଧ୍ୟ ଖବରକାଗଜ ଅନୁଷ୍ଠାନ ପରି ରେଡ଼ିଓ ଟେଲିଭିଜନ ଅନୁଷ୍ଠାନ ସବୁ ପୁଞ୍ଜିପତିଙ୍କ ହାତରେ ରହିଛି । ବିଜ୍ଞାପନରେ ପ୍ରୋଗ୍ରାମ ଭର୍ତ୍ତି । ଯେତେ ଭଲ ପ୍ରୋଗ୍ରାମ୍‍ ଥିଲେ ମଧ୍ୟ ପ୍ରତି ପାଞ୍ଚ ଦଶ ମିନିଟରେ ତାହା ବନ୍ଦ କରି ବିଜ୍ଞାପନ ଦେଖାଯାଏ । ଥରେ ଆମେମାନେ ଟେଲିଭିଜନରେ ରୋମିଓ ଜୁଲିୟେଟ ନାଟକ ଦେଖୁଥିଲୁ । ରୋମିଓ ଝରକା ତଳେ ଠିଆହୋଇ ଜୁଲିୟେଟକୁ ଚାହିଁ କବିତାପୂର୍ଣ୍ଣ ଆବେଗ ଭରା ଭାଷାରେ କହିଲା ବେଳକୁ ହଠାତ୍‍ ବନ୍ଦ ହୋଇଗଲା । ମେଞ୍ଚେ ସାବୁନ ଆସି ଟେବୁଲ ଉପରେ ଥୁଆହୋଇ ତା’ର ସ୍ତବଗାନ ଆରମ୍ଭ ହେଲା । ଦେଖଣାହାରୀମାନେ ଏ ସବୁରେ ଯେ ବିରକ୍ତ ନ ହୁଅନ୍ତି ତା’ ନୁହେଁ; କିନ୍ତୁ ଉପାୟ କ’ଣ ? ଯାହାର ଟେଲିଭିଜନ ଷ୍ଟେସନ ସେ ଜଣେ ବ୍ୟବସାୟୀ ଏବଂ ବ୍ୟବସାୟ ବିଜ୍ଞାପନରେ ତା’ର ଲାଭ । ତା’ଛଡ଼ା ସେ ଯାହା କରିବ ସେଥିରେ କିଛି କହିବା ଅର୍ଥ ତା’ର ବ୍ୟକ୍ତିଗତ ସ୍ୱାଧାନତାରେ ବାଧା ଆଣିବା । ତେଣୁ ସେ ନିଜର ଇଚ୍ଛା ଅନୁସାରେ ପ୍ରୋଗ୍ରାମ୍‍ କରିପାରେ । ତା’ର ସେ ସ୍ୱାଧୀନତାକୁ ସମସ୍ତେ ସ୍ୱୀକାର କରିବାକୁ ବାଧ୍ୟ । ଏହା ହେଲା ଆମେରିକା ଗଣତନ୍ତ୍ରର ପ୍ରଧାନ ସ୍ଳୋଗାନ । ଅନ୍ୟ କୌଣସି ଦେଶରେ ଏହାର ବ୍ୟତିକ୍ରମ ହେଲେ ଅଗଣତାନ୍ତ୍ରିକ ଏକଚ୍ଛତ୍ରବାଦ ବୋଲି ଏମାନଙ୍କର ମତ । ବିଜ୍ଞାପନ ଛଡ଼ା ଅଧିକାଂଶ ଟେଲିଭିଜନ ପ୍ରୋଗ୍ରାମ ବଡ଼ ଅବାସ୍ତବ । ଅସ୍ୱାଭାବିକ ରୋମାଞ୍ଚକର କାହାଣୀ ଅଧିକାଂଶ ଗପର କଥାବସ୍ତୁ । ପୂର୍ବକାଳରେ ଆମେରିକାର ବଣ ଜଙ୍ଗଲରେ ବୁଲୁଥିବା ‘କାଉବାଉ’ ବା ଦୁଃସାହସିକ ଡକାୟତି ଓ ଚୋରିରେ ଆନନ୍ଦ ପାଉଥିବା ଦଳେ ଗୁଣ୍ଡାଶ୍ରେଣୀୟ ଲୋକଙ୍କୁ ନେଇ ଅଧିକାଂଶ କଥାବସ୍ତୁ ତିଆରି ହୋଇଥାଏ । ସେସବୁକୁ ଦେଖିବା ଲାଗି ଅଳ୍ପ ବୟସ୍କ ପୁଅ ଝିଅମାନେ ଖୁବ୍ ଭଲପାଆନ୍ତି । ତେଣୁ ସେସବୁକୁ ଲୋକପ୍ରିୟ ପ୍ରୋଗ୍ରାମ୍‍ ଅନୁସାରେ ଅନବରତ ଦେଖାହେଉଥାଏ ।

 

ରେଡ଼ିଓ ଓ ଟେଲିଭିଜନରେ ସିଗାରେଟ, ମଦ, ସାବୁନ, ମଟରଗାଡ଼ି ପ୍ରଭୃତି ବିଷୟରେ ସୁନ୍ଦର ସୁନ୍ଦର ଗୀତ ବୋଲାଯାଏ । ଥରେ ସକାଳେ ରେଡ଼ିଓ ଖୋଲିଦେଲାବେଳକୁ ଯାହା ଶୁଣିବାକୁ ପାଇଲି ତା’ର ଅର୍ଥ ହେଉଛି-ବସନ୍ତଋତୁ ଆସି ପହଞ୍ଚିଲାଣି । ସକାଳେ ସୁନ୍ଦର ଖରା-ଚମତ୍କାର ଆକାଶ-ପକ୍ଷୀ ମାନଙ୍କର ସୁମଧୁର ଗାନରେ ମନ ବିକଶିତ ହୋଇ ଉଠୁଛି । କିନ୍ତୁ ଏପରି ସକାଳ ତୁମେ ହୁଏତ ଖୁବ୍‍ ଶାନ୍ତିର ସହିତ ଉପଭୋଗ କରିପାରୁନ । ତୁମର ତଣ୍ଟିରେ ସାମାନ୍ୟ ଶୁଖିଲା ବୋଧ କରିପାର–ନିଶ୍ଚୟ ଅସ୍ୱସ୍ତି ଲାଗୁଥିବ । କିନ୍ତୁ ତୁମେ ଯଦି ଅମୁକ କମ୍ପାନୀର ସୁସ୍ୱାଦୁ ମଦ ପାନ କରିବ ତାହାହେଲେ ତଣ୍ଟି ଠିକ୍‍ ହୋଇଯିବ-ମନ ପ୍ରଫୁଲ୍ଲ ରହିବ ଏବଂ ଏସବୁ ତୁମେ ଭଲଭାବରେ ଉପଭୋଗ କରିପାରିବ...ଇତ୍ୟାଦି ।

 

କେତେକ ବୟସ୍କ ଲୋକମାନଙ୍କୁ ଏ ପ୍ରକାର କଥାବସ୍ତୁ ଓ ବିଜ୍ଞାପନ ଖୁବ୍ ବେଶି ପ୍ରଭାବିତ ନକରିପାରେ କିନ୍ତୁ ଅଳ୍ପବୟସ୍କ, କଳ୍ପନାବିଳାସୀ ଯୁବକ ଯୁବତୀମାନଙ୍କ ମନରେ ଏହାର ପ୍ରଭାବ ବହୁତ ବେଶି । ଏସବୁ ତାଙ୍କର ଅଚେତନ ମନରେ ଏପରି ଭାବରେ କାମ କରିଯିବ ଯେ ତାଙ୍କୁ କ୍ରମେ ସେହି ଜିନିଷ ବ୍ୟବହାର କରିବାକୁ ଭଲଲାଗିବ । ଥରେ ମୁଁ ଗୋଟିଏ ଛବି ଟେଲିଭିଜନରେ ଦେଖୁଥିଲି । ମୋ ସହିତ ଗୋଟିଏ ବାରବର୍ଷର ବାଳକ ଓ ଦଶବର୍ଷର ବାଳିକା ମଧ୍ୟ ସେହି ଛବିଟି ଦେଖୁଥିଲେ । ପିଲା ଦୁଇଟି ଅତି ଆଗ୍ରହର ସହିତ ଛବିଟି ଦେଖୁ ଥାଆନ୍ତି ଛବିରେ ଗୋଟିଏ ଜାଗାରେ ଗୋଟିଏ ଲୋକ ଆଉ ଗୋଟିଏ ଲୋକ ସହିତ ଖୁବ୍ ବନ୍ଧୁତା କରି ତାକୁ ଡାକିଆଣି ଗୋଟିଏ ଗ୍ଲାସ ମଦ ତାକୁ ଯାଚିଲା । ସେ ମଦ ଗ୍ଲାସଟି ପାଟିକୁ ବଢ଼ାଇବାକୁ ଯାଉଥିଲା ବେଳେ ଆର ଲୋକଟି ହଠାତ୍‍ ତା’ ପକେଟରୁ ପିସ୍ତଲଟି କାଢ଼ି ତା’ କପାଳ ଆଡ଼କୁ ଦେଖାଇ ତୀରବେଗରେ ତା’ ପକେଟରୁ ଏକହଜାର ଡଲାରର ପର୍ଶଟି ଛଡ଼ାଇ ନେଇଗଲା । ପିଲାଟି ଏ ଦୃଶ୍ୟ ଦେଖୁ ଦେଖୁ ଟେଲିଭିଜନ ଯନ୍ତ୍ର ଆଡ଼କୁ ଆହୁରି ଲାଗିଆସିଥିଲା । ଏ ଘଟଣାଟି ଦେଖିଲାକ୍ଷଣି ଆନନ୍ଦରେ ହଠାତ୍‍ ଚିତ୍କାର କରିଉଠିଲା, ‘‘Isn’t he smart ?” ପିଲାଟି ମନରେ ’ସ୍ମାର୍ଟ’ର ଏ ପ୍ରକାର ଧାରଣା ଦୃଢ଼ୀଭୂତ ହୋଇଗଲା । ଏପରି ପିଲା ଓ ଯୁବକମାନଙ୍କ ଉପରେ ଟେଲିଭିଜନର ଏତେ ବେଶି ମାରାତ୍ମକ ପ୍ରଭାବ ଯେ, କେତେକ ଅଳ୍ପ ବୟସ୍କ ଅପରାଧୀଙ୍କ ବିଚାର କରିବା ଲାଗି ଥିବା ବିଶିଷ୍ଟ ବିଚାରପତିମାନଙ୍କ ମତରେ ଟେଲିଭିଜନ ସବୁକୁ ସମୁଦ୍ରରେ ନଫୋପାଡ଼ି ଦେଲେ ଆମେରିକାରୁ ଅଳ୍ପ ବୟସ୍କ ଅପରାଧୀଙ୍କ ସଂଙ୍ଖ୍ୟା କମାଇ ହେବ ନାହିଁ । ଜଣେ ବିଶିଷ୍ଟ ସମାଜ ବିଜ୍ଞାନ ଅଧ୍ୟାପକ ବଡ଼ ଦୁଃଖର ସହିତ କହିଲେ ଯେ ଟେଲିଭିଜନ ଘରେ ରଖିବା ସପକ୍ଷରେ ସେ ଆଦୌ ନଥିଲେ । ଗତବର୍ଷ ପର୍ଯ୍ୟନ୍ତ ସେ ଟେଲିଭିଜନ କିଣିନଥିଲେ । କିନ୍ତୁ ତାଙ୍କର ପିଲାମାନେ ପଡ଼ିଶା ଘରକୁ ଟେଲିଭିଜନ ଦେଖିବା ପାଇଁ ଦୌଡ଼ିବାକୁ ଆରମ୍ଭ କଲେ । ସେ କେବଳ ନିଜର ପିଲାଙ୍କୁ ଘରେ ରଖିବାପାଇଁ ଗୋଟିଏ ଟେଲିଭିଜନ କିଣିବାକୁ ବାଧ୍ୟହେଲେ । କିନ୍ତୁ ସେ ଓ ତାଙ୍କର ସ୍ତ୍ରୀ ବରାବର ଚେଷ୍ଟା କରୁଛନ୍ତି ତାଙ୍କର ପିଲାମାନଙ୍କୁ ସାମାନ୍ୟ କେତୋଟି ପ୍ରୋଗ୍ରାମ ବାଛି ଦେଖାଇବା ପାଇଁ, କିନ୍ତୁ ସବୁବେଳେ କୃତକାର୍ଯ୍ୟ ହୋଇ ପାରୁ ନାହାନ୍ତି । କେତେକ ସହରରେ ମାଆମାନଙ୍କଦ୍ୱାରା ସ୍ଵେଚ୍ଛାକୃତ ପରିଚାଳିତ କେତୋଟି କେନ୍ଦ୍ରରୁ ସାପ୍ତାହିକ ପତ୍ରିକା ପ୍ରକାଶ ପାଏ । ସେଥିରେ ସେମାନେ ଅନ୍ୟମାନଙ୍କୁ ପରାମର୍ଶ ଦେଇଥାଆନ୍ତି ଯେ ତାଙ୍କର ପିଲାମାନଙ୍କୁ କେଉଁ କେଉଁ ଟେଲିଭିଜନ ପ୍ରୋଗ୍ରାମ୍ ଦେଖାଇବା ଉଚିତ ଏବଂ କେଉଁ ସବୁ ପ୍ରୋଗ୍ରାମ୍‍କୁ ବର୍ଜନ କରିବା ଉଚିତ । ଏପ୍ରକାର ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହିତ ମୁଁ ଆଲୋଚନା କରି ବୁଝିଲି ଯେ ସେମାନଙ୍କର ଉଦ୍ୟମ କେତେ ଲୋକଙ୍କୁ ସାହାଯ୍ୟ କରୁଛି ସତ, କିନ୍ତୁ ଅର୍ଥ ଓ ସମୟ ଅଭାବରୁ ସାରା ସମାଜରେ ଖୁବ୍‍ ବେଶି ପ୍ରଭାବ ପକାଇ ପାରୁନାହିଁ । ତଥାପି ସେମାନେ ପ୍ରାଣପଣ ଚେଷ୍ଟା କରୁଛନ୍ତି କିପରି ଅଳ୍ପ ବୟସ୍କ ବାଳକ ବାଳିକାମାନଙ୍କୁ ଏ ପ୍ରକାର ମାରାତ୍ମକ ପ୍ରଭାବରୁ ରକ୍ଷା କରିବେ।

 

କେତେକ ବିଶ୍ୱବିଦ୍ୟାଳୟ ତରଫରୁ କେବଳ ସାଂସ୍କୃତିକ ଓ ଶିକ୍ଷାଗତ ପ୍ରୋଗ୍ରାମ୍‍ ଦେବାଲାଗି ଟେଲିଭିଜନ ଷ୍ଟେସନ ପ୍ରତିଷ୍ଠିତ କରାହୋଇଛି । କିନ୍ତୁ ଅର୍ଥ ଅଭାବରୁ ଏମାନେ କୋଟିପତି ବ୍ୟବସାୟୀଙ୍କ ଦ୍ୱାରା ପରିଚାଳିତ ଟେଲିଭିଜନ ସହିତ ପ୍ରତିଯୋଗିତାରେ ପାରି ଉଠୁ ନାହାନ୍ତି । ଏ ବିଷୟରେ ସରକାର ବିଶେଷ ଭାବରେ ହସ୍ତକ୍ଷେପ କରିବାକୁ ଚାହାନ୍ତି ନାହିଁ, କାରଣ ସରକାର ବିଶେଷ ଭାବରେ ଧନକୁବେର ବ୍ୟବସାୟୀଙ୍କଦ୍ୱାରା ପରିଚାଳିତ ।

 

ଅବଶ୍ୟ ସାଧାରଣ ରେଡ଼ିଓ ଓ ଟେଲିଭିଜନ ପ୍ରୋଗ୍ରାମ୍‍ର ସାହିତ୍ୟିକ ଓ ସାଂସ୍କୃତିକ ଅବଦାନ ଯେ କମ୍‍ ତା’ ନୁହେଁ, ଅତ୍ୟନ୍ତ ଉପାଦେୟ ଓ ଶିକ୍ଷଣୀୟ ପ୍ରୋଗ୍ରାମ୍‍ ବହୁ ଟଙ୍କା ଖର୍ଚ୍ଚ କରି ତିଆରି ହୋଇଥାଏ । ବହୁ ବିଶିଷ୍ଟ କଳାବିତ୍‍ ଅତି ଚମତ୍କାର ଭାବରେ ଏହାକୁ ରୂପାୟିତ କରିଥାଆନ୍ତି । କିନ୍ତୁ ଯେତେ ଭଲ ପ୍ରୋଗ୍ରାମ୍‍ ହେଲେ କ’ଣ ହେବ ମଝିରେ ମଝିରେ ନିଶ୍ଚୟ ବିଜ୍ଞାପନ ଭର୍ତ୍ତି ହୋଇଥିବ । ଏହା ଆମମାନଙ୍କୁ ଏତେ ବିରକ୍ତ ଲାଗେ ଯେ ଥରେ ଥରେ ଟେଲିଭିଜନ ବନ୍ଦ କରିଦେବାକୁ ଇଚ୍ଛା ହୁଏ । କଳା ଓ ସଂସ୍କୃତି ସୃଷ୍ଟିକୁ ଏପରି ଭାବରେ ବିକଳାଙ୍ଗ କରିବା କେତେଦୂର ବାଞ୍ଚ୍ଥନୀୟ ଏହି ପ୍ରଶ୍ନ ଏମାନଙ୍କୁ ବିବ୍ରତ କରୁଥିବାର ଜଣାଯାଏ ନାହିଁ । ବରଂ ଏ ପ୍ରକାର ବିରକ୍ତିକର ପରିସ୍ଥିତି ସହିତ ନିଜକୁ ମିଶାଇ ଚଳାଇ ନେବାପାଇଁ ଏମାନେ ଗୋଟିଏ ପ୍ରକାର ଯୁକ୍ତି ବାଢ଼ିଥାଆନ୍ତି ଯେ ବିଜ୍ଞାପନ ପ୍ରଦର୍ଶିତ ହେଉଥିବା ସମୟରେ ସେମାନେ କିଛି ସମୟ ପାଆନ୍ତି ଘରର କିଛି କାମ କରିବାପାଇଁ, କିମ୍ବା ଖାଦ୍ୟପେୟ ଜିନିଷ କିଛି ରେଫ୍ରିଜେରେଟରରୁ ଆଣି ଟେବୁଲରେ ରଖିବାପାଇଁ । ଏ ପ୍ରକାର ଯୌକ୍ତିକିକରଣ ଛଡ଼ା ଅନ୍ୟ ଉପାୟ କଣ ଅଛି ?

 

ସିନେମାରେ ମଧ୍ୟ ଏ ପ୍ରକାର ଛବି କିଛି କମ୍‍ ନୁହେଁ । କେତେଗୁଡ଼ିଏ ଅତି ଉତ୍କୃଷ୍ଟ ଧରଣର ଛବି ଯେ ନାହିଁ ତା’ ନୁହେଁ, କିନ୍ତୁ ଅନେକ ଛବି ଏ ପ୍ରକାର ହତ୍ୟା, ଚୋରୀ ଡକାୟତି ପ୍ରଭୃତି ଘଟଣା ନେଇ ତିଆରି ହୋଇଥାଏ । ନଗ୍ନ ଯୌନ ଛବି ମଧ୍ୟ କିଛି କମ୍‍ ନୁହେଁ । ଯେକୌଣସି ଛବି ହେଉ ପଛେ ବାହାରେ ଗୋଟିଏ ବିରାଟ ଛବି-ଯେଉଁଥିରେ ଯୌନ ଆକର୍ଷଣ ସବୁଠୁ ବେଶି ଥିବ-ସେ ପ୍ରକାର ଛବି ବିଜ୍ଞାପନ ଲାଗି ଦେଖା ହୋଇଥିବ । ଅଳ୍ପ ବୟସ୍କ ଯୁବକ ଯୁବତୀମାନଙ୍କୁ ଏ ପ୍ରକାର ଛବି ଆକର୍ଷଣ କରିବା ସ୍ୱାଭାବିକ । ସିନେମା ପ୍ରଯୋଜକର ଯଦି ମୁଖ୍ୟ ଉଦ୍ଦେଶ୍ୟ ହୁଏ ସିନେମା ଦେଖାଇ ଲାଭ ଉଠାଇବା, ତାହେଲେ ସାଂସ୍କୃତିକ ବିକାଶ ଲାଗି ତା’ର ମୁଣ୍ଡ ଘୂରାଇବା ଦରକାର କ’ଣ ! ଉଚ୍ଚ ଧରଣର ଛବି ଏବଂ ଖୁବ୍‍ ବଡ଼ ଧରଣର ସିନେମା ଶିଳ୍ପୀ ଯେ ନାହାନ୍ତି ତା’ ନୁହେଁ, କିନ୍ତୁ ଅନ୍ୟ ପ୍ରକାର ରୋମାଞ୍ଚକର ଛବି ସେପରି ଭାବରେ ପ୍ରଭାବିତ କରିପାରୁ ନାହିଁ । ଜନସାଧାରଣ ଓ ଅଳ୍ପବୟସ୍କ ଯୁବକ ଯୁବତୀମାନଙ୍କୁ ନଗ୍ନ ଯୌନ ଛବି ଦେଖିବାକୁ ନିଶ୍ଚୟ ଭଲଲାଗିବ–ଫଳରେ ତା’ର କାଟ୍‍ତି ବେଶି ହେବ । ଲୋକର ପାଶବିକ କ୍ଷୁଧାକୁ ଜଗାଇବା ଭାରି ସହଜ ଏବଂ ତା’ର ସୁବିଧା ନେଇ ଏମାନେ ବହୁତ ଲାଭବାନ୍‍ ହୁଅନ୍ତି । ଅନେକ ସମାଜବିଜ୍ଞାନବିତ୍‍ ଓ ଅଳ୍ପବୟସ୍କ ଅପରାଧୀଙ୍କର ବିଚାରଭାରପ୍ରାପ୍ତ ବିଚାରପତିମାନଙ୍କ ମତରେ ଏ ପ୍ରକାର ଶସ୍ତା ସିନେମା ଓ ଟେଲିଭିଜନ ଅପରାଧ ବୃଦ୍ଧିପାଇଁ ବହୁତ ପରିମାଣରେ ଦାୟୀ । ପ୍ରତି ବର୍ଷ ଅଳ୍ପବୟସ୍କ ଅପରାଧୀଙ୍କ ସଂଙ୍ଖ୍ୟା ବଢ଼ି ଚାଲିଛି । ସହରମାନଙ୍କରେ ଧରାପଡ଼ିଥିବା ଅପରାଧୀଙ୍କ ଭିତରୁ ଗତବର୍ଷ ଶତକରା ୪୬ ଭାଗ ହେଉଛନ୍ତି ୧୮ ବର୍ଷରୁ କମ୍‍ ବାଳକ ବାଳିକା । ଆମେରିକାର ସହରମାନଙ୍କରେ ୧୮ ବର୍ଷରୁ କମ୍‍ ବାଳକଙ୍କଦ୍ୱାରା ମଟରକାର ଚୋରି ବହୁତ ବୋଲି ପୋଲିସ ରିପୋର୍ଟରୁ ଜଣାଯାଏ । ୧୮ ବର୍ଷରୁ କମ୍‌ ବାଳକ ବାଳିକାମାନେ ଏ ପ୍ରକାର ସିନେମା ଓ ଟେଲିଭିଜନ ଛବିଦ୍ୱାରା ବେଶି ପ୍ରଭାବିତ ହେବା ସ୍ଵାଭାବିକ । ଏହି ଅପରାଧୀମାନେ ଯେ ସବୁ ସମୟରେ ଟଙ୍କାପାଇଁ ଏ ସବୁ କରୁଛନ୍ତି ତା’ ନୁହେଁ-ଅନେକେ କେବଳ ବାହାଦୂରୀ ଓ ଉତ୍ତେଜନା ସୃଷ୍ଟିପାଇଁ ଅପରାଧ କରନ୍ତି । ସିନେମା ଓ ଟେଲିଭିଜନରେ ଚୋରୀ ଡକାୟତି ଦେଖି ଦେଖି ସେମାନଙ୍କର କୌତୂହଳ ଉଦ୍ଦୀପିତ ହୁଏ ଏବଂ ଅନେକ ସମୟରେ କେବଳ ଅସ୍ୱାଭାବିକ ସାହସ ଓ ଆପଦପୂର୍ଣ୍ଣ ଘଟଣାବଳୀର ଉତ୍ତେଜନା ଲାଗି ଏସବୁ କାମରେ ସେମାନେ ଯୋଗ ଦିଅନ୍ତି । ତା’ପରେ ହୁଏତ କ୍ରମେ ନାନା ପ୍ରକାର ଲାଭ ଓ ଲୋଭ ଯୋଗୁଁ ଏହା ଅଭ୍ୟାସରେ ପରିଣତ ହୋଇଯାଏ । ବର୍ତ୍ତମାନ ଆମେରିକାରେ Teenager Gangster ବା ଅଳ୍ପବୟସ୍କ ଡକାୟତ ଦଳଙ୍କର ଦୁଃସାହସିକ କାର୍ଯ୍ୟକଳାପ ବଡ଼ କୁଖ୍ୟାତ । ସିକାଗୋ ଓ ନିୟୁୟର୍କ ସହରରେ ଏମାନଙ୍କର ପ୍ରକୋପ ଏତେ ବେଶି ଯେ ସିକାଗୋ ବିଶ୍ୱବିଦ୍ୟାଳୟ ହତା ଭିତରେ ରାତି ଆଠଟା ପରେ ଆମକୁ ଏକା ଏକା ନ ବୁଲିବା ପାଇଁ ତାଗିଦ କରାହୋଇଥିଲା । ବିଶ୍ୱବିଦ୍ୟାଳୟ ହତା ଭିତରେ ଏମାନେ ମାଡ଼ ଦେଇ ଲୋକଙ୍କଠାରୁ ଟଙ୍କା ଛଡ଼ାଇ ନେଇ ଯିବାର ବହୁତ ଘଟଣା ଶୁଣାଯାଏ ।

 

ବିଂଶ ଶତାବ୍ଦୀ ବିଜ୍ଞାନର ଏତେ ବଡ଼ ଦାନ ସମାଜର ସାମୂହିକ ମଙ୍ଗଳ ଲାଗି ପ୍ରୟୋଜିତ ନ ହୋଇ, ଶିକ୍ଷା ଓ ସାଂସ୍କୃତିକ ମାନର ଉନ୍ନତି ଓ ବିକାଶପାଇଁ ସଙ୍ଗଠିତ ଚେଷ୍ଟା ନ କରି ନିଜର ଆର୍ଥିକ ଉନ୍ନତିପାଇଁ ସମାଜର ଅମଙ୍ଗଳ ସାଧିତ ହେଲାପରି କାର୍ଯ୍ୟରେ ନିୟୋଜିତ କରାଇବା ମୂଳ ଗଣତାନ୍ତ୍ରିକ ଦୃଷ୍ଟି କୋଣରୁ କେତେ ଦୂର ସମୀଚୀନ, ତାହା ଭାବିବାର କଥା । ଯେଉଁ ଟେଲିଭିଜନ ସାହାଯ୍ୟରେ ପୃଥିବୀର ନିତ୍ୟନୂତନ ସୃଷ୍ଟିର ସୌନ୍ଦର୍ଯ୍ୟକୁ ମନୁଷ୍ୟ ଆଗରେ ଉପସ୍ଥାପିତ କରି ମନୁଷ୍ୟର ସଂଙ୍କୀର୍ଣ୍ଣ ମନକୁ ସ୍ୱର୍ଗୀୟ ଆନନ୍ଦରେ ବିକଶିତ କରାଯାଇ ପାରନ୍ତା, ମନୁଷ୍ୟ ସମାଜକୁ ନୂତନ ଆଦର୍ଶରେ ଅନୁପ୍ରାଣିତ ଓ ଉଦ୍‍ବୁଦ୍ଧ କରାଯାଇ ପାରନ୍ତା, ତାହା ଏହି କେତେ ଜଣ ଲୋକଙ୍କର ଅସୀମ ଅର୍ଥଲାଳସା ଯୋଗୁଁ ମନୁଷ୍ୟର ପଶୁତ୍ୱକୁ ଆହୁରି ଜୋର୍‍ରେ ତେଜିୟାନ କରି ସାମାଜିକ ବିଭ୍ରାଟ ସୃଷ୍ଟି କରୁଛି । ଆମେରିକାର ରେଡ଼ିଓ ଟେଲିଭିଜନ ତୁଳନାରେ ଇଂଲଣ୍ଡର ଏସବୁ ପ୍ରୋଗ୍ରାମ୍‍ ବହୁତ ଭଲ । ଆମ ଦେଶର ବେତାର ଅନୁଷ୍ଠାନ ଖୁବ୍‍ ଅଳ୍ପଦିନର ହୋଇଥିଲେ ସୁଦ୍ଧା ଆମେରିକା ବେତାର ଓ ଟେଲିଭିଜନ ଅନୁଷ୍ଠାନଠାରୁ ଢେର ଭଲ । ଆମେରିକା ଗଲାପରେ ଆମ ଦେଶର ବେତାର ଅନୁଷ୍ଠାନର ସାମାଜିକ ମୂଲ୍ୟବୋଧ ଓ ଶିକ୍ଷାଗତ ତାତ୍ପର୍ଯ୍ୟ ମୁଁ ଆହୁରି ଭଲ ଭାବରେ ହୃଦୟଙ୍ଗମ କରିପାରିଲି । ଆମର ବେତାର ଅନୁଷ୍ଠାନରେ କୌଣସି ବିଭ୍ରାଟ ହେଲେ ଅନ୍ତତଃ ଆମେ ଆମର ପାର୍ଲିଆମେଣ୍ଟ ସଭ୍ୟଙ୍କ ସାହାଯ୍ୟରେ ବେତାର ବିଭାଗ ମନ୍ତ୍ରୀଙ୍କୁ ପ୍ରଶ୍ନ କରିପାରୁ-ଉତ୍ତର ପାଇବାକୁ ଆଶା କରିପାରୁ-ଖୁବ୍‍ ବେଶି ବିଭ୍ରାଟ ହେଲେ ମନ୍ତ୍ରୀଙ୍କୁ ଏ ବିଭାଗ ଛାଡ଼ିଦେବାକୁ ବାଧ୍ୟ କରିପାରୁ । ଅବଶ୍ୟ ବର୍ତ୍ତମାନ ସରକାର କର୍ତ୍ତୃପକ୍ଷ ଏହି ବିରାଟ ସାମାଜିକ ଅନୁଷ୍ଠାନକୁ ସରକାରୀ ପ୍ରଚାରରେ ବ୍ୟବହାର କରିବାକୁ ଲାଗିଲେଣି । ଏହାର ମଧ୍ୟ ନିୟନ୍ତ୍ରଣ ଦରକାର । ସେଥିପାଇଁ ବି.ବି.ସି. ପରି ସ୍ୱତନ୍ତ୍ର ସଂସ୍ଥା ହାତରେ ଏହାକୁ ଛାଡ଼ିଦେବା ଭଲ । କିନ୍ତୁ ବ୍ୟକ୍ତି ବିଶେଷ ହାତରେ ଏତେ ବଡ଼ ସାମାଜିକ ଅନୁଷ୍ଠାନ ରହିଲେ ଜନସାଧାରଣଙ୍କ ପକ୍ଷରୁ କ’ଣ କରାଯାଇ ପାରେ ? ଲୋକେ ଏହି ଅନୁଷ୍ଠାନ ପ୍ରତି ବୀତସ୍ପୃହ ହୋଇଯାଇ ପାରନ୍ତି; କିନ୍ତୁ ତାକୁ ଅନ୍ୟ ରାସ୍ତାକୁ ଆଣିବାପାଇଁ ସେମାନଙ୍କର ଅନ୍ୟ କିଛି ଉପାୟ ନାହିଁ । ସମାଜର ମଙ୍ଗଳ ବା ଅମଙ୍ଗଳ ଲାଗି ବ୍ୟବହୃତ ହୋଇପାରୁଥିବା ଏତେ ବଡ଼ ସାମାଜିକ ଅନୁଷ୍ଠାନ ଉପରେ ଜନ ସାଧାରଣଙ୍କର ପୂର୍ଣ୍ଣ କର୍ତ୍ତୃତ୍ୱ ରହିବା ଗଣତାନ୍ତ୍ରିକ ନୀତି, ନା ବ୍ୟକ୍ତିବିଶେଷ ବ୍ୟବସାୟୀର ଲାଭ ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଥିବା ଅନୁଷ୍ଠାନ ଉପରେ ସବୁ ଛାଡ଼ି ଦେଇ ନିଃସହାୟ ହୋଇ ବସି ରହିବା ଗଣତାନ୍ତ୍ରିକ ନୀତି, ଏ ବିଷୟରେ ନିଶ୍ଚୟ ଗଭୀର ଚିନ୍ତା ଆବଶ୍ୟକ ।

Image

 

ଶିକ୍ଷାମାଧ୍ୟମ–ଖବରକାଗଜ

 

ଆମେରିକାର ଲୋକେ ଯେପରି ହୃଷ୍ଟପୁଷ୍ଟ ଓ ଲମ୍ବା ଚଉଡ଼ା, ଏଠାକାର ଖବରକାଗଜ ଗୁଡ଼ିକ ସେହିପରି ମୋଟାରୋଟା । ଆମର ଜୀର୍ଣ୍ଣଶୀର୍ଣ୍ଣ ଲୋକଙ୍କପାଇଁ ଚାରିଆଠ ପୃଷ୍ଠାର ଖବରକାଗଜ ହେଲେ ସେମାନଙ୍କପାଇଁ ଅନ୍ତତଃ ୬୪ ପୃଷ୍ଠାଠାରୁ ୧୨୮ପୃଷ୍ଠା ବ୍ୟାପି ଖବରକାଗଜ ହେବା ଦରକାର । ଲୋକପ୍ରିୟ ଖବରକାଗଜ ହେଲେ ଦିନକୁ ୪୦ ଲକ୍ଷ ଯାଏ ବିକ୍ରି ହେବାର ଦେଖାଯାଏ । କିନ୍ତୁ New York Times ପରି କୁଳୀନ ଖବରକାଗଜଗୁଡ଼ିକର କାଟ୍‍ତି ଏତେ ନୁହେଁ । ଏ ଦେଶର ଖବରକାଗଜ ଆମ ଖବରକାଗଜଠାରୁ ଯେ କେବଳ । ଆକାରରେ ଭିନ୍ନ ତା’ନୁହେଁ, ଖବର ପ୍ରଚାର କରିବା ପ୍ରଣାଳୀ ମଧ୍ୟ ଅଲଗା । ଆମ ଖବରକାଗଜରେ ଆନ୍ତର୍ଜାତିକ ଖବର ବେଶି ପରିମାଣରେ ଥାଏ; କିନ୍ତୁ ନିଉୟର୍କ ଟାଇମ୍ସ୍ ପରି କେତୋଟି ବିଶିଷ୍ଟ ଖବରକାଗଜକୁ ଛାଡ଼ିଦେଲେ ଆଉ ଅଧିକାଂଶ ଖବରକାଗଜରେ ଆନ୍ତର୍ଜାତିକ ଖବର ପ୍ରାୟ ନ ଥାଏ, ଏବଂ ଯଦିବା ଥାଏ ଖୁବ୍‍ ଅଳ୍ପ ପରିମାଣରେ । ଆମ ଖବରକାଗଜରେ ବରଂ ଆନ୍ତର୍ଜାତିକ ଖବର କମ୍‍ ଥିଲେ ଚଳିପାରନ୍ତା; କିନ୍ତୁ ପୃଥିବୀକୁ ନେତୃତ୍ୱ ଦେଉଥିବା ଏତେ ବଡ଼ ଦେଶ ପକ୍ଷରେ ଏହା କେତେଦୂର ସମୀଚୀନ ଭାବିବାର କଥା । ଫଳରେ ଆମେରିକାର ଜନସାଧାରଣ ଅନ୍ୟ ଦେଶ ସମ୍ବନ୍ଧରେ ବହୁତ କମ୍‍ ଖବର ରଖନ୍ତି । ଏପରିକି ଛାତ୍ର ଓ ଅଧ୍ୟାପକଙ୍କ ଭିତରେ ମଧ୍ୟ ଏପ୍ରକାର ଅଜ୍ଞତା ଅତିମାତ୍ରାରେ ଦେଖାଯାଏ । ତାହାହେଲେ ଏତେ ମୋଟା ମୋଟା ଖବରକାଗଜ ଭିତରେ ଆଉ କଣ ଥାଏ ?

 

ଅନ୍ୟାନ୍ୟ ବ୍ୟବସାୟ ପ୍ରତିଷ୍ଠାନ ପରି ଆମେରିକାରେ ଖବରକାଗଜ ମଧ୍ୟ ଗୋଟିଏ ପ୍ରଧାନ ବ୍ୟବସାୟ ପ୍ରତିଷ୍ଠାନ । ଆମେରିକାପରି ଦେଶରେ ଗୋଟିଏ ଖବରକାଗଜ ଚଳାଇବା କମ୍‍ ବ୍ୟୟସାପେକ୍ଷ ନୁହେଁ । ଯାହାର ଲକ୍ଷ ଲକ୍ଷ ଟଙ୍କା ହାତରେ ଥିବ ସେହି କେବଳ ଗୋଟିଏ ଖବରକାଗଜ ଭଲଭାବରେ ଚଳାଇ ପାରିବ । ତା’ ଅର୍ଥ ଆମେରିକାର ସମସ୍ତ ଖବରକାଗଜ ବଡ଼ ବଡ଼ ଶିଳ୍ପପତି ଓ ପୁଞ୍ଜପତିଙ୍କ ହାତରେ ରହିବାକୁ ବାଧ୍ୟ । ଖାଲି ସେତିକି ନୁହେଁ, ଗୋଟିଏ ଖବର କାଗଜରୁ ଲାଭ ଉଠାଇବାକୁ ହେଲେ ବିଜ୍ଞାପନ ଉପରେ ହିଁ ଚଳିବାକୁ ପଡ଼ିବ । ଜଣାଯାଏ, କେତେକ ଖବରକାଗଜ ଏହି ବିଜ୍ଞାପନରୁ ଏତେ ବେଶି ଆଦାୟ କରନ୍ତି ଯେ, ଖବରକାଗଜ ଲୋକଙ୍କୁ ବିକ୍ରି ନ କରି ଛପାହେବା ସଙ୍ଗେ ସଙ୍ଗେ ସେ ସବୁକୁ ସମୁଦ୍ରରେ ଫୋପାଡ଼ି ଦିଆଗଲେ ସୁଦ୍ଧା ସେମାନଙ୍କର ବହୁତ ଲାଭ ହୁଅନ୍ତା । ତା’ ଅର୍ଥ ଖବରକାଗଜ ବଜାରକୁ ନେଇ ବିଭିନ୍ନ ଦୋକାନରେ ବାଣ୍ଟି, ସେମାନଙ୍କୁ ସେମାନଙ୍କର ବିକ୍ରି ଅଂଶ ଦେଲା ପରେ ଆଉ ଯାହା ରହେ, ତାହା ଅପେକ୍ଷା ପ୍ରଥମରୁ ଫୋପାଡ଼ିଦେଲେ ବେଶି ଲାଭ ହୁଅନ୍ତା । କିନ୍ତୁ ବିକ୍ରି ନ ହେଲେ ବିଜ୍ଞାପନ ବା ମିଳିବ କାହିଁକି ? ଏହା ସଂପୂର୍ଣ୍ଣରୂପେ ସତ୍ୟ ନ ହୋଇପାରେ, କିନ୍ତୁ ଏହାର ତାତ୍ପର୍ଯ୍ୟ ହେଉଛି ଯେ ବିଜ୍ଞାପନରୁ ହିଁ ସେମାନେ ସମସ୍ତ ଲାଭ ଉଠାଇ ଥାଆନ୍ତି । ତେଣୁ ପ୍ରତ୍ୟେକ ଖବରକାଗଜ ବ୍ୟବସାୟ ପ୍ରତିଷ୍ଠାନମାନଙ୍କ ଉପରେ ବିଜ୍ଞାପନ ପାଇଁ ସଂପୂର୍ଣ୍ଣରୂପେ ନିର୍ଭର କରିଥାଏ । ଫଳରେ ମୁଷ୍ଟିମେୟ ପୁଞ୍ଜିପତିଙ୍କ ଦ୍ୱାରାହିଁ ସମସ୍ତ ଖବରକାଗଜ ନିୟନ୍ତିତ ହୋଇଥାଏ । ସରକାରୀ ନୀତି ଓ ପରିଚାଳନା ଉପରେ ମଧ୍ୟ ଏହି ମୁଷ୍ଟିମେୟ ଧନକୁବେରଙ୍କର ଅଖଣ୍ଡ ପ୍ରଭାବ । ତେଣୁ ପୁଞ୍ଜିବାଦ ନୀତି ଯୋଗୁଁ ସାମାଜିକ ବିଭ୍ରାଟ ଓ ଆନ୍ତର୍ଜାତିକ କ୍ଷେତ୍ରରେ ଆମେରିକାର ଅଶୋଭନୀୟ ଦୃଷ୍ଟିଭଙ୍ଗୀ ପ୍ରଭୃତି ବିଷୟରେ ଖବରକାଗଜରେ ବିଶେଷ ଭାବରେ ଆଲୋଚିତ ହୋଇ ନ ଥାଏ । ଆନ୍ତର୍ଜାତିକ ରାଜନୀତି ବିଷୟରେ ଅନେକ ସମୟରେ ଏକଦେଶଦର୍ଶୀ ଖବରମାନ ସଂଗୃହୀତ ହୋଇ ପ୍ରଚାରିତ ହୋଇଥାଏ । ଉଦାହରଣ ସୁରୂପ କୁହାଯାଇପାରେ ଯେ ଆମେରିକା ସରକାରଙ୍କ ବୈଦେଶିକନୀତି ପାକିସ୍ଥାନ ସପକ୍ଷରେ ଥିବାରୁ ଖବରକାଗଜରେ ମଧ୍ୟ ଭାରତ ସମ୍ପର୍କରେ ଯେତେବେଳେ ଖବର ପ୍ରକାଶ ପାଏ ସେତେବେଳେ ପାକିସ୍ଥାନକୁ ସହାନୁଭୂତି ଦେଖାଯାଇଥାଏ ଓ ଭାରତକୁ ସମାଲୋଚନା କରାହୋଇଥାଏ । ବହୁ ଆଲୋଚନା ସଭାରେ ମୁଁ ଯେତେବେଳେ ସ୍ଵାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ଭାରତ ଓ ପାକିସ୍ଥାନ ଘଟଣା ନେଇ ଯାହା ଯାହା ଘଟିଯାଇଛି ସେସବୁ ବିଷୟରେ କହିଲି, ଛାତ୍ର ତଥା ଅଧ୍ୟାପକମାନେ ଆଶ୍ଚର୍ଯ୍ୟ ହୋଇ କହିଲେ ଯେ ସେମାନେ ସେସବୁ ବିଷୟରେ ଆଦୈ ଜାଣନ୍ତି ନାହିଁ । ମିଷ୍ଟର ନିକ୍‌ସନଙ୍କ ବୈଦେଶିକନୀତି ନେଇ ତଥ୍ୟ ସବୁ ଉପସ୍ଥାପିତ କଲା ପରେ ଜଣେ ଦୁଇ ଜଣଙ୍କୁ ଛାଡ଼ିଦେଲେ ଆଉ କେହି ଛାତ୍ର କିମ୍ୱା ଅଧ୍ୟାପକ ନିକ୍ସନଙ୍କ ବୈଦେଶିକ ନୀତିକୁ ସମର୍ଥନ କରି ନଥିଲେ । ଏହା ମୋତେ ଖୁବ୍‍ ବେଶି ଅଶ୍ଚର୍ଯ୍ୟ ଲାଗିଲା । ମୁଁ ଭାବିଥିଲି ଅନ୍ତତଃ ଶତକରା ପଚାଶ ନିକ୍‌ସନଙ୍କ ବୈଦେଶିକ ନୀତିକୁ ଗ୍ରହଣ କରିବେ ତ’ ଆଉ ପଚାଶ ତାଙ୍କ ବିରୁଦ୍ଧରେ ମତ ଦେବେ; କିନ୍ତୁ ସମସ୍ତେ ତାଙ୍କ ବିରୁଦ୍ଧରେ ମତ ଦେବେ ତାହା ପ୍ରକୃତରେ ଆଶ୍ଚର୍ଯ୍ୟର କଥା । ଅବଶ୍ୟ ଏହା ଜନସାଧାରଣଙ୍କର ମତାମତ ନହୋଇପାରେ । ମୁଁ ବିଶେଷକରି ଛାତ୍ର ଓ ଅଧ୍ୟାପକଙ୍କ ସହିତ କଥାବାର୍ତ୍ତା କରିବାକୁ ସୁଯୋଗ ପାଇଥିଲି । ଏହିଭଳି ବିଷୟରେ ଏମାନଙ୍କର ଅଜ୍ଞତାର ପ୍ରଧାନ କାରଣ ହେଲା ଯେ, ଏମାନେ ଖବରକାଗଜରୁ ଏ ପ୍ରକାର ଖବର ଆଦୌ ପାଇ ପାରନ୍ତି ନାହିଁ । ଭାରତ, ସୋଭିଏଟ ରୁଷ, ଇଜିପ୍ଟ ପ୍ରଭୃତି ଦେଶ ବିରୁଦ୍ଧରେ ଖବରକାଗଜରେ ଏତେ ବେଶି ବିସ୍ଫୋରଣ ହୁଏ ଯେ, ଜନସାଧାରଙ୍କର ଏ ସବୁ ଦେଶ ପ୍ରତି କୌଣସି ଭଲ ଧାରଣା ଜନ୍ମିବା ଅସମ୍ଭବ । ଲୋକଙ୍କ ପକ୍ଷରେ ଭିନ୍ନ ପ୍ରକାର ଖବର ପାଇବା ମଧ୍ୟ ବଡ଼ କଷ୍ଟକର । ଖବର କାଗଜର ପରିଚାଳକ ସହିତ ଖବର ପରିବେଷଣର କି ଘନିଷ୍ଠ ସମ୍ପର୍କ ଅଛି ତାହା ଏଥିରୁ ସହଜରେ ଅନୁମେୟ । ଆମ ଦେଶରେ ମଧ୍ୟ ଏ ପ୍ରକାର ସମ୍ପର୍କ ଖୁବ୍‍ ଅନିଷ୍ଟ କରୁଛି । ଯାହା ହାତରେ ଖବରକାଗଜ ରହିଲା ସେ ଯାହା କଲା ତାହାର ଟିକିନିଖି ଖବର ପ୍ରକାଶ ପାଇଥାଏ । ସେ ଯେଉଁଠାରେ ଯାହା କରିବ ତାହାର ବିଶଦ ବିବରଣୀ ଖବରକାଗଜରେ ପ୍ରକାଶିତ ହେବା ଯେପରି ନିହାତି ଦରକାର । ଗୋଟିଏ ଗୋଟିଏ ଖବରକାଗଜରେ କାଗଜ କର୍ତ୍ତୃପକ୍ଷଙ୍କର ବକ୍ତୃତା ଏତେ ବେଶି ବାହାରେ ଯେ, ଗବେଷଣା କଲେ ନିଶ୍ଚୟ ଜଣାଯିବ କେହି ଜଣେ ସୁଦ୍ଧା ହୁଏତ ସେହି ଲମ୍ବା ବକ୍ତୃତା ଥରେ ସୁଦ୍ଧା ପଢ଼ି ନ ଥିବେ । ତଥାପି ପଇସା ଦେଇ ସେହି ଖବରକାଗଜ କିଣିବାକୁ ହୁଏ । ଯାହା ସହିତ କର୍ତ୍ତୃପକ୍ଷଙ୍କର ମନୋମାଳିନ୍ୟ ହେଲା ତ’ ଖବରକାଗଜରେ ସେମାନଙ୍କର ନାମ ସୁଦ୍ଧା ପ୍ରକାଶ କରାଯାଏ ନାହିଁ । ତାହାହେଲେ ଖବରକାଗଜ ପ୍ରତିଷ୍ଠାନ ନିଜ ସେବା ଛଡ଼ା ସମାଜ ସେବା କଲେ କିପରି ? ଆମେରିକା ପ୍ରଭୃତି ପୁଞ୍ଜିବାଦୀ ଦେଶମାନଙ୍କୁ ଆମର ଖବରକାଗଜ ପ୍ରତିଷ୍ଠାନମାନ ବେଶି ପରିମାଣରେ ଅନୁକରଣ କଲାପରି ଜଣାଯାଏ ।

 

ଏ ତ’ ଗଲା ରାଜନୀତି ଓ ବୈଦେଶିକ ନୀତିଗତ ଖବର ପରିବେଷଣ । ଅନ୍ୟାନ୍ୟ ଖବର ପରିବେଷଣ ପଛରେ ମଧ୍ୟ ଖବରକାଗଜ କର୍ତ୍ତୃପକ୍ଷଙ୍କର ବ୍ୟକ୍ତିଗତ ନୀତି ପ୍ରଚ୍ଛନ୍ନ ଭାବରେ କାମ କରୁଥାଏ । ଯେତେ ବେଶି ସଙ୍ଖ୍ୟାରେ କାଗଜ ବିକ୍ରି ହେବ ସେତେ ବେଶି ସେମାନେ ବିଜ୍ଞାପନ ପାଇବେ ଓ ସେତେ ବେଶି ଲାଭ ହେବ । ତେଣୁ ଖବରକାଗଜ କାଟତି ପାଇଁ ନାନା ପ୍ରକାର ଉପାୟ ଅବଲମ୍ବନ କରାଯାଏ । ସାମାନ୍ୟ ଘଟଣାକୁ ଖୁବ୍‍ ଅତିରଞ୍ଜିତ ଭାବରେ ବର୍ଣ୍ଣନା କରି ରୋମାଞ୍ଚକର ଘଟଣାରେ ପରିଣତ କରିବା ଲାଗି ଏମାନଙ୍କର ଅଦମ୍ୟ ଚେଷ୍ଟା । ଚୋରୀ ଡକାୟତି, ନାରୀଧର୍ଷଣ, ଛାଡ଼ପତ୍ର ଖବର ପ୍ରଭୃତି ବିଷୟଗୁଡ଼ିକୁ ଖୁବ୍‍ ବେଶି ପ୍ରାଧାନ୍ୟ ଦିଆ ହୋଇଥାଏ । ଇଂଲଣ୍ଡର ରାଣୀଙ୍କ ଛବି, ସଉଦି ଆରେବିଆର ନବାବ ଓ ତାଙ୍କର ନଅରର ଛବି, କେଉଁ ସ୍ତ୍ରୀଲୋକ ଅଷ୍ଟମ ଥରପାଇଁ ଛାଡ଼ପତ୍ର ଦରଖାସ୍ତ କଲା ତା’ର ବିଭିନ୍ନ ଛବି ଓ ଜୀବନୀ ଏବଂ ବ୍ୟକ୍ତିବିଶେଷର କଳଙ୍କମୟ କାହାଣୀ ପ୍ରଭୃତି ଖବରରେ କାଗଜ ଭର୍ତ୍ତି । କେତେକ ଲୋକପ୍ରିୟ କାଗଜମାନଙ୍କରେ ମାତ୍ର ଏକଅଷ୍ଟମାଂଶ ସ୍ଥାନ ଖବର ଲାଗି ଛାଡ଼ି ଆଉ ସପ୍ତ-ଅଷ୍ଟମାଂଶ ସ୍ଥାନ ବିଜ୍ଞାପନରେ ଭର୍ତ୍ତି କରାଯାଏ ଏବଂ ଏହି ଏକଅଷ୍ଟମାଂଶ ସ୍ଥାନରେ ଉପରଲିଖିତ ଖବରଗୁଡ଼ିକ ହିଁ ବେଶି ସ୍ଥାନ ପୂରଣ କରିଥାଏ । ଅନ୍ୟାନ୍ୟ ବୈଦେଶିକ ଖବର, ବିଜ୍ଞାପନ ଓ ଏ ପ୍ରକାର ଖବର ମଝିରେ ଖୁନ୍ଦି ଦିଆଯାଇଥାଏ । ତେଣୁ ଅନେକ ସମୟରେ କାଗଜରେ ବୈଦେଶିକ ଖବର ଓ ରାଜନୀତିଗତ ଖବର ଆବିଷ୍କାର କରିବା କଷ୍ଟକର ବ୍ୟାପାର ହୋଇପଡ଼େ । ଏ ପ୍ରକାର ଖବର ଓ ବିଜ୍ଞାପନ ପରିବେଷଣ ମଧ୍ୟ ଆମ ଦେଶ ଖବରକାଗଜ ଉପରେ କମ୍‍ ପ୍ରଭାବ ବିସ୍ତାର କରିନାହିଁ । ଆମ ଦେଶର କେତେକ ଆଞ୍ଚଳିକ ଖବରକାଗଜ ଗୋଟିଏ କ୍ରୋଡ଼ପତ୍ର ଅଧିକା ଦେଲେ ବେଶି ପଇସା ଦାବି କରନ୍ତି । ଅଥଚ ଏହି ଅଧିକା ପୃଷ୍ଠାଟି କେବଳ ବିଜ୍ଞାପନରେ ଭର୍ତ୍ତି । ଏଥିପାଇଁ ଏମାନେ ଦୁଇଥର ପଇସା ପାଆନ୍ତି-ବିଜ୍ଞାପନ ଦେବା ଲୋକଠାରୁ ଥରେ ଓ ଖବରକାଗଜ କ୍ରେତାଠାରୁ ଆଉ ଥରେ । ଅବଶ୍ୟ ଅଧିକାଂଶ ମାର୍କିନ୍‍ ଖବରକାଗଜର ସାଧାରଣ ବୈଶିଷ୍ଟ୍ୟ ଏପରି ହେଲେହେଁ ଏ ଦେଶରେ ଗଣତାନ୍ତ୍ରିକ ପରମ୍ପରା ବହୁ ବର୍ଷ ଧରି ଚାଲିଆସୁଥିବାରୁ ଜାକ୍‍ ଆଣ୍ଡରସନ୍‍ଙ୍କ ପରି ନିର୍ଭିକ ସାମ୍ବାଦିକ ଏବଂ ଲାଇଫ, ଟାଇମ୍‍ ପ୍ରଭୃତି ପତ୍ର ପତ୍ରିକା ଯୋଗୁ ଯେ ପ୍ରକାର ରାଜନୈତିକ ଚାଞ୍ଚଲ୍ୟକର ଘଟଣା ପ୍ରଚାରିତ ହୁଏ ତାହା ନିଶ୍ଚୟ ସମାଜର ବହୁ ଉପକାର କରେ । ଭିଏତ୍‍ନାମ ଯୁଦ୍ଧର ବର୍ବରତା ସମ୍ବନ୍ଧରେ କିମ୍ୱା ନିକ୍ସନଙ୍କର ଓ୍ୱାଟରଗେଟ୍‍ ବ୍ୟାପାର ସଂକ୍ରାନ୍ତୀୟ ଯେଉଁସବୁ ଘଟଣା ଖବରକାଗଜରେ ପ୍ରକାଶ ପାଉଛି ତାହା ଏମାନଙ୍କର ଗଣତାନ୍ତ୍ରିକ ଚେତନାର ନିଶ୍ଚୟ ବଳିଷ୍ଠ ନିଦର୍ଶନ । ଏପ୍ରକାର ଭୟଶୂନ୍ୟ ସାମ୍ବାଦିକତା ଆମ ଦେଶରେ ବିରଳ କହିଲେ ଚଳେ ।

 

ତା’ଛଡ଼ା ଆଉ କେତେକ ଅଳ୍ପ ସଙ୍ଖ୍ୟକ ଖବରକାଗଜ ଅଛି ଯେଉଁଥିରେ ବହୁ ଉପାଦେୟ ପ୍ରବନ୍ଧ, ଆଲୋଚନା,, ଦେଶ ବିଦେଶର ଖବର ବାହାରେ । ଅବଶ୍ୟ ଏପରି କାଗଜ କମ୍‍ ଲୋକେ ପଢ଼ନ୍ତି । କିନ୍ତୁ ଏପରି କାଗଜ ଭାରତରେ ବହୁତ କମ୍‍ ଦେଖିବାକୁ ମିଳେ । ଭାରତୀୟ କାଗଜରେ ସମ୍ପାଦକଙ୍କ ଆତ୍ମ ବଡ଼ିମା ଯେପରି ବିଶଦ ଭାବରେ ପ୍ରକାଶିତ ହୋଇଥାଏ ସେପରି କାଗଜ ବହୁତ କମ୍‍ ଏଠାରେ ଦେଖିବାକୁ ମିଳେ ।

 

ଆଧୁନିକ ଜଗତରେ ଶିକ୍ଷା, ସଂସ୍କୃତି, ଆନ୍ତର୍ଜାତିକ ସଦ୍‍ଭାବ ଓ ଜାତୀୟ ବିକାଶ ପ୍ରଭୃତି ବିଷୟରେ ଲୋକଙ୍କର ଶିକ୍ଷା ଖବରକାଗଜରୁ ହେବା ଉଚିତ । ରେଳ, ବ୍ୟୋମଯାନ, ତା’ର ବେତାର ପ୍ରଭୃତି ଆଧୁନିକ ଖବର ସରବରାହ ଉପାୟମାନ ଯୋଗୁଁ ଖବରକାଗଜର ପ୍ରାଧାନ୍ୟ ବହୁ ପରିମାଣ ବଢ଼ି ଯାଇଛି । ପୃଥିବୀର ବର୍ତ୍ତମାନର ଘଡ଼ିସନ୍ଧି ବେଳେ ଖବରକାଗଜର ପ୍ରଭାବ ବହୁତ ବେଶି । ଖବର ସରବରାହ ପ୍ରତିଷ୍ଠାନ ଉପରେ ଦେଶର ହିତାହିତ ଏତେ ବେଶି ନିର୍ଭର କରେ ଯେ, ତାକୁ ଦାୟିତ୍ୱହୀନ, ଲାଭଖୋର ଓ ସଂକୀର୍ଣ୍ଣ ସ୍ଵାର୍ଥନ୍ୱେଷୀ ଲୋକମାନଙ୍କ ହାତରେ ପୂରାପୂରି ଛାଡ଼ିଦେବା ଉଚିତ ନୁହେଁ । ବିଂଶଶତାବ୍ଦୀର ମାନବସମାଜ ରାଜା ବା ଏକଚ୍ଛତ୍ର ଶାସକର ଖାମଖିଆଲି ମର୍ଜି ଉପରେ ରାଜ୍ୟ ଶାସନ ଛାଡ଼ି ନଦେଇ ଗଣତନ୍ତ୍ର ନିୟମାନୁଯାୟୀ ଲୋକ ପ୍ରତିନିଧିଙ୍କ ଦ୍ୱାରା ଶାସନକାର୍ଯ୍ୟ ଚଳାଇବା ନୀତିକୁ ବିନା ଦ୍ୱିଧାରେ ଗ୍ରହଣ କରି ନେଉଥିଲା ବେଳେ ସମାଜର ହିତାହିତ ନିୟନ୍ତ୍ରଣ କରୁଥିବା ଏତେ ବଡ଼ ଶକ୍ତିଶାଳୀ ଅନୁଷ୍ଠାନକୁ ବ୍ୟକ୍ତିବିଶେଷର ଲାଭ ଲାଳସା ଓ ଖାମଖିଆଲ ଉପରେ କିପରି ଛାଡ଼ି ଦେଇଛି ଭାବିବାର କଥା । କେତେ ଜଣ ଲୋକଙ୍କର ସ୍ୱାର୍ଥଗତ ମତାମତକୁ ଲକ୍ଷ ଲକ୍ଷ ଲୋକଙ୍କର ମୁଣ୍ତ ଭିତରେ ନାନା ବୈଜ୍ଞାନିକ ଉପାୟରେ ପୂରାଇବାକୁ ଚେଷ୍ଟା କରିବା କି ପ୍ରକାର ଗଣତାନ୍ତ୍ରିକ ନୀତି ଏ ପ୍ରଶ୍ନ ମୋତେ ବାରମ୍ବାର ବିଚଳିତ କରିଥିଲା । ଏ ପ୍ରକାର ପ୍ରଶ୍ନ ମୋର ଆମେରିକା ଅବସ୍ଥାନ ବେଳେ ମୋ ମନରେ ଯେତେ ବେଶି ଆନ୍ଦୋଳନ ସୃଷ୍ଟି କରିଥିଲା ଆମ ଦେଶରେ ଥିବାବେଳେ ସେପରି ଭାବରେ ମୋତେ ଦେଖାଯାଇ ନଥିଲା । ଖବରକାଗଜ ସମାଜ ଦ୍ୱାରା ଗଣତାନ୍ତ୍ରିକ ନୀତିରେ ନିୟନ୍ତ୍ରିତ ନହୋଇ ପାରିଲେ ଆମେରିକା ପରି ଆମ ଦେଶରେ ମଧ୍ୟ ଏ ପ୍ରକାର ଭୟଙ୍କର ପରିସ୍ଥିତି କିଛି ବର୍ଷ ଭିତରେ ସୃଷ୍ଟି ହୋଇପାରେ । ତେଣୁ ମୋ’ ମତରେ ଖବରକାଗଜ ପରି ବିରାଟ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସମବାୟ ସୂତ୍ରରେ ପ୍ରତିଷ୍ଠିତ ଓ ପରିଚାଳିତ ହେବା ଦରକାର । ଲୋକଙ୍କ ଦ୍ୱାରା ନିର୍ବାଚିତ ପରିଚାଳକ ଓ ସମ୍ପାଦକ କେତେକ ବର୍ଷପାଇଁ ଖବରକାଗଜ ପରିଚାଳନାରେ ରହିଲେ ଅନେକ ପରିମାଣରେ ସେମାନଙ୍କର ସ୍ୱାର୍ଥଗତ ଲାଳସା ନିୟନ୍ତ୍ରିତ ହୋଇପାରେ । ଏ ପ୍ରକାର ଅନୁଷ୍ଠାନରେ ଯେତେପ୍ରକାର ଅସୁବିଧା ହେଲେ ସୁଦ୍ଧା ବର୍ତ୍ତମାନ ପ୍ରଚଳିତ ଖବରକାଗଜ ଠାରୁ ଯେ ବହୁତ କମ୍‍ କ୍ଷତିକାରକ ହେବ ଏଥିରେ ସନ୍ଦେହ ନାହିଁ ।

Image

 

ଛାତ୍ରମାନଙ୍କର ଶିକ୍ଷାପ୍ରତି ଆଗ୍ରହ

 

ସଂଗ୍ରାମରେ ଜୟଲାଭ ଯୁଦ୍ଧ କ୍ଷେତ୍ରରେ ଲଢ଼େଇ କରୁଥିବା ସୈନ୍ୟମାନଙ୍କ ଉପରେ ଯେତିକି ନିର୍ଭର କରେ ସେମାନଙ୍କ ପଛରେ ଶିକ୍ଷା ଲାଭ କରୁଥିବା ଯୁବକମାନଙ୍କ ଉପରେ ସେତିକି ନିର୍ଭର କରେ । କେତେକ କ୍ଷେତ୍ରରେ ଫଳାଫଳ ବରଂ ନୂତନ ଶିକ୍ଷାପ୍ରାପ୍ତ ନାଗରିକଙ୍କ ଉପରେ ହିଁ ବେଶି ନର୍ଭର କରିଥାଏ । ସେହି ଦୃଷ୍ଟିରୁ ପ୍ରତ୍ୟେକ ଦେଶର ଛାତ୍ରସମାଜକୁ ବିଚାର କରିବା ଉଚିତ ।

 

ଆମେରିକାର ଛାତ୍ର ସମାଜ ଆମ ଦେଶର ଛାତ୍ରମାନଙ୍କଠାରୁ ଅନେକ କ୍ଷେତ୍ରରେ ତଫାତ୍‍ । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ସମାଜ ଅନୁସାରେ ଛାତ୍ର ଏବଂ ଛାତ୍ର ଅନୁସାରେ ଭବିଷ୍ୟତ ସମାଜ । ଭାରତୀୟ ସମାଜ ଆମେରିକା ସମାଜଠାରୁ ବହୁତ ତଫାତ୍‍ । ତେଣୁ ଏମାନଙ୍କ ଭିତରେ ତଫାତ୍‍ ରହିବା ସ୍ଵାଭାବିକ; କିନ୍ତୁ ଛାତ୍ର ହିସାବରେ ପୃଥିବୀ ତମାମ ଛାତ୍ର ସମାଜ ଭିତରେ କେତେଗୁଡ଼ିଏ ସାମଞ୍ଜସ୍ୟ ରହିବା କଥା । ଇଂଲଣ୍ଡ ଓ ଆମେରିକାର ଛାତ୍ରସମାଜ ଭିତରେ ଯେଉଁ ସାମଞ୍ଜସ୍ୟ ଅଛି ଆମ ଦେଶ ଛାତ୍ରମାନଙ୍କ ସହିତ ଏମାନଙ୍କର ସେ ପ୍ରକାର ସାମ୍ୟ ନାହିଁ । ସେଥିଲାଗି ଦେଶଗତ ସାମାଜିକ ଓ ଶିକ୍ଷାନୀତିଗତ କାରଣମାନ ରହିଛି । ଉଦାହରଣସ୍ୱରୂପ ଇଂଲଣ୍ଡ ଓ ଆମେରିକାର ଅଧିକାଂଶ ଛାତ୍ର ବିଶ୍ୱବିଦ୍ୟାଳରେ ବହୁ ଆଗ୍ରହର ସହିତ ପଢ଼ାପଢ଼ି କରନ୍ତି-। ସେମାନେ ଲାଇବ୍ରେରିରେ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ସମୟ କଟାନ୍ତି । ଶିଖିବାକୁ ସେମାନଙ୍କର ଅଦମ୍ୟ ଆଗ୍ରହ ଓ ଉତ୍ସାହ । କିନ୍ତୁ ଆମ ଦେଶର ବହୁ ଛାତ୍ର ଲାଇବ୍ରେରିକୁ ଖୁବ୍‍ କମ୍‍ ଯାଆନ୍ତି । ଅନେକଙ୍କର ପଢ଼ାପଢ଼ିରେ ବିଲ୍‍କୁଲ୍‍ ଆଗ୍ରହ ନ ଥାଏ, ତଥାପି ସେମାନେ କଲେଜରେ ଫେଲ୍‍ଫାଲ୍‍ ହୋଇ ମଧ୍ୟ ରହିଥାଆନ୍ତି, କାରଣ ସେମାନଙ୍କର ଅନ୍ୟ କୌଣସି ଉପାୟ ବା ପନ୍ଥା ନଥାଏ । ପ୍ରକୃତରେ ଜ୍ଞାନ ଅର୍ଜନପାଇଁ ଅନେକେ କଲେଜକୁ ଆସନ୍ତି ନାହିଁ । କୌଣସିମତେ ପଢ଼ାପଢ଼ି ଟିକିଏ କରି ପାସ୍‍ କରିବାପାଇଁ ସେମାନେ ବ୍ୟଗ୍ର । ଏଠି ଯେକୌଣସି କଲେଜ ଲାଇବ୍ରେରିରେ ପହଞ୍ଚିଗଲା କ୍ଷଣି ଶହ ଶହ ପିଲାଙ୍କୁ ଦେଖିଲେ ପେଟ ପୂରିଯିବ; କିନ୍ତୁ ଆମ ଦେଶରେ ଯେଉଁଠି ବା ଲାଇବ୍ରେରି ଅଛି ସେଠି ଚୌକି ବେଞ୍ଚ ଖାଲି ପଡ଼ିଥାଏ । ଆମର କଲେଜ ଫାଟକ, ଗଛମୂଳ, ପୋର୍ଟିକ ତଳ, ପାନ ଦୋକାନ ବଡ଼ କୋଳାହଳମୟ ସ୍ଥାନ । କାରଣ କ’ଣ ? ଆମ ପିଲେ କ’ଣ ତାହାହେଲେ ସ୍ୱଭାବିତଃ ଅଳସୁଆ ? ଶିକ୍ଷା ପ୍ରତି ବୀତସ୍ପୃହ ? କୌଣସି କାମପାଇଁ ବୀତସ୍ପୃହ ? ଅପାତତଃ ସେଇୟା ମନେହେବ ଏବଂ ହୁଏତ ଏହା ଠିକ୍‍ । କିନ୍ତୁ କାହିଁକି ?

 

ଏହା ନିଶ୍ଚିତ ନୁହେଁ ଯେ ଆମ ପିଲାଙ୍କର ବୁଦ୍ଧି କମ୍‍ ବା କାମ କରିବା ଲାଗି ମାନସିକ କ୍ଷମତା କମ୍‍ । ହୋଇପାରେ ଯଥେଷ୍ଟ ପୁଷ୍ଟିକର ଖାଦ୍ୟର ଅଭାବ ହେତୁ କେତେକଙ୍କର ପରିଶ୍ରମ କରିବା ଲାଗି ଯଥେଷ୍ଟ ଶକ୍ତି ନଥାଇ ପାରେ, କିନ୍ତୁ ସମସ୍ତଙ୍କ ପକ୍ଷରେ ଏହା ସତ୍ୟ ନୁହେଁ ।

 

ଏଠାକାର କଲେଜରେ ପିଲାମାନେ ହପ୍ତାରେ ଦଶରୁ ପନ୍ଦର ଷୋଳ ଘଣ୍ଟା ଯାଏ କ୍ଳାସ କରନ୍ତି, ଅର୍ଥାତ୍‍ ଦିନକୁ ଦୁଇ ତିନି ଘଣ୍ଟା କରି କ୍ଲାସକୁ ଯାଆନ୍ତି; ତା’ ପରେ ଅବଶିଷ୍ଟ ସମୟ ଲାଇବ୍ରେରିରେ କଟାନ୍ତି । ପ୍ରଥମତଃ ସେମାନଙ୍କୁ ଲାଇବ୍ରେରିକୁ ଯିବା ଲାଗି ବେଶି ସମୟ ମିଳେ । ଦ୍ୱିତୀୟତଃ ସେମାନଙ୍କୁ ଏପରି ଭାବରେ କ୍ଲାସରେ ପଢ଼ାଯାଏ ଯେ ଲାଇବ୍ରେରିରେ ଯାଇ ନ ପଢ଼ିଲେ ସେମାନେ ପାରି ଉଠିବେ ନାହିଁ । ଆମ ଦେଶରେ ଅଧ୍ୟାପକମାନେ ପ୍ରତ୍ୟେକ ବିଷୟବସ୍ତୁକୁ ଯେପରି ବିଶଦ ଭାବରେ ପଢ଼ାନ୍ତି ଏମାନେ ସେପରି ପଢ଼ାନ୍ତି ନାହିଁ । ତେଣୁ ଅଧ୍ୟାପକ ଓ ଛାତ୍ରମାନେ ପଢ଼ିବାପାଇଁ ବେଶି ସମୟ ପାଆନ୍ତି । ତା’ଛଡ଼ା । ଲାଇବ୍ରେରିରେ ନିୟମିତ ଭାବରେ ନପଢ଼ିଲେ ମଝିରେ ମଝିରେ ହେଉଥିବା ପରୀକ୍ଷାରେ ଛାତ୍ରମାନେ ଭଲ କରି ପାରିବେ ନାହିଁ ଏବଂ ଏହିସବୁ ପରୀକ୍ଷାର ଫଳାଫଳ ଉପରେ ସେମାନଙ୍କର ଶେଷ ପାସ୍‍ ଫେଲ ନିର୍ଭର କରେ । ଯେଉଁ ଶିକ୍ଷକମାନେ ପଢ଼ାନ୍ତି ସାଧାରଣତଃ ସେମାନେ ହିଁ ପରୀକ୍ଷା କରନ୍ତି ଏବଂ ପରୀକ୍ଷାର ଶେଷ ଫଳାଫଳ ମଧ୍ୟ ସେମାନଙ୍କ ଉପରେ ନିର୍ଭର କରେ । ତେଣୁ ଛାତ୍ରମାନେ ନିୟମିତ ଭାବେ ପଢ଼ାପଢ଼ି କରି ଶିକ୍ଷକଙ୍କୁ ବରାବର ଖୁସି କରି ରଖିବାକୁ ଚେଷ୍ଟା କରନ୍ତି ।

 

ଆମ ଦେଶରେ ପିଲାମାନେ ବର୍ଷସାରା ନ ପଢ଼ି ପରୀକ୍ଷା ପୂର୍ବରୁ କିଛି ନୋଟ୍‍ ଘୋଷି ପାସ୍‍ କରି ଯାଇପାରନ୍ତି । ତେଣୁ ବର୍ଷସାରା ନିୟମିତ ଭାବେ ନ ପଢ଼ିଲେ ମଧ୍ୟ ତାଙ୍କର ଚଳେ । କିନ୍ତୁ ମାସେ ଦି ମାସ ପଢ଼ି ଯେଉଁ ପିଲା ପାସ୍ କରେ ତା’ର ପ୍ରକୃତ ଜ୍ଞାନ ହୁଏନାହିଁ । ସେ ପରୀକ୍ଷା କାଗଜରେ କିଛି ଦିନ ଧରି ମୁଣ୍ତରେ ମାଡ଼ିଗୁଞ୍ଜି ଭର୍ତ୍ତି କରିଥିବା ପାଠକୁ କୌଣସି ମତେ ଉଦ୍‍ଗାରି ଦେଲା ପରେ ଶାନ୍ତି ଅନୁଭବ କରେ । ଫଳରେ ଜୋର୍‍ କରି ଯାହା ଅର୍ଜନ କରିଥାଏ ପରୀକ୍ଷା ପରେ ତାହା ଅତି ଶୀଘ୍ର ଭୁଲିଯାଏ ।

 

ଯେଉଁ ଶିକ୍ଷକ ବର୍ଷ ତମାମ ଧରି ପାଠ ପଢ଼ାଇଥାଏ ତା’ର ଏ ଦିଗରେ କୌଣସି ଦାୟିତ୍ୱ ନାହିଁ; କାରଣ କର୍ତ୍ତାମାନଙ୍କ ଆଖିରେ ସେ ପରୀକ୍ଷା ବିଷୟରେ ଯଥେଷ୍ଟ ଦାୟିତ୍ୱସମ୍ପନ୍ନ ଓ ବିଶ୍ୱାସୀ ନୁହେଁ । ପାଠ ପଢ଼ାଇବା ତା’ର କାମ; କିନ୍ତୁ ପଢ଼ାଇବା ଅନୁସାରେ ପ୍ରଶ୍ନ ତିଆରି କରି ପରୀକ୍ଷା କରିବାର ଯୋଗ୍ୟତା ତା’ର ନାହିଁ ବୋଲି ଆମେ ଭାବୁ । ହଜାରେ ମାଇଲ ଦୂରରେ ଥିବା ଆଉ ଜଣେ ଅନାମଧେୟ ଲୋକ ତା’ଠାରୁ ବେଶି ଦାୟିତ୍ୱସମ୍ପନ୍ନ ଏବଂ ଯୋଗ୍ୟ ବୋଲି ବିବେଚିତ ହୁଏ । ବର୍ଷେ ଦି ବର୍ଷ ଧରି ପାଠ ପଢ଼ାଉଥିବା ଶିକ୍ଷକ ପିଲା ଉପରେ ପଢ଼ା ନେଇ ଯେତେ ଖୁସି ବା ବିରକ୍ତ ହେଉନା କାହିଁକି ପିଲାର କିଛି ଯାଏଆସେନା । ଫଳରେ ତା’ର ଭବିଷ୍ୟତ ପାସ୍‍ ଫେଲ ନିର୍ଭର କରେ ତା’ର ଜାତକ ବା ହାତରେ ଥିବା ରେଖା ଉପରେ । ଦେଖାଯାଉଛି ଆମ ଦେଶର ଶତକରା ଷାଠିଏ ସତୁରି ଜଣ ପିଲାଙ୍କର ଜାତକ ଭାଗ୍ୟହୀନ, ହାତରେଖା ବକ୍ର, ସେମାନଙ୍କ ଉପରେ ଶୁକ୍ର ନକ୍ଷତ୍ରର କଣା ଆଖିର ନଜର । ଅଥଚ ଏଠି ଶତକରା ନବେଙ୍କର ଭାଗ୍ୟ ଭଲ, ହାତରେଖା ସିଧା ଓ ସେମାନଙ୍କ ଉପରେ ଶୁକ୍ର ନକ୍ଷତ୍ରର ଶୁଭ ଦୁଷ୍ଟିପାତ । ତା’ ନହେଲେ ଆମ ପିଲାଏ ଏତେ ସଙ୍ଖ୍ୟାରେ ଫେଲ୍‍ ହେଉଥିବାବେଳେ ଏମାନେ ଏତେ ସଙ୍ଖ୍ୟାରେ ପାସ୍‍ କରନ୍ତି କିପରି ?

 

ଆମ ଦେଶର ଛାତ୍ରମାନଙ୍କର ଦୁଇ ବର୍ଷର ପଢ଼ା ଆଠ ଦଶଦିନ ଭିତରେ ହଜାରେ ମାଇଲ ଦୂରରେ ଥିବା ଅନାମଧେୟ ପ୍ରଶ୍ନକର୍ତ୍ତାଙ୍କର ପ୍ରଶ୍ୱାବଳୀଦ୍ୱାରା ମପା ଯାଏ । ଖାଲି ସେତିକି ନୁହେଁ, ଏପରି ପରୀକ୍ଷାରେ ଜଣେ ଛାତ୍ର ଅର୍ଥଶାସ୍ତ୍ରରେ ଅସାଧାରଣ ପାଣ୍ଡିତ୍ୟ ଦେଖାଇଥିଲେ ମଧ୍ୟ ସେ ଯଦି କୌଣସି କାରଣରୁ ଠିକ୍‍ ସେହି ଆଠ ଦଶଦିନ ମଧ୍ୟରେ ସାହିତ୍ୟିକ ଉପେନ୍ଦ୍ର ଭଞ୍ଜଙ୍କର ସାହିତ୍ୟରସ ଉପଲବ୍ଧି କରିବାର ଯୋଗ୍ୟତା ନ ଦେଖାଇ ପାରିଲା, କିମ୍ବା ତିନିଘଣ୍ଟା ଭିତରେ ସଂସ୍କୃତ ବ୍ୟାକରଣ ମନରେ ନଆଣି ପାରିଲା, ତା’ହେଲେ ତାର ଦୁଇବର୍ଷର ସମସ୍ତ ପଢ଼ା ବ୍ୟର୍ଥ ହୋଇଗଲା–ଆଉ ଥରେ ପୁଣି ସବୁ ପଢ଼ିବା ଦରକାର । ତା’ର ଅର୍ଥଶାସ୍ତରେ ପାଣ୍ଡିତ୍ୟର କୌଣସି ମୂଲ୍ୟ ନାହିଁ । ଏ ପ୍ରକାର କଠିନ ଅଗ୍ନିପରୀକ୍ଷା ଦେଇ ଏଠାକାର ପିଲାଏ ଯାଆନ୍ତି ନାହିଁ । କୌଣସି ଗୋଟିଏ ପରୀକ୍ଷା ଶେଷ ହେଲା ପରେ ପରେ ସେଥିରେ ପରୀକ୍ଷା ଦେଇ ଦିଅନ୍ତି । ଶେଷ ପରୀକ୍ଷାରେ କୌଣସି ବିଷୟରେ ଫେଲ୍‍ ହେଲେ ସେହି ବିଷୟଟିରେ ହିଁ ଆଉ ଥରେ ପରୀକ୍ଷା ଦିଅନ୍ତି, ଅନ୍ୟାନ୍ୟ ସବୁ ବିଷୟରେ ଦଣ୍ଡିତ ହୁଅନ୍ତି ନାହିଁ । ବିଭିନ୍ନ ବିଷୟବସ୍ତୁ ବିଭିନ୍ନ ସମୟରେ ସାରିବାକୁ ଚେଷ୍ଟା କରନ୍ତି; ଫଳରେ ସବୁ ସମୟରେ ସେମାନଙ୍କୁ ପଢ଼ିବାକୁ ହୁଏ ।

 

ପିଲାମାନଙ୍କର ପଢ଼ା ଆଗ୍ରହ ପଛରେ ଶିକ୍ଷା ପ୍ରଣାଳୀ ବ୍ୟତୀତ ଅନ୍ୟାନ୍ୟ କାରଣମାନ ମଧ୍ୟ ଅଛି । ଏଠାରେ ଯେକୌଣସି କଲେଜକୁ ଗଲେ ଲାଇବ୍ରେରି ଦେଖାଇବାରେ କର୍ତ୍ତୃପକ୍ଷ ଗର୍ବ ଅନୁଭବ କରନ୍ତି । ଲାଇବ୍ରେରିଟି ସାଧାରଣତଃ ଅନ୍ୟାନ୍ୟ ଘରଠାରୁ ଢେର୍‍ ଭଲ ଏବଂ ଏହାର ଆଲୋକ, ଆସବାବ ପ୍ରଭୃତିର ସାଜସଜ୍ଜା ଅତି ଚମତ୍କାର । ରାତି ବାରଟାଯାଏ ଲାଇବ୍ରେରିଟି ଆଲୋକରେ ଉଦ୍‍ଭାସିତ । ପ୍ରତି ପାଞ୍ଚ ଛଅ ଫୁଟ ବ୍ୟବଧାନରେ ଆଲୋକ ଝୁଲୁଥାଏ । ବସିବା ଜାଗାମାନ ବଡ଼ ଆରାମପ୍ରଦ । ମୁଣ୍ଡ ତଳେ ଇଟା ଦେଇ ଶୋଇବା ଆଦର୍ଶ ଲାଇବ୍ରୋରିରେ ନାହିଁ । ଆମ କଲେଜ ଲାଇବ୍ରେରିମାନଙ୍କରେ ପଢ଼ିବା ସମୟତକ ଯେ କେବଳ କଠିନ ତପ ସାଧନ କରିବାକୁ ହୁଏ ତା’ ନୁହେଁ, ବହି ଖଣ୍ଡେ ପାଇବାପାଇଁ ତା’ଠୁ ଆହୁରି ବେଶି ସାଧନା କରିବାକୁ ହୁଏ ଦଣ୍ଡାୟମାନ ହୋଇ । ହାତ ରେଖା ସିଧା ଥିବ-ବହି ଦେବା ଚପରାସିର ମନ ଭଲ ଥିବ-ଅବଶ୍ୟ ମନ ଖୁବ୍‍ ବେଶି ଭଲ ଥିଲେ ସେ ଏକାବେଳକେ ଆଲମାରି ପାଖକୁ ନଯାଇପାରେ-ତା’ ହେଲେ ଘଣ୍ଟାଏ ଭିତରେ ବହିଖଣ୍ଡେ ମିଳିଯାଇପାରେ । ଅନେକ ସମୟ ଧରି ଠିଆହୋଇ ବହି ଯୋଗାଡ କରି କାଠ ବେଞ୍ଚରେ ଆସି ବସିଲା ପରେ ପରେ ହିଁ । ନିଦ ଆସିଯିବା ସ୍ଵାଭାବିକ । ଅବଶ୍ୟ ଏ ପ୍ରକାର ପରିସ୍ଥିତିରେ ବିଶେଷ ଆରାମପ୍ରଦ ଚୌକି ହେଲେ ପରିଶ୍ରାନ୍ତ ଛାତ୍ରମାନେ ଏପରି ନିଘୋଡ଼ ନିଦରେ ଶୋଇପଡ଼ିବେ ଯେ ଘଣ୍ଟା ବାଜିଲେ ମଧ୍ୟ ଶୁଣିପାରିବେ ନାହିଁ । ତେଣୁ ଛାତ୍ରସମାଜର ମଙ୍ଗଳଦୃଷ୍ଟିରୁ ବୋଧହୁଏ ଆମର ଲାଇବ୍ରେରି ନୀତି ବଦଳିବା ଉଚିତ ନୁହେଁ ।

 

ଲାଇବ୍ରେରି ଅବସ୍ଥା ବଦଳିଲେ ମଧ୍ୟ ଆମ ପିଲା ଓ ଶିକ୍ଷକଙ୍କର ଏତେ କ୍ଲାସ ଯେ ପଢ଼ିବାପାଇଁ ସମୟ ମିଳେନା । ଛୁଟି ସମୟରେ ନାନା କାରଣରୁ ଲାଇବ୍ରେରି ବନ୍ଦ ହୋଇଯାଏ । ଏମାନଙ୍କର ବିଶ୍ୱବିଦ୍ୟାଳୟରେ ଏହା କଳ୍ପନାତୀତ । ଲାଇବ୍ରେରି ହେଲା ଶିକ୍ଷାନୁଷ୍ଠାନର ହୃତ୍‍ପିଣ୍ତ ।

 

ଏହାଛଡ଼ା ଏମାନଙ୍କର ପଢ଼ାପ୍ରତି ଅତ୍ୟଧିକ ଆଗ୍ରହ ପଛରେ ଅନ୍ୟାନ୍ୟ ସାମାଜିକ କାରଣ ରହିଛି । ପ୍ରତ୍ୟେକ ଛାତ୍ର ଊଣାଅଧିକେ ଜାଣେ ସେ କାହିଁକି ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକାର ଶିକ୍ଷା ପାଉଛି ଏବଂ କଲେଜ ଶିକ୍ଷା ପରେ ସେ କିପରି ଭାବରେ ଜୀବନଯାପନ କରିବ । ଅର୍ଥାତ୍‌ ପ୍ରତ୍ୟେକ ଶିକ୍ଷା ନିର୍ଘଣ୍ଟ ପଛରେ ଗୋଟିଏ ସୁଚିନ୍ତିତ ଯୋଜନା ରହିଛି । ଶିକ୍ଷା ପ୍ରତି ଜନସାଧାରଣ ତଥା । ଶାସନକର୍ତ୍ତାଙ୍କର ସମ୍ମାନ ଓ ଆଗ୍ରହ ରହିଛି । ତେଣୁ ପ୍ରତ୍ୟେକ ଛାତ୍ର ତା’ର ଭବିଷ୍ୟତ ଉନ୍ନତି ଲାଗି ଭଲଭାରେ ପଢ଼ିବାକୁ ଚେଷ୍ଟା କରୁଛି । ଆମ ଦେଶରେ ଶିକ୍ଷା ପ୍ରତି ସେତେ ବେଶି ସାମାଜିକ ସମ୍ମାନ ନାହିଁ । ଆମେମାନେ ଉଚ୍ଚ ଶିକ୍ଷା ବିଷୟରେ ଘଣ୍ଟା ଘଣ୍ଟା ଧରି ବକ୍ତୃତା କରୁ ସତ, କିନ୍ତୁ ସବୁ ପରୀକ୍ଷାରେ ପ୍ରଥମ ହୋଇ ଏମ୍‍.ଏ. ପର୍ଯ୍ୟନ୍ତ ପାସ୍ କରିଥିବା ଜଣେ ଶିକ୍ଷିତ ଲୋକକୁ ଜଣେ ବି.ଏ.ପାସ୍‍ କରିଥିବା ଲୋକଠାରୁ କମ୍‍ ଦରମା ଓ ସମ୍ମାନ ଦେଖାଉ । ଫଳରେ ପିଲାମାନଙ୍କ ମନରେ ଶିକ୍ଷା ପ୍ରତି ଆଗ୍ରହ କମିଯାଏ । ଜଣେ ଯେତେ ବଡ଼ ନାମଜାଦା ବିଦ୍ୱାନ୍‍ ଅଧ୍ୟାପକ ହେଉ ପଛେ ଅନ୍ୟାନ୍ୟ କର୍ମଚାରୀଙ୍କଠାରୁ ସେ କମ୍‍ ପାରିଶ୍ରମିକ ପାଏ । ଅଧ୍ୟାପକର ସାମାଜିକ ଦାୟିତ୍ୱ ଜଣେ ଶାସନ ପରିଚାଳନାରେ ନିଯୁକ୍ତ ଥିବା ଅଫିସରଙ୍କଠାରୁ କମ୍‍ ବୋଲି ଭାରତର ସମାଜବାଦୀ ସରକାରଙ୍କର ଆଜିଯାଏଁ ଦୃଢ଼ମତ ପ୍ରକାଶ ପାଇ ଆସିଛି । ତା’ ପାଣ୍ଡିତ୍ୟରେ ମୁଗ୍ଧ ହୋଇ ତା’ର ଭବିଷ୍ୟତ ଉଜ୍ଜ୍ୱଳ କରାଇବାକୁ ହେଲେ ତାକୁ ଅନ୍ୟାନ୍ୟ ବିଭାଗକୁ, ବିଶେଷତଃ ସବୁଠୁ ଉପରପାହିଆ ଓ ସମ୍ମାନାସ୍ପଦ ଆଇ.ଏ.ଏସ. ସ୍ତରକୁ ଉଠାଇବା ଦରକାର । ତା’ ନହେଲେ ତା’ର ମୁକ୍ତି ନାହଁ । ଅର୍ଥାତ୍‍ ଅତି ପଣ୍ଡିତ ଓ ଦକ୍ଷ ଲୋକର ଶିକ୍ଷାକ୍ଷେତ୍ରରେ ଯେପରି ରହିବା ଅବାଞ୍ଚ୍ଥନୀୟ । ଏହା ପୁଣି ସାମ୍ୟବାଦ ପ୍ରତିଷ୍ଠା କରିବାପାଇଁ ଡିଣ୍ତିମ ବଜାଉଥିବା ସମାଜର ମନୋଭାବ ! ଏପରି କ୍ଷେତ୍ରରେ ଆମ ଦେଶ ଛାତ୍ରମାନଙ୍କର ଶିକ୍ଷାପ୍ରତି ଆଗ୍ରହ ବା ହେବ କାହିଁକି ? ଏ ପ୍ରକାର ଶିକ୍ଷକବର୍ଗ ଛାତ୍ରମାନଙ୍କୁ ବା କିପରି ଅନୁପ୍ରାଣିତ କରାଇପାରିବେ ?

 

ଏଠାରେ ବହୁ ଛାତ୍ରଙ୍କର ଯୋଗ୍ୟତା ଓ ଉଚ୍ଚ ଶିକ୍ଷା ପ୍ରତି ବିଶେଷ ଆଗ୍ରହ ଥିଲେ ସୁଦ୍ଧା ଅନେକ ସମୟରେ କେବଳ ଅର୍ଥ ଅଭାବରୁ ସେମାନେ ନିଜ ଇଚ୍ଛା ଅନୁସାରେ ଭଲ ଭଲ ବିଶ୍ୱବିଦ୍ୟାଳୟମାନଙ୍କୁ ଯାଇ ପାରନ୍ତି ନାହିଁ । ଏଠାରେ କଲେଜ ଶିକ୍ଷା ଲାଗି ବହୁତ ଖର୍ଚ୍ଚ କରିବାକୁ ପଡ଼େ । ହାର୍ବାଡ଼ ପ୍ରଭୃତି ବିଶିଷ୍ଟ ବିଶ୍ୱବଦ୍ୟାଳୟମାନଙ୍କରେ ପଢ଼ିବାକୁ ହେଲେ ବର୍ଷକୁ ପାଞ୍ଚହଜାର ଡଲାର (ଅର୍ଥାତ୍‍ ପ୍ରାୟ ଚାଳିଶହଜାର ଟଙ୍କା) ଖର୍ଚ୍ଚ ହୁଏ । ଅନ୍ୟାନ୍ୟ କଲେଜରେ ତିନିହଜାର ଡଲାରରୁ କମ୍‍ ଖର୍ଚ୍ଚ ହୁଏ ନାହିଁ । ଆମେରିକା ଯେତେ ଧନୀ ଦେଶ ହେଲେ ସୁଦ୍ଧା ଛାତ୍ର ପିଛା ବର୍ଷକୁ ଏତେଗୁଡ଼ାଏ ଖର୍ଚ୍ଚ ଖୁବ୍ ବେଶି । ଅବଶ୍ୟ ଶିକ୍ଷାନୁଷ୍ଠାନମାନଙ୍କରେ ବହୁ ଛାତ୍ରବୃତ୍ତି ରହିଛି; କିନ୍ତୁ ଏହା ଯଥେଷ୍ଟ ନୁହେଁ । ତା’ଛଡ଼ା ପିଲାମାନେ ପଢ଼ିବା ସମୟରେ ଅଫିସ, ହୋଟେଲ ପ୍ରଭୃତିରେ ପ୍ରତିଦିନ କିଛି ସମୟ କାମ କରି ଟଙ୍କା ରୋଜଗାର କରନ୍ତି । କେତେକ ଅନୁଷ୍ଠାନରେ ତିନିଭାଗରୁ ଭାଗେ ପିଲାଏ ଏପରି କାମ କରି ଖର୍ଚ୍ଚ ଚଳାନ୍ତି । ଏମାନେ ଯେକୌଣସି କାମ କରିବାରେ ପଶ୍ଚାତ୍ପଦ ହୁଅନ୍ତି ନାହିଁ । କଲେଜକୁ ଭତ୍ତିକରି ଗଢ଼ି ଉଠିଥିବା ଗୋଟିଏ ଗୋଟିଏ ଛୋଟିଆ ସହରର ଅଧିକାଂଶ ହୋଟେଲରେ କାମ କରୁଥିବା ଲୋକ ହେଉଛନ୍ତି କଲେଜ ପିଲା । କଲେଜ ଭିତରେ ମଧ୍ୟ ବହୁ କାମ ଛାତ୍ରଛ୍ରାତ୍ରୀମାନେ କରନ୍ତି । ଏ ଦିଗରେ ଆମର ବହୁତ ଶିଖିବାର ଅଛି ।

 

ଟଙ୍କା ରୋଜଗାରର ସୁବିଧା ଥିଲେ ସୁଦ୍ଧା ମନେହେଲା ଯେ’ ଅତ୍ୟଧିକ ଖର୍ଚ୍ଚ ଯୋଗୁ ବହୁ ଛାତ୍ର ଉଚ୍ଚଶିକ୍ଷା ପାଇପାରୁ ନାହାନ୍ତି । ବିଶେଷତଃ ନିଗ୍ରୋ ଛାତ୍ରମାନଙ୍କର ବିଶେଷ ଅସୁବିଧା । ଯେଉଁ କଲେଜମାନଙ୍କରେ କଳାଗୋରାବର୍ଣ୍ଣ ବିଚାର ନାହିଁ ସେଠାରେ ମଧ୍ୟ ଅର୍ଥ ଅଭାବରୁ ନିଗ୍ରୋମାନେ ଭଲ ଭଲ କଲେଜକୁ ଆସି ପାରନ୍ତି ନାହିଁ । ଆମ ଦେଶରେ ହରିଜନ ପିଲାଙ୍କର ଉଚ୍ଚ ଶିକ୍ଷାପାଇଁ ସରକାରଙ୍କ ତରଫରୁ ଯେପରି ସୁବିଧା କରାହେଉଛି ସେପରି ସୁବିଧା ଏଠାରେ ନାହିଁ । ଏ ଦିଗରେ ଆମେରିକା ସରକାରଙ୍କର ବହୁତ କିଛି କରିବାର ଅଛି ବୋଲି ମନେହେଲା ।

Image

 

ଛାତ୍ରମାନଙ୍କର ଚାଲିଚଳଣ

 

“ନଈକେ ବାଙ୍କ୍‍, ଦେଶକେ ଫାଙ୍କ୍‍” ଏ ବିଷୟରେ କାହାର ସନ୍ଦେହ ନାହିଁ । ସେଥିଲାଗି ତ’ ଲୋକେ ବିଭିନ୍ନ ଦେଶର ଲୋକଙ୍କର ଭିନ୍ନ ଭିନ୍ନ ଚାଲିଚଳଣ, ରୀତିନୀତି ଦେଖିବାପାଇଁ ବିଦେଶ ଭ୍ରମଣରେ ବାହାରନ୍ତି । ଯାହା ଗୋଟିଏ ଦେଶର ସାଂସ୍କୃତିକ ରୀତିନୀତି, ଆଉ ଗୋଟିଏ ଦେଶରେ ତାହା ସମ୍ପୂର୍ଣ୍ଣ ଅସାଂସ୍କୃତିକ ହୋଇପାରେ । ତେଣୁ ଏ କ୍ଷେତ୍ରରେ କୌଣସି ଅସାମଞ୍ଜସ୍ୟହୀନ ସାର୍ବଜନୀନ ନିୟମରେ ଉପନୀତ ହେବା ସମ୍ଭବ ନୁହେଁ । ତଥାପି ସାମାଜିକ ଭଲମନ୍ଦ, ବ୍ୟକ୍ତି ବା ସମଷ୍ଟିଗତ ନ୍ୟାୟ ଅନ୍ୟାୟ, ସୌନ୍ଦର୍ଯ୍ୟ ଓ କଳା ପ୍ରଭୃତି ଦୃଷ୍ଟିକୋଣରୁ ଅନେକ ସମୟରେ ବ୍ୟକ୍ତି ବା ଗୋଷ୍ଠୀର ଚାଲିଚଳଣ, ଆଚାର ବ୍ୟବହାରକୁ ଆମ୍ଭେମାନେ ବିଚାର କରିଥାଉ; କିନ୍ତୁ ଏପରି ବିଚାର କଲାବେଳେ ଆମର ସବୁବେଳେ ମନେ ରଖିବା ଉଚିତ ଯେ, ଏ ପ୍ରକାର ବିଚାର ଆପେକ୍ଷିକ । ତେଣୁ କୌଣସି ଗୋଟିଏ ରୀତିନୀତିକୁ ହଠାତ୍‍ ନାପସନ୍ଦ ନକରି ତା’ର ତାତ୍ପର୍ଯ୍ୟ ବୁଝିବା ଉଚିତ ଏବଂ ନିଜର ରୁଚି, ସାମାଜିକ ଆବଶ୍ୟକତା ଓ ଦେଶକାଳପାତ୍ର ବିଚାର ଅନୁସାରେ ତାହା ଗ୍ରହଣ କିମ୍ୱା ତ୍ୟାଗ କରାଯାଇପାରେ । ସେହି ଦୃଷ୍ଟିରୁ ଏମାନଙ୍କର ଚାଲିଚଳଣ ବିଚାର କରିବା ଉଚିତ ।

 

ଆମେରିକାର ଛାତ୍ରମାନଙ୍କର ଚାଲିଚଳଣ ଓ ବ୍ୟବହାର ଆମ ଦେଶର ଛାତ୍ରମାନଙ୍କଠାରୁ ବହୁତ ଅଲଗା । ସେଠା ଲୋକେ ସବୁକ୍ଷେତ୍ରରେ ବ୍ୟକ୍ତିଗତ ସ୍ଵାଧୀନତାକୁ ପସନ୍ଦ କରନ୍ତି । ସବୁ ବିଷୟରେ ସେମାନେ ଚାହାନ୍ତି ସ୍ୱାଧୀନତା; ଜଣେ ଛାତ୍ର ଅଧ୍ୟାପକ ନ ଥିଲାବେଳେ ନିଜ ନିଜ ବନ୍ଧୁମାନଙ୍କ ସହିତ ଯେପରି ବ୍ୟବହାର କରନ୍ତା ଅଧ୍ୟାପକ ଆଗରେ ମଧ୍ୟ ସେହିପରି ବ୍ୟବହାର କରେ । କଲେଜ ଓ ସ୍କୁଲରେ ପୁଅଝିଅମାନଙ୍କର ଅବାଧ ମିଳାମିଶା, ଆମ ଦେଶର ସାଧାରଣ ମିଳାମିଶାଠାରୁ ଏ ପ୍ରକାର ମିଳାମିଶା ଅନେକ ତଫାତ୍‍ । କଲେଜ ଭିତରେ ପୁଅଝିଅମାନେ କାନ୍ଧରେ ହାତପକାଇ ଚାଲନ୍ତି । କଲେଜ କ୍ଲାସ୍‍ ଭିତରେ ହାତ ବା କାନ୍ଧ ଉପରେ ହାତ ରଖି ବସିପାରନ୍ତି । ଥରେ ଗୋଟିଏ କଲେଜରେ ଆମେମାନେ ବକ୍ତୃତା ଶୁଣିବାକୁ ଯାଇଥିଲୁ । କଲେଜର ଡିନ୍‍ ଏହି ସଭାର ସଭାପତି ଏବଂ ସେହି କଲେଜର ଦୁଇଜଣ ଅଧ୍ୟାପକ ବକ୍ତୃତା ଦେବାପାଇଁ ଆସିଥାଆନ୍ତି । ଠିକ୍‍ ଆମ ଆଗ ବେଞ୍ଚରେ ଜଣେ ଝିଅ ଆଉ ଜଣେ ପୁଅର ଛାତିଉପରେ ମୁଣ୍ଡ ରଖି ବସି ବକ୍ତୃତା ଶୁଣୁଥାଏ । ସାରା ଘଣ୍ଟାଟିଯାକ ସେ ସେପରି ଆଉଜି ବସିଥାଏ ଏବଂ ମଝିରେ ମଝିରେ ଦୁଇଜଣଯାକ ମୃଦୁଚୁମ୍ବନ ମଧ୍ୟ ଦିଆଦେଇ ହେଉଥାନ୍ତି । ସେମାନଙ୍କ ପାଖରେ ଅନ୍ୟ ପିଲାମାନେ ବସିଥାନ୍ତି, କିନ୍ତୁ ସେଥିପ୍ରତି କାହାର ଭ୍ରୂକ୍ଷେପ ନଥିଲା । ଏହା ଦେଖି ଆମେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲୁ । ବକ୍ତୃତା ପରେ ପରେ ସଭାପତି ଡିନ୍‍ଙ୍କ ସହିତ ଆମର ଖାଇବା ନିମନ୍ତ୍ରଣ ଥିଲା । ଖାଇଲା ବେଳେ ମୁଁ ଡିନ୍‍ଙ୍କୁ ଏ କଥା ପଚାରିଲି । ସେ ଟିକିଏ ଅପ୍ରସ୍ତୁତ ହୋଇ କହିଲେ ଯେ ତାଙ୍କୁ ମଧ୍ୟ ଏପରି ବ୍ୟବହାର ଭଲ ଲାଗେ ନାହିଁ; କିନ୍ତୁ ପିଲାମାନେ ସ୍ୱାଧୀନ । ତାଙ୍କୁ କ’ଣ କରାଯାଇପାରେ ? ଅବଶ୍ୟ କ୍ଲାସରେ ଏପ୍ରକାର ବ୍ୟବହାର ଆମେମାନେ ମାତ୍ର ଥରେ ଦେଖିଛୁ । କ୍ଲାସ ବାହାରେ ବହୁତ ଥର ଦେଖିଛୁ । କଲେଜ ପାର୍କରେ, ଖେଳ ପଡ଼ିଆରେ ରାସ୍ତାରେ ପୁଅଝିଅମାନେ କୁଣ୍ଢାକୁଣ୍ଡି ହୋଇ ଚୁମା ଦେବା ଦୃଶ୍ୟ ଅତି ସାଧାରଣ । ଅଧ୍ୟାପକ ବା ଅଭିଭାବକମାନେ ଥିଲେ ମଧ୍ୟ ସେମାନଙ୍କର ବିଶେଷ ଖାତିରି ନାହିଁ । ଆଉ ଥରେ ଗୋଟିଏ ପୁଅ ଗୋଟିଏ ଝିଅକୁ କଲେଜ ମଝିହତାରେ ତା’ କାନ୍ଧରେ ବସାଇ ଚାଲିଥାଏ । ଏଥିରୁ ଜଣାଯାଏ ପ୍ରତ୍ୟେକ ବିଷୟରେ ଏମାନେ କେତେଦୂର ସ୍ଵାଧୀନ । ଅନେକ ଅଧ୍ୟାପକ ଏ ସବୁ ପସନ୍ଦ କରନ୍ତି ନାହିଁ । ସେମାନଙ୍କ ମତରେ ଗତ ଦଶବର୍ଷ ମଧ୍ୟରେ ହିଁ ଏ ପ୍ରକାର ଅସ୍ୱାଭାବିକ ବ୍ୟବହାର ବେଶି ଦେଖାଯାଉଛି । ତା’ ଆଗରୁ ନ ଥିଲା । କ୍ଲାସରୁମ୍‍ରେ ବର୍ଣ୍ଣିତ ହୋଇଥିବା ଘଟଣା ଅତି ସାଧାରଣ ନ ହେଲେ ସୁଦ୍ଧା ଦୁଇଜଣ ଯେ ଏ ପ୍ରକାର ବ୍ୟବହାର ଦେଖାଇ ପାରିଲେ ତାହା କମ୍‍ ଆଶ୍ଚର୍ଯ୍ୟର କଥା ନୁହେଁ । ଅନ୍ୟମାନଙ୍କର ଏ ପ୍ରକାର ବ୍ୟବହାର ଲାଗି ଆପତ୍ତି ଥିଲେ ସେମାନେ ଏପରି କରିବାକୁ କେବେ ସାହସ କରିପାରନ୍ତେ ନାହିଁ । ଆମ ଦେଶରେ ଜଣେ ଯେତେ ଅଭଦ୍ର ପିଲା ହେଲେ ମଧ୍ୟ ଏହା କଳ୍ପନା କରିପାରିବ ନାହିଁ । ତେଣୁ ସାମାଜିକ ଦୃଷ୍ଟିକୋଣରୁ ଏହାର ଗୁରୁତ୍ୱ ନିଶ୍ଚୟ ବେଶି । ବର୍ତ୍ତମାନ ଯାହା କ୍ୱଚିତ୍‍ ଘଟୁଛି ଆଉ କେତେ ବର୍ଷ ପରେ ହୁଏତ ଏହା ସର୍ବସାଧାରଣ ହୋଇ ଯାଇପାରେ ।

 

କ୍ଲାସରେ ବସିଥିଲାବେଳେ ମଧ୍ୟ ଏମାନେ ନାନା ଭଙ୍ଗୀରେ ବସନ୍ତି । କିଏ ଗୋଡ଼ ଟେକି ବସେ ତ କିଏ ଆଉ ଗୋଟିଏ ଚୌକିରେ ଗୋଡ଼ ଲମ୍ବାଇ ବସିଯାଏ । ଥରେ ଗୋଟିଏ ଆଲୋଚନା କ୍ଲାସ ଜଣେ ଅଧ୍ୟାପିକା ନେଉଥାଆନ୍ତି । ସେ କ୍ଳାସରେ ପାଞ୍ଚ ଛଅ ଜଣ ଝିଅ ପୁଅ ପିଲା ଥାଆନ୍ତି । ମୁଁ ଅଧ୍ୟାପିକାଙ୍କ ପାଖରେ ବସି ଆଲୋଚନାରେ ଭାଗ ନେଉଥାଏ । ଆମ ଆଡ଼କୁ ମୁହଁ କରି ବସି ଥିବା ଜଣେ ପିଲା ହଠାତ୍‍ ତା’ର ଗୋଡ଼ ଦୁଇଟିକୁ ତଳୁ ଉଠାଇ ଟେବୁଲ ଉପରେ ଆମ ଆଡ଼କୁ ଲଗାଇ ଦେଲା । ଅଧଘଣ୍ଟା ଯାଏ ଆମେ ତା’ର ଜୋତା ତଳକୁ ଦେଖୁଥାଉ । ଏହାଦ୍ୱାରା କୁଆଡ଼େ ପିଲା ନିଜକୁ ଖୁବ୍‍ ମୁକ୍ତ ମନେକରି ସ୍ଵଚ୍ଛନ୍ଦରେ ବସି ଆଲୋଚନାରେ ଭାଗ ନେଉଛି । ଭଦ୍ରତା ଅଭଦ୍ରତାର କଥା ଛାଡ଼ିଦେଲେ ମଧ୍ୟ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଏହା କେତେଦୂର ସଙ୍ଗତ ଭାବିବାର କଥା । ଏସବୁ ବ୍ୟବହାର ବ୍ୟକ୍ତିଗତ ସ୍ଵାଧୀନତା ନା ସ୍ୱେଚ୍ଛାଚାରିତାର ପରିଚାୟକ ସେ ବିଷୟରେ ମଧ୍ୟ ଏମାନଙ୍କ ଭିତରେ ମତଦ୍ୱୈଧ ଥିବାର ଜଣାଯାଏ ।

 

ସଭାଗୃହରେ କିମ୍ବା ଅନ୍ୟାନ୍ୟ ସ୍ଥାନରେ ଅଧ୍ୟାପକମାନେ ଠିଆ ହୋଇ ଥାଆନ୍ତି; ଅଥଚ ସେଠି ପିଲାମାନେ ମହା ଆରାମରେ ବସିଥାଆନ୍ତି । ଘଣ୍ଟା ଘଣ୍ଟା ଧରି ଅଧ୍ୟାପକ କିମ୍ବା ବାହାରର ଅତିଥି କିମ୍ବା ଅନ୍ୟାନ୍ୟ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଠିଆହେଲେ ମଧ୍ୟ ଏମାନଙ୍କର ଖାତିରି ନ ଥାଏ-। ଅଧ୍ୟାପକମାନେ ଏଥିରେ ଯେ ବିବ୍ରତ ନ ହୁଅନ୍ତି ତାହା ନୁହେଁ; କିନ୍ତୁ କିଛି କରିବାର ଉପାୟ ନ ଥାଏ । ଥରେ ଗୋଟିଏ ସଭାରେ ଡିନ୍‍ ଓ ଆମ୍ଭେମାନେ ଏକଘଣ୍ଟା ଧରି ଠିଆହୋଇ ରହିଲୁ । ଡିନ୍‍ ପରେ ଦୁଃଖ କରି କହିଲେ ଯେ ସେ ଏସବୁ ଆଦୌ ପସନ୍ଦ କରିପାରୁ ନାହାନ୍ତି ।

ସ୍କୁଲ ଓ କଲେଜ ପିଲାମାନେ ନିଜକୁ ଏତେ ସ୍ଵାଧୀନ ମନେକରନ୍ତି ଯେ ବାର ତେରବର୍ଷ ଦିନରୁ ପୁଅଝିଅମାନେ ଯୋଡ଼ି ଯୋଡ଼ି ହୋଇ ସିନେମା, ଥିଏଟର, ବଣଭୋଜି ପ୍ରଭୃତିରେ ଅବାଧରେ ଯିବା ଆସିବା କରନ୍ତି । ଉଦ୍ୟାନରେ ନଈ ଓ ସମୁଦ୍ର କୂଳରେ ଏ ଦୃଶ୍ୟ ଅତି ସାଧାରଣ-। ଏତେ ଅଳ୍ପ ବୟସରେ ଏ ପ୍ରକାର ଅବାଧ ମିଳନ କେତେଦୂର ସଙ୍ଗତ ତାହା ଚିନ୍ତାର ବିଷୟ । କେତେକ ବୟସ୍କ ଅଭିଭାବକମାନେ ଯେ ଏ ବିଷୟରେ ବିବ୍ରତ ହେଉନାହାନ୍ତି ତାହା ନୁହେଁ-। ବର୍ତ୍ତମାନ ଆମେରିକାରେ ଅଳ୍ପବୟସ୍କ ଅପରାଧୀଙ୍କ ସଙ୍ଖ୍ୟା ବହୁତ ବଢ଼ିଯାଇଛି । କେତେକ ବିଶିଷ୍ଟ ବିଚାରପତି ଓ ସମାଜକର୍ମୀଙ୍କ ମତରେ ଏ ପ୍ରକାର ଅନିୟତ୍ରିତ ଅବାଧ ମିଳନ ଏଥିପାଇଁ ବହୁପରିମାଣରେ ଦାୟୀ । ଅଳ୍ପବୟସ୍କ ଅପରାଧୀଙ୍କ ଭିତରୁ ମଟର ଚୋରି କରି ପଳାଇଯିବା ଅପରାଧୀଙ୍କର ସଙ୍ଖ୍ୟା ବହୁତ ବେଶି । ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଜଣେ ଅଳ୍ପବୟସ୍କ ପୁଅ ଗୋଟିଏ ମଟର ଚୋରି କରି ଝିଅଟିଏ ଧରି ସହର ବାହାରକୁ ଯିବା ଦେଖାଯାଏ । ଏସବୁ ପଛରେ ଯୌନ ସମ୍ପର୍କ ବିଷୟରେ ସାଧାରଣ ସାମାଜିକ ଆବହାଓ୍ୟା ବହୁ ପରିମାଣରେ ଦାୟୀ । ପତ୍ରପତ୍ରିକା, ଖବରକାଗଜ, ସିନେମା, ଥିଏଟରରେ ନଗ୍ନ ଯୌନଚିତ୍ର ଏତେ ବେଶି ଦେଖନ୍ତି ଯେ ଝିଅପୁଅମାନଙ୍କ ଭିତରେ ଏ ପ୍ରକାର ବ୍ୟବହାର ଆଶ୍ଚର୍ଯ୍ୟଜନକ ନୁହେଁ । ଏ ଦେଶରେ ଏସବୁ ବନ୍ଦ କରିବାର କୌଣସି ସମ୍ଭାବନା ନାହିଁ । ଯେ ଯାହା ଚାହିଁଲେ ସେ ସେଇୟା କରିବା ହେଉଛି ସ୍ୱାଧୀନତାର ପରିଚାୟିକ । ତେଣୁ ଏସବୁକୁ ନିୟନ୍ତ୍ରଣ କଲେ କୁଆଡ଼େ ସ୍ଵାଧୀନତାରେ ବାଧା ଆସିବ । ରାତ୍ରିକ୍ଳବରେ ସ୍ତ୍ରୀଲୋକମାନେ ଲଙ୍ଗଳା ହୋଇ ନାଚନ୍ତି । ବହୁ ସିନେମା ଘର ଅଛି ଯେଉଁଠି ଏ ପ୍ରକାର ନଗ୍ନଚିତ୍ର ଦେଖାଯାଏ । ସିନେମା ଘର ଆଗରେ ବିଜ୍ଞାପନରେ ବଡ଼ ବଡ଼ ନଗ୍ନଚିତ୍ର ରଖାଯାଇଥାଏ । ରାସ୍ତାକଡ଼ରେ ଶହ ଶହ ସଙ୍ଖ୍ୟାରେ ପତ୍ରିକା ଓ ବହି କୁଢ଼ାହୋଇଥାଏ, ଯାହାଉପରେ ନଗ୍ନ, ସ୍ତ୍ରୀ ଚିତ୍ର ଉପରପୃଷ୍ଠାରେ ନାନା ରଙ୍ଗରେ ଛାପା ହୋଇଥାଏ । ଏ ପ୍ରକାର ସାମାଜିକ ଆବହାଓ୍ୟା ଭିତରେ ରହି ସ୍କୁଲ କଲେଜ ପିଲାଏ ଏ ପ୍ରକାର ବ୍ୟବହାର କରିବା କିଛି ଅସ୍ୱାଭାବିକ ନୁହେଁ ।

ଆମ ଦୃଷ୍ଟିକୋଣରେ ଏହି କେତୋଟି ଅତି ଅସ୍ୱାଭାବିକ ବ୍ୟବହାର ଛାଡ଼ିଦେଲେ ଏମାନଙ୍କର ବହୁ ଭଲଗୁଣ ଅଛି । ଏମାନଙ୍କର ଆତ୍ମନିର୍ଭରଶୀଳତା ଓ ଆତ୍ମଶକ୍ତିରେ ବିଶ୍ୱାସ ବହୁତ ବେଶି । ଖୁବ୍‍ କମ୍‍ ପିଲାଙ୍କର ନ୍ୟୂନ ମନୋଭାବ ଦେଖାଯାଏ । ଏମାନଙ୍କର ଆଗେଇଯିବାରେ ଅଦମ୍ୟ ଆଗ୍ରହ ଓ ଶକ୍ତି । ତେଣୁ ଏମାନେ ମୁହଁକୁ ସିଧା ଚାହିଁ କଥା କହିପାରନ୍ତି । ଆମ ଦେଶରେ ସ୍କୁଲ କଲେଜ ପିଲାଏ ଅଧ୍ୟାପକ କିମ୍ବା ଗୁରୁଜନଙ୍କ ଆଗରେ ମୁହଁଟେକି କଥା କହିପାରନ୍ତି ନାହିଁ । କଥା କହୁ କହୁ ଦଶଥର ମୁଣ୍ଡ ମୁହଁ ନ କୁଣ୍ଡାଇଲେ ରହିପାରନ୍ତି ନାହିଁ । ଯାହା କହିବାର କଥା ସେତକ ପରିଷ୍କାର ଭାବରେ ପ୍ରକାଶ କରିବା କଷ୍ଟକର ବ୍ୟାପାର । ଏ ପ୍ରକାର ଛାତ୍ର ଆମେରିକା ଛାତ୍ରର ଠିକ୍‍ ବିପରୀତ । ଏଥିଯୋଗୁ ଭବିଷ୍ୟତ ଜୀବନରେ ମଧ୍ୟ ଆମ ପିଲାଙ୍କର ବହୁ ଅସୁବିଧା ହୁଏ । ଆମ ଦେଶରେ ଗୁରୁଜନମାନେ ପିଲାମାନଙ୍କୁ ଯେତିକି ସମ୍ମାନ ଦେଖାଇବା କଥା ସେତିକି ଦେଖାନ୍ତି ନାହିଁ; ଅନେକ ପିଲାଙ୍କୁ କୁକୁର, ବିରାଡ଼ି ପରି ଦେଖନ୍ତି । ସ୍କୁଲ କଲେଜରେ ଶତକଡ଼ା ପଚାଶ ଷାଠିଏ ଫେଲ୍‍ ହେବା ଫଳରେ ମଧ୍ୟ ଆମ ପିଲାଙ୍କଠାରେ ଏ ପ୍ରକାର ନ୍ୟୂନଭାବ ଆହୁରି ବଢ଼ିଯାଏ । ତିନି ତୁଣ୍ଡରେ ଛେଳି-କୁକୁର ହେଲାପରି ହଜାର ଥର ପିଲାକୁ ତୃତୀୟ ଶ୍ରେଣୀରେ ପାସ୍‍ କରିଥିବା କଥା କହି କହି ସେମାନଙ୍କୁ ପ୍ରକୃତରେ ଥାର୍ଡ଼କ୍ଳାସ ମଣିଷ କରିଦିଆଯାଏ ।

ଖାଲି ସେତିକି ନୁହେଁ, ଏମାନଙ୍କର ସ୍ୱାସ୍ଥ୍ୟ ଆମ ପିଲାଙ୍କର ସ୍ଵାସ୍ଥ୍ୟଠାରୁ ଢେର୍‍ ଭଲ । ଏମାନଙ୍କୁ ଦେଖିଲେ ପ୍ରକୃତରେ ଭାରି ଆନନ୍ଦ ଲାଗେ । ଏମାନେ ପୁଷ୍ଟିକର ଖାଦ୍ୟ ପ୍ରଚୁର ଖାଇବାକୁ ପାଆନ୍ତି ଏବଂ ପ୍ରତ୍ୟେକ ସ୍କୁଲରେ ଖେଳ କସରତ୍‍ ଲାଗି ବହୁତ ସୁବିଧା କରାଯାଇଛି । ଆମ ଦେଶର ସ୍କୁଲକଲେଜରେ ବ୍ୟାୟାମଶାଳା ଗାଈ ଗୁହାଳଠାରୁ ହୀନ । ଏମାନଙ୍କର ବ୍ୟାୟାମଶାଳା ଦେଖିବାର କଥା । ସନ୍ତରଣ ପୋଖରୀଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଆଧୁନିକ ଖେଳ ଓ କସରତ୍‍ ପାଇଁ ବ୍ୟବହୃତ ଜିନିଷରେ ଭରପୂର । ପୃଷ୍ଟିକର ଖାଦ୍ୟ ଓ କସରତ ଯୋଗୁଁ ଏତେ ସୁନ୍ଦର ସ୍ୱାସ୍ଥ୍ୟ । ରୁଗ୍‍ଣ ଓ ଦୁର୍ବଳ ଛାତ୍ରଟିଏ ଦେଖିବା ଦୁରୂହ ।

ଏମାନେ ଆମ ଦେଶର ଛାତ୍ରଙ୍କ ଅପେକ୍ଷା ଅନେକ ବେଶି ପଢ଼ନ୍ତି ଏବଂ ଅନେକ ବିଷୟରେ ଜାଣନ୍ତି ସତ; କିନ୍ତୁ ନିଜ ଦେଶ ବିଷୟ ଛଡ଼ା ଅନ୍ୟାନ୍ୟ ଦେଶ ବିଷୟରେ ବହୁତ କମ୍‍ ଜାଣନ୍ତି । ଅବଶ୍ୟ ସେଥିଲାଗି ଖବରକାଗଜ ଓ ବେତାର ଅନୁଷ୍ଠାନ ବିଶେଷ ପରିମାଣରେ ଦାୟୀ । ‘ନିୟୁୟର୍କ ଟାଇମ୍ସ୍‍ ପରି ଦି’ତିନିଟା କାଗଜକୁ ଛାଡ଼ିଦେଲେ ଆଉ ଅଧିକାଂଶ ଖବରକାଗଜରେ ବାହାର ଦେଶ ବିଷୟରେ କିଛି ନ ଥାଏ; ଯଦିବା ଥାଏ ତେବେ ଇଂଲଣ୍ଡ ରାଣୀଙ୍କ ଛବି କିମ୍ବା ଫର୍ମୋଜା ବା ଦକ୍ଷିଣ କୋରିଆ ପ୍ରଭୃତି ତଥାକଥିତ ସ୍ୱାଧୀନ ଦେଶମାନଙ୍କର ଖବର ବେଶି ଥାଏ । ତେଣୁ ଏମାନଙ୍କର ବିଦେଶ ବିଷୟରେ ସାଧାରଣଜ୍ଞାନ ବହୁତ କମ୍‍ । ଅନ୍ୟାନ୍ୟ ଦେଶ ବିଷୟରେ ଜାଣିବାପାଇଁ କେତେକଙ୍କର ଆଗ୍ରହ ଅଛି ସତ, କିନ୍ତୁ ମୋଟାମୋଟି ଭାବରେ କହିବାକୁ ଗଲେ ଏ ବିଷୟରେ ଏମାନଙ୍କର କୌତୁହଳ ବଡ଼ କମ୍‍ । ଏମାନେ ନିଜ ନିଜ କଥା ନେଇ ବେଶି ବ୍ୟସ୍ତ ଥିବାର ଦେଖାଯାଏ । ଫଳରେ ଏମାନଙ୍କଠାରେ କିଛି ପରିମାଣରେ ଆତ୍ମବଡ଼ିମା ଓ ଆତ୍ମକୈନ୍ଦ୍ରିକ ଭାବ ଥିବାର ଦେଖାଯାଏ । ଅବଶ୍ୟ ଏ ପ୍ରକାର ଆତ୍ମକୈନ୍ଦ୍ରିକତା ପାଇଁ ବ୍ୟକ୍ତିକୈନ୍ଦ୍ରିକ ପୁଞ୍ଜିବାଦୀ ସମାଜ ଯେ ଅନେକ ପରିମାଣରେ ଦାୟୀ ଏଥିରେ ସନ୍ଦେହ ନାହିଁ ।

Image

 

ଛାତ୍ରମାନଙ୍କର ବିବିଧ ଶିକ୍ଷା

 

ଯୁକ୍ତରାଷ୍ଟ୍ର ଆମେରିକାର ଅଧିକାଂଶ କଲେଜ ଓ ବିଶ୍ୱବିଦ୍ୟାଳୟରେ ସାଧାରଣତଃ ଗୋଟିଏ ପ୍ରକାର ଶିକ୍ଷାନୀତି ଦେଖିବାକୁ ମିଳେ ଯାହା କି ଆମ ଦେଶର ବିଶ୍ୱବିଦ୍ୟାଳୟମାନଙ୍କର ଶିକ୍ଷାନୀତିଠାରୁ ଅଲଗା । ଆମ ଦେଶରେ ପିଲାମାନେ ମାଟ୍ରିକୁଲେଶନ ପାସ୍‍ କଲାପରେ କଲେଜରେ ବିଜ୍ଞାନ, କଳା କିମ୍ବା ବାଣିଜ୍ୟ ଏହି ତିନୋଟି ବିଭାଗରୁ ଗୋଟିକରେ ଯାଇ ଭର୍ତ୍ତି ହୁଅନ୍ତି-। ଆଇ. ଏ., ଆଇ. ଏସ୍‍ ସି. ପଢ଼ିଲାବେଳେ ଇଂରେଜୀ ଓ ମାତୃଭାଷା ଏକାଠି ପଢ଼ିବା ଛଡ଼ା ବିଜ୍ଞାନ ଓ କଳା ଛାତ୍ରଙ୍କ ଭିତରେ ଆଉ କୌଣସି ସମ୍ପର୍କ ନାହିଁ । ବି. ଏ., ବି. ଏସ୍‍ ସି. ପିଲାମାନେ ସମ୍ପୂର୍ଣ୍ଣ ଦୁଇଟି ଅଲଗା ବିଭାଗର ଛାତ୍ର; ଅର୍ଥାତ୍‍ ବିଜ୍ଞାନ ଓ କଳା ବିଭାଗର ବିଷୟବସ୍ତୁ ଓ ଛାତ୍ରମାନଙ୍କ ମଧ୍ୟରେ କୌଣସି ସଂଯୋଗ ନାହିଁ । ଯେ ବିଜ୍ଞାନ ବିଭାଗରେ ରହିଲା ସେ ବିଜ୍ଞାନ ହିଁ ପଢ଼ିଲା: ଜାତୀୟ ଐତିହ୍ୟ, ସଂସ୍କୃତି, ରାଜନୀତି ପ୍ରଭୃତିରେ କୌଣସି ଖବର ରଖେ ନାହିଁ । ଯେ ଇତିହାସ, ଅର୍ଥନୀତି ପ୍ରଭୃତି ପଢ଼ିଲ ତା’ର ବିଜ୍ଞାନ ସହିତ କୌଣସି ସମ୍ପର୍କ ରହେ ନାହିଁ । ପ୍ରଥମରୁ କଲେଜ ପିଲାମାନଙ୍କୁ ଏପରି କୌଣସି ଗୋଟିଏ ନିର୍ଦ୍ଧିଷ୍ଟ ବିଷୟ ସମ୍ବନ୍ଧରେ ଶିକ୍ଷା ଦେବା କେତେଦୂର ସମୀଚୀନ ସେ ବିଷୟରେ ଏଠାକାର ଶିକ୍ଷାବିତ୍‍ମାନେ ପ୍ରଶ୍ନ ଉଠାନ୍ତି । ଏମାନଙ୍କ ମତରେ ଗୋଟିଏ ଛାତ୍ରକୁ କେବଳ ପ୍ରକୃତିବିଜ୍ଞାନ, ସମାଜବିଜ୍ଞାନ ଓ ଅନ୍ୟାନ୍ୟ ବିଷୟରେ ନିର୍ଦ୍ଧିଷ୍ଟ ଜ୍ଞାନ ଦେବା ପୂର୍ବରୁ ତା’ଠାରେ ଯେତେଦୂର ସମ୍ଭବ ପ୍ରଧାନ ପ୍ରଧାନ ଜାଗତିକ ବିଷୟବସ୍ତୁ ସମ୍ପର୍କରେ ଗୋଟିଏ ମୋଟାମୋଟି ଧାରଣା ଆଣିଦେବା ଉଚିତ; ଅର୍ଥାତ୍‍ ପ୍ରତ୍ୟେକ କଲେଜଛାତ୍ରକୁ ତା’ର କଲେଜଶିକ୍ଷାର ଚାରିବର୍ଷ ଭିତରେ ପଦାର୍ଥବିଜ୍ଞାନ, ସମାଜବିଜ୍ଞାନ, ଦର୍ଶନ, ସୂକ୍ଷ୍ମକଳା ପ୍ରଭୃତି ନାନା ବିଷୟରୁ କିଛି କିଛି ଜ୍ଞାନ ଦେବା ଉଚିତ । ତା’ହେଲେ ସେ ପରେ ଯେ କୌଣସି ବିଷୟରେ ବିଶେଷଜ୍ଞ ହେଲେ ସୁଦ୍ଧା ସମାଜରେ ପ୍ରଚଳିତ ଅତି ଆବଶ୍ୟକ ସାମାଜିକ ଦର୍ଶନ ସମ୍ବନ୍ଧୀୟ ଓ ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନ ତା’ର ଥିବ । ଆଧୁନିକ ଦୁନିଆର ଶିକ୍ଷିତ ଲୋକଙ୍କ ପକ୍ଷରେ ଏସବୁ ବିଷୟରେ ସମ୍ପୂର୍ଣ ଅଜ୍ଞ ରହିବା ନିହାତି ଅନୁଚିତ । ପ୍ରକୃତରେ ଦେଖାଯାଏ ଯେ, ଜଣେ ଇଞ୍ଜିନିୟର କିମ୍ବା ଜଣେ ଡାକ୍ତରର ଅର୍ଥନୀତି କିମ୍ବା ସମାଜନୀତି ବା ରାଜନୀତି ବିଷୟରେ ପ୍ରାୟ ବିଶେଷ ଜ୍ଞାନ ନ ଥାଏ । ସେହିପରି ଜଣେ ଧୁରନ୍ଧର ଅର୍ଥନୀତିଜ୍ଞ ଅର୍ଥନୀତି ବିଷୟରେ ଅସାଧାରଣ ପାଣ୍ଡିତ୍ୟ ଲାଭ କରିଥିଲେ ସୁଦ୍ଧା ଜୀବବିଜ୍ଞାନ କିମ୍ବା ପଦାର୍ଥବିଜ୍ଞାନ ବିଷୟରେ କିଛି ଜାଣି ନଥାଏ । ଫଳରେ ଏହି ଆଧୁନିକ ଜଗତରେ ଯେ ତା’ର ଚଳିବାରେ ଅସୁବିଧା ହୁଏ ତା’ ନୁହେଁ, ତା’ର ବ୍ୟକ୍ତିତ୍ୱର ପରିପୂର୍ଣ୍ଣ ବିକାଶରେ ବାଧା ଆସେ । ସେ ଅନ୍ୟାନ୍ୟ ବିଷୟବସ୍ତୁ ପ୍ରତି ଅଜ୍ଞ ଥିବାରୁ ତା’ର ଦୃଷ୍ଟିକୋଣ ସଙ୍କୀର୍ଣ୍ଣ ହେବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ କ୍ଷେତ୍ରରେ କାମ କରୁଥିବା ବିଶେଷଜ୍ଞମାନଙ୍କ ପ୍ରତି ତା’ର ଶ୍ରଦ୍ଧା କମ୍‍ ଦେଖାଯାଏ । ଆମ ଦେଶରେ ବିଜ୍ଞାନ ଓ କଳା ସମ୍ବନ୍ଧୀୟ ଜ୍ଞାନର କୃତ୍ରିମ ବିଭାଜନ ଫଳରେ ଏ ପ୍ରକାର ମନୋବୃତ୍ତି ଅନେକଙ୍କଠାରେ ଦେଖାଯାଉଛି । ଏ ପ୍ରକାର ସଙ୍କୀର୍ଣ୍ଣତା ଯୋଗୁଁ ଏକା କଲେଜରେ କାମ କରୁଥିଲେ ସୁଦ୍ଧା ଅନେକ ସମୟରେ ବିଭିନ୍ନ ବିଭାଗର ଅଧ୍ୟାପକଙ୍କଠାରେ ପରସ୍ପର ପ୍ରତି ତାତ୍ସଲ୍ୟଭାବ ପ୍ରକାଶ ପାଇଥାଏ । ଏପରିକି ଶାସନକର୍ତ୍ତାମାନଙ୍କ ମଧ୍ୟରେ ମଧ୍ୟ ଏ ପ୍ରକାର ପାତର-ଅନ୍ତରଭାବ ଦେଖାଯାଏ । ଶିକ୍ଷାନୀତି ଦୃଷ୍ଟିକୋଣରୁ ଏହା ଭୟଙ୍କର କ୍ଷତିକାରକ ।

 

ଆମେରିକାର ଶିକ୍ଷାବିତ୍‌ମାନଙ୍କ ମତରେ ବିଭିନ୍ନ ବିଷୟରେ ଜ୍ଞାନ ହାସଲ ନ କଲେ ଜଣେ ଏକଦେଶଦର୍ଶୀ ଓ ସଙ୍କୀର୍ଣ୍ଣ-ମନୋଭାବସମ୍ପନ୍ନ ହେବାକୁ ବାଧ୍ୟ । ତା’ ଛଡ଼ା ଜଣେ ନାନା ବିଷୟରେ ସାଧାରଣଜ୍ଞାନ ପାଇସାରିଲା ପରେ ଯଦି ଗୋଟିଏ ନିର୍ଦ୍ଧିଷ୍ଟ ବିଷୟରେ ଜ୍ଞାନ ହାସଲ କରେ ତା’ହେଲେ ସେ ସେହି କ୍ଷେତ୍ରରେ ଆହୁରି ଭଲଭାବରେ ବିଶେଷଜ୍ଞ ହୋଇପାରିବ; ଅର୍ଥାତ୍‍ ଜଣେ ଇଂଜିନିୟର କିମ୍ବା ଡକ୍ଟର ଯଦି ଅର୍ଥନୀତି, ସମାଜନୀତି ଓ ମନୋବିଜ୍ଞାନ ପ୍ରଭୃତି ପଢ଼ି ତା’ ପରେ ଇଞ୍ଜିନିୟରିଂ ଶିକ୍ଷା କିମ୍ବା ଡାକ୍ତରୀ ଶିକ୍ଷା ପାlଏ ତାହାହେଲେ ସେ ଗୋଟିଏ ଭଲ ଇଞ୍ଜିନିୟର କିମ୍ବା ଡାକ୍ତର ହୋଇପାରିବ । ଏଠାରେ ବହୁବର୍ଷ ହେଲା ଏ ପ୍ରକାର ଶିକ୍ଷାନୀତି ପ୍ରଚଳିତ ହେଲାଣି ଏବଂ ତା’ ଫଳରେ ଏମାନେ ବର୍ତ୍ତମାନ ନିର୍ଦ୍ଧିଷ୍ଟ ଭାବରେ ଜାଣିପାରିଛନ୍ତି ଯେ ବିଭିନ୍ନ ବିଷୟରେ ଜ୍ଞାନ ଅର୍ଜନ କରିଥିବା ଏ ପ୍ରକାର ଜଣେ ଗ୍ରାଜୁଏଟ୍‍ ସମାଜର ଯେକୌଣସି କାର୍ଯ୍ୟରେ ଯୋଗଦେଉଛି ସେଥିରେ ସେ ଢେର୍‍ ଭଲ କାମ କରୁଛି । ବିଶେଷଜ୍ଞ କାର୍ଯ୍ୟ ଛଡ଼ା ଅଫିସ୍‍ ପ୍ରଭୃତି କାମ ଏ ପ୍ରକାର ସାଧାରଣ ଗ୍ରାଜୁଏଟ୍‍ ଖୁବ୍‍ ଭଲ ଭାବରେ ଚଳାଇପାରୁଛି । ସେଥିଯୋଗୁଁ ବର୍ତ୍ତମାନ ଅଧିକାଂଶ କଲେଜ ଓ ବିଶ୍ୱବିଦ୍ୟାଳୟରେ ଜେନେରାଲ ଏଡ଼ କେଶନ୍‍ ବା ‘ବହୁବିଧ ଶିକ୍ଷାପ୍ରଣାଳୀ’ ପ୍ରଚଳିତ ହୋଇଛି । ଯେଉଁ କେତେ ସ୍ଥାନରେ ଏହା ନାହିଁ ସେମାନେ ମଧ୍ୟ ଚେଷ୍ଟାକରୁଛନ୍ତି କ୍ରମେ କ୍ରମେ ଏ ପ୍ରକାର ଶିକ୍ଷାର ପରିବର୍ତ୍ତନ କରବା ଲାଗି ।

 

ଏ ପ୍ରକାର ଶିକ୍ଷାଲାଗି ଯୁକ୍ତରାଷ୍ଟ୍ରର ଓହାଇଓ ଷ୍ଟେଟ୍‍ରେ ଥିବା ବେରଲୀନ୍‍ କଲେଜ ପ୍ରସିଦ୍ଧ । ସେଥିଲାଗି ଏଠାରେ ଅନେକ ଦିନ ରହି ଭଲଭାବରେ ଏ ପ୍ରକାର ଶିକ୍ଷାପ୍ରଣାଳୀ ପର୍ଯ୍ୟବେକ୍ଷଣ କରିବାର ସୁବିଧା ଲେଖକକୁ ମିଳିଥିଲା । ଏହି କଲେଜ ଛଡ଼ା ଏ ବିଷୟରେ ଆଉ ଦଶ ବାରଟି କଲେଜ ଓ ବିଶ୍ୱବିଦ୍ୟାଳୟରେ ଏହି ବିଷୟରେ ପୁଙ୍ଖାନୁପୁଙ୍ଖରୂପେ ଦେଖିବାର ସୁଯୋଗ ମଧ୍ୟ ମିଳିଛି । ବିଭିନ୍ନ କଲେଜରେ ଭିନ୍ନ ଭିନ୍ନ ନୀତି ଥିଲେ ସୁଦ୍ଧା ବିବିଧ ଶିକ୍ଷାଯୋଜନା ବିଷୟରେ ଏମାନଙ୍କ ଭିତରେ ଅନେକ ସାମଞ୍ଜସ୍ୟ ଦେଖିବାକୁ ମିଳୁଛି । ଉଦାହରଣ ସ୍ଵରୂପ ଏଠାରେ ଗୋଟିଏ ପ୍ରକାର ପଦ୍ଧତି ଆଲୋଚନା କରାଯାଉଛି ।

 

ବି. ଏ. ଡିଗ୍ରୀ ପାଇଁ ଏଠି ଜଣେ ଛାତ୍ରକୁ ଏକାଦିକ୍ରମେ ଚାରିବର୍ଷ ପଢ଼ିବାକୁ ହୁଏ । ଆମର ଆଇ. ଏ. ଓ ବି. ଏ. ଦୁଇବର୍ଷ ପରି ଏମାନଙ୍କର କଲେଜଶିକ୍ଷା ଦୁଇ ଭାଗରେ ବିଭକ୍ତ ହୋଇନାହିଁ । ଜଣେ ଚାରିବର୍ଷଯାକ ନ ପଢ଼ିଲେ କିଛି ଲାଭ ହୁଏ ନାହିଁ । ତେଣୁ ବି. ଏ. ପଢ଼ା ଗୋଟିଏ ଚାରିବର୍ଷିଆ ସୁସମନ୍ୱିତ ଯୋଜନା । ଏ ଚାରିବର୍ଷ ଭିତରେ ପ୍ରତ୍ୟେକ ଛାତ୍ରକୁ କେତୋଟି ବାଧ୍ୟତାମୂଳକ ବିଷୟ ବାଛିବାକୁ ହେବ । ତା’ ପରେ ଶେଷ ଦୁଇବର୍ଷରେ ସେ ତା’ର ଇଚ୍ଛାନୁସାରେ ଆଉ କେତୋଟି ବିଷୟ ବାଛେ । ଏମାନଙ୍କ ଭିତରୁ କେଉଁ ବିଷୟରେ କେତେ ପରିମାଣରେ ପଢ଼ିବାକୁ ହେବ ସେହି ବିଷୟର ଗୁରୁତ୍ୱ ଅନୁସାରେ ତାହା ନିର୍ଦ୍ଧିଷ୍ଟ କରାଯାଇଥାଏ । ଆମ ଦେଶରେ ଯେପରି ବିଷୟବସ୍ତୁ ସବୁ ଏକଶହ ନମ୍ବର ଥିବା ଗୋଟିଏ ଏକବର୍ଷିକିଆ ପାଠ୍ୟ ନିର୍ଘଣ୍ଟ ଅନୁସାରେ ଭାଗ କରାହୋଇଥାଏ, ସେଠାରେ କିନ୍ତୁ ସେପରି ନାହିଁ । ହପ୍ତାରେ ଗୋଟିଏ ବିଷୟ ଯେତେ ଘଣ୍ଟା ଧରି ପଢ଼ା ହୁଏ ସେହି ଘଣ୍ଟା ଅନୁସାରେ ତାହା ହିସାବ ହୁଏ । ଶିକ୍ଷା-ବର୍ଷକୁ ଦୁଇଟି ସେମେଷ୍ଟରରେ ବିଭକ୍ତ କରାହୋଇଛି । ତା’ହେଲେ ଚାରିବର୍ଷକୁ ଆଠଟି ସେମେଷ୍ଟର ହେଲା । ଯେକୌଣସି ଗୋଟିଏ ବିଷୟବସ୍ତୁ ହପ୍ତାକୁ କେତେ ଘଣ୍ଟା କରି ଗୋଟିଏ ଗୋଟିଏ ସେମେଷ୍ଟର କିମ୍ବା ଗୋଟିକରୁ ବେଶୀ ସେମେଷ୍ଟର ପଢ଼ାଯାଏ । ବିଷୟଟି ଶେଷ ହୋଇଗଲେ ସେହି ଗୋଟିକ ବିଷୟରେ ସେହି ବିଭାଗର ଅଧ୍ୟାପକ ପରୀକ୍ଷା କରି ପିଲାଙ୍କର କୃତିତ୍ୱ ନିର୍ଦ୍ଧାରଣ କରନ୍ତି । ଜଣେ ଛାତ୍ରକୁ ଗୋଟିଏ ହପ୍ତାରେ ସବୁଠୁ କମ୍‍ ବାରଘଣ୍ଟା ଓ ସବୁଠାରୁ ବେଶି ସତର ଘଣ୍ଟାର ପାଠ୍ୟକ୍ରମ ବାଛିବାକୁ ପଡ଼ିବ । ତା’ର ଇଚ୍ଛାନୁସାରେ ପ୍ରଥମରୁ କି କି ବିଷୟ ଆଗ ପଢ଼ି ସାରିପାରିବ ସେ ସେଇଆ ବାଛେ । ତେବେ ଏ ବିଷୟରେ ସେ ଅଧ୍ୟାପକଙ୍କଠାରୁ ସୁଚିନ୍ତିତ ପରାମର୍ଶ ନେଇ ବିଷୟବସ୍ତୁ ବାଛିଥାଏ । କିନ୍ତୁ ଯେପରିଭାବରେ ବିଷୟବସ୍ତୁ ବାଛୁ ନା କାହିଁକି, ପ୍ରତ୍ୟେକ ଛାତ୍ରକୁ ଚାରିବର୍ଷ ଭିତରେ ନିମ୍ନଲିଖିତ ବିଷୟବସ୍ତୁଗୁଡ଼ିକରେ ଶିକ୍ଷା ପାଇବାକୁ ହେବ । ପରେ ସେ ପ୍ରକୃତିବିଜ୍ଞାନ ବା ସମାଜବିଜ୍ଞାନ କିମ୍ବା ସାହିତ୍ୟରେ ବିଶେଷ ଜ୍ଞାନପାଇଁ ଆହୁରି ଅଧିକ ପଢ଼ିପାରେ; କିନ୍ତୁ ତା’ ପୂର୍ବରୁ ନିମ୍ନରେ ଦିଆହୋଇଥିବା ବିଷୟଗୁଡ଼ିକୁ ତାକୁ ପଢ଼ିବାକୁ ହେବ; ଯଥା-ଇଂରେଜୀ ଭାଷା ଶିକ୍ଷା, ବିଦେଶୀ ଭାଷା, ସାହିତ୍ୟ, ଶାରୀରିକ ବ୍ୟାୟାମ ଶିକ୍ଷା, ପ୍ରାକୃତିକ ବିଜ୍ଞାନ, ସାମାଜିକ ବିଜ୍ଞାନ, ଚାରୁକଳା ଉପଭୋଗ ଲାଗି ଶିକ୍ଷା, ଦର୍ଶନ । ସ୍କୁଲରେ ଅଙ୍କ ଭଲଭାବରେ ନପଢ଼ିଥିଲେ କିଛି ସମୟପାଇଁ ଅଙ୍କ ପଢ଼ିବାକୁ ହେବ ।

 

ଉପରେ ଦିଆହୋଇଥିବା ପ୍ରତ୍ୟେକ ବିଷୟବସ୍ତୁରେ ଭିନ୍ନ ଭିନ୍ନ ଶାଖା ବିଷୟବସ୍ତୁ ରହିଛି-। ଇଂରେଜୀ ଭାଷା ଶିକ୍ଷା ହପ୍ତାକୁ ତିନି ଘଣ୍ଟା ହିସାବରେ ହୁଏତ ଗୋଟିଏ ବର୍ଷ ଚାଲିପାରେ । ବ୍ୟାୟାମ ଶିକ୍ଷା ହପ୍ତାକୁ ଦୁଇଘଣ୍ଟା ହିସାବରେ ବର୍ଷେ କିମ୍ବା ଘଣ୍ଟାଏ ହିସାବରେ ଦୁଇବର୍ଷ । ପ୍ରାକୃତିକ ବିଜ୍ଞାନ ଓ ସମାଜବିଜ୍ଞାନ ଭିତରୁ ଯେକୌଣସି ଗୋଟିଏ ବିଷୟବସ୍ତୁକୁ ଜଣେ ବାଛିପାରେ । ଜଣେ ପଦାର୍ଥବିଜ୍ଞାନ ନିଏ ତ’ ଆଉ ଜଣେ ଜୀବବିଜ୍ଞାନ ନେଇପାରେ; କିନ୍ତୁ ଏ ଭିତରୁ ଗୋଟିଏ ବିଷୟରେ ପ୍ରତ୍ୟେକକୁ ହପ୍ତାକୁ ଚାରିଘଣ୍ଟା ହିସାବରେ ଗୋଟିଏ ବର୍ଷ ପଢ଼ିବାକୁ ହେବ । ସାଧାରଣତଃ ପ୍ରଥମ ଦ୍ୱିତୀୟ ବର୍ଷରେ ପିଲାମାନେ ଏସବୁ ବିଷୟ ସାରିଦେବାକୁ ଚେଷ୍ଟା କରନ୍ତି । କେତେକଙ୍କର ତୃତୀୟ ବର୍ଷକୁ କିଛି ବିଷୟ ରହିଯାଇପାରେ ମଧ୍ୟ । ସେଥିରେ କୌଣସି ଆପତ୍ତି ନାହିଁ ।

 

ତୃତୀୟ ବର୍ଷରେ ପ୍ରତ୍ୟେକ ପିଲା ନିଜ ଇଚ୍ଛା ଓ ଆଗ୍ରହ ଅନୁସାରେ ତା’ର ପ୍ରିୟ ବିଷୟବସ୍ତୁ ବାଛେ ଏବଂ ଯେଉଁଥିରେ କି ସେ ଶେଷ ସୁଦ୍ଧା ବିଶିଷ୍ଟ ପାରଦର୍ଶିତା ଲାଭ କରିବାକୁ ଚେଷ୍ଟା କରେ । ଏହାକୁ ଆମ କଲେଜର ଅନର୍ସ ବିଷୟ ସହିତ ତୁଳନା କରାଯାଇପାରେ । ଏହି ଗୋଟିଏ ନିର୍ଦ୍ଧିଷ୍ଟ ବିଷୟ ନେଇ ସେ ତୃତୀୟ ଓ ଚତୁର୍ଥ ବର୍ଷରେ ଚବିଶଠାରୁ ଚାଳିଶ ସେମେଷ୍ଟର ଘଣ୍ଟା ପଢ଼େ । ବିଷୟବସ୍ତୁ ଅନୁସାରେ ଏହି ସମୟ ନିଧାର୍ଯ୍ୟ ହୋଇଥାଏ । ଦର୍ଶନରେ ଚବିଶ ଘଣ୍ଟା ନେଲେ ଚଳେ; କିନ୍ତୁ ରସାୟନଶାସ୍ତ୍ରରେ ଚାଳିଶଘଣ୍ଟା ଯାଏଁ ପଢ଼ିବାକୁ ହୁଏ; ଅର୍ଥାତ୍‍ ଦୁଇବର୍ଷ ବା ଚାରି ସେମେଷ୍ଟର ଭିତରେ ଜଣେ ହପ୍ତାକୁ ଛଅ ଘଣ୍ଟାରୁ ଦଶଘଣ୍ଟା ଯାଏ ଏହି ବିଷୟଟି କଲେଜରେ ପଢ଼େ । ଏହା ଛଡ଼ା ପ୍ରତ୍ୟେକ ଛାତ୍ରକୁ ବି. ଏ. କିମ୍ବା ବି. ଏସ୍‍ ସି . ପାଶ କରିବାଲାଗି ଚାରିବର୍ଷ ଭିତରେ ମୋଟ ଶହେ ଚବିଶ ସେମେଷ୍ଟର ଘଣ୍ଟା ପଢ଼ିବାକୁ ହେବ; ଅର୍ଥାତ୍‍ ପ୍ରତ୍ୟେକ ହପ୍ତାରେ ତାକୁ ପନ୍ଦର ଷୋହଳ ଘଣ୍ଟାର ପାଠ ପଢ଼ିବାକୁ ହେବ । ବାଧ୍ୟତାମୂଳକ ବିଷୟବସ୍ତୁ ଓ ଅନର୍ସ ବିଷୟବସ୍ତୁ ଛଡ଼ା ଶହେ ଚବିଶ ଘଣ୍ଟାରୁ ଯେତକ ବାକି ସମୟ ରହିଲା ସେତିକି ଘଣ୍ଟାର ବିଷୟବସ୍ତୁ, ତାକୁ ଅନ୍ୟାନ୍ୟ ବିଷୟବସ୍ତୁ ଭିତରୁ ବାଛିନେବାକୁ ହେବ । ସାଧାରଣତଃ ଅନର୍ସ କରୁଥିବା ବିଷୟବସ୍ତୁ ବିଭାଗର ଅଧ୍ୟାପକଙ୍କ ପରାମର୍ଶ ଅନୁସାରେ ସେ ଆଉ କେତୋଟି ବିଷୟ ବାଛେ । ଆଶ୍ଚର୍ଯ୍ୟର କଥା ଯେ ଓବରଲିନ୍‍ କଲେଜରେ ବିଭାଗୀୟ ଅଧ୍ୟାପକଙ୍କ ପରାମର୍ଶକ୍ରମେ ଶତକରା ଅଶି ଭାଗ ଛାତ୍ରଛାତ୍ରୀ ମନୋବିଜ୍ଞାନ ବାଛିଥାନ୍ତି । ତେଣୁ କି ବିଜ୍ଞାନ କି କଳା, ଯେକୌଣସି ଛାତ୍ର ମନୋବିଜ୍ଞାନ ସମ୍ବନ୍ଧରେ କିଛି କିଛି ଜ୍ଞାନ ଅର୍ଜନ କରିଥାଆନ୍ତି । ପ୍ରାୟ ସବୁ ଛାତ୍ରଙ୍କଠାରେ ବୁଦ୍ଧି ପରୀକ୍ଷା, ଫ୍ରାୟେଡ଼୍‍ଙ୍କ ତଥ୍ୟ ପ୍ରଭୃତି ଅତି ଜ୍ଞାତବ୍ୟ ବିଷୟରେ କିଛି କିଛି ସାଧାରଣ ଜ୍ଞାନ ଦେଖିବାକୁ ମିଳେ ।

 

ଆମ ଦେଶରେ ଯେପରି ପାଶ୍‍ ଓ ଅନର୍ସ ଛାତ୍ର ଅଛନ୍ତି, ଏଠାରେ ସେପରି ନାହାନ୍ତି । ପ୍ରତ୍ୟେକ ବି. ଏ., ବି. ଏସ୍‍ ସି. ଡିଗ୍ରୀଧାରୀ ନିଶ୍ଚୟ ଯେକୌଣସି ବିଷୟରେ ବିଶେଷ ଜ୍ଞାନ ଅର୍ଜନ କରିଥିବ । ପ୍ରତ୍ୟେକ ପିଲାର ବିଜ୍ଞାନ, ଦର୍ଶନ, ସାହିତ୍ୟ, ଧର୍ମତତ୍ତ୍ୱ, ସମାଜବିଜ୍ଞାନ ପ୍ରଭୃତି ବିଷୟରେ ଜ୍ଞାନ ହେବା ସଙ୍ଗେ ସଙ୍ଗେ ଗୋଟିଏ ନିର୍ଦ୍ଧିଷ୍ଟ ବିଷୟରେ ମଧ୍ୟ ବିଶେଷ ଜ୍ଞାନ ହୋଇଥାଏ । ଅବଶ୍ୟ କୌଣସି ଗୋଟିଏ ବିଷୟରେ ଖୁବ୍‍ ଦକ୍ଷତା ଅର୍ଜନ କରିବାକୁ ହେଲେ ବି. ଏ., ବି. ଏସ୍‍ସି. ପରେ ଆହୁରି ବେଶି ପଢ଼ିବାକୁ ହୁଏ; କିନ୍ତୁ ଜଣେ ବି. ଏ. କିମ୍ବା ବି. ଏସ୍‍ସି.ରେ ଯେତିକି ଜାଣିବା କଥା ସେତିକି ସେ ଜାଣିପାରୁଛି । ମୋର ମନେହେଲା ଏଠାକାର ଯେକୌଣସି ଗ୍ରାଜୁଏଟ୍‍ ଛାତ୍ରର ଜ୍ଞାନ ଆମ କଲେଜମାନଙ୍କର ଏମ୍‍.ଏ. ପାଠ୍ୟକ୍ରମଠାରୁ କୌଣସି ଅଂଶରେ କମ୍‍ ନୁହେଁ; ବରଂ ଏଠାକାର ଅଧ୍ୟାପକମାନେ ଆମ ଦେଶରୁ ଏମ୍‍. ଏ. ପାଶ୍‍ କରି ଆସିଥିବା ପିଲାମାନଙ୍କର ଜ୍ଞନ ଏମାନଙ୍କୁ ତୁଳନାରେ ବହୁତ କମ୍‌ବୋଲି କହୁଛନ୍ତି । ମୋର ମଧ୍ୟ ସେଇୟା ମନେହେଲା । ଚାରିବର୍ଷ ଭିତରେ ଆମ ପିଲାମାନେ ଯେତିକି ପଢ଼ୁଛନ୍ତି ଏମାନେ ତା’ଠୁ ଢେର୍‍ ବେଶି ପଢ଼ୁଛନ୍ତି ।

 

ଏ ପ୍ରକାର ବହୁବିଧ ଶିକ୍ଷା ଯେ କେବଳ ସାଧାରଣ କଳା ଓ ବିଜ୍ଞାନ କଲେଜମାନଙ୍କରେ ଅଛି ତା’ ନୁହେଁ, ସବୁପ୍ରକାର ବୈଷୟିକ ଶିକ୍ଷାକେନ୍ଦ୍ରରେ ମଧ୍ୟ ଏହାର ପ୍ରାଧାନ୍ୟ ରହିଛି । ଇଞ୍ଜିନିୟରିଂ କଲେଜର ଚାରିବର୍ଷ ଶିକ୍ଷା ଭିତରୁ ଶତକରା ବାଇଶି ଭାଗ ଶିକ୍ଷା-ସମୟ ସମାଜବିଜ୍ଞାନ, ଦର୍ଶନ ପ୍ରଭୃତି ବିଷୟ ଲାଗି ବ୍ୟୟିତ ହୁଏ । ଶତକରା ପଚିଶି ଭାଗ ସମୟ ପଦାର୍ଥବିଜ୍ଞାନ ଓ ଅବଶିଷ୍ଟାଂଶ ଇଞ୍ଜିନିୟରିଂ ଶିକ୍ଷା ଲାଗି ବ୍ୟୟିତ ହୁଏ । ଅବଶ୍ୟ ଏ କ୍ଷେତ୍ରରେ ଆମର ବହୁ ଅସୁବିଧା ରହିଛି; କିନ୍ତୁ ଶିକ୍ଷାନୀତି ଦୃଷ୍ଟିରୁ ଯଦି ଆମେ ଏହାକୁ ଗ୍ରହଣ କରୁ ତାହାହେଲେ କାଳକ୍ରମେ ଆମେ ଏ ପ୍ରକାର ଶିକ୍ଷାକୁ କାର୍ଯ୍ୟକାରୀ କରାଇପାରିବା । ଏମାନଙ୍କ ଦେଶରେ ଯେପରି ଶିକ୍ଷାପଦ୍ଧତି ରହିଛି, ଠିକ୍‍ ସେଇୟା ଯେ ଆମେ ଗ୍ରହଣ କରିବୁ ତାହା ନୁହେଁ । ଏମାନଙ୍କର ମଧ୍ୟ ବହୁ ଗଲତି ଅଛି । ଆମର ପରିସ୍ଥିତି ଓ ସାମାଜିକ ଆବଶ୍ୟକତା ଅନୁସାରେ ଏହା ନିଧାର୍ଯ୍ୟ ହେବା ଉଚିତ । କିନ୍ତୁ ଆମର ଶିକ୍ଷାବିତ୍‌ମାନେ ଏତେ ବେଶି ରକ୍ଷଣଶୀଳ ଯେ ଆଜି ପର୍ଯ୍ୟନ୍ତ ଆମେମାନେ ଗୋଟିଏ ସୁସମନ୍ୱିତ ତିନିବର୍ଷିଆ ଗ୍ରାଜୁଏଟ୍‍ ଶିକ୍ଷାପ୍ରାଣାଳୀ ପ୍ରବର୍ତ୍ତନ କରିପାରିଲୁ ନାହିଁ । ହଜାର ହଜାର ଛାତ୍ର ବିଶ୍ୱବିଦ୍ୟାଳୟକୁ ଆସନ୍ତି ଆଇ. ଏସ୍‍ସି. ପଢ଼ିବା ପାଇଁ କେବଳ ଇଞ୍ଜିନିୟରିଂ ମେଡ଼ିକାଲ ଯିବା ଉଦ୍ଦେଶ୍ୟରେ । ତିନିବର୍ଷ ଧରି ଗୋଟିଏ ସୁସଙ୍ଗଠିତ ପାଠ୍ୟକ୍ରମ ସମସ୍ତଙ୍କୁ ଦେବାପାଇଁ ଆମର ଶିକ୍ଷାବିତ୍‍ ମାନେ ବହୁତ ପଶ୍ଚାତ୍‍ପଦ । ଏପରି ଶିକ୍ଷାପଦ୍ଧତି ପୃଥିବୀରେ କେଉଁଠି ନ ଥିଲେ ସୁଦ୍ଧା ଆମେ ସେହି ମାନ୍ଧାତା ଅମଳର ଶିକ୍ଷା ପ୍ରଣାଳୀକୁ ବଦଳେଇବା ପାଇଁ କୁଣ୍ଠିତ ।

Image

 

ଆମେରିକାରେ ଭାରତୀୟ ବାସିନ୍ଦା

 

ଭାରତର ସ୍ଵାଧୀନତା ପରଠାରୁ ଯୁକ୍ତରାଷ୍ଟ୍ର ଆମେରିକାରେ ବହୁ ଭାରତୀୟ ସ୍ଥାୟୀଭାବରେ ବସବାସ କରି ରହିଗଲେଣି । ଗତ ଦୁଇବର୍ଷ ତଳର ଗୋଟିଏ ହିସାବରୁ ଜଣାଯାଏ ଯେ ପ୍ରାୟ ଚାରିହଜାର ଇଞ୍ଜିନିୟର ଓ ଦୁଇହଜାର ଡାକ୍ତର ଏଠାରେ ଚାକିରି କରୁଛନ୍ତି-ପ୍ରତିବର୍ଷ ଏମାନଙ୍କର ସଙ୍ଖ୍ୟା ବଢ଼ି ବଢ଼ି ଚାଲିଛି । ଯେଉଁ ଭାରତୀୟ ଇଞ୍ଜିନିୟର, ଡାକ୍ତର ଏବଂ ଅନ୍ୟାନ୍ୟ ବୁଦ୍ଧି ଜୀବୀମାନେ ଆମେରିକାରେ ବସବାସ କରି ରହିଛନ୍ତି ସେମାନେ ହେଲେ ଭାରତବର୍ଷର ଶ୍ରେଷ୍ଠ ପ୍ରତିଭାଶାଳୀ ଉଚ୍ଚଶିକ୍ଷାପ୍ରାପ୍ତ ଗୋଷ୍ଠୀର ଗୋଟିଏ ବିଶିଷ୍ଟ ଅଂଶ । ଏମାନେ ନିଜ ଦେଶରେ ଉପଯୁକ୍ତ ସୁବିଧା ଓ ସୁଯୋଗ ନପାଇପାରି ଆମେରିକାରେ ଯାଇ ଚାକିରି କରୁଛନ୍ତି । ଉଦାହରଣ ସ୍ଵରୂପ, ଆମର ବିଶିଷ୍ଟ ଇଞ୍ଜିନିୟରିଂ ଶିକ୍ଷାକେନ୍ଦ୍ରରେ ଶିକ୍ଷା ପାଇଥିବା ଛାତ୍ରମାନଙ୍କ ଦୃଷ୍ଟାନ୍ତ ନିଆଯାଉ । କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆମେ ପାଞ୍ଚଟି ଭାରତୀୟ ଟେକ୍ନୋଲଜି ସଂସ୍ଥା ପ୍ରତିଷ୍ଠିତ କଲୁ । ସେଠାରେ ବହୁ ରାଜ୍ୟର ବଛା ବଛା କୃତିତ୍ୱସମ୍ପନ୍ନ ଛାତ୍ରମାନେ ଯାଇ ଇଞ୍ଜିନିୟରିଂ ପଢ଼ିଲେ । ସେଠାରେ ଯେଉଁମାନେ ସବୁଠୁ ଭଲ କଲେ ସେମାନେ ଯୁକ୍ତରାଷ୍ଟ୍ର ଆମେରିକା ଚାଲିଗଲେ । ଯେଉଁ ଇଞ୍ଜିନିୟରିଂ ଛାତ୍ର ପରୀକ୍ଷାରେ ଭଲ ନମ୍ବର ରଖିଥିବ, ତାକୁ ଭାରତ ସରକାର ବିନା ଦ୍ୱିଧାରେ ଆମେରିକା ଯିବାପାଇଁ ଡଲାର ବନ୍ଦୋବସ୍ତ କରିଦେଲେ; ଫଳରେ ଏହି ଇଞ୍ଜିନିୟରିଂ ସଂସ୍ଥାରୁ ପାଶ୍‍ କରିଥିବା ପ୍ରାୟ ଶତକରା ଚାଳିଶ ଜଣ ବର୍ତ୍ତମାନ ଆମେରିକାରେ ଚାକିରି କରୁଛନ୍ତି । ଏ ପ୍ରକାର ପ୍ରତିଭାଶାଳୀ ବୈଜ୍ଞାନିକମାନେ ବିଦେଶକୁ ଚାଲିଯିବା ଫଳରେ ଆମ ଦେଶର ଯେଉଁ କ୍ଷତି ହେଉଛି ତାହାକୁ ଗୁରୁତ୍ୱ ଦେଇ ବିଚାର କରିବା କଥା ।

 

ଯୁକ୍ତରାଷ୍ଟ୍ର ସରକାର ଭାରତକୁ ଯାହା ସାହାଯ୍ୟ ଦେଉଛନ୍ତି ତା’ ତୁଳନାରେ ଭାରତୀୟ ବିଜ୍ଞାନୀମାନଙ୍କର ଯୁକ୍ତରାଷ୍ଟ୍ର ଆମେରିକାରେ ଅର୍ଥନୈତିକ ଅବଦାନ ବହୁତ ବେଶି । ପ୍ରଥମତଃ ଏତେଗୁଡ଼ିଏ ଇଞ୍ଜିନିୟର ଓ ଡାକ୍ତରଙ୍କୁ ଶିକ୍ଷା ଦେବାଲାଗି ଆମେରିକାକୁ କୋଟି କୋଟି ଡଲାର ଖର୍ଚ୍ଚ କରିବାକୁ ପଡ଼ିଥାନ୍ତା । ଦ୍ୱିତୀୟତଃ ଜଣେ ଭାରତୀୟ ଇଞ୍ଜିନିୟର ଯଦି ବର୍ଷକୁ କୋଡ଼ିଏହଜାର ଡଲାର ଦରମା ପାଏ ତା’ହେଲେ ସେ ଅନ୍ତତଃପକ୍ଷେ ଏକଲକ୍ଷ ଡଲାର ମୂଲ୍ୟର ଜିନିଷ ଉତ୍ପାଦନ କରେ । ଏହି ହିସାବରେ ଭାରତୀୟ ବିଜ୍ଞାନୀମାନେ ଯୁକ୍ତରାଷ୍ଟ୍ର ଆମେରିକାକୁ କେତେ ବେଶୀ ସାହାଯ୍ୟ କରୁଛନ୍ତି ତାହା ସହଜରେ ଅନୁମେୟ । କିନ୍ତୁ ସେହି ତୁଳନାରେ ଭାରତ କେତେ ବେଶୀ କ୍ଷତିଗ୍ରସ୍ତ, ତାହା ମଧ୍ୟ ସହଜରେ କଳ୍ପନା କରିହୁଏ । ତଥାପି ବର୍ତ୍ତମାନ ସୁଦ୍ଧା ଆମ ଦେଶର ବହୁ ପ୍ରତିଭାଶାଳୀ ବ୍ୟକ୍ତି ପ୍ରତି ବର୍ଷ ଆମେରିକା ଯାଉଛନ୍ତି । ସେମାନେ ଫେରିବାକୁ ଚାହିଁଲେ ମଧ୍ୟ ଏଠାରେ ଏତେ ପ୍ରତିବନ୍ଧକ ସୃଷ୍ଟି କରାହେଉଛି ଯେ ଫେରିଆସିଲା ପରେ ମଧ୍ୟ କିଛି ସମୟ ପରେ ସେମାନେ ବ୍ୟର୍ଥମନୋରଥ ହୋଇ ପୁଣି ଫେରିଯାଉଛନ୍ତି । ଯେତେଦୂର ମନେହୁଏ, ଏ ଦେଶର ଶାସନ ଓ ଶିକ୍ଷା କ୍ଷେତ୍ରରେ କେବଳ ସାଧାରଣ ବା ଅଳ୍ପବୁଦ୍ଧି ସମ୍ପନ୍ନ ଲୋକେ ହିଁ ଅଧିକରୁ ଅଧିକ ଉନ୍ନତି କରିବାପାଇଁ ଯୋଗ୍ୟ । ତେଣୁ ଏମାନେ ବ୍ୟକ୍ତିଗତ ଈର୍ଷା ଓ ଆତ୍ମବଡ଼ିମା ଯୋଗୁଁ ଆମର ଶ୍ରେଷ୍ଠ ବୁଦ୍ଧିଜୀବୀ ଓ ବିଜ୍ଞାନୀମାନଙ୍କୁ ଦୟନୀୟ ଅବସ୍ଥାରେ ପକାଇ ରଖିବାରେ ଏବଂ ସେମାନଙ୍କୁ ନାନାଭାବରେ ହଇରାଣ କରିବାରେ ଆନନ୍ଦ ପାଆନ୍ତି । ଅମଲାତାନ୍ତ୍ରିକ ଶାସକବର୍ଗ ଦେଶର ଏହି ବିପୁଳ କ୍ଷତି ବିଷୟରେ ସଚେତ ହେଲେ ଆମର ମଙ୍ଗଳ ସାଧିତ ହେବ ।

 

ଆମେରିକାରେ ବହୁବର୍ଷଧରି ସ୍ଥାୟୀଭାବରେ ବସବାସ କରି ରହିଥିବା ବହୁ ଭାରତୀୟଙ୍କ ସହିତ ଲେଖକର ଆଲୋଚନା ହୋଇଥିଲା । ପ୍ରାୟ ଅଧିକାଂଶ ଲୋକ ଭାରତକୁ ଫେରିବାପାଇଁ ଆଗ୍ରହୀ । ପ୍ରଥମରୁ ବହୁତ ସୁବିଧା ପାଉଥିବାରୁ ଏମାନେ ସେହି ଲୋଭରେ ଏଠାରେ ରହିଗଲେ; କିନ୍ତୁ କ୍ରମେ କ୍ରମେ ଏମାନେ ଅନୁଭବ କରୁଛନ୍ତି ଯେ ଆମେରିକାରେ ପ୍ରକୃତରେ ଏମାନେ ଦ୍ଵିତୀୟ ଶ୍ରେଣୀର ନାଗରିକ ହିସାବରେ ଚଳୁଛନ୍ତି । ପ୍ରଥମ ଅବସ୍ଥାରେ ଗୋଟିଏ ଦିଓଟି ଉନ୍ନତିର ସୋପାନ ଅତିକ୍ରମ କଲା ପରେ ଏମାନେ ଅତି ଗଭୀରଭାବରେ ଅନୁଭବ କରୁଛନ୍ତି ଯେ ଅନ୍ୟାନ୍ୟ ଆମେରିକାନ୍‍ ଲୋକଙ୍କ ପରି ଆହୁରି ବେଶୀ ଆଗକୁ ଏମାନେ ଯାଇପାରୁନାହାନ୍ତି । ଆବଶ୍ୟ ବିଶ୍ୱବିଦ୍ୟାଳୟ ଓ ଗବେଷଣା କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖାଯାଉଛି । କିନ୍ତୁ ବ୍ୟବସାୟ ପ୍ରତିଷ୍ଠାନରେ କିମ୍ବା ସରକାରୀ ଚାକିରିରେ ସେମାନେ ଆଉ ବେଶୀ ଉପରକୁ ଉଠିପାରୁନାହାନ୍ତି । ତା’ଫଳରେ ସେମାନଙ୍କଠାରେ ଅତି ଗଭୀର ବ୍ୟର୍ଥତା ଦେଖାଯାଉଛି । ସେତେବେଳେ ସେମାନେ ନିଜ ଦେଶକଥା ଭାବୁଛନ୍ତି; କିନ୍ତୁ ସେତେବେଳକୁ ଆଉ ଫେରିବା ସମ୍ଭବ ନୁହେଁ ।

 

ଜାଗତିକ ଉନ୍ନତି ଦିଗରେ ବ୍ୟର୍ଥତା ଛଡ଼ା ସାଂସ୍କୃତିକ ଓ ସାମାଜିକ କ୍ଷେତ୍ରରେ ମଧ୍ୟ ସେମାନେ କ୍ରମେ କ୍ରମେ ନିଜକୁ ନିଃସଙ୍ଗ ଅନୁଭବ କରୁଛନ୍ତି । ଭାରତୀୟ ସାମାଜିକ ଓ ସାଂସ୍କୃତିକ ପରିବେଶ ଏଠାକାର ପରିବେଶଠାରୁ ଏତେ ତଫାତ୍‍ ଯେ ଯେଉଁ ଭାରତୀୟ ଜୀବନର ପ୍ରଥମ ଭାଗ ଭାରତୀୟ ସାମାଜିକ ପରିବେଷ୍ଟନୀରେ ବଢ଼ିଆସିଛି, ତା’ର ପ୍ରଥମ କେତେ ବର୍ଷର ଆର୍ଥିକ ଓ ବ୍ୟକ୍ତିଗତ ସ୍ଵାଧୀନତାର ମୋହ, ବଡ଼ ବଡ଼ ମଟରଗାଡ଼ି, ସ୍ୱଚ୍ଛଳ ଜୀବନ ଓ ଯୌବନର ଉଦ୍ଦାମ ହିଲ୍ଲୋଳରେ ହିଲ୍ଲୋଳିତ ଅତି ସ୍ୱାଧୀନମନା ଆମେରିକାନ୍‍ ଯୁବତୀମାନଙ୍କ ସହିତ ରମଣୀୟ ବନ ଉପବନ ପରିଭ୍ରମଣର ପ୍ରଗାଢ଼ ଆସକ୍ତି କମିଗଲା ପରେ ତାହାର ଅନ୍ତରରେ ନିଜ ଦେଶର ସାଂସ୍କୃତିକ ପରିବେଶ ପ୍ରତି ପ୍ରଗାଢ଼ ଆକର୍ଷଣ ଦେଖାଦିଏ । ଏହି ଭାରତୀୟମାନେ ଯେତେବେଳେ ଭାବନ୍ତି ଯେ ନିଜର ବୟସ ଯୋଗୁଁ, ପାରିବାରିକ ତଥା ଆର୍ଥିକ ପରିସ୍ଥିତି ଯୋଗୁଁ ସେମାନଙ୍କ ପକ୍ଷରେ ନିଜ ଦେଶକୁ ଫେରିଯିବା ଆଉ ସମ୍ଭବ ନୁହେଁ, ସେତେବେଳେ ସେମାନେ ନିଜକୁ ଆମେରିକାର ଏତେ ବେଶି ଆକର୍ଷଣୀୟ ଓ କୋଳାହଳମୟ ସାମାଜିକ ପରିସ୍ଥିତି ଭିତରେ ମଧ୍ୟ ଏକା ଏକା ମନେକରନ୍ତି । ସେମାନେ ଯଦି ଆମେରିକାନ୍‍ ସ୍ତ୍ରୀ ବିବାହ କରିଥାଆନ୍ତି, ତା’ହେଲେ ତାକୁ ସବୁବେଳେ ଦୋଷ ଦିଅନ୍ତି ଯେ ତା’ ଯୋଗୁଁ ସେ ଆଉ ଭାରତ ଫେରିପାରିବେ ନାହିଁ । କିନ୍ତୁ ପ୍ରକୃତରେ ତା’ର ସବୁ ଦୋଷ ନୁହେଁ । ପିଲାପିଲିମାନେ ମଧ୍ୟ ଭାରତ ଫେରିବାକୁ ଚାହାଁନ୍ତି ନାଇଁ । ଯେଉଁ କାରଣରୁ ଅଳ୍ପ ବୟସରେ ସେମାନେ ଆମେରିକାର ସମାଜକୁ ଏତେ ଭଲପାଉଥିଲେ, ସେହି କାରଣରୁ ସେମାନଙ୍କର ପିଲାମାନେ ମଧ୍ୟ ସେହି ମୁକ୍ତ ସାମାଜିକ ଜୀବନ ଓ ଜାଗତିକ ଉପଭୋଗର ପ୍ରାଚୁର୍ଯ୍ୟ ଭରା ଏତେ ସମୃଦ୍ଧଶାଳୀ ଦେଶ ଛାଡ଼ିବାକୁ ରାଜି ନୁହଁନ୍ତି । ତା’ଛଡ଼ା ଭାରତକୁ ଫେରିଲେ ଯେ ସେମାନେ ଭଲଭାବରେ ଚଳିପାରିବେ ତା’ର କୌଣସି ସ୍ଥିରତା ନାହିଁ । ଏପରି ବହୁ ଭାରତୀୟ ଲେଖକକୁ କହୁଥିଲେ ଯେ, ଯେକୌଣସି ଭଲ ଧରଣର ଚାକିରିଟିଏ ପାଇଲେ ସେମାନେ ଭାରତକୁ ଫେରିବାକୁ ଚାହାଁନ୍ତି; କିନ୍ତୁ ତାହା ସମ୍ଭବ ନୁହେଁ । ଭାରତରେ ଯେଉଁମାନେ ଯେଉଁ ଚାକିରି କରୁଛନ୍ତି ସେମାନଙ୍କ ଉପରେ ହଠାତ୍‍ ଏମାନେ କିପରି ଚାକିରି ପାଇବେ ? ତେଣୁ ସେମାନଙ୍କୁ ଭାରତ ଫେରିବାର ସ୍ୱପ୍ନ ଚିରଦିନ ପାଇଁ ତ୍ୟାଗ କରିବାକୁ ପଡ଼େ । କିନ୍ତୁ ଅନ୍ତରାତ୍ମା ଭିତରର ଫେନାୟିତ ସ୍ୱପ୍ନକୁ ଭୁଲିଯିବା ଏତେ ସହଜ ନୁହେଁ । ଏ କାରଣରୁ ଏମାନଙ୍କ ଭିତରୁ ଅନେକେ ବହୁତ ଦୁଃଖ କରନ୍ତି ।

 

ଏମାନଙ୍କ ଛଡ଼ା ଅଳ୍ପ ସମୟପାଇଁ ରହିଥିବା ଭାରତୀୟମାନଙ୍କୁ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇପାରେ । ଯେଉଁମାନେ ସେଠାରେ ରହିବାପାଇଁ ସ୍ଥିର ସିଦ୍ଧାନ୍ତ କରି ସେଠାକୁ ଯାଇଛନ୍ତି, ସେମାନେ ଆମେରିକାର ପ୍ରତ୍ୟେକ କଥାକୁ ବହୁତ ପସନ୍ଦ କରନ୍ତି । ଆମେରିକା ପରି ଦେଶ ପୃଥିବୀରେ ନାହିଁ ବୋଲି ସେମାନେ ଭାବନ୍ତି । ଭାରତ ତୁଳନାରେ ଆମେରିକା ସ୍ୱର୍ଗ ବୋଲି ଏମାନଙ୍କର ବଦ୍ଧ ଧାରଣା ହୋଇଯାଏ । ଆମେରିକାର ଯୁବକଯୁବତୀମାନେ ଯେଉଁ ସବୁ ସାମାଜିକ ବିଭ୍ରାଟ ପାଇଁ ବିବ୍ରତ ଏବଂ ଆମେରିକାର ବୁଦ୍ଧିଜୀବୀମାନେ ଏପ୍ରକାର ଅସ୍ୱାଭାବିକ ସାମାଜିକ ଘଟଣାକୁ ତୀବ୍ରଭାବରେ ସମାଲୋଚନା କରନ୍ତି, ସେପ୍ରକାର ଘଟଣାବଳୀ ଏମାନଙ୍କର ଦୃଷ୍ଟି ଗୋଚର ହୁଏ ନାହିଁ । ମୋଟାମୋଟି ଭାବରେ ଏମାନେ ଆମେରିକାରେ ସ୍ଥାୟୀଭାବରେ ରହିବାପାଇଁ ଏପରିଭାବରେ ଦୃଢ଼ପ୍ରତିଜ୍ଞ ଯେ ଆମେରିକା ସମାଜର କୌଣସି ଅଶୋଭନୀୟ ବା ଅହିତକର ଦିଗ ଥାଇପାରେ, ଏ ବିଷୟରେ ଚିନ୍ତା କରିବାପାଇଁ ମଧ୍ୟ ଏମାନେ ରାଜି ନୁହନ୍ତି । ଏମାନଙ୍କୁ ଅନ୍ୟ ଆମେରିକାନ୍‍ଙ୍କ ସହିତ ଏକାଠି ଦେଖିଲେ ଏସବୁ ବିଷୟରେ ଏମାନଙ୍କ ସହିତ ସ୍ୱାଭାବିକ ଭାବରେ କଥାବାର୍ତ୍ତା କରିବା ସମ୍ଭବ ହୁଏ ନାହିଁ । ଅନ୍ୟ ଆମେରିକାନ୍ ମାନେ ଏମାନଙ୍କର ଆମେରିକାର ସମାଜ ପ୍ରତି ଅଯୁକ୍ତିକର ଓ ଅନ୍ଧ ମୋହ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି-। ଖାଲି ଏତିକି ନୁହେଁ, ଏପ୍ରକାର ଅସଙ୍ଗତ ମନୋଭାବ ଯୋଗୁଁ ଏହି ଗୋଷ୍ଠୀର ଭାରତୀୟମାନେ ସବୁବେଳେ ଏବଂ ସମସ୍ତଙ୍କ ଆଗରେ ଭାରତର କୁତ୍ସା ରଟନା କରନ୍ତି । ଭାରତରେ କୌଣସି ଜିନିଷ ଭଲ ଥାଇପାରେ ଏ ଭାବନା ଏମାନଙ୍କର ନଥାଏ । ଅନ୍ୟ ଆମେରିକାନ୍‍ଙ୍କ ସହିତ କଥାବାର୍ତ୍ତାବେଳେ ଏମାନଙ୍କର କଥାବାର୍ତ୍ତା ଓ ଚାଲିଚଳଣ ଅନ୍ୟ ବିଚାରଶୀଳ ଭାରତୀୟ ତଥା ଆମେରିକାନ୍‍ମାନଙ୍କ ପକ୍ଷରେ ଅସହ୍ୟ ହୋଇପଡ଼େ । ଏ ପ୍ରକାର ଭାରତୀୟଙ୍କୁ ପରିହର କରିବା ଅବଶ୍ୟମ୍ଭାବୀ ହୋଇପଡ଼େ ।

 

ଅବଶ୍ୟ ଏ ପ୍ରକାର ଅସ୍ୱାଭାବିକ ମନୋବୃତ୍ତି ପଛରେ ଗୋଟିଏ ବିରାଟ ମନସ୍ତାତ୍ତିକ କାରଣ ରହିଛି । ଏମାନେ ନାନା କାରଣରୁ ଆମେରିକାରେ ଆଜୀବନ ରହିବା ପାଇଁ ସ୍ଥିରସିଦ୍ଧାନ୍ତ କରିଥିବାରୁ ଭରତୀୟ ସମାଜରୁ ଅତି କଦର୍ଯ୍ୟ ଭାବରେ ଚିନ୍ତା କରି ଆମେରିକାର ଜୀବନକୁ ସବୁ ଦିଗରୁ ଚିତ୍ତାକର୍ଷକ ତଥା ଗ୍ରହଣୀୟ ବୋଲି ନିଜକୁ ସବୁବେଳେ ବୁଝେଇବା ପାଇଁ ଏ ପ୍ରକାର ବ୍ୟବହାର କରିଥାଆନ୍ତି । ଯେଉଁ ପ୍ରକାର ମନସ୍ତାତ୍ତ୍ୱିକ କାରଣ ଥାଉନା କାହିଁକି ଏ ପ୍ରକାର ଭାରତୀୟମାନେ ନିଶ୍ଚୟ ଅସ୍ୱାଭାବିକ ପ୍ରକୃତିର ଲୋକ ।

 

ଆଉ ଗୋଟିଏ ଶ୍ରେଣୀର ଭାରତୀୟ ଅଛନ୍ତି ଯେଉଁମାନେ ଯୁକ୍ତିଯୁକ୍ତ ଭାବେ ଆମେରିକାର ସମାଜକୁ ବିଶ୍ଳେଷଣ କରନ୍ତି । ଭଲ ମନ୍ଦ ଦିଗ ବାଛିବାରେ ଏମାନେ ବହୁ ପରିଶ୍ରମ କରନ୍ତି । ଯେକୌଣସି ଆକର୍ଷଣୀୟ ଜୀବନ ପ୍ରତି ଏମାନେ ହଠାତ୍‍ ଆକୃଷ୍ଟ ହୋଇପଡ଼ନ୍ତି ନାହିଁ କି ଯେକୌଣସି ଅସାମାଜିକ କୁଟିଳ ଆବର୍ତ୍ତ ଭିତରକୁ ଏମାନେ ଟାଣିହୋଇ ଯାଅନ୍ତି ନାହିଁ । ଯେକୌଣସି ଆମେରିକାନ୍‍ ସ୍ତ୍ରୀ ଏମାନଙ୍କୁ ଫସ୍‌କାଇ ଦେଇପାରେନା । ଡଲାର, ମଟର ଗାଡ଼ି, ଆଇସକ୍ରିମ୍ ଏମାନେ ବ୍ୟବହାର କରନ୍ତି ସତ; କିନ୍ତୁ ଏହା ସେମାନଙ୍କର ପ୍ରାଣକେନ୍ଦ୍ରକୁ ସମ୍ପୂର୍ଣ୍ଣରୂପେ ଆଚ୍ଛାଦିତ କରି ରଖେନା । ଏମାନଙ୍କ ଭିତରୁ ଅନେକ ପ୍ରଥମ କେତେକ ବର୍ଷର ପଢ଼ାପଢ଼ି ବା କିଛି ବର୍ଷ ଚାକିରି ପରେ ଭାରତକୁ ଫେରିଆସିବା ପାଇଁ ଆଗ୍ରହର ସହିତ ଅପେକ୍ଷା କରି ରହିଥାଆନ୍ତି; ଶେଷରେ ଫେରି ମଧ୍ୟ ଆସନ୍ତି । ଏମାନେ ଭାରତ ଓ ଆମେରିକାର ଦୁଇଟି ବିପରିତଦର୍ଶୀ ଜୀବନଧାରା ସହିତ ଭାରସାମ୍ୟ ରଖିପାରନ୍ତି ଏବଂ କୌଣସି ଗୋଟିଏ ସ୍ରୋତରେ ସମ୍ପୂର୍ଣ୍ଣରୂପେ ଭାସିଯାଆନ୍ତି ନାହିଁ ।

 

ଭାରତୀୟ ପୁରୁଷମାନଙ୍କ ବିଷୟରେ ଉପରେ କୁହାହୋଇଥିବା କଥାଗୁଡ଼ିକ ପ୍ରଯୁଜ୍ୟ । ଭାରତୀୟ ସ୍ତ୍ରୀମାନଙ୍କଠାରେ ଆଉ ଗୋଟିଏ ପ୍ରକାର ମନୋବୃତ୍ତି କାମ କରୁଥିବାର ଦେଖାଯାଏ । ଅନେକ ସମୟରେ ସ୍ୱାମୀ ଭାରତକୁ ଫେରିବା ପାଇଁ ବହୁତ ଆଗ୍ରହୀ ଥିଲାବେଳେ ସ୍ତ୍ରୀ ଭାରତକୁ ଫେରିବା ପାଇଁ ସମ୍ପୂର୍ଣ୍ଣ ନାରାଜ ଥିବାର ଦେଖାଯାଏ । କାରଣ ଆମେରିକାରେ ସେ ଏତେ ବେଶୀ ସୁବିଧାରେ ଚଳିପାରେ-ଏତେ କମ୍‍ ସମୟ ଭିତରେ ଏବଂ ଏତେ କମ୍‍ କଷ୍ଟ ସ୍ୱୀକାର କରି ସେ ଘର ଚଳାଇପାରେ ଯେ ଠିକ୍‍ ଏହି କାରଣରୁ ସେ ଭାରତକୁ ଫେରିବା ପାଇଁ ଚାହେଁ ନାହିଁ । ବଡ଼ ବଡ଼ ରେଫ୍ରିଜେରେଟର୍‍ ରେ ସେ ହପ୍ତାକୁ ଥରେ ବଜାର କରି ଖାଦ୍ୟ ଜିନିଷ ଆଣି ରଖିଦିଏ । ଲୁଗାଧୁଆ କଳ, ଘରସଫା କଳ ଓ ରାନ୍ଧିବା ପାଇଁ ବିଦ୍ୟୁତ୍‍ ଚୁଲି ଏତେ ସୁବିଧାଜନକ ଯେ ବିନା ପରିଶ୍ରମରେ ଏବଂ ଖୁବ୍‍ ଅଳ୍ପ ସମୟ ଭିତରେ ସେ ଘରର ସବୁ କାମ କରିଦେଇପାରେ । ତା’ପରେ ବହୁ ସମୟ ପାଇବାରୁ ନିଜେ ଗାଡ଼ି ଚଳାଇ ସିନେମା ଦେଖିବାକୁ ଚାଲିଯାଇପାରେ । ସେ ଭାରତ ତୁଳନାରେ ଏତେ ବେଶୀ ସ୍ୱାଧୀନତା ଉପଭୋଗ କରିପାରେ ଯେ ଭାରତକୁ ଫେରିବା ପାଇଁ ତା’ର ଆଦୌ ଆଗ୍ରହ ନ ଥାଏ । ଅନେକ କ୍ଷେତ୍ରରେ ଲେଖକ ଅନୁଭବ କରିଛି ଯେ କେବଳ ସ୍ତ୍ରୀର ଅନାଗ୍ରହ ତଥା ସକ୍ରିୟ ବାଧା ଯୋଗୁଁ ଅନେକ ସ୍ୱାମୀ ପ୍ରଥମେ ପ୍ରଥମେ ଭାରତକୁ ଫେରିପାରନ୍ତି । ନାହିଁ ଏବଂ କିଛି ବର୍ଷ ପରେ ପିଲାମାନେ ବଡ଼ ହେଲା ପରେ ସେମାନେ ଆଉ ଆସିପାରନ୍ତି ନାହିଁ । ଭାରତରେ ଏମାନେ ଏପରି ଭାବରେ ଘର ଭିତରେ ଆବଦ୍ଧ ହୋଇ ରହନ୍ତି ଯେ ଆମେରିକାର ଉନ୍ମୁକ୍ତ ସମାଜରେ ସେମାନେ ସମ୍ପୂର୍ଣ୍ଣ ଭାବରେ ସ୍ଵାଧୀନ ହୋଇପଡ଼ନ୍ତି । ଘର ଚଳେଇବା, ପିଲାଙ୍କୁ ପାଳିବା ପ୍ରଭୃତି ମଧ୍ୟ ଏଠାରେ ଏତେ ସୁବିଧାରେ ସମ୍ଭବ ହୁଏ ସେ ଭାରତକୁ ଫେରିଆସି ଅଜସ୍ର ଅଭାବ ଅସୁବିଧା ଭୋଗ କରିବାପାଇଁ ସେମାନେ ରାଜି ନ ହେବା ସ୍ଵାଭାବିକ ।

 

ତା’ଛଡ଼ା ଏହା ମଧ୍ୟ ସତ ଯେ ସେଠାରେ ସେମାନେ ଯାହା ରୋଜଗାର କରନ୍ତି ତା’ ତୁଳନାରେ ଖାଦ୍ୟ ପଦାର୍ଥ ଓ ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ଜିନିଷପତ୍ରର ଦାମ୍‍ ବହୁତ କମ୍‍ । ତେଣୁ ଏସବୁ ଜିନିଷ କିଣି ଘର ଚଳାଇବା ପାଇଁ ଏମାନଙ୍କୁ ସହଜ ହୁଏ । ଭରତରେ ଯେ କେବଳ ଜିନିଷର ଦାମ୍‍ ବେଶୀ ତା’ ନୁହେଁ; ପ୍ରତ୍ୟେକ ଜିନିଷ ପାଇବାପାଇଁ ଏତେ ହଇରାଣ ହେବାକୁ ପଡ଼େ ଯେ ଯେଉଁ ସ୍ତ୍ରୀଲୋକମାନେ ଏଠାକୁ ଫେରିଆସନ୍ତି ସେମାନେ ବଡ଼ ମନସ୍ତାପରେ ସମୟ କଟାନ୍ତି ! ଦୁଧ କହିଲେ ଏଠାରେ ପାଣିରେ ମିଶା ଦୁଧ, ମାଂସ କହିଲେ ବୁଢ଼ୀ ଛେଳି ହାଡ଼ରେ ଝୁଲୁଥିବା ମାଂସ ଟୁକୁରା, ପରିବା କହିଲେ ଶୁଖିଲା ପରିବା, ଫଳ କେବଳ ରୋଗୀଙ୍କ ପାଇଁ କିଣାଯାଏ, ଔଷଧ ସବୁ ଭେଜାଲ । ଗହମ ଓ ଚାଉଳ ପଡ଼ି କାର୍ଡ଼ପାଇଁ ଲାଞ୍ଚ ଦେବାକୁ ପଡ଼ିବ-। ପ୍ରତ୍ୟେକ କଥାରେ ହାତଗୁଞ୍ଜା । ଏପରି ପରିସ୍ଥିତିରେ ଗୃହିଣୀମାନେ କାହିଁକି ଭାରତକୁ ଫେରିବା ପାଇଁ ଚାହୁଁ ନାହାନ୍ତି ତାହା ସହଜରେ ଅନୁମେୟ । ବିଚରା ପୁରୁଷର କିନ୍ତୁ ସବୁଠୁ ବେଶି ମନସ୍ତାତ୍ତ୍ୱିକ ସଂଘର୍ଷ-ଆସିଲେ ଅସୁବିଧା, ନଆସିଲେ ମନସ୍ତାପ, ଜୀବନ ବ୍ୟାପୀ ନିଃସଙ୍ଗତା । ଆମେରିକାରେ ଥିବା ଭାରତୀୟ ବାସିନ୍ଦାମାନଙ୍କ ପକ୍ଷରେ ଏହା ପ୍ରକୃତରେ ଗୋଟିଏ ବିରାଟ ଜଟିଳ ସମସ୍ୟା ।

Image

 

ବୈଦେଶିକ ନୀତିରେ ପେଣ୍ଟାଗନ୍‍ର ପ୍ରଭାବ

 

ଯୁକ୍ତରାଷ୍ଟ୍ର ଆମେରିକା ଗୋଟିଏ ବିରାଟ ଧନଶାଳୀ ତଥା ଗଣତାନ୍ତ୍ରିକ ଦେଶ । ପୃଥିବୀର ଗଣତାନ୍ତ୍ରିକ ଶାସନ ସଂସ୍ଥା, ବ୍ୟକ୍ତି-ସ୍ଵାଧୀନତା ଓ ସାମାଜିକ ଜୀବନ ଯାପନ କରିବାରେ ସମ୍ପୂର୍ଣ୍ଣ ସ୍ୱାତନ୍ତ୍ର୍ୟ ଉପଭୋଗ କରୁଥିବା ସଭ୍ୟତାର ନେତୃତ୍ୱ ଦେଉଥିବା ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ନୀତି ବହୁତ ଅଦ୍ଭୁତ ମନେହୁଏ । ଏ ଦେଶର ଆଭ୍ୟନ୍ତରୀଣ ଶାସନ ସଂସ୍ଥା ସେ ଗଣତାନ୍ତ୍ରିକ ପଦ୍ଧତିରେ ପରିଚାଳିତ, ଏଥିରେ ସନ୍ଦେହ ନାହିଁ । ଏ ଦେଶର ଲୋକେ ଯେ ବ୍ୟକ୍ତିସ୍ୱାତନ୍ତ୍ର୍ୟ ଉପଭୋଗ କରନ୍ତି ଏଥିରେ ମଧ୍ୟ ଦ୍ୱିରୁକ୍ତି ନଥାଇପାରେ । ଏ ଦେଶର ପତ୍ରପତ୍ରିକା, ଶିକ୍ଷାପ୍ରାଣାଳୀ, ସଭ୍ୟତା ସଂସ୍କୃତି ବହୁ ପରିମାଣରେ ଅମଲାତାନ୍ତ୍ରିକ ବା ଏକଚ୍ଛତ୍ରବାଦୀ ଶାସନ ସଂସ୍ଥାର ନିୟନ୍ତ୍ରଣରୁ ମୁକ୍ତ । ଏ କଥା ମଧ୍ୟ ନିଃସନ୍ଦେହରେ କୁହାଯାଇପାରେ, ବ୍ୟକ୍ତି ବା ଗୋଷ୍ଠୀ ନିଜର ଜୀବନଯାପନ କରିବାରେ ଯେ ସମ୍ପୂର୍ଣ୍ଣ ସ୍ୱାଧୀନତା ପାଇଛି, ଏହା ମଧ୍ୟ ପୃଥିବୀର ସମସ୍ତେ ସ୍ୱୀକାର କରିବେ । ମୋଟାମୋଟି ଭାବରେ କୁହାଯାଇପାରେ ଯେ ଏହା ଗୋଟିଏ ସୁପ୍ରତିଷ୍ଠିତ ଗଣତାନ୍ତ୍ରିକ ଦେଶ । କିନ୍ତୁ ଆଶ୍ଚର୍ଯ୍ୟର କଥା, ଗତ ଦ୍ଵିତୀୟ ମହାଯୁଦ୍ଧ ପରଠାରୁ ଏହାର କେତେଗୁଡ଼ିଏ ବୈଦେଶିକ ନୀତି ଏପରିଭାବରେ ପରିଚାଳିତ ଯେ ଏହାର ଘୋଷିତ ଗଣତାନ୍ତ୍ରିକ ନୀତି ସହିତ ତା’ର କୌଣସି ସମ୍ପର୍କ ନ ଥିବାର ଜଣାଯାଏ । ଗତ ତିରିଶବର୍ଷ ହେଲା ଏସିଆ ମହାଦେଶରେ ଯୁକ୍ତରାଷ୍ଟ୍ର ଆମେରିକା ଏକଛତ୍ରବାଦୀ, ଫାସିଷ୍ଟ, ଅତ୍ୟାଚାରୀ ଓ ଭ୍ରଷ୍ଟାଚାରୀ ଶାସକବର୍ଗଙ୍କୁ କୋଟି କୋଟି ଟଙ୍କା ବ୍ୟୟ କରି ସାହାଯ୍ୟ କରି ଆସିଛି । ଭିଏତ୍‍ନାମର ମୁକ୍ତି ସଂଗ୍ରାମ ବିରୁଦ୍ଧରେ ଆମେରିକା ଯେପରି ଭାବରେ ଅଜସ୍ର ଅର୍ଥ ଓ ବିରାଟ ଯୁଦ୍ଧସାମଗ୍ରୀ ନେଇ ଲଢ଼ାଇ କରିଥିଲା, ତାହା ଆମେରିକା ଇତିହାସର ଗୋଟିଏ କଳଙ୍କମୟ କାହାଣୀ ବୋଲି ଏଠାକାର ଅଧ୍ୟାପକ, ବୁଦ୍ଧିଜୀବୀ ଓ ବହୁ ରାଜନୀତିଜ୍ଞ ମତ ଦିଅନ୍ତି । ସେହିପରି କୋରିଆ, କାମ୍ବୋଡ଼ିଆ ପ୍ରଭୃତି ଦେଶରେ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକା ଏକଛତ୍ରବାଦୀ ଫାସିଷ୍ଟ ସରକାରକୁ ସାହାଯ୍ୟ କରି ଶେଷରେ ସମ୍ପୂର୍ଣ୍ଣରୂପେ ପରାସ୍ତ ହୋଇଛି । ବାଙ୍ଗଲାଦେଶ ମୁକ୍ତି ସଂଗ୍ରାମ ବିରୁଦ୍ଧରେ ପାକିସ୍ଥାନର ସାମରିକ ଏକଛତ୍ରପତି ଓ୍ୱାହିୟାଙ୍କୁ ସାହାଯ୍ୟ କରିଛି । ଭାରତ ବିରୁଦ୍ଧରେ ସପ୍ତମ ନୌଭେଳା ପଠାଇଛି । ଭାରତ ପରି ସୁପ୍ରତିଷ୍ଠିତ ଗଣତାନ୍ତ୍ରିକ ଦେଶ ବିରୁଦ୍ଧରେ ଆମେରିକା ବରାବର କାମ କରିଆସିଛି ଓ ଭାରତ ଅପେକ୍ଷା ପାକିସ୍ଥାନର ସାମରିକ ଶାସକଙ୍କୁ ବେଶୀ ଭଲ ପାଇଛି । ଦ୍ଵିତୀୟ ମହାଯୁଦ୍ଧ ପରଠାରୁ ଏସିଆରେ ଆମେରିକାର ଏହି କଳଙ୍କମୟ କାହାଣୀ ନିଶ୍ଚୟ ତା’ର ଗଣତାନ୍ତ୍ରିକ ପରମ୍ପରା ସହିତ କୌଣସି ଦିଗରେ ଖାପ ଖାଉନାହିଁ । ତେବେ ଏତେ ବଡ଼ ଗଣତାନ୍ତ୍ରିକ ଦେଶରେ ଏ ପ୍ରକାର ଦ୍ୱନ୍ଦ୍ୱାତ୍ମକ ବୈଦେଶିକ ନୀତି କିପରି ସମ୍ଭବ ହେଉଛି ?

 

ଆମେରିକା ଗଣତାନ୍ତ୍ରିକ ଦେଶ ହୋଇପାରେ, କିନ୍ତୁ ମୂଳତଃ ଏହା ମଧ୍ୟ ଗୋଟିଏ ବିରାଟ ଶକ୍ତିଶାଳୀ ପୁଞ୍ଜିପତି ଦେଶ । ପୁଞ୍ଜିପତିଙ୍କର ପ୍ରଭାବ ଆମେରିକା ଶାସନ-ସଂସ୍ଥାରେ ସମ୍ପୂର୍ଣ୍ଣରୂପେ କାମ କରୁଛି । ଆମେରିକାର ଶାସକବର୍ଗ ଅତି ପରାକ୍ରମଶାଳୀ ସାମରିକ ବିଭାଗ ପେଣ୍ଟାଗନ୍‍ ଦ୍ୱାରା ସମ୍ପୂର୍ଣ୍ଣରୂପେ ନିୟନ୍ତ୍ରିତ ତଥା ପରିଚାଳିତ । କଂଗ୍ରେସରେ ସିନେଟ୍‍ରେ ଯେତେ ପ୍ରସ୍ତାବ ହେଉ ପଛକେ, କାଗଜରେ ଯେତେ ବାଦ-ପ୍ରତିବାଦ ସୃଷ୍ଟି ହେଉ ପଛେ, ବିଶ୍ୱବିଦ୍ୟାଳୟରେ, ରାସ୍ତାଘାଟରେ ଯେତେ ପ୍ରକାର ପ୍ରତିବାଦ ହେଲେ ସୁଦ୍ଧା ପେଣ୍ଟାଗନ ଯେ ପ୍ରକାର ସାମରିକ ଯୋଜନା କରେ ସେହି ଅନୁସାରେ ଆମେରିକାର ଶାସକବର୍ଗ କାମ କରନ୍ତି । ଆମେରିକାର ଗୋଇନ୍ଦା ବିଭାଗ ଏତେ ପରାକ୍ରମଶାଳୀ ଯେ କଂଗ୍ରେସ ବା ସିନେଟରେ ଅଜ୍ଞାତସାରରେ ପୃଥିବୀର ବିଭିନ୍ନ ଦେଶରେ ଆମେରିକାର ଅର୍ଥ ଓ ଗୋଇନ୍ଦା ସାହାଯ୍ୟରେ ନାନାପ୍ରକାର ରାଜନୈତିକ ହତ୍ୟା, ଷଡ଼ଯନ୍ତ୍ର ଓ ଗୋପନଯୁଦ୍ଧ ଚାଲୁଥାଏ । କାମ୍ବୋଡ଼ିଆ, ଭିଏତ୍‍ନାମ ପ୍ରଭୃତି ଦେଶରେ ଅତି ବୀଭତ୍ସ ଧରଣର ସାମରିକ ଷଡ଼ଯନ୍ତ୍ର ତଥା ଯୁଦ୍ଧକୌଶଳ ପ୍ରୟୋଗ କରାଯାଏ ଏବଂ ତାହା ବହୁ ଦିନଯାଏ କେହି ଜାଣିପାରନ୍ତି ନାହିଁ । ଯେତେବେଳକୁ ଜଣାଯାଏ ସେତେବେଳକୁ ବହୁତ ଡେରି ହୋଇଯାଇଥାଏ । ଏଥିପାଇଁ କେହି ଦାୟୀ ହୁଅନ୍ତି ନାହିଁ । ଭିଏତ୍‍ନାମରେ ଏତେ ଭୟଙ୍କର ଯୁଦ୍ଧ ହେଲା-ଏତେ ଲୋକ ପ୍ରାଣ ହରାଇଲେ, ଆମେରିକାର ଏତେ ସଙ୍ଖ୍ୟାରେ ସୈନିକଙ୍କୁ ମରଣମୁହଁକୁ ଠେଲିଦିଆଗଲା; କିନ୍ତୁ ଏସବୁ ଆମେରିକାର ପ୍ରେସିଡେଣ୍ଟ ପେଣ୍ଟାଗନ ଓ ଗୋଇନ୍ଦା ବିଭାଗ ସାହାଯ୍ୟରେ କରାଇପାରିଲେ । ଏଥିପାଇଁ ବିଧିବଦ୍ଧ ଭାବରେ କଂଗ୍ରେସରେ ଯୁଦ୍ଧଘୋଷଣା କରାହୋଇ ନାହିଁ, କି ଯୁଦ୍ଧପାଇଁ ପ୍ରେସିଡେଣ୍ଟଙ୍କୁ କଂଗ୍ରେସ ସମ୍ପୂର୍ଣ୍ଣରୂପେ ଅଧିକାର ମଧ୍ୟ ଦେଇନାହିଁ । ତଥାପି ଏ ପ୍ରକାର ଭୟାବହ ଯୁଦ୍ଧ ଏତେ ବର୍ଷଧରି ଚାଲିପାରିଲା । କାରଣ ପ୍ରେସିଡେଣ୍ଟ ସାମରିକ ବିଭାଗର ମୁଖ୍ୟ ହିସାବରେ ଅନୁଭବ କଲେ ଯେ, ଯୁକ୍ତରାଷ୍ଟ୍ର ଆମେରିକାର ନିରାପତ୍ତା ଓ ମୁକ୍ତ ପୃଥିବୀର ମଙ୍ଗଳପାଇଁ ଏ ପ୍ରକାର ଯୁଦ୍ଧର ଆବଶ୍ୟକତା ରହିଛି । ପେଣ୍ଟଗନ ଓ ପ୍ରେସିଡେଣ୍ଟ ନିଜ ଦାୟିତ୍ୱରେ ଭାରତ ବିରୁଦ୍ଧରେ ସପ୍ତମ ନୌଭେଳା ପଠାଇଥିଲେ । ଏଥିପାଇଁ କଂଗ୍ରେସର ଅନୁମୋଦନ ମିଳି ନ ଥିଲା । ଏହା ନିଶ୍ଚୟ ବଡ଼ ଆଶ୍ଚର୍ଯ୍ୟର କଥା ଯେ ଜଣେ ପ୍ରେସିଡେଣ୍ଟଙ୍କୁ ହାତରେ ରଖି ପେଣ୍ଟାଗନ ଏତେ ଭୟାବହ କାଣ୍ଡ ପୃଥିବୀର ବିଭିନ୍ନ ଦେଶରେ କରିପାରୁଛି; ଅଥଚ ଗଣତାନ୍ତ୍ରିକ ଶାସନ-ସଂସ୍ଥା ଏ ବିଷୟରେ କେବଳ ବକ୍ତୃତା କରିବା ଛଡ଼ା ଆଉ କିଛି କରି ପାରୁ ନାହିଁ-। ଯେଉଁ ଦେଶରେ ସାମରିକ ବିଭାଗ ଏବଂ ଗୋଇନ୍ଦା ବିଭାଗ ଏତେ ଶକ୍ତିଶାଳୀ, ସେଠାରେ କି ପ୍ରକାର ଗଣତାନ୍ତ୍ରିକ ଶାସନ ପରିଚାଳିତ ହେଉଛି ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ବୈଦେଶିକ ନୀତି ପରିଚାଳିତ କରିବାରେ ଏହି ସର୍ବଶକ୍ତିଶାଳୀ ପେଣ୍ଟାଗନର ଯେ ପ୍ରଭାବ ଅପ୍ରତିହତ, ଏଥିରେ ସନ୍ଦେହ ନାହିଁ ।

 

ଆମେରିକାର ଅଧ୍ୟାପକ, ଛାତ୍ର ଓ ଅନ୍ୟାନ୍ୟ ବୁଦ୍ଧିଜୀବୀମାନେ ଏ ବିଷୟ ନେଇ ବଡ଼ ବିବ୍ରତ । ବହୁ ସଭା-ସମିତିରେ ଏ ବିଷୟରେ ଚର୍ଚ୍ଚା ହୁଏ–ପେଣ୍ଟାଗନ୍‍, ସି. ଆଇ. ଏ. ଏବଂ ପ୍ରେସିଡେଣ୍ଟଙ୍କ ବିରୁଦ୍ଧରେ ବହୁ ମତ ପ୍ରକାଶ ପାଏ; ତଥାପି ଜନସାଧାରଣ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣରୂପେ ନିରୁପାୟ ବୋଲି ମନେ ହୁଏ । ବହୁ ବାଦ-ବିସମ୍ବାଦ ପରେ, କଂଗ୍ରେସ ଓ ସିନେଟ୍‍ରେ ବହୁ ତର୍କବିତର୍କରେ ଅନେକ ସମୟ ବିତିଗଲାପରେ ହୁଏତ ଏହି ଜନମତର ପ୍ରଭାବ ପଡ଼େ; କିନ୍ତୁ ସେତେବେଳକୁ ଭିଏତ୍‍ନାମ ଯୁଦ୍ଧ ସରିଯାଇଥାଏ–ହଜାର ହଜାର ଆମେରିକାନ ସୈନ୍ୟ ଯୁଦ୍ଧକ୍ଷେତ୍ରରେ ଟଳିପଡ଼ିଥାଆନ୍ତି–ଆହୁରି ହଜାର ହଜାର ସୈନ୍ୟ ବହୁ ପ୍ରକାର ମାଦକଦ୍ରବ୍ୟ ସେବନ କରି ରାସ୍ତାଘାଟରେ ଟଳି ଟଳି ଚାଲୁଥାଆନ୍ତି–ଚବିଶିଘଣ୍ଟା ଭିତରେ ଦୟନୀୟ ଅବସ୍ଥାରେ ଆମେରିକାର ମହାଶକ୍ତିଶାଳୀ ଶାସକବର୍ଗଙ୍କର ପ୍ରତିନିଧି ଭିଏତ୍‍ନାମରୁ ପ୍ରାଣଭୟରେ ପଳାଇ ଆସନ୍ତି । ଲୋକମତର ଦାବୀ, ଲୋକସଂସ୍ଥାର ପ୍ରଭାବ ବହୁ ଡେରିରେ ଅନୁଭୂତ ହୁଏ; କାରଣ ପେଣ୍ଟାଗନ ଓ ଗୋଇନ୍ଦା ବିଭାଗ ଏତେ ବେଶୀ ଦୁର୍ଦ୍ଧର୍ଷ ଓ ପରାକ୍ରମଶାଳୀ ଯେ ତାକୁ ପ୍ରଭାବିତ କରିବା ଏମାନଙ୍କ ପକ୍ଷରେ ସମ୍ଭବ ନୁହେଁ । ଏତେ ବଡ଼ ଶକ୍ତିଶାଳୀ ଦେଶର ଏହି ଭୟଙ୍କର ଅନୁଷ୍ଠାନଟି ପୃଥିବୀ ପକ୍ଷରେ ଯେ ଅତ୍ୟନ୍ତ ଆତଙ୍କଜନକ, ଏଥିରେ ସନ୍ଦେହ ନାହିଁ ।

 

ଏତେ ବଡ଼ ଗଣତାନ୍ତ୍ରିକ ଦେଶରେ ପେଣ୍ଟାଗନ ଓ ସି. ଆଇ. ଏ. କିପରି ଏତେ ବେଶୀ ଶକ୍ତିଶାଳୀ ହୋଇପାରିଲେ, ଗଣତାନ୍ତ୍ରିକ ସଂସ୍ଥାରେ ବିଶ୍ୱାସ ଥିବା ପ୍ରତ୍ୟେକ ନରନାରୀଙ୍କର ଭାବିବାର କଥା । ଯୁକ୍ତରାଷ୍ଟ୍ର ଆମେରିକାର ମୁଖ୍ୟ ଧନକୁବେର ପୁଞ୍ଜିପତିମାନେ ପରୋକ୍ଷରେ ଏହି ସଂସ୍ଥାର ଆଧିପତ୍ୟ ବଢ଼ାଉଛନ୍ତି । ପେଣ୍ଟାଗନ୍‍ ଜରିଆରେ କୋଟି କୋଟି ଡଲାରର ଯୁଦ୍ଧସରଞ୍ଜାମ ବିଭିନ୍ନ ଦେଶକୁ ଦିଆଯାଏ । ଏହା ତିଆରି କରିବାରେ ପୁଞ୍ଜିପତିମାନେ ବହୁତ ଲାଭ କରନ୍ତି । ବିଭିନ୍ନ ଦେଶରେ ଆମେରିକାକୁ ପସନ୍ଦ କରୁଥିବା ଶାସକବର୍ଗଙ୍କୁ ଯେକୌଣସି ଉପାୟରେ ହେଉ ସୁଦ୍ଧା ଗାଦିରେ ରଖିବାପାଇଁ ଗୋଇନ୍ଦା ବିଭାଗ ଓ ପେଣ୍ଟାଗନ ଚେଷ୍ଟା କରୁଥାଏ । ଯେଉଁଠି ପ୍ରଚୁର ଅସ୍ତ୍ରଶସ୍ତ୍ର ବିକ୍ରି ହୋଇପାରିବ ସେଠାକାର ଶାସକବର୍ଗଙ୍କୁ ଏମାନେ ଭଲପାଇବାକୁ ବାଧ୍ୟ । ସାମରିକ ଏକଛତ୍ରପତି ଶାସକ ସହିତ ଯୁଦ୍ଧସାମଗ୍ରୀ ଓ ଅନ୍ୟାନ୍ୟ ପୁଞ୍ଜି ବିନିଯୋଗ ପାଇଁ ଚୁକ୍ତିବଦ୍ଧ ହେବ ସହଜ । କାରଣ ଜଣେ ଯାହା ନିଷ୍ପତ୍ତି କରିବ, ସେହି ଅନୁସାରେ କାମ ହେବ । କିନ୍ତୁ ଭାରତପରି ଗଣତାନ୍ତ୍ରିକ ଦେଶରେ ଏପରି ଲୁକ୍କାୟିତ ଭାବରେ କିଛି କାମ କରିବା ସମ୍ଭବ ନୁହେଁ । ତା’ ଛଡ଼ା ଜଣେ ଲୋକକୁ ବହୁତ ପ୍ରକାର ପ୍ରଲୋଭନ ଦେଖାଇ ନାନା କଥା କରାଇବା ସମ୍ଭବ; କିନ୍ତୁ ଗୋଟିଏ ଦେଶର ଗଣତାନ୍ତ୍ରିକ ସଂସ୍ଥାକୁ କରାୟତ୍ତ କରିବାରେ ବହୁତା ଅସୁବିଧା ରହିଛି । ସେହି କାରଣରୁ ଏସିଆ ମହାଦେଶର ଏ ପ୍ରକାର ଲାଞ୍ଚଖୋର ଏକଚ୍ଛତ୍ରପତି ଶାସକବର୍ଗଙ୍କୁ ହାତକରି ଗତ ତିରିଶବର୍ଷ ହେଲା ଆମେରିକାର ବୈଦେଶିକ ନୀତି ଓ ଯୁଦ୍ଧନୀତି ପ୍ରସାରିତ ହୋଇଚାଲିଛି । ଏ ସମ୍ପର୍କରେ ଯେତେ ପ୍ରକାର ଆଲୋଚନା ଏ ଲେଖକ ସାଧାରଣ ଲୋକ, ଛାତ୍ରଛାତ୍ରୀ, ଅଧ୍ୟାପକ ଓ ବୁଦ୍ଧିଜୀବୀଙ୍କ ସହିତ କରିଛି, ସେଥିରେ ତାର ହୃଦ୍‍ବୋଧ ହୋଇଛି ଯେ ଯୁକ୍ତରାଷ୍ଟ୍ର ଆମେରିକାର ଜନସାଧାରଣ ଏପ୍ରକାର ସାମରିକ ନୀତି ବିରୁଦ୍ଧରେ ବହୁତ ବେଶି ଉତ୍ତ୍ୟକ୍ତ । ତଥାପି ପେଣ୍ଟାଗନର ଷଡ଼ଯନ୍ତ୍ର ବିରୁଦ୍ଧରେ ଏମାନେ କିଛି କରିପାରନ୍ତି ନାହିଁ । ଏହା ଗଣତାନ୍ତ୍ରିକ ଆମେରିକାର ପ୍ରଧାନ ଦୁର୍ବଳତା ।

 

କ୍ରମେ କ୍ରମେ ଏ ବିଷୟରେ ଲୋକେ ବହୁତ ସଚେତନ ହେଲେଣି । ବିଶେଷତଃ ଭିଏତ୍‍ନାମ ଯୁଦ୍ଧ ପରି କଳଙ୍କମୟ ଜାତୀୟ ପରାଭବ ପରେ ଏମାନେ ପେଣ୍ଟାଗନ ଓ ସି. ଆଇ. ଏ. ବିରୁଦ୍ଧରେ ବହୁତ ଜାଗ୍ରତ ଥିବାର ଜଣାଯାଉଛି । ଆଶା କରାଯାଉଛି, ଆମେରିକାନ୍‍ ଜନସାଧାରଣ ସେମାନଙ୍କର ଲୋକପ୍ରତିନିଧିଙ୍କ ସାହାଯ୍ୟରେ ସାମରିକ ବିଭାଗକୁ ସପୂର୍ଣ୍ଣରୂପେ ଆୟତ୍ତ କରିପାରିବେ । ତା’ ନହେଲେ ଜନମତ ପୃଥିବୀରେ ଶାନ୍ତି ଚାହୁଁନଥିଲାବେଳେ ପେଣ୍ଟାଗନ ତୃତୀୟ ମହାଯୁଦ୍ଧର ସୂତ୍ରପାତ କରାଇଦେଇପାରେ । ବର୍ତ୍ତମାନ ଯୁକ୍ତରାଷ୍ଟ୍ର ହାତରେ ବହୁପରିମାଣରେ ପରମାଣୁ ଓ ଉଦ୍‍ଜାନ ବୋମା ରହିଛି । ଅତି ଶକ୍ତିଶାଳୀ କ୍ଷେପଣାସ୍ତ୍ର ମଧ୍ୟ ବହୁ ପରିମାଣରେ ମହଜୁଦ ରହିଛି । ପ୍ରତି ମୁହୂର୍ତ୍ତରେ ବହୁ ସଙ୍ଖ୍ୟାରେ ସାମରିକ ଉଡ଼ାଜାହାଜ ପରମାଣୁ ଓ ଉଦ୍‍ଜାନ ବୋମାରେ ସଜ୍ଜିତ ହୋଇ ପୃଥିବୀର ଅନେକ ଜାଗାରେ ଅନବରତ ପଇଁତରା ମାରୁଛନ୍ତି । ସାମାନ୍ୟ ଟିକିଏ ଭୁଲ ନିଷ୍ପତ୍ତି ହୋଇଗଲାକ୍ଷଣି ପ୍ରଥମ ଅଧଘଣ୍ଟାଏ ଭିତରେ ପୃଥିବୀର ବିଭିନ୍ନ ସ୍ଥାନରେ ଆମେରିକା ତଥା ସୋଭିଏତ୍ ରୁଷର ସାମରିକ ବିଭାଗ କଳ୍ପନାତୀତ ଧ୍ୱଂସର ପ୍ରଳୟଲୀଳା ସୃଷ୍ଟି କରିଦେଇପାରନ୍ତି । ପୃଥିବୀର ଏପରି ବିପଜ୍ଜନକ ପରିସ୍ଥିତିରେ ଯୁକ୍ତରାଷ୍ଟ୍ର ଆମେରିକାର ସାମରିକ ବିଭାଗ ପେଣ୍ଟାଗନ ଏପରି ବେପରୁଆ ଭାବରେ ଶକ୍ତିଶାଳୀ ହୋଇ ରହିବା ନିଶ୍ଚୟ ଗଭୀର ଉଦ୍ବେଗର ବିଷୟ । ଆକସ୍ମିକ ଭାବରେ ତୃତୀୟ ବିଶ୍ଵଯୁଦ୍ଧ ଘଟିଯାଇପାରେ ବୋଲି ଆମେରିକାର ବହୁ ରାଜନୀତିଜ୍ଞ ଉଦ୍‍ବିଗ୍ନ ଥିବାର ଜଣାଯାଏ ।

 

ମୋଟାମୋଟି ଭାବରେ ଏହା କୁହାଯାଇପାରେ ଯେ ଯୁକ୍ତରାଷ୍ଟ୍ରଆମେରିକାର ଆଭ୍ୟନ୍ତରୀଣ ଶାସନ ବହୁ ପରିମାଣରେ ଗଣତାନ୍ତ୍ରିକ ନୀତିରେ ପରିଚାଳିତ ହେଉଥିଲେ ସୁଦ୍ଧା ଏହାର ସ୍ୱାର୍ଥପର ପୁଞ୍ଜିପତିଙ୍କର ବିରାଟ ପ୍ରଭାବ ଯୋଗୁ ଏହାର ସାମରିକ ବିଭାଗ ଏତେ ଶକ୍ତିଶାଳୀ ହୋଇପଡ଼ିଛି । ତେଣୁ ବୈଦେଶିକ ନୀତି ପରିଚାଳନାରେ ଏବଂ କେତେକ ବିଶିଷ୍ଟ ଆଭ୍ୟନ୍ତରୀଣ ବ୍ୟାପାରରେ ମଧ୍ୟ ଲୋକମତ ବା ଲୋକ-ନିର୍ବାଚିତ ପ୍ରତିନିଧୀବର୍ଗଙ୍କର କର୍ତ୍ତୃତ୍ୱ ବଡ଼ ଦୁର୍ବଳ; ଫଳରେ ଆମେରିକାର ସାମରିକଗୋଷ୍ଠୀଙ୍କର ଗଣତାନ୍ତ୍ରିକ ଦର୍ଶନ ପ୍ରତି କୌଣସି ଶ୍ରଦ୍ଧା ବା ସମ୍ମାନ ନାହିଁ । ବିରାଟ କମ୍ପ୍ୟୁଟର୍‍ ମେସିନ୍‍ ପରି ପେଣ୍ଟାଗନ ଖାଲି ହିସାବ କରୁଛି ଯୁଦ୍ଧ ବ୍ୟବସାୟରେ କେତେ ଲାଭ-କ୍ଷତି, କେତେ କମ୍‍ ଖର୍ଚ୍ଚରେ ପୃଥିବୀର କେତେ କୋଟି ଲୋକଙ୍କୁ କେତେ କମ୍‍ ସମୟ ଭିତରେ ଧ୍ଵଂସ କରିଦେଇହେବ । ଏହି ବିରାଟ ଦାନବ ନିଷ୍ପତ୍ତି କରୁଛି ଯେ ଏହାର ଭୟାବହ ଅସ୍ତ୍ରକୁ ଭିଏତ୍‍ନାମର ବଣଜଙ୍ଗଲ, ଧାନଖେତ, ଗାଁଗଣ୍ଡାରେ ପରୀକ୍ଷା କରିବ-ଏହାର ପରମାଣୁ ବୋମାକୁ ଜନାକୀର୍ଣ୍ଣ ହିରୋସୀମା ଓ ନାଗାସାକିରେ ପରୀକ୍ଷା ସ୍ୱରୂପ ପ୍ରୟୋଗ କରିବ-ସଠିକ ଭାବରେ ହିସାବ କରିବ କେତେ ଖର୍ଚ୍ଚରେ କେତେ ଲୋକ ମଲେ-କେତେ ବର୍ଷଧରି ବଣ-ଜଙ୍ଗଲର ଗଛ ପୋଡ଼ି ଜଳି ପାଉଁଶ ହୋଇ ରହିଲା-କେତେ ବର୍ଷ ଧରି ଧାନ କିଆରୀରେ ଧାନ ଗଜା ହେଲା ନାହିଁ ଏହାର ରାସାୟନିକ ପ୍ରକ୍ରିୟା ଯୋଗୁ । ଏହି ଦୟାମାୟାହୀନ ପେଣ୍ଟାଗନ୍‍ କମ୍ପୁଟର ଯାହା ନିଷ୍ପତ୍ତି କଲା ଯୁକ୍ତରାଷ୍ଟ୍ରର ପ୍ରେସିଡେଣ୍ଟ ସେଥିରେ ରାଜି ହେବାକୁ ବାଧ୍ୟ-ତାପରେ ପୃଥିବୀର ବିଭିନ୍ନ ଦେଶ ଏହାର ସାମରିକ ପରୀକ୍ଷାଗାରରେ ପରିଣତ ହେଲା । ଆମେରିକାର ଲୋକେ ଏଆଡ଼େ ଯେତେ ବକ୍ତୃତା କରୁଥାଆନ୍ତି ପଛେ-ଗଣତାନ୍ତ୍ରିକ ଶାସନ ସଂସ୍କାର ଯେଡ଼େ ବଡ଼ିମା କରନ୍ତୁ ପଛେ-ପେଣ୍ଟାଗନର ନିଷ୍ପତ୍ତି ବିରୁଦ୍ଧରେ କାମ କରିବାର କାହାରି ଶକ୍ତି ନାହିଁ । ତାହେଲେ ଆମେରିକାର ଗଣତାନ୍ତ୍ରିକ ଗଣଦେବତାର ପ୍ରଭାବ ବେଶି ନା ପେଣ୍ଟାଗନ ଦାନବର ଆଧିପତ୍ୟ ବେଶି, ତାହା ସମସ୍ତଙ୍କର ଚିନ୍ତାର ବିଷୟ । କାରଣ ଯେକୌଣସି ଗଣତାନ୍ତ୍ରିକ ଦେଶରେ ମଧ୍ୟ ଏ ପ୍ରକାର ମହାପରାକ୍ରମଶାଳୀ ଦୈତ୍ୟର ଆବିର୍ଭାବ ହେବା ଅସମ୍ଭବ ନୁହେଁ ।

Image

 

ଆମେରିକାର ହିପ୍‍ପୀଗୋଷ୍ଠୀ

 

ଆମେରିକାନ୍‍ ହିପ୍ପୀ ବର୍ତ୍ତମାନ ପୃଥିବୀର ସବୁ ଦେଶରେ ଦେଖିବାକୁ ମିଳନ୍ତି । ଭାରତର ବଡ଼ ବଡ଼ ସହରରେ, ପର୍ଯ୍ୟଟନ ଭ୍ରମଣ କେନ୍ଦ୍ରମାନଙ୍କରେ ଦଳ ଦଳ ହିପ୍ପୀ ଦେଖାଯାନ୍ତି । ଭାରତରେ ଯେଉଁ ହିପ୍ପୀମାନେ ଦେଖାଯାନ୍ତି ସେମାନଙ୍କ ଭିତରୁ ଅଧିକାଂଶ ଅପରିଷ୍କାର ଲୁଗାପଟା ପିନ୍ଧିଥାଆନ୍ତି-ଦେହ ମଧ୍ୟ ମଇଳା-ଯେଉଁଠି ସେଇଠି ଖାଆନ୍ତି, ପିଅନ୍ତି, ଶୁଅନ୍ତି-ଅନେକେ ନାନାପ୍ରକାର ମାଦକ ଦ୍ରବ୍ୟ ସେବନ କରନ୍ତି ଏବଂ ଏହିସବୁ ଜିନିଷର ଚୋରା ବେପାରରେ ମଧ୍ୟ ଲିପ୍ତ ଥାଆନ୍ତି । ମୋଟାମୋଟି ଭାବରେ କହିବାକୁ ଗଲେ ଏହି ହିପ୍ପୀଗୋଷ୍ଠୀ ଆମେରିକାର ସମାଜତ୍ୟକ୍ତ ପଳାତକ ଓ ଯାଯାବରଶ୍ରେଣୀର ଲୋକ । ଏମାନଙ୍କୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଏମାନେ ଯୁକ୍ତରାଷ୍ଟ୍ର ଆମେରିକା ପରି ଏତେ ବଡ଼ ବିଭବଶାଳୀ ଓ ପ୍ରାଚୁର୍ଯ୍ୟଭରା ସମାଜ ଛାଡ଼ି କାହିଁକି ଏପରି ପରିତ୍ୟକ୍ତ ଅବସ୍ଥାରେ ଘୂରିବୁଲୁଛନ୍ତି ?

 

ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଅଳ୍ପ କେତେ ବର୍ଷ ହେଲା ହିପ୍ପୀ ନାମଧେୟ ଗୋଟିଏ ଗୋଷ୍ଠୀ ଦେଖିବାକୁ ମିଳୁଛି । ବିଶେଷତଃ ଭିଏତନାମ ଯୁଦ୍ଧ ସମୟରେ ଏମାନଙ୍କର ସଙ୍ଖ୍ୟା ବଢ଼ିଗଲା । ଏମାନେ ଆମେରିକାର ଜାଗତିକ ପ୍ରାଚୁର୍ଯ୍ୟ ଲାଭପାଇଁ ସମସ୍ତଙ୍କର ଅକ୍ଳାନ୍ତ ପରିଶ୍ରମ ଏବଂ ଏହି ସାମାଜିକ ଦିଗ୍‍ଦର୍ଶନ ବିରୁଦ୍ଧରେ ପ୍ରତିବାଦ କରି ଆମେରିକାର ସମାଜ ସହିତ କୌଣସି ସହଯୋଗ କରିବାପାଇଁ ନାରାଜ । ଏମାନେ ଏହି ସମାଜର ସମ୍ପୂର୍ଣ୍ଣ ପରିବର୍ତ୍ତନ ଚାହାଁନ୍ତି । ଜାଗତିକ ଐଶ୍ୱର୍ଯ୍ୟ ବିରୁଦ୍ଧରେ ପ୍ରତିବାଦ କରି ଏମାନେ କୌଣସି ଉତ୍ପାଦନଶୀଳ କାମରେ ନିଯୁକ୍ତ ହେବାପାଇଁ ରାଜି ନୁହଁନ୍ତି । ଅଧିକାଂଶ ହିପ୍ପୀ ଅତି ଧନୀ ପରିବାରରୁ ଆସିଥାଆନ୍ତି । ବାପମା’ଙ୍କ ପଇସାରେ ଚାରିଆଡ଼େ ବେପରୁଆ ଭାବରେ ବୁଲନ୍ତି ଏବଂ କୌଣସି ପ୍ରକାର ଉପାଦେୟ କାମ କରିବାପାଇଁ ଆଗ୍ରହୀ ନୁହଁନ୍ତି । ଏମାନଙ୍କ ଭିତରେ ନାନା ଦିଗ୍‍ଦର୍ଶନର ଲୋକ ଅଛନ୍ତି । କେହି କେହି ନୂତନ ମାନବିକ ଧର୍ମ ବିଷୟରେ ଆଗ୍ରହୀ ଓ ଆଉ କେତେକ ଚରମ ବାମପନ୍ଥୀ ଦର୍ଶନରେ ଅନୁପ୍ରାଣିତ । କେତେକ ଏକେଲା ଏକେଲା ବା ଦୁଇ ତିନିଜଣ ହୋଇ ବୁଲନ୍ତି; ଆଉ କେତେକ ଗୋଟିଏ ପ୍ରକାର କମ୍ୟୁନ୍ ବା ଦଳଗତ ଜୀବନ ଯାପନ କରନ୍ତି । ଏହି କମ୍ୟୁନ୍‍ରେ ସମସ୍ତେ ଏକାଠି ରହନ୍ତି–ଏକାଠି ଖାଆନ୍ତି ଏବଂ ବ୍ୟକ୍ତିଗତ ପରିବାର ବୋଲି ଏଠାରେ କିଛି ନ ଥାଏ । ଏହି ସମାଜଛଡ଼ା ଗୋଷ୍ଠୀ କେତେକାଂଶରେ ଆମ ଦେଶର ଘରଛଡ଼ା ସନ୍ନ୍ୟାସୀମାନଙ୍କ ପରି । ଆମର ସନ୍ନ୍ୟାସବ୍ରତ ପଛରେ ଯେପରି ମୋଟାମୋଟି ଗୋଟିଏ ପ୍ରକାର ବିରାଗଭାବ ଥାଏ, ଏମାନଙ୍କଠାରେ ମଧ୍ୟ ସେହିପରି ନିଜ ସମାଜପ୍ରତି, ପାଶ୍ଚାତ୍ୟ ସଭ୍ୟତାପ୍ରତି ବିଶେଷ ବୈରାଗ୍ୟ ଭାବ ରହିଛି । ପାଶ୍ଚାତ୍ୟ ସଭ୍ୟତା ପ୍ରତି ବୈରାଗ୍ୟ ଥିବାରୁ ଏମାନେ ଏହା ସହିତ ସହଯୋଗ କରୁନାହାନ୍ତି; ତେଣୁ ଏତେ ସଙ୍ଖ୍ୟାରେ ଏମାନେ ଭାରତରେ ଓ ଅନ୍ୟାନ୍ୟ ପ୍ରାଚ୍ୟ ଦେଶରେ ଦେଖାଯାଆନ୍ତି । କିନ୍ତୁ ସକ୍ରିୟ ବିପ୍ଳବାତ୍ମକ ପରିବର୍ତ୍ତନ ଆଣି ଏହି ସଭ୍ୟତାକୁ ସମ୍ପୂର୍ଣ୍ଣରୂପେ ବଦଳାଇଦେବା ପାଇଁ କୌଣସି ବିଧିବଦ୍ଧ ଯୋଜନାରେ ଏମାନଙ୍କର ବିଶ୍ୱାସ ନାହିଁ । ତେଣୁ ଏମାନେ କେବଳ ପ୍ରତିବାଦ କରି ଅନ୍ୟ ସାମାଜିକ କାର୍ଯ୍ୟରେ ନିଜକୁ ଲିପ୍ତ ରଖନ୍ତି; ଅର୍ଥାତ୍‍ ଯାହା ସମାଜ-ସମର୍ଥିତ କାର୍ଯ୍ୟକଳାପ ତା’ ବିରୁଦ୍ଧରେ ସେମାନେ କାମ କରନ୍ତି । ସଫାସୁତୁରା ରହିବା, ଭଲ ଜାମା ପେଣ୍ଟ ପିନ୍ଧିବା, ମୁଣ୍ଡବାଳ ଭଲଭାବରେ କାଟିବା, ଘରକୁ ଭଲଭାବରେ ସଜାଇ ରଖିବା ପ୍ରଭୃତି ସାମାଜିକ କାର୍ଯ୍ୟର ଠିକ୍‍ ବିପରୀତ କାମ ଏମାନେ କରନ୍ତି । ଯେଉଁ ଯେଉଁ କାମ କରିବା ଫଳରେ ବ୍ୟକ୍ତିର ସାମାଜିକ ପ୍ରତିଷ୍ଠା ବଢ଼େ ଏବଂ ସେ ଅଧିକରୁ ଅଧିକ ସୁବିଧା-ସୁଯୋଗ ପାଏ ସେସବୁ କାମକୁ ଏମାନେ ଆଦୌ ପସନ୍ଦ କରନ୍ତି ନାହିଁ । ମୋଟାମୋଟି ଭାବରେ ଆଧୁନିକ ସାମାଜିକ ବ୍ୟକ୍ତି ହେବାପାଇଁ ଏମାନଙ୍କର ଆଦୌ ଇଚ୍ଛା ନାହିଁ । ତେଣୁ ଏମାନଙ୍କର କୌଣସି ତଥାକଥିତ ଜାଗତିକ ଉଚ୍ଚାଭିଳାଷ ନାହିଁ ।

 

ଅନେକଙ୍କ ମତରେ ଆଧୁନିକ ଆମେରିକା ସମାଜର ଏକଦେଶଦର୍ଶୀ ଦିଗ୍‍ଦର୍ଶନ, କେବଳ ଜାଗତିକ ବିଳାସବ୍ୟସନ ଲାଗି ଅତ୍ୟଧିକ ଆସକ୍ତି, ସମାଜରେ ପ୍ରଚଳିତ ଦ୍ୱନ୍ଦ୍ୱାତ୍ମକ ଓ ସଙ୍ଘର୍ଷମୟ ଶ୍ରେଣୀଗତ ତିକ୍ତତା, ଅତ୍ୟଧିକ ଧନୀ ଓ ଗରିବ ଭିତରେ ରହୁଥିବା ଆକାଶ ପାତାଳର ପାର୍ଥକ୍ୟ, ନାନା ମିଥ୍ୟା ଆଳରେ ପୃଥିବୀର ବହୁ ସ୍ଥାନରେ ଆମେରିକା ସରକାରଙ୍କର ଭୟାବହ ସାମରିକ ଉତ୍ପାତ, ଭିଏତ୍‍ନାମ ଯୁଦ୍ଧର ଅଯୌକ୍ତିକତା, ରାଜନୈତିକ ଦଳ ଓ ବ୍ୟକ୍ତିମାନଙ୍କର ଛଳନାପୂର୍ଣ୍ଣ ରାଜନୈତିକ ଚାଲବାଜି ପ୍ରଭୃତି ନୀତିହୀନ ଓ ଅସ୍ୱାଭାବିକ ସାମାଜିକ ବିଭ୍ରାଟ ଯୋଗୁ ଏହି ସମାଜର ଗୋଟିଏ ଅତି ସମ୍ବେଦନଶୀଳ ଯୁବଗୋଷ୍ଠୀ ଏପରି ଭାବରେ ସମାଜ-ପରିତ୍ୟକ୍ତ ହେବାକୁ ପସନ୍ଦ କରିଛି । ଜାଗତିକ ସୁଖ-ସ୍ଵାଛନ୍ଦ୍ୟର ଯେ ଶେଷ ନାହିଁ ଏବଂ ଏହି ଅସରନ୍ତି ଓ ମୂଲ୍ୟହୀନ ମୂଷାଦୌଡ଼ ପଛରେ ଦୌଡ଼ି ଦୌଡ଼ି ଆମେରିକା ସମାଜ ଅତ୍ୟନ୍ତ ସ୍ୱାର୍ଥପର ହୋଇପଡ଼ୁଛି, ଖାଲି ସେତିକି ନୁହେଁ, ଡଲାର ଲାଭର ଲୋଭ ଏମାନଙ୍କର ଏତେ ବେଶି ଯେ ଅତ୍ୟଧିକ ପରିମାଣରେ ସୁଖ-ସ୍ୱାଚ୍ଛନ୍ଦ୍ୟ ଉପଭୋଗ କରି ସୁଦ୍ଧା ଏହାର ଆହୁରି ପରିମାଣ ବୃଦ୍ଧିପାଇଁ ଏମାନେ ଯେକୌଣସି ପ୍ରକାର ରାଜନୈତିକ ଓ ସାମରିକ ଷଡ଼ଯନ୍ତ୍ରରେ ଲିପ୍ତ ହେବାକୁ ପଶ୍ଚାଦ୍‍ପଦ ହୁଅନ୍ତି ନାହିଁ । ନିଜ ଦେଶର ନିରାପତ୍ତା, ମୁକ୍ତି ଓ ସ୍ଵାଧୀନ ଦେଶର ଗଣତାନ୍ତ୍ରିକ ନୀତି ନାମରେ ଭିଏତ୍‍ନାମରେ ଯେପ୍ରକାର ରକ୍ତାକ୍ତ ସଙ୍ଘର୍ଷ ଏମାନେ ସୃଷ୍ଟି କଲେ, ଲକ୍ଷ ଲକ୍ଷ ଆମେରିକାନ୍‍ ଯୁବକଙ୍କୁ ସେଠାରେ ଦେଶପ୍ରେମ ନାମରେ ଝାସ ଦେବାକୁ ଯେପରି ଭାବରେ ମରଣ ମୁହଁକୁ ଠେଲିଦିଆଗଲା, ନିରସ୍ତ୍ର ଭିଏତ୍‍ନାମର ଶାନ୍ତିକାମୀ ଜନତା ଉପରେ ଯେପରି ଭାବରେ ନାନା ଧରଣର ଲୋମହର୍ଷଣକାରୀ ବୋମାମାନ ବିଞ୍ଛିଦିଆଗଲା ମନୁଷ୍ୟ ସ୍ଵାଧୀନତା ଓ ଆମେରିକାର ନିରାପତ୍ତା ବାହାନାରେ, ତା’ ବିରୁଦ୍ଧରେ ଏହି ସମ୍ବେଦନଶୀଳ ଯୁବକ ଯୁବତୀ ଗୋଷ୍ଠୀ ସମାଜତ୍ୟକ୍ତ ହୋଇ ପ୍ରକାରାନ୍ତରେ ଯୁଦ୍ଧ ଘୋଷଣା କଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏମାନେ ଅସ୍ତ୍ରଶସ୍ତ୍ର ନେଇ ଆମେରିକାର ପ୍ରତିଷ୍ଠିତ ସରକାର ବିରୁଦ୍ଧରେ ଯୁଦ୍ଧ ଘୋଷଣା ନକରି ଗଭୀର ବିରକ୍ତି ଓ ତଥାକଥିତ ସଭ୍ୟ ସମାଜ ପ୍ରତି ତୀବ୍ର ଘୃଣା ଯୋଗୁ ଏମାନେ ସମାଜତ୍ୟକ୍ତ ହିପ୍ପୀରେ ପରିଣତ ହେଲେ ବୋଲି ଅନେକଙ୍କର ମତ । ଏ କଥା ସତ ଯେ ହିପ୍ପୀମାନଙ୍କ ଭିତରେ କଳା ଗୋରା ଭେଦ ନାହିଁ, ଧନୀ ଦରିଦ୍ର ଭେଦ ପ୍ରଶ୍ନ ତ’ ଉଠୁନାହିଁ-ସମସ୍ତେ ସମାନ । ଅନ୍ୟ ଦେଶବାସୀଙ୍କ ପ୍ରତି ଏମାନଙ୍କର ଗଭୀର ଶ୍ରଦ୍ଧା ଓ ସମ୍ମାନ ଥାଏ । ନିଜ ଦେଶର ସାମରିକ ବିଭାଗ ଶାସକବର୍ଗ ଓ ସମାଜର ଗଣ୍ୟମାନ୍ୟ ବ୍ୟକ୍ତିଙ୍କପ୍ରତି ଏମାନଙ୍କର ତୀବ୍ର ଘୃଣା । ଏପ୍ରକାର ମନୋଭାବ ପଛରେ ଯେ ଗୋଟିଏ ବିରାଟ ସମ୍ବେଦନଶୀଳ ମାନବିକତା ଏବଂ ବିଶ୍ୱ-ଭ୍ରାତୃଭାବ ରହିଛି ଏଥିରେ ସନ୍ଦେହ ନାହିଁ । ଆଧୁନିକ ପୃଥିବୀର ଦେଶ ଦେଶ ଭିତରେ ଥିବା ସୀମାରେଖାପ୍ରତି ଏମାନଙ୍କର କୌଣସି ଶ୍ରଦ୍ଧା ନାହିଁ । ତେଣୁ ସେମାନେ ପୃଥିବୀର ଯେକୌଣସି ସ୍ଥାନରେ ମହା ଆନନ୍ଦରେ ଭ୍ରମଣ କରନ୍ତି; ପୃଥିବୀର ଯେକୌଣସି ପ୍ରାନ୍ତର ଜନତା ସହିତ ମିଳିମିଶି ଚଳିପାରନ୍ତି । ସେମାନଙ୍କ ପ୍ରତି କୌଣସି ବିଦ୍ୱେଷ ବା ବିରକ୍ତି ଏମାନଙ୍କର ନାହିଁ ।

 

ହିପ୍ପୀଗୋଷ୍ଠୀର ଏହି ମୂଳ ଦିଗ୍‍ଦର୍ଶନ ଓ ମନୋଭାବ ଯେ ପ୍ରତ୍ୟେକ ହିପ୍ପୀର ସଚେତନ ମନରେ ସର୍ବଦା କାମ କରୁଛି, ଏହା କହିବା କଷ୍ଟ । କିନ୍ତୁ ହିପ୍ପୀଦର୍ଶନ ଯେ ଗୋଟିଏ ବଳିଷ୍ଠ ମାନବିକ ଅନୁକମ୍ପା ଏବଂ ପୃଥିବୀର ମନୁଷ୍ୟ ଜାତି ପ୍ରତି ଗଭୀର କରୁଣା ଉପରେ ପ୍ରତିଷ୍ଠିତ, ଏଥିରେ ସନ୍ଦେହ ନାହିଁ । ଏମାନଙ୍କ ଭିତରେ ଅନେକ ବିଦ୍ୱାନ୍‍ ଦେଖାଯାନ୍ତି । ଭିନ୍ନ ଭିନ୍ନ ଦିଗରେ ସେମାନଙ୍କର ଅଗାଧ ପାଣ୍ଡିତ୍ୟ ରହିଛି । ଏମାନଙ୍କ ସହିତ ଆଲୋଚନା କଲେ ଏମାନଙ୍କ ଦର୍ଶନ ପ୍ରତି ସ୍ୱତଃ ଶ୍ରଦ୍ଧା ଜନ୍ମେ । କିନ୍ତୁ ଗୋଟିଏ କଥା ଭାବିଲେ ଦୁଃଖ ହୁଏ ଯେ ଗୋଟିଏ ବିଶିଷ୍ଟ ପ୍ରତିଭାଶାଳୀ ଯୁବସମ୍ପ୍ରଦାୟ ଏପରିଭାବରେ ନିଜ ନିଜର ଜୀବନକୁ ଅପଚୟ କରିଦେଉଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାର ଅସ୍ୱାଭାବୀ ସମାଜ ବିରୁଦ୍ଧରେ ପ୍ରତିବାଦ କରି, ସାରା ମନୁଷ୍ୟ ସମାଜ ପ୍ରତି ଗଭୀର ଅଭିମାନ କରି, ନିଜକୁ ଏପରିଭାବରେ ତିଳେ ତିଳେ ନଷ୍ଟ କରିଦେଉଛନ୍ତି । ଅନ୍ୟ ଗୋଟିଏ ଦୃଷ୍ଟି କୋଣରୁ ବିଚାର କଲେ ଏହା ଗୋଟିଏ ପ୍ରକାର ଆତ୍ମହତ୍ୟା କହିଲେ ଅତ୍ୟୁକ୍ତି ହେବ ନାହିଁ । ବିଂଶ ଶତାବ୍ଦୀର ଅମାନୁଷିକ ସଭ୍ୟତା ଓ ଶଠତାପୂର୍ଣ୍ଣ ସଂସ୍କୃତି ବିରୁଦ୍ଧରେ ଏହା ଏହି ଗୋଷ୍ଠୀର ଚରମ ଆତ୍ମାହୁତି ବୋଲି କୁହାଯାଇପାରେ । ବିଂଶ ଶତାବ୍ଦୀର ମନୁଷ୍ୟ ନିଜକୁ ସଭ୍ୟ ଓ ସଂସ୍କୃତ ବୋଲି ବାହାବା ନେଉଥିଲେ ମଧ୍ୟ ଦେଶ ଦେଶ ଭିତରେ ଯେ ପ୍ରକାର ତୀବ୍ର ପ୍ରତିଯୋଗିତା ଚାଲିଛି, ଦେଶପ୍ରେମ ନାମରେ ଅନ୍ୟ ଜାତି ଓ ସମାଜକୁ ଯେପରି ଭାବରେ ତୀବ୍ର ଘୃଣା କରୁଛି-ପରମାଣୁ ଓ ଉଦ୍‍ଜାନ ବୋମା ଧରି ସର୍ବଦା କିପରି କୋଟି କୋଟି ମଣିଷକୁ ଧୂଳିସାତ୍‍ କରିବାପାଇଁ ଯୋଜନା କରୁଛି-ତା’ କଥା ଯେ ନଶୁଣିବ ତା’ ଉପରେ ପରମାଣୁ ବୋମା ନିକ୍ଷେପ କରିବ ବୋଲି ଯେପରି ନିର୍ଲଜ୍ଜ ଭାବରେ ବାହାସ୍ଫୋଟ ମାରୁଛି–କୋଟି କୋଟି ସଙ୍ଖ୍ୟାରେ ଲୋକ ଖାଦ୍ୟ ନପାଇ ମରୁଥିଲାବେଳେ ଆଉ କେତେକ ଦେଶ ଯେପରି କଳ୍ପନାତୀତ ଭାବରେ ମାରଣାସ୍ତ୍ର ତିଆରି କରୁଛନ୍ତି ତାହା ଭାବିଲେ ମନରେ ଗଭୀର ଦୁଃଖ ଓ ବିସ୍ମୟ ଜାତ ହୁଏ । ଆଗେ ଯୁଦ୍ଧକ୍ଷେତ୍ରରେ କେବଳ ସୈନ୍ୟସାମନ୍ତ ମୃତ୍ୟୁମୁଖରେ ପଡ଼ୁଥିଲେ; କିନ୍ତୁ ବର୍ତ୍ତମାନର ବିଂଶ ଶତାବ୍ଦୀର ତଥାକଥିତ ଉନ୍ନତ ଓ ସଭ୍ୟ ମାନବଗୋଷ୍ଠୀ କେତେ କମ୍‍ ଖର୍ଚ୍ଚରେ ପୃଥିବୀର କେତେ କୋଟି ନିରୀହ ମନୁଷ୍ୟଙ୍କୁ କେତେ କମ୍‍ ସମୟ ଭିତରେ ମାରିଦେଇପାରିବ ସେ ବିଷୟରେ ବାହାଦୁରୀ ନେବାକୁ ଚାହୁଁଛି । ପରମାଣୁ ବୋମା ଫୁଟାଇପାରିଲେ ଦେଶର ମର୍ଯ୍ୟାଦା ବଢ଼ୁଛି । ଏ ପ୍ରକାର ମାୟାମମତାହୀନ ଭୟଙ୍କର ସଭ୍ୟତା ଭିତରେ ହିପ୍ପୀ ସମ୍ପ୍ରଦାୟର ଯୁବକ-ଯୁବତୀମାନେ ଯେ ଭବିଷ୍ୟତ ବିଶ୍ୱ-ମାନବିକ ସଭ୍ୟତାର ସ୍ଵପ୍ନ ଦେଖୁଛନ୍ତି ଏଥିରେ ସନ୍ଦେହ ନାହିଁ । ଏହି କାରଣରୁ ହିପ୍ପୀଦର୍ଶନର ବିରାଟ ମାନବୀୟ ଦିଗ୍‍ଦର୍ଶନ ରହିଛି । ଆଧୁନିକ ପାଶ୍ଚାତ୍ୟ ସଭ୍ୟତା ଦୃଷ୍ଟିରୁ ଏମାନେ ସମାଜଛଡ଼ା; କାରଣ ଏମାନେ ଭବିଷ୍ୟତ ସଭ୍ୟତାର ପ୍ରତୀକ-ଅନାଗତ ଭବିଷ୍ୟତର ପଥପ୍ରବର୍ତ୍ତକ । କିନ୍ତୁ ଠିକ୍ ଏହି ଉପାୟରେ ଯେ ପୃଥିବୀର ନରନାରୀଙ୍କୁ ଈପ୍ସିତ ଲକ୍ଷ୍ୟରେ ପହଞ୍ଚାଇବା ସମ୍ଭବ, ଏ ବିଷୟରେ ମଧ୍ୟ ସେମାନଙ୍କର କୌଣସି ଆଗ୍ରହ ନାହିଁ । ଏମାନେ କେବଳ ପ୍ରତିବାଦୀ ଏବଂ ସେଥିପାଇଁ ଚରମ ଆତ୍ମାହୁତି ଦେବାପାଇଁ ପ୍ରସ୍ତୁତ । ଏମାନେ କୌଣସି କ୍ଷେତ୍ରରେ ନେତୃତ୍ୱ ଦେବାରେ ଆଗ୍ରହୀ ନୁହନ୍ତି-ନିଜ ପକ୍ଷ ପ୍ରତିପାଦନ କରିବାରେ ଅଭିଳାଷୀ ନୁହନ୍ତି-କୌଣସି ପ୍ରକାର ଆଦର୍ଶରେ ଅନୁପ୍ରାଣିତ ହୋଇ ଆଗେଇ ଚାଲିବାର ସ୍ପୃହା ମଧ୍ୟ ଏମାନଙ୍କର ଥିଲା ପରି ମନେହୁଏନା । ଏମାନେ କେବଳ ନିଜକୁ କ୍ଷୟ କରିବାପାଇଁ ସମର୍ଥ; ସମାଜକୁ ବଦଳାଇବା ପାଇଁ ଅସମର୍ଥ । ଏହି ଅଦ୍ଭୁତ ଗୋଷ୍ଠୀଟିକୁ ଖୁବ୍‍ ନିକଟରୁ ଦେଖିଲେ ଯେ କୌଣସି ଚିନ୍ତାଶୀଳ ବ୍ୟକ୍ତିର ମନ ଗଭୀର ଦୁଃଖରେ ଭରିଉଠେ । ଇଚ୍ଛା ହୁଏ ଏମାନଙ୍କୁ ରାସ୍ତା କଡ଼ରୁ ଉଠାଇ ଆଣିବାପାଇଁ; କିନ୍ତୁ ଯେ କୌଣସିମତେ ଉଠିବାକୁ ଚାହୁଁ ନାହିଁ ତାକୁ ଉଠାଇବା ଅସମ୍ଭବ । କିନ୍ତୁ ବିଂଶ ଶତାବ୍ଦୀର ଶେଷ ପର୍ଯ୍ୟାୟରେ ଯୁକ୍ତରାଷ୍ଟ୍ର ଆମେରିକା ପରି ବିଭବଶାଳୀ ଦେଶରୁ ଏପ୍ରକାର ଗୋଟିଏ ସମାଜବିରୋଧୀ ଗୋଷ୍ଠୀ ଯେ ସୃଷ୍ଟି ହୋଇପାରିବ ଏହା ମଧ୍ୟ କମ୍‍ ଆଶ୍ଚର୍ଯ୍ୟର କଥା ନୁହେଁ । ସମାଜବିଜ୍ଞାନୀ ଓ ମନୋବିଜ୍ଞାନୀଙ୍କ ମତରେ ଆମେରିକାର ଅତି କୃତ୍ରିମ ଓ ସଙ୍ଘର୍ଷମୟ ଅସ୍ଵାଭାବୀ ସମାଜରେ ଏମାନଙ୍କର ସୃଷ୍ଟି ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ଓ ଯଥାର୍ଥ । ପୃଥିବୀର ଅନ୍ୟାନ୍ୟ ସଭ୍ୟ ଦେଶମାନଙ୍କ ପକ୍ଷରେ ଏହାକୁ ସବୁବେଳେ ଆଖିଆଗରେ ରଖିବା ଉଚିତବୋଲି ଏମାନଙ୍କର ମତ ।

Image

 

ଶେଷକଥା

 

‘ଗାଁ ପରିମଳ ଧୋବାତୋଠରୁ ଜଣାଯାଏ ।’ ଏହି ପ୍ରବଚନଟି ପଛରେ ଗୋଟିଏ ମୂଳ ସମାଜତତ୍ତ୍ୱ ରହିଛି । ଗାଁକୁ ପଶିଗଲା ବେଳକୁ ପ୍ରଥମେ ଧୋବାତୋଠଟି ଦେଖାଯାଏ ଏବଂ ଏହି ସ୍ଥାନଟି ଯଦି ଖୁବ୍‍ ପରିଷ୍କାର-ପରିଚ୍ଛନ୍ନ ଥାଏ ତା’ହେଲେ ଗାଁଟି ପରିଷ୍କାର ରହିବାର ସମ୍ଭାବନା ବେଶି-। ସେହିପରି ଗୋଟିଏ ଦେଶକୁ ପ୍ରଥମ କରି ଗଲେ ଏବଂ କିଛି ସମୟ କଟାଇଲା ପରେ କେତେଗୁଡ଼ିଏ ସାମାଜିକ ଓ ସାଂସ୍କୃତିକ ବୈଶିଷ୍ଟ୍ୟ ଆଖିରେ ପଡ଼େ । ଏଗୁଡ଼ିକ ପଛରେ ମଧ୍ୟ କେତେକ ବିଶିଷ୍ଟ ସାମାଜିକ କାରଣ ରଖିଥାଏ । ଅତି ସାବଧାନତାର ସହିତ ସେହିଗୁଡ଼ିକୁ ଲକ୍ଷ୍ୟ କଲେ କେତେକ ସାଧାରଣ ନୀତି ମଧ୍ୟ ଦୃଷ୍ଟିଗୋଚର ହୁଏ । ଏହାର ବିଶଦ ବିବରଣୀ ଦେବାପାଇଁ ଆହୁରି ବେଶି ଗବେଷଣା ଓ ପର୍ଯ୍ୟବେକ୍ଷଣର ଆବଶ୍ୟକତା ରହିଛି । ତଥାପି ଏ ଦେଶ ବିଷୟରେ ଗୋଟିଏ ମୋଟାମୋଟି ସ୍ଥୂଳ ଚିତ୍ର ମନଭିତରେ ଆସିଥାଏ । ଯୁକ୍ତରାଷ୍ଟ୍ର ଆମେରିକାରେ ଅଳ୍ପ ସମୟ ରହିଲା ପରେ ଏହି ଯେଉଁ ସ୍ଥୂଳ ଚିତ୍ରଟି ଲେଖକର ମନକୁ ଆସିଥିଲା ସେ ବିଷୟରେ ଗୋଟିଏ ମୋଟାମୋଟି ଧାରଣା ଦେବା ଉଦ୍ଦେଶ୍ୟରେ ଏହି ବହିଟି ଲେଖାଯାଇଛି ।

 

ପୁଞ୍ଜିପତି ଆମେରିକାର ଅତି ଶକ୍ତିଶାଳୀ ସାମରିକ ବିଭାଗ ଓ ଶାସନ ବିଭାଗ କିପରି ଜନସାଧାରଣଙ୍କର ମତାମତ ବିରୁଦ୍ଧରେ କାମ କରୁଛି, ଏହା ଆମେରିକାରେ ଅଳ୍ପଦିନ ବୁଲିଲେ, ବୁଦ୍ଧିଜୀବୀଙ୍କ ସହିତ ଆଲୋଚନା କଲେ ଏବଂ ଯତ୍ନସହକାରେ କେତେକ ବିଶିଷ୍ଟ ସାମ୍ବାଦିକଙ୍କ ଲେଖାକୁ ଅନୁଧ୍ୟାନ କଲେ ସହଜରେ ଉପଲବ୍ଧି କରିହୁଏ । ଯେକୌଣସି ଗଣତାନ୍ତ୍ରିକ ଦେଶରେ ଯେ ଏହା ଗୋଟିଏ ବିପଦଜନକ ପରିସ୍ଥିତି ସୃଷ୍ଟି କରୁଛି ତାହା ଏମାନଙ୍କଠାରୁ ଅତି ସ୍ପଷ୍ଟଭାବରେ ଜଣାଯାଏ । ଆମେରିକା ପ୍ରେସିଡେଣ୍ଟଙ୍କ ବେପରୁଆ ଭାବ ଓ ମୁଷ୍ଟିମେୟ ପୁଞ୍ଜିପତିଙ୍କର ସ୍ଵାର୍ଥ ସାଧନପାଇଁ ତାଙ୍କର ବହୁ ଅଗଣତାନ୍ତ୍ରିକ ମନୋଭାବ ବିଷୟରେ ଅତି ସ୍ପଷ୍ଟ ଚିତ୍ର ପ୍ରେସିଡେଣ୍ଟ ନିକ୍ସନଙ୍କର ପଦତ୍ୟାଗ ପୂର୍ବରୁ ଏବଂ ପରେ ଏଠାକାର ପତ୍ରପତ୍ରିକାରେ ମିଳୁଥିଲା । ଏ ବିଷୟରେ ବହୁ ଚିନ୍ତାଶୀଳ ବ୍ୟକ୍ତି ଗଭୀର ଉଦ୍‍ବିଗ୍ନ ବୋଲି ମଧ୍ୟ ଜଣାଯାଏ ।

 

ଅବ୍ୟାହତ ଗତିରେ ଯୁକ୍ତରାଷ୍ଟ୍ର ଆମେରିକାରେ ଅସାମାଜିକ କାର୍ଯ୍ୟାବଳୀର ପରିମାଣ ଯେ କ୍ରମେ କ୍ରମେ ବଢ଼ି ଚାଲିଛି ତାହାର ସ୍ପଷ୍ଟ ଆଭାସ ଲେଖକକୁ ମିଳିଥିଲା । ଲେଖକ ୧୯୫୭ରେ ଥରେ ଯୁକ୍ତରାଷ୍ଟ୍ର ଆମେରିକା ଯାଇଥିଲା । ତା’ପରେ ୧୯୭୩–୭୪ରେ ଦ୍ୱିତୀୟଥର ପାଇଁ ଯିବାର ସୁଯୋଗ ମିଳିଲା । ଏହି କେତେ ବର୍ଷ ଭିତରେ ଏ କ୍ଷେତ୍ରରେ ବହୁ ପରିମାଣରେ ଯେ ଦୁରବସ୍ଥା ଦେଖାଯାଇଛି ଏଥିରେ ସନ୍ଦେହ ନାହିଁ । ନିୟୁୟର୍କ, ସିକାଗୋ ପରି ସହରରେ ରାତିରେ ଯିବାପାଇଁ ବିପଦ ବଢ଼ିଚାଲିଛି । ଯୌନ ଅପରାଧର ମାତ୍ରା ବଢ଼ିଛି-ଯୌନ ସିନେମାଚିତ୍ରାବଳୀର ନଗ୍ନତା ବଢ଼ିଛି । ପାରିବାରିକ ଦୁଶ୍ଚିନ୍ତା ଏବଂ ଅଶାନ୍ତି ବହୁ ପରିମାଣରେ ବୃଦ୍ଧି ପାଇଛି । ଅଳ୍ପ ବୟସ୍କ ପିଲାଙ୍କର ମାନସିକ ଅସ୍ଥିରତା ତଥା ଅଗ୍ରଧର୍ଷିତା, ଅସାମାଜିକ ବ୍ୟବହାରର ମାତ୍ରା ମଧ୍ୟ ବଢ଼ୁଛି । ମୋଟାମୋଟି ଭାବରେ ସାମାଜିକ ଅସ୍ଥିରତା ତଥା ଅସ୍ୱାଭାବୀ ପରିସ୍ଥିତିର ସୁଦୂରପ୍ରସାରୀ ପ୍ରଭାବ ସମସ୍ତଙ୍କୁ ବିବ୍ରତ କରୁଥିବାର ପ୍ରମାଣ ମଧ୍ୟ ଅତି ସ୍ପଷ୍ଟ ।

 

ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଭିତରେ ଗତ କେତେ ବର୍ଷ ତଳର ବିରାଟ ବିକ୍ଷୋଭ ପରେ ଯେ ଗୋଟିଏ ପ୍ରକାର ଗଭୀର ବ୍ୟର୍ଥତା ଦେଖା ଦେଇଛି ତାହା ସେମାନଙ୍କ ଆଲୋଚନାରୁ ଜଣାଯାଏ । ଗତ କେତେ ବର୍ଷ ଭିତରେ ଯୁକ୍ତରାଷ୍ଟ୍ର ଆମେରିକାରେ ହିପ୍ପୀଗୋଷ୍ଠୀ, ହରେକୃଷ୍ଣ ସମ୍ପ୍ରଦାୟ ଓ ନାନାପ୍ରକାର ରହସ୍ୟାବୃତ୍ତ ଦାର୍ଶନିକ ଚିନ୍ତାଧାରାର ଅଭ୍ୟୁଦୟ ଏବଂ ନାନାପ୍ରକାର ମାଦକଦ୍ରବ୍ୟ ସେବନ ବହୁ ପରିମାଣରେ ବଢ଼ିଯାଇଛି । ଏହି ଗୋଷ୍ଠୀର ଯୁବକଯୁବତୀମାନଙ୍କ ସହିତ ଆଲୋଚନାରୁ ଏହା ଜଣାଗଲା ଯେ ଏହି ସବୁ ଗୋଷ୍ଠୀ ବିରାଟ ସାମାଜିକ ଓ ରାଜନୈତିକ ବ୍ୟର୍ଥତା ଯୋଗୁ ଉଦ୍ଭବ ହେଉଛି । ଏହି ଅଣ-ସାମାଜିକ ବ୍ୟାପାର ସମୂହ ଯୁକ୍ତରାଷ୍ଟ୍ର ଆମେରିକାରେ ବହୁ ପ୍ରକାର ସାମାଜିକ ବିଭ୍ରାଟ ସୃଷ୍ଟି କରୁଛି । ଏହା ମଧ୍ୟ ଯେ କୌଣସି ଆଗନ୍ତୁକ ଲକ୍ଷ୍ୟ କଲେ ଜାଣିପାରିବ ।

 

ଏସବୁ ସାମାଜିକ ବିଭ୍ରାଟ ସତ୍ତ୍ୱେ ଏ ଦେଶର ଜନସାଧାରଣଙ୍କଠାରେ ଗୋଟିଏ ବିରାଟ ଜୀବନୀଶକ୍ତି ରହିଛି । ଏମାନେ ଯେକୌଣସି ବିପଦର ସମ୍ମୁଖୀନ ହେବାରେ ପଛାଇବେ ନାହିଁ, ଯେକୌଣସି ଅଭାବ ଅସୁବିଧା ଏମାନଙ୍କୁ ଦବାଇ ପାରିବନାହିଁ । ଏମାନଙ୍କର ବ୍ୟକ୍ତିଗତ ତଥା ଜାତୀୟ ଧୈର୍ଯ୍ୟ ଓ ସାହସ ଏତେ ବେଶି ଯେ, ଯେ କୌଣସି ବାଧାବିଘ୍ନର ସମ୍ମୁଖୀନ ହେବାପାଇଁ ଏମାନଙ୍କର ଅପରିମେୟ ନୈତିକ ତଥା ମାନସିକ ବଳ ରହିଛି । ଉଦାହରଣ ସ୍ୱରୂପ ୧୯୫୭ରେ ସୋଭିଏତ୍‍ ରୁଷ ଯେତେବେଳେ ପ୍ରଥମେ ସ୍ଫୁଟନିକ ଛାଡ଼ିଲା ଏମାନେ ହଠାତ୍‍ ଦବିଗଲେ-ରୁଷର ଅଭୂତପୂର୍ବ ସାଫଲ୍ୟରେ ଏମାନେ ନିଜର ବୈଜ୍ଞାନିକ କୃତିତ୍ୱକୁ ହେୟ ମନେକଲେ; କିନ୍ତୁ ଏହି ଦେଶର ଅଫୁରନ୍ତ ଜୀବନୀଶକ୍ତି ଏହି ପରିସ୍ଥିତିର ମୁକାବିଲା କଲା । କିଛି ବର୍ଷ ପରେ ମଣିଷକୁ ଚନ୍ଦ୍ରପୃଷ୍ଠରେ ଓହ୍ଲାଇ ଦେଇ-ସୋଭିଏତ ରୁଷକୁ ଏ କ୍ଷେତ୍ରରେ ପଛକୁ ହଟାଇଦେଇ ଚରମ ସାଫଲ୍ୟ ଅର୍ଜନ କରିପାରିଲା; ଅର୍ଥାତ୍‍ ଏ ଦେଶ ଲୋକଙ୍କଠାରେ ବିରାଟ ଆତ୍ମପ୍ରତ୍ୟୟ ରହିଛି-ଜନସାଧାରଣଙ୍କଠାରେ ଗଭୀର ମାନବିକବୋଧ ରହିଛି । କିନ୍ତୁ ପୁଞ୍ଜିପତିଙ୍କର ଅପରିମିତ ଶକ୍ତି ଓ ଅର୍ଥବଳ ଯୋଗୁ ଏବଂ ପରମ ଶକ୍ତିଶାଳୀ ପେଣ୍ଟାଗନର କୁପ୍ରଭାବ ଯୋଗୁ ଜନସାଧାରଣଙ୍କର ଏହି ବିରାଟ ମାନବିକ ଶକ୍ତି ଉପଯୁକ୍ତ ମାର୍ଗରେ ପରିସ୍ଫୁଟିତ ହୋଇପାରୁନାହିଁ । ଫଳରେ ଏହି ଦୁଇଟି ବିରାଟ ଶକ୍ତିର ସଙ୍ଘର୍ଷ ଯୋଗୁଁ ନାନାପ୍ରକାର ଅସାମାଜିକ ଘଟଣା ଓ ବ୍ୟର୍ଥତା ଏତେ ପରିମାଣରେ ଦେଖାଯାଉଛି । ଏହି ଦୁଇଟି ପରସ୍ପର ବିରୋଧୀ ଶକ୍ତିର ଜୀବନୀଶକ୍ତି ଅତ୍ୟନ୍ତ ବଳିଷ୍ଠ ହୋଇଥିବାରୁ ସାମାଜିକ ଅପଚୟର ମାତ୍ରା ମଧ୍ୟ ଏତେ ବେଶି ପରିମାଣରେ ଦେଖାଦେଉଛି । ଦୁଇଟି କ୍ଷୀଣସ୍ରୋତା ଦୁର୍ବଳ ଝରଣାର ମୁହାଁମୁହିଁ ସଙ୍ଘର୍ଷ ଅପେକ୍ଷା ଦୁଇଟି ବିରାଟ ପ୍ରଖରସ୍ରୋତା ସ୍ରୋତସ୍ୱତୀର ଏପ୍ରକାର ସଙ୍ଘର୍ଷ ନିଶ୍ଚୟ ଅତି ଭୟାବହ ହେବ । ଯୁକ୍ତରାଷ୍ଟ୍ର ଆମେରିକାରେ ବର୍ତ୍ତମାନ ଏହି ଦୁଇଟି ଶକ୍ତିର ପରୀକ୍ଷା ନାନା କ୍ଷେତ୍ରରେ ଅତି ଭୟଙ୍କର ଭାବରେ ଦେଖାଦେଇଛି । ଏହି ସଙ୍ଘର୍ଷରୁ ଅନ୍ୟାନ୍ୟ ଗଣତାନ୍ତ୍ରିକ ଦେଶର ନାଗରିକମାନଙ୍କର ବହୁତ ଶିଖିବାର ଅଛି । ବିଂଶ ଶତାବ୍ଦୀ ଶେଷ ହେବା ପୂର୍ବରୁ ଯେ ଏହାର ସମାଧାନ ହେବ ଏଥିରେ ସନ୍ଦେହ ନାହିଁ, କାରଣ କୌଣସି ଗୋଟିଏ ବିରାଟ ଶକ୍ତି ସଙ୍ଘର୍ଷମୟ ପରିସ୍ଥିତି ଭିତର ଦେଇ ବେଶି ସମୟ ଚାଲି ପାରିବ ନାହିଁ । ସମାଧାନ ଉପରେ ହିଁ ଏହାର ଭବିଷ୍ୟତ ନିର୍ଭର କରେ ।

Image